ଧାମନଗର ଏନ୍ଏସିରେ ବିଜେଡିର ବାଜିମାତ

ଧାମନଗର ଏନ୍ଏସିରେ ବିଜେଡିର ବିଜୟ । ଧାମନଗର ଏନ୍ଏସି ନିର୍ବାଚନର ଭୋଟ ଗଣତି ଶେଷ ହୋଇଥିବା ବେଳେ ବିଜେଡିର ନିବେଦିତା ଜେନା ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି ।

Nibedita jena

ଧାମନଗର ଏନ୍ଏସିରେ ବିଜେଡିର ବିଜୟ । ଧାମନଗର ଏନ୍ଏସି ନିର୍ବାଚନର ଭୋଟ ଗଣତି ଶେଷ ହୋଇଥିବା ବେଳେ ବିଜେଡିର ନିବେଦିତା ଜେନା ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ପୁଷ୍ପଶ୍ରୀ ମହାନ୍ତିଙ୍କୁ ହରାଇ ବିଜୟୀ ହୋଇଛନ୍ତି ।

ସେହିଭଳି ଏନ୍ଏସିର ୧୧ଟି ୱାର୍ଡରୁ ୯ଟିରେ ବିଜେଡି ବିଜୟୀ ହୋଇଥିବା ବେଳେ ବିଜେପିକୁ ୨ଟି ସିଟ୍ ମିଳିଛି । ଧାମନଗର ଏନ୍ଏସିର ବାକିଥିବା ୱାର୍ଡରେ ମତଦାନ ପରେ ଆଜି ସକାଳୁ ଭୋଟ୍ ଗଣତି ଆରମ୍ଭ ହୋଇଥିଲା । ମତଗଣନା ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ପୂର୍ବରୁ ମତଦାନ ବେଳେ ଗଣ୍ଡଗୋଳ ଓ ହିଂସାକାଣ୍ଡ ଘଟିବାରୁ ଗତକାଲି ଧାମନଗରର ୪ଟି ୱାର୍ଡରେ ଥିବା ୬ଟି ବୁଥ୍‌ରେ ସାନି ମତଦାନ ହୋଇଥିଲା ।

ହିଂସାକାଣ୍ଡ ଓ ଗଣ୍ଡଗୋଳ ଯୋଗୁ ମାର୍ଚ୍ଚ ୨୪ ତାରିଖରେ ଧାମନଗର ଏନ୍‌ଏସିର ୬ଟି ବୁଥ୍‌ରେ ମତଦାନ ବାଧାପ୍ରାପ୍ତ ହୋଇଥିଲା । ତେଣୁ ଅନ୍ୟ ସମସ୍ତ ୱାର୍ଡର ତଥା ଏନ୍‌ଏସି ଅଧ୍ୟକ୍ଷ ପଦ ପାଇଁ ଗ୍ରହଣ କରାଯାଇଥିବା ଭୋଟ୍‌ର ଗଣତିକୁ ବନ୍ଦ କରାଯାଇଥିଲା । ତାସହିତ ଏହି ୬ଟି ୱାର୍ଡରେ ପୁନଃମତଦାନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଥିଲା । ଆଜି ଏଠାରେ ଶାନ୍ତିଶୃଙ୍ଖଳାର ସହିତ ମତଦାନ ଶେଷ ହୋଇଥିବା ନେଇ ଭଦ୍ରକ ଉପଜିଲ୍ଲାପାଳ ସୂଚନା ଦେଇଥିଲେ । ୭୨% ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିଥିବା ସେ କହିଥିଲେ ।