Advertisment

ପୁଣି ସରକାରଙ୍କୁ ଟାର୍ଗେଟ୍‌ କଲେ ସୌମ୍ୟରଂଜନ : ସିଧା ପଚାରିଲେ, 5T ସଚିବଙ୍କ କ୍ଷମତା ଉପଭୋଗ ନେଇ କାହିଁକି ମୁଖ୍ୟମନ୍ତ୍ରୀ ଚୁପ୍ ?

ପୁଣି ସୌମ୍ୟଙ୍କ ସଂପାଦକୀୟ ତୀର । ଜନ ପ୍ରତିନିଧିଙ୍କ ବଦଳରେ ସଚିବଙ୍କ ରାଜୁତି ବଢୁଥିବାରୁ କଲମ ମୁନରେ କଲେ ଟାର୍ଗେଟ୍ । 5T ସଚିବ ଉପଭୋଗ କରୁଥିବା କ୍ଷମତା ମୁଖ୍ୟମନ୍ତ୍ରୀଙ୍କ ଗୋଚରରେ ନା ନାହିଁ ମାଗିଲେ ସ୍ପଷ୍ଟୀକରଣ, ସମର୍ଥନ କଲେ ବିରୋଧୀ

ଅଦ୍ୟତନ ହୋଇଛି
Soumya Ranjan Patnaik

Soumya Ranjan Patnaik

Advertisment

ଘରର ହାଲ୍ ଚାଲ୍ ଠିକ୍ ଅଛି ତ ? ନା ଘର ମୁରବୀ ବିହୀନ ହୋଇଗଲାଣି । ଜନପ୍ରତିନିଧିଙ୍କ ବଦଳରେ ସଚିବଙ୍କ ରାଜୁତି ବଢୁଥିବାରୁ ପୁଣିଥରେ କ୍ଷୋଭ ପ୍ରକାଶ କରିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଅପରାଜିତାଙ୍କ ଅଡୁଆ ପ୍ରଶ୍ନକୁ ନେଇ ଆଉ ଥରେ ସମ୍ପାଦକୀୟ ବିସ୍ଫୋରଣ କରିଛନ୍ତି ସୌମ୍ୟ । 5T ସଚିବ ଉପଭୋଗ କରୁଥିବା କ୍ଷମତାକୁ ନେଇ ଚାଲିଥିବା ଚର୍ଚ୍ଚା ମୁଖ୍ୟମନ୍ତ୍ରୀ ଗୋଚରରେ ଚାଲିଛି ନା ନାହିଁ ସେନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦେବାର ଆବଶ୍ୟକତା ଥିବା ସୌମ୍ୟ ସଂପାଦକୀୟରେ ଉଲ୍ଲେଖ କରିଛନ୍ତି ।ଯାହାକୁ ସୌମ୍ୟଙ୍କ ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ଅନୁଭବ ପଟ୍ଟନାୟକ କଡ଼ା ଭାଷାରେ ସମାଲୋଚନା କରିଥିବାବେଳେ ବିରୋଧୀ କିନ୍ତୁ ସୌମ୍ୟଙ୍କୁ ସମର୍ଥନ କରିଛନ୍ତି ।

Advertisment

ପୁଣି ସୌମ୍ୟଙ୍କ ସଂପାଦକୀୟ ତୀର। ବିଜେଡିର ଶୀର୍ଷ ନେତୃତ୍ବକୁ ପ୍ରଶ୍ନ । ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରଶ୍ନକୁ ନେଇ ନିଜ ସମ୍ପାଦକୀୟ ଲେଖାରେ ଉଦବେଗ ପ୍ରକାଶ କରିଛନ୍ତି ସେ। 5T ସଚିବଙ୍କ କ୍ଷମତା ଉପଭୋଗ ନେଇ କାହିଁକି ମୁଖ୍ୟମନ୍ତ୍ରୀ ଚୁପ୍ ? ନିଜ ଖବର କାଗଜରେ ଅପରାଜିତାଙ୍କ ଅଡୁଆ ପ୍ରଶ୍ନ ଶୀର୍ଷକ ସମ୍ପାଦକୀୟକୁ ନେଇ ଏବେ ସବୁଠି ଚର୍ଚ୍ଚା । ଅଫିସର ରାଜକୁ ସବୁବେଳେ ଖୋଲାଖୋଲି ବିରୋଧ କରୁଥିବା ସୌମ୍ୟ ଏଥର ଅପରାଜିତାଙ୍କ କାନ୍ଧରେ ବନ୍ଧୁକ ରଖି ଗୁଳି ଫୁଟାଇଛନ୍ତି । ଖୋଲିଛନ୍ତି ଦଳର ଗୁମର । କିଛିଦିନ ତଳେ ଅପରାଜିତା ଷଡଙ୍ଗୀ, 5T ସଚିବଙ୍କୁ ଟାର୍ଗେଟ କରି କହିଥିଲେ ସେ ଶାସନ ବ୍ୟବସ୍ଥାକୁ ହାଇଜାକ୍ କରିଛନ୍ତି । ଆଉ ଅପରାଜିତାଙ୍କ ପ୍ରଶ୍ନକୁ ଆଧାର କରି ସମାନ ପ୍ରଶ୍ନ ମଧ୍ୟ ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକ ପଚାରିଛନ୍ତି । 5T ସଚିବଙ୍କୁ ନେଇ ଚାଲିଥିବା ଆଲୋଚନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅବଗତ ଅଛନ୍ତି ତ? ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ କଣ? ନା, ମୌନଂ ସମ୍ମତି ଲକ୍ଷଣମ୍ ନ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ବୋଲି ଧରି ନେବାକୁ ହେବ ବୋଲି କଡା ଭାଷାରେ ପ୍ରଶ୍ନ କରିଛନ୍ତି ସୌମ୍ୟ । ଖାଲି ସେତିକି ନୁହେଁ ଅପରାଜିତାଙ୍କ ଭଳି ପ୍ରଶ୍ନକାର୍ତ୍ତାଙ୍କୁ ସ୍ପଷ୍ଟୀକରଣ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଜବାବ ଦିଅନ୍ତୁ ବୋଲି ସମ୍ପାଦକୀୟରେ ଉଲ୍ଲେଖ କରିଛନ୍ତି ।

ଆଉ ଏହାକୁ ଟ୍ବିଟ୍ ମାଧ୍ୟମରେ ସ୍ବାଗତ କରିଛନ୍ତି ଅପରାଜିତା । ସେପଟେ ସୌମ୍ୟଙ୍କୁ ଜଣେ ସ୍ବାର୍ଥ ପର ବ୍ୟକ୍ତି ଭାବେ ବର୍ଣ୍ଣନା କରି କଡା ଭାଷାରେ କଟାକ୍ଷ କରିଛନ୍ତି ସୌମ୍ୟଙ୍କ ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ତଥା ଖଣ୍ଡପଡାର ପୂର୍ବତନ ବିଜେଡି ବିଧାୟକ ଅନୁଭବ ପଟ୍ଟନାୟକ । ସେ କହିଛନ୍ତି ମନ୍ତ୍ରୀ ପଦ ମିଳୁନଥିବା ଓ ବିଜେପି ଆଡକୁ ଢଳୁଥିବାରୁ ବାରମ୍ବାର ସୌମ୍ୟରଂଜନ ଏଭଳି ସମ୍ପାଦକୀୟ ଲେଖୁଛନ୍ତି ।

Advertisment

ଏପଟେ ସୌମ୍ୟଙ୍କ ସମ୍ପାଦକୀୟ ବିରୋଧୀଙ୍କୁ ବେଶ୍ ଖୋରାକ ଯୋଗାଇଛି । 5T ସଚିବଙ୍କୁ ଅଖଣ୍ଡ କ୍ଷମତା ଓ ସଚିବଙ୍କ ରାଜୁତି ନେଇ ବିରୋଧୀ ବିଜେପି ଓ କଂଗ୍ରେସ ବାରମ୍ବାର ସରକାରଙ୍କୁ ଟାର୍ଗେଟ କରିଆସୁଛନ୍ତି । ଆଉ ସୌମ୍ୟଙ୍କ ସମ୍ପାଦକୀୟ ବିରୋଧୀଙ୍କ ଅଭିଯୋଗକୁ ସତ ବୋଲି ପ୍ରମାଣିତ କରିଛି । ବିଜେପି କହିଛି ରାଜ୍ୟରେ ଅଫିସରରାଜ ଜନିତ
ପ୍ରଶ୍ନ କେବଳ ସୌମ୍ୟ ବାବୁଙ୍କର ନୁହେଁ ଏହା ସାଧାରଣ ଲୋକଙ୍କ ପ୍ରଶ୍ନ । ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଅଫିସର୍ ରାଜକୁ ଦୃଢ ଭାଷାରେ ନିନ୍ଦା କରିବା ସହ କେନ୍ଦ୍ରରେ ଥିବା ବିଜେପି କାହିଁକି କୌଣସି ପଦକ୍ଷେପ ନେଉନି ତାକୁ ନେଇ ବି ପ୍ରଶ୍ନ କରିଛନ୍ତି । ରାଜନୈତିକ ସମୀକ୍ଷକଙ୍କ ମତ ହେଲା, ଏସବୁ ଘଟଣାରେ ସବୁଠୁ ବଡ ବିଡମ୍ବନା ହେଲା ନବୀନଙ୍କ ନିରବତା ।

ସୌମ୍ୟଙ୍କ ସମ୍ପାଦକୀୟ ଶାସକ ଦଳ ଓ ସରକାରୀ କଳ ଉପରେ ପ୍ରଶ୍ନବାଚୀ ଲଗାଇଛି । ତେବେ ଏହି ଅଡୁଆ ପ୍ରଶ୍ନର ଉତ୍ତର ବଦଳରେ ଦଳ ଭିତରୁ ତାଙ୍କୁ କଡା ସମାଲୋଚନା କରାଯାଉଛି ।

Advertisment

BJD Odisha CM. Naveen Patnaik Soumya Ranjan Patnaik
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ