ଛତିଶଗଡ଼ରେ ବିଜେପିର ବିଜୟ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ । ଓଡ଼ିଶା ଲୋକେ ଅସ୍ତବ୍ୟସ୍ତ ହେଲେଣି ବିଜେପିକୁ ଭୋଟ୍ ଦେବାକୁ । ଆଜି ଏଭଳି କିଛି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଦେଶର ଉତ୍ତରରୁ ଦକ୍ଷିଣ ସବୁଠି ଲୋକପ୍ରିୟ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଠି ବି ଡବଲ୍ ଇଞ୍ଜିନ ସରକାର ଦରକାର ବୋଲି ଲୋକ କହିଲେଣି ।
ମୋଦିଙ୍କ ଗ୍ୟାରେଣ୍ଟିର ସଫଳତାକୁ କଳାହାଣ୍ଡିରୁ କେନ୍ଦ୍ରାପଡ଼ା, ମାଲକାନଗିରିରୁ ମୟୂରଭଞ୍ଜ ଯାଏ ଲୋକେ ଅନୁଭବ କଲେଣି । ତେଣୁ ୨୪ ନିର୍ବାଚନରେ କ୍ଷମତାକୁ ଆସିବ ବିଜେପି । ଉତ୍ତର-ପୂର୍ବ ଭାରତ ଯେଉଁଠି କେବେ ବିଜେପି ଜିତି ପାରିବନି ବୋଲି ଲୋକେ କହୁଥିଲେ, ସେଠି ଜିତିଲୁ । ଛତିଶଗଡ଼ରେ ବିଜେପି ଜିତିବନି ବୋଲି ମଧ୍ୟ ଲୋକେ କହୁଥିଲେ, ହେଲେ ସେଠି ବି ବିଜେପି ଜିତିଲା । ଏବେ ପାଳି ଓଡ଼ିଶାର ବୋଲି ବୈଜୟନ୍ତ ଦୋହରାଇଛନ୍ତି ।
‘ଏଠି ଶାସକରେ ଥିବା ଲୋକେ ଅର୍ଥ ବଳ, ବାହୁ ବଳ, ପ୍ରଶାସନ ତାକତ୍ରେ ସରକାର ଚଲାଉଛନ୍ତି । ଏବେ କ’ଣ ସତରେ ନବୀନ ବାବୁ ସରକାର ଚଲାଉଛନ୍ତି ? ଯେତେ ମାର୍କେଟିଂ କଲେ କ’ଣ ହେବ ? ଲୋକ ସବୁ ବୁଝିଲେଣି । ଏମିତି ହେଲାଣି କି ଲୋକେ ଯେଉଁଥି ପାଇଁ ଭୋଟ୍ ଦେଇଥିଲେ ତାହା ମିଳିିନି । ଆୟୁଷ୍ମାନ ଭାରତ ଲାଗୁ ହୋଇନି । ଦୁଷ୍କର୍ମ ସମେତ ଅନେକ ଅପରାଧ ରାଜ୍ୟରେ ବଢ଼ିଛି ଚାଲିଛି ବୋଲି ବୈଜୟନ୍ତ ପଣ୍ଡା କହିଛନ୍ତି ।
ସେହିପରି ନିର୍ବାଚନ ଲଢ଼ିବା ପ୍ରଶ୍ନକୁ ନେଇ ବି ମତ ରଖିଛନ୍ତି ବୈଜୟନ୍ତ । ‘ଦଳ ଯେଉଁ ଦାୟିତ୍ୱ ଦେଇଛି ସେ ସବୁ କରିଛି । ଆସାମ ଦାୟିତ୍ୱ ଦିଆଯାଇଥିଲା, ସେଠି ସରକାର ଫେରିଛି । ଦିଲ୍ଲୀରେ ମଦ ଦୁର୍ନୀତିକୁ ଲୋକଲୋଚନକୁ ଅଣାଯାଇଛି । ଅଭିଯୁକ୍ତ ମନ୍ତ୍ରୀଙ୍କୁ ଗିରଫ କରାଯାଇଛି ବୋଲି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି ।