ବବି-ମାନସଙ୍କୁ ବିଜେଡିରେ ଅଣଦେଖା ! ତାଲିକାରୁ ନବୀନ କାଟିଦେଲେ ନାଁ

ବିଜେଡିର ପରାଜୟ ପରେ ଚାଲିଛି ମଙ୍ଗୁଆଳଙ୍କ ପକ୍ଷଛେଦନ । ଗୋଟିଗୋଟି କରି ହିସାବ ମାଗୁଛନ୍ତି ବିଜେଡି ସୁପ୍ରିମୋ ।

Naveen Patnaik

ବିଜେଡିର ପରାଜୟ ପରେ ଚାଲିଛି ମଙ୍ଗୁଆଳଙ୍କ ପକ୍ଷଛେଦନ । ଗୋଟିଗୋଟି କରି ହିସାବ ମାଗୁଛନ୍ତି ବିଜେଡି ସୁପ୍ରିମୋ । ବିଜୁ ଜନତା ଦଳର ୨୫ ବର୍ଷର ଶାସନର ଅଣ୍ଟା ଭାଙ୍ଗିବା ପରେ ନବୀନ ଯେମିତି ଏବେ ଫୁଲ୍ ଆକ୍ସନରେ । ଆଉ କାଳ ପଡ଼ିଛି ବବି ଓ ମାନସ ମଙ୍ଗରାଜଙ୍କ ଉପରେ । ସବୁଥିରୁ ଏମାନେ ହେଉଛନ୍ତି ଆଉଟ୍ ।

ଗତ ୨୫ ତାରିଖରେ ବିଜେଡି ତିନି ତିନିଟି କମିଟି ଘୋଷଣା କରିଥିଲା । ଯାହାର ନାଁ ଥିଲା ଉପଦେଷ୍ଟା କମିଟି, ସଦସ୍ୟତା ଅଭିଯାନ କମିଟି ଓ କାର୍ଯ୍ୟକ୍ରମ ପରିଚାଳନା କମିଟି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ତିନିଟିଯାକ କମିଟିରେ ନାହିଁ ଦଳର ପୂର୍ବତନ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଓ ସାଂସଦ ମାନସ ମଙ୍ଗରାଜଙ୍କ ନାଁ ।

ଆଉ ରାଜନୈତିକ ସମୀକ୍ଷକଙ୍କ ମତ, ଏମାନଙ୍କୁ ଜାଣି ଜାଣି ଅଣଦେଖା କରାଯାଉଛି । ଚଳିତ ଥର ନିର୍ବାଚନରେ ବିଜେଡିର ପରାଜୟ ପରେ ଏବେ ଦଳରେ ଅନ୍ତର୍ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି । ଆଉ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ପ୍ରତିକ୍ରିୟା । ନବରଙ୍ଗପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀଙ୍କ ପରେ ଏବେ ଢେଙ୍କାନାଳ ସାଂସଦ ପ୍ରାର୍ଥୀ ଅବିନାଶ ସାମଲ ସୁପ୍ରିମୋଙ୍କ ଆଗରେ ବିସ୍ଫୋରଣ କରିଛନ୍ତି ।

ଶଙ୍ଖ ଭବନରେ ନବୀନ ଢେଙ୍କାନାଳ ଜିଲ୍ଲା ସମୀକ୍ଷା କରୁଥିବା ବେଳେ ଅବିନାଶ ଖୋଲାଖୋଲି ତାଙ୍କୁ ନିର୍ବାଚନ ପରାଜୟର କାରଣ କହିଛନ୍ତି । ନିର୍ବାଚନ ପୂର୍ବରୁ ଏ ଦୁଇ ନେତାଙ୍କ ଦବଦବା ଦଳରେ ବେଶ୍ ଥିଲା । କିନ୍ତୁ ବିପର୍ଯ୍ୟୟ ପରେ ଦୁହିଁଙ୍କୁ ଶଙ୍ଖ ଭବନଠାରୁ ଆରମ୍ଭ କରି ଜିଲ୍ଲା ପର୍ଯ୍ୟନ୍ତ ସବୁଠି ନିଜ ଦଳର କର୍ମୀ ଓ ନେତା ବିରୋଧ କରି ଆସୁଛନ୍ତି ।

ଚର୍ଚ୍ଚା ହେଉଛି ଅସନ୍ତୁଷ୍ଟ ନେତା ଓ କର୍ମୀଙ୍କ କ୍ଷୋଭକୁ ପ୍ରଶମିତ କରିବାକୁ ସୁପ୍ରିମୋ ପ୍ରଣବ ଓ ମାନସଙ୍କ ପକ୍ଷଛେଦନ କରିଛନ୍ତି । ବିଜେଡି ଏହାକୁ ଖଣ୍ଡନ କରିଥିବା ବେଳେ ରାଜନୈତିକ ସମୀକ୍ଷକଙ୍କ ମତ ହେଲା ସୁପ୍ରିମୋ ପୁଣି ଥରେ ନେତାଙ୍କୁ ଏକାଠି ନେବାକୁ ପ୍ରୟାସ ଆରମ୍ଭ କରିଛନ୍ତି ।

ତେବେ ଦିନେ ବିଜେଡି ଆଗଧାଡ଼ିର ନେତା କୁହାଯାଉଥିବା ଏହି ଦୁଇ ନେତା ବବି ଓ ମାନସଙ୍କୁ ନେଇ ଏବେ ରାଜ୍ୟ ରାଜନୀତିରେ ପ୍ରବଳ ଚର୍ଚ୍ଚା । କୁହାଯାଉଛି କୁଆଡ଼େ ବବିଙ୍କ ଉପରେ ସୁପ୍ରିମୋଙ୍କର ଆଉ ଭରସା ପାଉନି । ଆଉ ଯାଜପୁରର କୁସୁମା କେଳେଙ୍କାରୀ କଥା ନକହିବା ତ ଭଲ । ବୋଧହୁଏ ସେଇଥିପାଇଁ ସବୁଥିରୁ ବାଦ୍ ପଡ଼ୁଛନ୍ତି ବବି ଓରଫ୍ ପୂର୍ବତନ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଆଉ ମାନସଙ୍କ କଥା ପଚାରେ କିଏ ।