ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିରେ ପୁଣି ଫେରିଲା କେନ୍ଦ୍ର ବିରୋଧୀ ନାରା । ପୁରୁଣା ପ୍ରସଙ୍ଗ ସବୁ ଉଠାଇବାକୁ ଭୁବନେଶ୍ୱର ଶଙ୍ଖ ଭବନରେ ବସିଥିବା ବିଜେଡି କାର୍ଯ୍ୟକାରିଣୀରେ ନିଷ୍ପତ୍ତି ହୋଇଛି । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଏପରିକି ସ୍ପେଶାଲ ଫୋକସ୍ ଷ୍ଟେଟ୍ ମାନ୍ୟତା ଦାବି ଉଠାଇବ ଦଳ ।
ମହାନଦୀ, ପୋଲାଭରମ ପ୍ରସଙ୍ଗରେ କେନ୍ଦ୍ରର ନୀରବତା ଅଭିଯୋଗ ସହ ଦାବି ପୂରଣ ପାଇଁ ଆନ୍ଦୋଳନ ଜାରି ରଖିବ ବିଜେଡି । ଏନେଇ କାର୍ଯ୍ୟକାରିଣୀରେ ନିଷ୍ପତ୍ତି ହୋଇଛି । ସେହିପରି କୋଇଲା ରୟାଲଟି, ସେସ୍ ପ୍ରଦାନ କ୍ଷେତ୍ରରେ କେନ୍ଦ୍ର ନିକଟରେ ଓଡ଼ିଶାର ଦାବି ରହିବ ।
ଏଥିସହ କେନ୍ଦୁପତ୍ର ତୋଳାଳିଙ୍କ ଉପରୁ ଜିଏସ୍ଟି ବୋଝ ଦୂର, ଖାଉଟି ଦର ବୃଦ୍ଧି ଆଦି ପ୍ରସଙ୍ଗ ମଧ୍ୟ ବିଜେଡି ଉଠାଇବ । ବିରୋଧୀଙ୍କୁ କାଉଣ୍ଟର କରିବାକୁ ସୋସିଆଲ ମିଡିଆକୁ ଅସ୍ତ୍ର କରିବ ବିଜେଡି । ବିରୋଧୀଙ୍କ ପାଖରେ ଇସ୍ୟୁ ନଥିବାରୁ ସେମାନେ ଅପପ୍ରଚାର କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ବକ୍ତବ୍ୟ ରଖିଛନ୍ତି । ଓଡ଼ିଶାର ଟ୍ରାନ୍ସଫର୍ମେସନ୍ ବିରୋଧୀଙ୍କ ପାଇଁ ବଡ ସକ୍ ହୋଇଛି । ଏପରିକି ତ୍ରୁଣମୂଳ ସ୍ତରରେ ଆମକୁ ଏହାର ମୁକାବିଲା କରିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଅନ୍ୟପକ୍ଷେ, ବିଜେଡି ସାଙ୍ଗଠନିକ ନିର୍ବାଚନ ବର୍ଷେ ପାଇଁ ଘୁଞ୍ଚାଇବାକୁ ନିଷ୍ପତ୍ତି ହୋଇଛି । ଶଙ୍ଖ ଭବନରେ ପ୍ରତି ନିର୍ବାଚନ ମଣ୍ଡଳୀୱାରୀ ପ୍ରଶିକ୍ଷଣ ଓ ତା’ପରେ ଜୋନାଲ ପ୍ରଶିକ୍ଷଣ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ କାର୍ଯ୍ୟକ୍ରମ କରାଯିବାକୁ ପ୍ରସ୍ତାବ ପାରିତ ହୋଇଛି । ଏହି କାର୍ଯ୍ୟକାରିଣୀରେ ମୋଟ୍ ୨୭ଟି ପ୍ରସ୍ତାବ ଆଗତ ହୋଇଥିଲା । ୧୧ଟି ରାଜନୈତିକ ପ୍ରସ୍ତାବ ଓ ୧୬ଟି ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହୋଇ ପାରିତ ହୋଇଥିଲା ।
୨୦୨୦ ମସିହାରେ ଶେଷଥର ପାଇଁ ବସିଥିଲା ଦଳର କାର୍ଯ୍ୟକାରିଣୀ ବୈଠକ । ବିଜୁ ଜନତା ଦଳର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଦଳର ସଭାପତି ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଛନ୍ତି ।