EOW ନଜରରେ ରାଜାର କଳା ସାମ୍ରାଜ୍ୟ । ଗୋଟିଏ ପରେ ଗୋଟିଏ ଘରର ଖୋଲୁଛି ତାଲା । ତନାଘନା କରୁଛନ୍ତି EOW ଟିମ୍ । ବାରୁଛନ୍ତି ପୁଳାପୁଳା କଳା ଟଙ୍କାରର ଗନ୍ଧ । ଲଗାତର ୩ ଦିନରେ ବି EOW ରାଜା ଚକ୍ରର ସାମ୍ରାଜ୍ୟରେ ଛାପା ମାରିଛି । ବହୁ ଚର୍ଚ୍ଚିତ ଶୁଆକାଟୀ ଗନ୍ଧମାର୍ଦ୍ଦନ ଲୋଡିଙ୍ଗ ଏଜେନ୍ସିରେ ଟଙ୍କା ହେରଫେର ଘଟଣାକୁ ନେଇ ବିଜେଡି ନେତା ରାଜା ଚକ୍ରଙ୍କ ଅଫିସରେ ରବିବାର ଦିନ EOW ଚଢାଉ କରିଛି ।
ଦୁଇଟି ଟିମ ରାଜାଙ୍କ ଶିଶୁ ଭବନ ସ୍ଥିତ ଅଫିସ ଘରେ ଚଢାଉ କରିଥିବାବେଳେ, ଅଫିସ ଆଗରେ ଘର ମାଲିକଙ୍କୁ ଡାକି ମୁଖ୍ୟ ଫାଟକ ଚାବି ଖୋଲି ଭିତରେ ପଶିଛି । ଆଉ ଯେଉଁ ରୁମ ଗୁଡ଼ିକରେ ତାଲା ପଡ଼ିଥିଲା ସେସବୁକୁ ଭାଙ୍ଗି ଯାଞ୍ଚ କରିଛି । ଶନିବାର ଦିନ ବି ଗୋଟିଏ ଟିମ ରାଜାଙ୍କର ଜଗନ୍ନାଥପୁର ସ୍ଥିତ ଘରେ ଚଢାଉ କରିଥିଲା । ଏହି ଚଢାଉ ବେଳେ EOW ବହୁ ତଥ୍ୟ ପାଇଥିବା ସୂଚନା ମିଳିଛି । ଆଉ ବିଜେଡି ନେତା ବବି ଦାସ ଓ ପାଣ୍ଡିଆନଙ୍କ ଯୋଗୁଁ ରାଜା ଚକ୍ର ପାୱାରଫୁଲ ଥିଲା ବୋଲି କୁହାଯାଉଛି ।
ଅଧିକ ପଢ଼ନ୍ତୁ: ରାଜା ଚକ୍ରଙ୍କୁ ଘାଣ୍ଟୁଛି EOW, ୨୦ ଗାଡ଼ି ଜବତ ଓ ୨୦୦ ଆକାଉଣ୍ଟ ଠାବ
Also Read
୨୦୧୪ ମସିହାରେ ବଦ୍ରିଙ୍କ ବିରୁଦ୍ଧରେ ପ୍ରମୁଖ ଦାବିଦାର ହିସାବରେ ଠିଆ ହୋଇଥିଲେ ରାଜା । କେନ୍ଦୁଝରରେ ସବୁ ବିଭାଗର ନିର୍ମାଣ କାମର ଠିକାଦାରୀ କାମ କିଏ ନେବ ରାଜା ଓ ତାର ସିଣ୍ଡିକେଟ ନିଷ୍ପତ୍ତି ନେଉଥିଲେ । ଆଉ ଏବେ ସେହି ରାଜା EOW ପଞ୍ଝାରେ ପଡ଼ିଛି । ଘଟଣାକୁ ନେଇ ବିଜେପି ରାଜ୍ୟସଭା ସାଂସଦ ମମତା ମହାନ୍ତ ପ୍ରତିକ୍ରିୟା ରଖିବା ପରେ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ମଧ୍ୟ ଜବାବ ରଖିଛନ୍ତି । ଗୌତମ କହିଛନ୍ତି, ତଦନ୍ତ ଚାଲିଛି, ତଦନ୍ତରେ ଯିଏ ଦୋଷୀ ହେବ ସରକାର ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ।
ତେବେ ରାଜା ଚକ୍ର ସାମ୍ରାଜ୍ୟରେ ପଶିଛି EOW । ବାରମ୍ବାର ଚଢ଼ାଉ କରିବା ସହ ଘନଘନ ଯାଞ୍ଚ କରୁଛି । ଆଗକୁ ଏହି ଘଟଣାରେ କିଏ କିଏ ଫଶୁଛନ୍ତି ? ଆଉ ଏଥିରେ କାହାର ହାତ ରହିଛି ତା’ ଦେଖିବାକୁ ବାକି ରହିଲା ।