Advertisment

BJD Conflict: ଟାଣୁଆ ନେତାଙ୍କୁ ଛୁଇଁ ପାରୁନାହାନ୍ତି ବିଜେଡି ସୁପ୍ରିମୋ, ଦୁର୍ବଳ ଉପରେ ସାଧୁଛନ୍ତି କି ଦାଉ ?

ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦଳର ନିଲମ୍ବନ କରାଗଲା ବୋଲି ବିଜେଡ଼ି କହିଛି । ବିଜେଡ଼ିର ଏହି କାର୍ଯ୍ୟାନୁଷ୍ଠାନକୁ ଦଳର ଏକ ‘ଫେସ୍ ସେଭିଙ୍ଗ୍‌’ ବା ସମ୍ମାନରକ୍ଷା ପଦକ୍ଷେପ ବୋଲି ପ୍ରଫୁଲ୍ଲ କହିଛନ୍ତି । ତାଙ୍କର କହିବା କଥା ସେ ପ୍ରଥମେ ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି । ତାଙ୍କର ଇସ୍ତଫା ପତ୍ର ପାଇଲା ପରେ ବିଜେଡ଼ି ଦଳ ନିଜକୁ ଅପଦସ୍ତ ପରିସ୍ଥିତିରୁ ମୁକୁଳାଇବା ପାଇଁ ଏହି ପଦକ୍ଷେପ ନେଇଛି ।

BJD

BJD

Advertisment

ଓଡ଼ିଶା ଶାସନରେ ଦୀର୍ଘ ୨୪ ବର୍ଷ ଧରି ରହିଥିବା ବିଜୁ ଜନତା ଦଳର ସ୍ଥିତି କ’ଣ ଏବଂ ଦଳ କିପରି ଚାଲିଛି ଓ କିଏ ଚଳାଉଛି, ତାହା ସାଧାରଣ ଜନତା ତ ଜାଣିପାରୁନାହାଁନ୍ତି, ଦଳର ନେତାମାନେ ମଧ୍ୟ ଏ ନେଇ କିଛି ଟେର୍ ପାଉନାହାଁନ୍ତି । ଏମିତି ତ ବହୁ ନେତା ୨୦୨୪ ବିଧାନସଭା ଓ ଲୋକସଭା ନିର୍ବାଚନ ପୂର୍ବରୁ ଏ ବାବଦରେ ସନ୍ଦେହ ପ୍ରକାଶ କରିଥିଲେ । ଏବେ ବି ସେହି ପ୍ରକ୍ରିୟା ଜାରି ରହିଛି ।
ନିର୍ବାଚନର ପୂର୍ବରୁ ବରଗଡ଼ର ପୂର୍ବତନ ସାଂସଦ ପ୍ରଭାସ ସିଂହ, ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ, ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ପୂର୍ବତନ ସାଂସଦ ଅନୁଭବ ମହାନ୍ତି, ଅଭିନେତା ଅରିନ୍ଦମ ରାୟ, କୋରେଇର ପୂର୍ବତନ ବିଧାୟକ ଆକାଶ ଦାସନାୟକଙ୍କ ଭଳି କିଛି ନେତା ଏନେଇ ମୁହଁ ଖୋଲିଥିଲେ । କିଛି ନେତା ଦଳ ଛାଡ଼ିଥିଲେ ଏବଂ ଆଉ କେତେ ଜଣଙ୍କୁ ପାଟି ଖୋଲିବାରୁ ଦଳରୁ ବିଦା ହେବାକୁ ପଡ଼ିଥିଲା ।

Advertisment

୨୦୨୪ ନିର୍ବାଚନ ପରେ ଏବେ ବିଜେଡ଼ିରେ ଯେଉଁ ବିଲକ୍ଷଣ ଦେଖାଯାଉଛି, ତାହା ପୂର୍ବ ଠାରୁ ବେଶ୍ ଭିନ୍ନ । ଏବେ ଜଣଙ୍କ ପରେ ଜଣେ ବର୍ଷୀୟାନ୍ ନେତା ମୁହଁ ଖୋଲୁଛନ୍ତି । ଭୂପିନ୍ଦର ସିଂହ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅଶୋକ ଚନ୍ଦ୍ର ପଣ୍ଡା, ଅରୁଣ ସାହୁ, ବଦ୍ରିନାରାୟଣ ପାତ୍ର, ଦେବାଶିଷ ସାମନ୍ତରାୟ, ଏନ. ଭାସ୍କର ରାଓ, ଶ୍ରୀମୟୀ ମିଶ୍ର, ପ୍ରଫୁଲ ମଲ୍ଲିକ୍ ଓ ହରିଶଙ୍କର ରାଉତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନେତାଙ୍କ କାର୍ଯ୍ୟଶୈଳୀ ନେଇ ପ୍ରଶ୍ନ କରିବା ସହିତ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଇତି ମଧ୍ୟରେ ଏନ୍‌. ଭାସ୍କର ରାଓ ଏବଂ ତାଙ୍କର ହଜାର ହଜାର ସମର୍ଥକ ଦଳ ଛାଡ଼ିଛନ୍ତି । ଦକ୍ଷିଣ ଓଡ଼ିଶାରେ ଦଳର ଦୁର୍ଗ ଏକ ପ୍ରକାର ଦୋହଲିଯାଇଛି । ଅପରପକ୍ଷରେ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦଳର ନିଲମ୍ବନ କରାଗଲା ବୋଲି ବିଜେଡ଼ି କହିଛି । ବିଜେଡ଼ିର ଏହି କାର୍ଯ୍ୟାନୁଷ୍ଠାନକୁ ଦଳର ଏକ ‘ଫେସ୍ ସେଭିଙ୍ଗ୍‌’ ବା ସମ୍ମାନରକ୍ଷା ପଦକ୍ଷେପ ବୋଲି ପ୍ରଫୁଲ୍ଲ କହିଛନ୍ତି । ତାଙ୍କର କହିବା କଥା ସେ ପ୍ରଥମେ ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି । ତାଙ୍କର ଇସ୍ତଫା ପତ୍ର ପାଇଲା ପରେ ବିଜେଡ଼ି ଦଳ ନିଜକୁ ଅପଦସ୍ତ ପରିସ୍ଥିତିରୁ ମୁକୁଳାଇବା ପାଇଁ ଏହି ପଦକ୍ଷେପ ନେଇଛି ।

Advertisment

ଏବେ ରାଜନୈତିକ ମହଲରେ ଗୋଟିଏ କୌତୁହଳପୂର୍ଣ୍ଣ ଆଲୋଚନା ଜୋରସୋରରେ ଚାଲିଛି । କେବଳ ପ୍ରଫୁଲ୍ଲ ମଲ୍ଲିକଙ୍କ ଉପରେ କାହିଁକି ଦଳୀୟ ଶୃଙ୍ଖଳା କାର୍ଯ୍ୟାନୁଷ୍ଠାନର ଖଣ୍ଡାଚୋଟ ପଡ଼ିଲା? ସେ କ’ଣ ଟିକିଏ ସରଳ ବୋଲି ତାଙ୍କୁ ଟାର୍ଗେଟ୍ କରାଗଲା? ନା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଅପେକ୍ଷାକୃତ ଭାବରେ ଜଣେ ଦୁର୍ବଳ ରାଜନେତା ଭାବି ତାଙ୍କ ଉପରେ ଏହିଭଳି କାର୍ଯ୍ୟାନୁଷ୍ଠାନ ନେଲେ?
ପ୍ରଫୁଲ୍ଲ ମଲ୍ଲିକ ଅନ୍ୟମାନଙ୍କ ଠାରୁ ଟିକିଏ ଭିନ୍ନ । ତାଙ୍କ ନିଜର ନିର୍ବାଚନମଣ୍ଡଳୀକୁ ଛାଡ଼ିଦେଲେ ତାଙ୍କର ଅନ୍ୟସ୍ଥାନରେ ସାଙ୍ଗଠନିକ ଉପସ୍ଥିତି ସେତେଟା ନାହିଁ କିମ୍ବା ଦଳ ଭିତରେ ତାଙ୍କର କୌଣସି ଗୋଷ୍ଠୀ ସହିତ ସମ୍ପର୍କ ନାହିଁ । ଦଳର ଆଦେଶରେ ସେ ସର୍ବଦା ବିଭିନ୍ନ ସ୍ଥାନ ଗସ୍ତ କରି ନିର୍ବାଚନ ପରିଚାଳନା କରିଥାନ୍ତି ।

ପ୍ରଫୁଲ୍ଲଙ୍କ ଉପରେ ବିଜେଡ଼ିର ମୁଖପାତ୍ରମାନେ ଖୁବ୍ ଜୋରରେ ବର୍ଷିଥିଲେ । ହେଲେ ପୂର୍ବୋକ୍ତ ତଥା ଅନ୍ୟାନ୍ୟ ଅସନ୍ତୁଷ୍ଟ ନେତାମାନଙ୍କ ଉପରେ ସେମାନଙ୍କର ବର୍ଷିବାର ଦୃଷ୍ଟାନ୍ତ ଦେଖାଯାଇନାହିଁ । ଏହାର କାରଣ ଏହି ନେତାମାନେ ଦଳ ଭିତରେ ଥିବା ବିଭିନ୍ନ ଗୋଷ୍ଠୀ ସହିତ ଜଡ଼ିତ ଏବଂ ସେମାନଙ୍କର ନିଜସ୍ୱ ଛୋଟବଡ଼ ସଂଗଠନ ରହିଛି ।
ଭୂପିନ୍ଦର ସିଂହ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅରୁଣ ସାହୁ, ବଦ୍ରିନାରାୟଣ ପାତ୍ର, ଦେବାଶିଷ ସାମନ୍ତରାୟ, ଏନ. ଭାସ୍କର ରାଓ ଓ ହରିଶଙ୍କର ରାଉତଙ୍କ ନିଜସ୍ୱ ସମର୍ଥକ ଗୋଷ୍ଠୀ ରହିଛନ୍ତି । ଏମାନେ ଯେତେବେଳେ ଯେଉଁଠି ରହିବେ, ସେମାନଙ୍କର ନିଜର ସମର୍ଥକମାନେ ସେମାନଙ୍କ ସହିତ ରହିବେ । ସମୀକ୍ଷକମାନଙ୍କ କହିବା କଥା ଯେଉଁ ନେତାମାନଙ୍କର ନିଜସ୍ୱ ଫ୍ୟାନ୍‌ଫଲୋଇଙ୍ଗ ବା ସମର୍ଥକମାନଙ୍କର ଦୃଢ ଭିତ୍ତି ରହିଛି, ସେମାନଙ୍କ ବିରୋଧରେ ନବୀନ ବା ତାଙ୍କର ଅତ୍ୟନ୍ତ ବିଶ୍ୱସ୍ତ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କର କାର୍ଯ୍ୟାନୁଷ୍ଠାନ ନେବାକୁ ସାହସ ନାହିଁ ।

Advertisment

ଏମିତି କିଛି କିଛି ସମୀକ୍ଷକ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କର ଉଦାହରଣ ଦେଇ କୁହନ୍ତି ଯେ ଯଦିଓ ସେ ବହୁବାର ନବୀନ ଓ ବିଜୁ ଜନତା ଦଳର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି, ତାଙ୍କ ବିରୋଧରେ ଠୋସ୍ କାର୍ଯ୍ୟାନୁଷ୍ଠାନ ନେବାକୁ ନବୀନ ଏ ପର୍ଯ୍ୟନ୍ତ ସାହସ କରିପାରିନାହାଁନ୍ତି । କେବଳ ଗୋଟିଏ କଥା କହିଛନ୍ତି ଯେ “ସେ ଏବେ ବିଜୁ ଜନତା ଦଳରେ ନାହାଁନ୍ତି” । କଟକ ରାଜନୀତିରେ ପ୍ରଭାତଙ୍କର ନିଜର ଦବ୍‌ଦବା ରହିଛି । ତାଙ୍କର ପୁତ୍ର ଦେବୀ ରଂଜନ ତ୍ରିପାଠୀଙ୍କର ମଧ୍ୟ ଛାତ୍ର ବିଜେଡି ଉପରେ ପ୍ରଭାବ ରହିଛି । ତେଣୁ ତାଙ୍କୁ ଛୁଇଁବାରେ ନବୀନ କିମ୍ବା ପାଣ୍ଡିଆନ୍‌ଙ୍କ ସେତିକି ସାହସ ନାହିଁ ।

ନବୀନଙ୍କ ସଦ୍ୟ ବିଜୁ ଜନତା ଦଳ ରୂପାନ୍ତରଣ ପ୍ରକ୍ରିୟାରେ ଯେଉଁ ଫର୍ମୁଲାଟି ସବୁଠାରୁ ବେଶୀ ଆପଣାଯାଉଛି, ତାହା ହେଲା ବର୍ଷିୀୟାନ ନେତାମାନଙ୍କୁ ସେମିତି ଗୁରୁତ୍ୱ ପ୍ରଦାନ ନକରିବା । ଏହାଦ୍ୱାରା ସେମାନେ ଆପେଆପେ ଦଳ ଛାଡ଼ି ଚାଲିଯିବେ । ଯେଉଁମାନେ ଦଳଛାଡ଼ି ନଯିବେ ସେମାନେ ଅସନ୍ତୋଷ ପ୍ରକାଶ କରି ବୟାନବାଜି କରିବେ ଯାହାକି ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାହାଯ୍ୟ କରିବ ।
ନବୀନଙ୍କ ପାଖରେ ଏବେ କିଛି ତୃତୀୟ ପିଢିର ନେତା ରହିଛନ୍ତି । ଏମାନେ ନୂଆ ରୂପାନ୍ତରଣ ପ୍ରକ୍ରିୟାରେ ପାଣ୍ଡିଆନଙ୍କୁ ସହାୟତା କରୁଛନ୍ତି । ଏହି ନେତାମାନଙ୍କର ରାଜନୈତିକ ମୂଲ୍ୟ ବା ପଲିଟିକାଲ ଭାଲ୍ୟୁ ସେମିତି ନାହିଁ । ବର୍ଷୀୟାନ ତଥା ଅଭିଜ୍ଞ ରାଜନେତାମାନଙ୍କୁ ଅବହେଳା ଓ ଅସନ୍ତୁଷ୍ଟ କରି କେତେବାଟ ନବୀନ ଓ ବିଜୁ ଜନତା ଦଳ ଯାଇପାରୁଛନ୍ତି ଦେଖିବା କଥା । ରାୟଗଡ଼ା, ଧର୍ମଗଡ଼ ଓ ଧର୍ମଶାଳାରେ ବିଜେଡ଼ିର ଗଡ଼ ଏକ ପ୍ରକାର ପତନ ହୋଇସାରିଲାଣି । ଆଗକୁ ଆହୁରି ସ୍ଥିତି ସଙ୍ଗୀନ ହେବାର ଅଛି । ନବୀନ କିପରି ଏହି ବନ୍ଧ ଘଳିଆ ବନ୍ଦ କରୁଛନ୍ତି ତାହାକୁ ପର୍ଯ୍ୟବେକ୍ଷକମାନେ ନିରୀକ୍ଷଣ କରୁଛନ୍ତି ।

ବି.ଦ୍ର. – ଏହା ଲେଖକଙ୍କ ନିଜସ୍ୱ ମତ ।

ଅଧିକ ପଢ଼ନ୍ତୁ: ପ୍ରଫୁଲ୍ଲଙ୍କ ନିଲମ୍ବନ ନିଷ୍ପତ୍ତିକୁ ନେଇ ବିଜେଡିରେ କଂପନ, ପରୋକ୍ଷରେ ଦଳ ମୁଖିଆଙ୍କୁ ବାଣୀ ଶୁଣାଇଲେ ବରିଷ୍ଠ ନେତା ପଦ୍ମନାଭ

Naveen Patnaik BJD Prafulla Mallick Biju Janata Dal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ