ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପୁଣି ସ୍ୱର ଶାଣିତ କଲା ବିଜେପି

ମମିତା ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟକୁ ନେଇ ବିରୋଧୀ ଖଡ଼ଗହସ୍ତ ହୋଇଥିବାବେଳେ ଆହୁରି ତେଜିଛି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ସାଙ୍ଗକୁ ଗିରଫ ଦାବି । ଆଜି କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଗାଡ଼ିକୁ ହୋଇଛି ଅଣ୍ଡାମାଡ଼ ।

Dibyashankar Mishra

News Summary

ମମିତାଙ୍କୁ ନ୍ୟାୟ ଦାବିରେ ପୁଣି ଶାଣିତ ବିରୋଧୀଙ୍କ ଆଭିମୁଖ୍ୟ ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ, ମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡାମା଼ଡ଼ ।

ବିଭିନ୍ନ ସ୍ଥାନରେ ମନ୍ତ୍ରୀ ଓ ବିଜେଡି ନେତାଙ୍କୁ କଳାପତାକା ପ୍ରଦର୍ଶନ ।

ଭୁବନେଶ୍ୱର: ମମିତା ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ନୋ ରିଆକ୍ସନ ଆଭିମୁଖ୍ୟ ବିରୋଧରେ ପୁଣି ତାତିଲେ ବିରୋଧୀ । ମମିତା ହତ୍ୟାର ସିବିଆଇ ତଦନ୍ତ ଆଦେଶ ସହ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବହିଷ୍କାର ଦାବିରେ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ କେଉଁଠି ମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡାମାଡ଼ ତ କେଉଁଠି କଳାପତାକା ପ୍ରଦର୍ଶନ ହୋଇଛି । ବିଜେପି କହିଛି ମୁଖ୍ୟମନ୍ତ୍ରୀ ଯୁଆଡ଼େ ଯିବେ ବିରୋଧ ଜାରି ରହିବ । ଏଣେ ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଟାର୍ଗେଟ୍ କରି କହିଛନ୍ତି ଏଠି ଭ୍ରଷ୍ଟାଚାରୀ ଓ ହତ୍ୟାକାରୀ ନେତାଙ୍କୁ ସୁରକ୍ଷା ଦିଆଯାଉଛି ।

ମମିତା ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟକୁ ନେଇ ବିରୋଧୀ ଖଡ଼ଗହସ୍ତ ହୋଇଥିବାବେଳେ ଆହୁରି ତେଜିଛି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ସାଙ୍ଗକୁ ଗିରଫ ଦାବି । ଆଜି କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଗାଡ଼ିକୁ ହୋଇଛି ଅଣ୍ଡାମାଡ଼ । ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ ପାଇଁ ଯାଉଥିବା ବେଳେ କଳାହାଣ୍ଡିର ଥୁଆମୂଳ ରାମପୁରରେ ଅଣ୍ଡାମାଡ଼ କରିଛନ୍ତି କଂଗ୍ରେସ କର୍ମୀ । ସେପଟେ ବାରିପଦାରେ ବିଜେପି କର୍ମୀ ଏସ୍‌ପି ଅଫିସ୍ ଘେରାଉ ପାଇଁ ଯିବାବେଳେ ବାଧାଦେବାରୁ ପୋଲିସକୁ ବି ଅଣ୍ଡାମାଡ଼ ହୋଇଛି । ମୁଖ୍ୟମନ୍ତ୍ରୀଙ୍କଠୁ ଶାସକଦଳର ନେତା, ସମସ୍ତଙ୍କୁ ହେଉଛି ଟାର୍ଗେଟ୍ ।

ଆଜି କଟକ ନିକଟ ଅରିଲୋରେ ଓମ୍ଫେଡ୍ ପ୍ଲାଣ୍ଟର ଉଦଘାଟନ ଉତ୍ସବରେ ଯୋଗ ଦେବାକୁ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ବି ବିଜେପି କର୍ମୀଙ୍କ ପକ୍ଷରୁ ହୋଇଛି ଜୋରଦାର ବିରୋଧ । ନରାଜ ଓ ତ୍ରିଶୁଳିଆରେ ଶହ ଶହ ବିଜେପି କର୍ମୀ କଳା ପତାକା ଧରି ସ୍ଲୋଗାନ ଦେଉଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିଥିଲା । ସେମିତି ବିଜେଡ଼ି ନେତା ଆକାଶ ଦାସ ନାୟକଙ୍କୁ ବି କଳାହାଣ୍ଡି ଦେପୁର ନିକଟରେ କଳାପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିଥିଲା ବିଜେପି । ମନ୍ତ୍ରୀ ପ୍ରଫୁଲ ମଲ୍ଲିକଙ୍କୁ କେନ୍ଦୁଝରରେ କଳାପତାକା ପ୍ରଦର୍ଶନ କରି କ୍ଷୋଭ ଜାହିର କରିଛି ବିଜେପି ଯୁବମୋର୍ଚ୍ଚା । ଦରବାର ହଲଠାରେ ଜିଲ୍ଲା ଯୋଜନା ବୋର୍ଡ ମିଟିଂରେ ଯୋଗ ଦେବାକୁ ଆସୁଥିବାବେଳେ ଏନଏଚ-୨୦ରେ ନେଙ୍କଡା ଘର ନିକଟରେ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋ ବ୍ୟାକ ନାରା ଦେଇଥିଲେ ବିଜେପି କର୍ମୀ । 

 

ଏଣେ ମମିତା ମାମଲାରେ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରି ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର ଓ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଓଡ଼ିଶା ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ । ବରଗଡ଼ ଗସ୍ତବେଳେ ପୁରେନ୍ଦେଶ୍ୱରୀ କହିଛନ୍ତି- ସରକାର ହତ୍ୟାକାରୀଙ୍କୁ ସୁରକ୍ଷା ଦେଉଛନ୍ତି । ନୟାଗଡ଼ର ପରୀ ଘଟଣା ମନରୁ ନଲିଭୁଣୁ ପୁଣି ମମିତା ଘଟଣା ସାମ୍ନା କରିବାକୁ ପଡୁଛି । ଦିବ୍ୟଶଙ୍କରଙ୍କୁ ସଭାରେ ନିଜ ପାଖରେ ବସାଇବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରି ପୁରନ୍ଦେଶ୍ୱରୀ କହିଛନ୍ତି ଏଠି ଭ୍ରଷ୍ଟାଚାରୀ, ହତ୍ୟାକାରୀ ନେତାଙ୍କୁ ସୁରକ୍ଷା ଦିଆଯାଉଛି । ସେପଟେ ବିଜେପି ମୁଖପାତ୍ର ଗୋଲକ ନାୟକ କହିଛନ୍ତି- ମାହାଙ୍ଗାରୁ ମହାଲିଙ୍ଗ ଯାଏଁ ଅନେକ ମାମଲାରେ ହତ୍ୟାକାରୀ ମନ୍ତ୍ରୀଙ୍କ ସଂପୃକ୍ତି ରହିଛି । ଅଥଚ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସାଙ୍ଗରେ ଧରି ଚାଲିଛନ୍ତି, ତେଣୁ ମୁଖ୍ୟମନ୍ତ୍ରୀ ଯୁଆଡ଼େ ଯିବେ ବିରୋଧ ଜାରି ରହିବ । ଜବାବରେ ବିଜେଡି କହିଛି ସମାଲୋଚନା କରିବା ବିରୋଧୀଙ୍କ କାମ ତେବେ ନବୀନଙ୍କ ଭାବମୂର୍ତ୍ତି ଅତୁଟ ରହିଛି ।

ସେପଟେ ଏବିଭିପିର ଶହ ଶହ କର୍ମୀ ମଧ୍ୟ ଆଜି ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ ସହ ନବୀନ ନିବାସ ଘେରାଉ ଉଦ୍ୟମ କରିଥିଲେ । ଶିଶୁଭବନ ଛକରେ ପୋଲିସ୍ ସେମାନଙ୍କୁ ଅଟକାଇବାରୁ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା ।