ମଦ ବ୍ୟବସାୟୀଙ୍କ ଠାରୁ ୩୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ ହେବା ପରେ ବଢୁଛି ପ୍ରତିବାଦ । ପ୍ରତୀକାତ୍ମକ ଭାବେ ଟୋକେଇରେ ନକଲି ନୋଟ୍ ରଖି ଅଭିନବ ଢଙ୍ଗରେ ଆଜି ବିଜେପି ପ୍ରତିବାଦ କରିଛି । ଭୁବନେଶ୍ୱର କଳ୍ପନା ଛକ ଠାରେ ଜିଲ୍ଲା ବିଜେପି ପକ୍ଷରୁ ଧାରଣା ଦିଆଯାଇଛି ।
ରାଜ୍ୟରେ ୫୦ ହଜାର କୋଟି ଟଙ୍କାର ଦୁର୍ନୀତି କରି ମଦର ମହାନଦୀ ସୃଷ୍ଟି କରିଥିବା ବିଜେଡି ସରକାର ବିରୋଧରେ ବିଜେପି ଧାରଣା ଦେଇଛି । ଆଇଟି(ଆୟକର ବିଭାଗ) ରେଡ୍ରେ ଜବତ ହୋଇଥିବା ଶହ ଶହ କୋଟି ଟଙ୍କା କାହାର ? କାହିଁକି ଏତେ ବର୍ଷ ଧରି ଝାଡ଼ଖଣ୍ଡ ସାଂସଦ ତଥା ମଦ ବ୍ୟବସାୟୀ ଧୀରଜ ସାହୁଙ୍କୁ ଅନୁକମ୍ପା ଦେଖାଉଥିଲେ ରାଜ୍ୟ ସରକାର ?
ଏହି ଟଙ୍କା ମଦ ବ୍ୟବସାୟୀଙ୍କର ନା ଦଳୀୟ ପାଣ୍ଠି ତାହା ବିଜେଡି ସ୍ପଷ୍ଟ କରୁ ବୋଲି ବିଜେପି ଦାବି କରିଛି । ଏହି ଘଟଣାରେ ଦଳ ସିବିଆଇ ତଦନ୍ତ ମଧ୍ୟ ଦାବି କରିଛି । ଖବର ଲେଖାଯିବା ସୁଦ୍ଧା ଏନେଇ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।