ଆଗାମୀ ରଣନୀତି କଣ ରହିଛି?: ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ରିପୋର୍ଟ ମାଗିଲେ ନବୀନ

ଗୋଟିଏ ପଟେ ବିଜେଡିକୁ ସଙ୍ଗଠନ ମଜଭୁତ୍ କରିବା ଚିନ୍ତା ଘାରିଥିବା ବେଳେ ଟେନସନ୍ ବଢାଉଛି ଅନ୍ତର୍ଦ୍ୱନ୍ଦ୍ୱ।

BJD High-Level Meeting

ନବୀନ ନିବାସରେ ବିଜେଡିର ମାନସମନ୍ଥନ। ଦଳୀୟ ସୁପ୍ରିମୋଙ୍କ ସହ ପର୍ଯ୍ୟବେକ୍ଷକଙ୍କ ଓ୍ୱାନ୍ ଟୁ ଓ୍ୱାନ୍ ମିଟିଂ। ପଂଚାୟତ ଓ ପୌର ନିର୍ବାଚନ ଫଳର ଆରମ୍ଭ ହେଲା ସମୀକ୍ଷା। କୋଭିଡ୍ ମହାମାରୀ ପରେ ପ୍ରଥମ ଥର ଲାଗି ଦଳୀୟ ନେତାଙ୍କ ସହ ସିଧାସଳଖ ଆଲୋଚନା କରୁଛନ୍ତି ନବୀନ। ପ୍ରଥମ ଦିନରେ ମାଲାକାନଗିରି, କୋରାପୁଟ, ନବରଙ୍ଗପୁର, ସୁନ୍ଦରଗଡ଼, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦ୍ରାପଡ଼ା ଓ ବାଲେଶ୍ୱର ଜିଲ୍ଲାର ସମୀକ୍ଷା ହୋଇଛି।

ସେହିପରି ଦ୍ୱିତୀୟାର୍ଦ୍ଧରେ ଗଜପତି, ରାୟଗଡ଼ା, କନ୍ଧମାଳ, ସୁବର୍ଣ୍ଣପୁର ଓ ଜଗତସିଂହପୁର ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସହ କଥା ହୋଇଛନ୍ତି ନବୀନ। ପଂଚାୟତ ଓ ପୌର ନିର୍ବାଚନରେ ଦଳର ସଫଳତା ଓ କିଛି କିଛି ସ୍ଥାନରେ ଦଳ ହାରିବାର କାରଣ ସଂପର୍କରେ ଜାଣିବାକୁ ଚାହିଁଛନ୍ତି ସୁପ୍ରିମୋ। ଆଗକୁ ସେସବୁ ଜିଲ୍ଲା ଲାଗି କି ରଣନୀତି କରାଯିବ, ସାଙ୍ଗଠନିକ ସ୍ତରରେ ଦଳକୁ କିଭଳି ଅଧିକ ମଜଭୁତ୍ କରାଯିବ ସେନେଇ ୧୦ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ।

କୁହାଯାଉଛି ଏସବୁ ସମୀକ୍ଷା ଓ ପ୍ରସ୍ତୁତି ୨୦୨୪ ନିର୍ବାଚନ ପାଇଁ ତୃଣମୂଳ ସ୍ତରରେ ସଙ୍ଗଠନକୁ ମଜଭୁତ୍ କରିବା, ନବୀନ ସରକାରଙ୍କ ଜନହିତକର ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ନେଇ ଦଳ ତାର ରୋଡମ୍ୟାପ ପ୍ରସ୍ତୁତ କରିବ। ତେବେ ପାଓ୍ୱାର କରିଡର୍ର ଚର୍ଚ୍ଚା ଅନୁଯାୟୀ ଆଗକୁ ହେବାକୁ ଥିବା ବିଜେଡିର ସାଙ୍ଗଠନିକ ପରିବର୍ତ୍ତନ ଓ ମନ୍ତ୍ରିମଣ୍ଡଳ ଅଦଳବଦଳ ପାଇଁ ଏଠାରୁ ହିଁ ଏକ ପ୍ରକାର ପ୍ରକ୍ରିୟା ଆରମ୍ଭ ହେଲା।

ଗୋଟିଏ ପଟେ ବିଜେଡିକୁ ସଙ୍ଗଠନ ମଜଭୁତ୍ କରିବା ଚିନ୍ତା ଘାରିଥିବା ବେଳେ ଟେନସନ୍ ବଢାଉଛି ଅନ୍ତର୍ଦ୍ୱନ୍ଦ୍ୱ। ପଂଚାୟତ ଓ ପୌର ନିର୍ବାଚନ ବେଳେ ଦଳର ଅନ୍ତଃକନ୍ଦଳ ଖୋଲାଖୋଲି ପଦାକୁ ଆସିଥିଲା। ଅନେକ ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ବିଜେଡିର ଅସନ୍ତୁଷ୍ଟ ନେତାମାନେ ସ୍ୱାଧୀନ ଭାବେ ନିର୍ବାଚନ ଲଢିଥିଲେ। ଖାଲି ସେତିକି ନୁହେଁ, ପ୍ରାର୍ଥୀ ଦେବାରେ ବି ଦଳୀୟ ନେତାଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ହୋଇଥିଲା। ଭିନ୍ନ ଭିନ୍ନ ନେତା ଭିନ୍ନ ଭିନ୍ନ ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲେ ଯେଉଁଥିପାଇଁ କିଛି ପୌରପାଳିକାରେ ଦଳର ସଂଖ୍ୟାଗରିଷ୍ଠତା ଥିଲେ ବି ଅଧ୍ୟକ୍ଷ ପଦ ହାତରୁ ଖସି ଯାଇଥିଲା। ସାଧାରଣ ନିର୍ବାଚନ ବେଳେ କିଭଳି ଏହାକୁ ବନ୍ଦ କରାଯିବ, ସେଥିପାଇଁ ଏବେଠାରୁ ପ୍ୟାଚ୍ ପକା ଉଦ୍ୟମ ଆରମ୍ଭ ହୋଇଛି। 

ଆସନ୍ତାକାଲି ମଧ୍ୟ କିଛି ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିବେ ନବୀନ। ତେବେ ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କ ସହ ଆଲୋଚନା ବେଳେ ସଂପୃକ୍ତ ଜିଲ୍ଲା ଦାୟିତ୍ୱରେ ଥିବା ବରିଷ୍ଠ ପର୍ଯ୍ୟବେକ୍ଷକମାନଙ୍କୁ ଡକାନଯିବା ଓ ତା ପଛର କାରଣକୁ ନେଇ ଚର୍ଚ୍ଚା ଜୋର ଧରିଛି।

ରିପୋର୍ଟ: ହରିହର ଚାନ୍ଦ