ବିଜେଡିରେ 'ଦକ୍ଷିଣୀ' କଂପନ; ହେଭିୱେଟ୍‌ଙ୍କ ମଧ୍ୟରେ ଛକାପଞ୍ଝା, ବଢୁଛି ଟେନସନ୍ !

ଧସୁଛି ବିଜେଡିର ଦକ୍ଷିଣ ଗଡ଼ । ଚରମସୀମାରେ ଗୋଷ୍ଠୀ କନ୍ଦଳ । କୋରାପୁଟରେ ରବି ନନ୍ଦ - ଈଶ୍ୱର ପାଣିଗ୍ରାହୀ ଓ ନବରଙ୍ଗପୁରରେ ରମେଶ ମାଝୀ-ପ୍ରଦୀପ ମାଝୀ ଗୋଷ୍ଠୀ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ବିଜେଡି ଟେନସନକୁ ବଢ଼ାଇ ଦେଇଛି । ରାୟଗଡ଼ାରେ ବି ସମାନ ସ୍ଥିତି ।

BJD

ବିଜେଡିକୁ ସାଉଥ୍ ଟେନସନ । କୋରାପୁଟ, ରାୟଗଡ଼ା, ନବରଙ୍ଗପୁର- ଦକ୍ଷିଣ ଓଡ଼ିଶାର ଏହି ୩ ଜିଲ୍ଲାରେ ଦଳକୁ ଗୋଷ୍ଠୀ କନ୍ଦଳ ଚିନ୍ତା । ବିଜେପି ମୁହାଁ ହେଲେଣି ଅସନ୍ତୁଷ୍ଟ । କନ୍ଦଳ ତେଜିବା ପରେ ଶଙ୍ଖ ଛାଡି ପଦ୍ମ ଧରିଛନ୍ତି କୋରାପୁଟର ପୂର୍ବତନ ବିଧାୟକ ପ୍ରାର୍ଥୀ ରଘୁରାମ ମାଛ । ଜୟପୁର ବିଜେଡି ନେତା ହିମାଂଶୁ ମହାପାତ୍ର ମଧ୍ୟ ଏବେ ପଦ୍ମ ଶିବିରରେ ।

କୁହାଯାଉଛି ସଙ୍ଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଅନୁଗତ ତଥା ପୂର୍ବତନ ଜିଲ୍ଲା ସଭାପତି ଇଶ୍ୱର ପାଣିଗ୍ରାହୀଙ୍କ ସହ ମତଭେଦକୁ ନେଇ ଦଳ ଛାଡିଛନ୍ତି ରଘୁରାମ । ରଘୁରାମଙ୍କୁ ଶାନ୍ତ କରିବା ଲାଗି ଇଶ୍ୱରଙ୍କ ସ୍ଥାନରେ ଝିନ୍ନ ହିକ୍କାଙ୍କୁ ସଭାପତି କରିଥିଲା ଦଳ । ହେଲେ ଝିନ୍ନ ଏବେ ଏକ ଘରିକିଆ ଭଳି । ସବୁ ବୁଝୁଛନ୍ତି ଇଶ୍ୱର ପାଣିଗ୍ରାହୀ । ଏଣେ ଇଶ୍ୱର ଓ ହେଭିୱେଟ ରବି ନନ୍ଦଙ୍କ ମଧ୍ୟରେ ଛତିଶ କା ଆଙ୍କଡା । ଯାହାର ପ୍ରଭାବ ପଞ୍ଚାୟତ ଓ ପୌର ନିର୍ବାଚନରେ ଦେଖିବାକୁ ମିଳିସାରିଛି । ଏପଟେ ଆଗକୁ ଅନେକ ଅସନ୍ତୁଷ୍ଟ ନେତା ବିଜେପିରେ ମିଶିବେ ବୋଲି ଦଳ ଛାଡିଥିବା ରଘୁରାମ କହିଛନ୍ତି ।

ଖାଲି କୋରପୁଟ ନୁହେଁ, ଦକ୍ଷିଣ ଓଡିଶାର ଅନ୍ୟ ଜିଲ୍ଲାରେ ବି ସମାନ ସ୍ଥିତି । ରାୟଗଡାରେ ଦଳର ବରିଷ୍ଠ ଉପସଭାପତି ଏନ୍. ଭାସ୍କର ରାଓ ଓ ଜିଲ୍ଲା ସଭାପତି ସୁଧୀର ଦାସଙ୍କ ମଧ୍ୟରେ ଚାଲିଛି ଛକାପଞ୍ଝା । କୌଣସି ଦଳୀୟ କାର୍ଯ୍ୟକ୍ରମରେ ଏମାନଙ୍କୁ ଏକାଠି ଦେଖିବାକୁ ମିଳୁନି । ଆଉ ଯାହାକୁ ନେଇ ୨୦୧୯ରେ ରାୟଗଡ଼ା ଆସନରେ ବାଜି ମାରିଥିଲେ ସ୍ୱାଧୀନ ପ୍ରାର୍ଥୀ ମକରନ୍ଦ ମୁଦୁଲି । ଗୁଣୁପୁର ବ୍ଲକ ଓ ପୌରପାଳିକାରେ ବି ସ୍ୱାଧୀନ ପ୍ରାର୍ଥୀ ଜିତିଛନ୍ତି । ତେଣେ  ନବରଙ୍ଗପୁରରେ ସାସଂଦ ରମେଶ ମାଝୀ ଓ କଂଗ୍ରେସରୁ ଆସିଥିବା ପ୍ରଦୀପ ମାଝୀଙ୍କ ମଧ୍ୟରେ କଳି ବଢିବାରେ ଲାଗିଛି । ଏସବୁ ସତ୍ତ୍ୱେ ବିଜେଡି ନେତାଙ୍କ ଯୁକ୍ତି ଆମେ ଏକାଠି ଅଛୁ ।

ଏକଦା ଦକ୍ଷିଣ ଓଡିଶା, କଂଗ୍ରେସର ଗଡ଼ ଥିଲା । ହେଲେ ୨୦୦୦ ମସିହାରେ ବିଜେଡି ଧସେଇ ପଶିବା ପରଠୁ ଏଠାରେ ଦଳର ଦବଦବା ବଜାୟ ରହିଛି । ହେଲେ ନିର୍ବାଚନ ପୂର୍ବରୁ ବହୁସ୍ତରୀୟ କନ୍ଦଳ ବିଜେଡି ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି ।