BJD Infighting: ଗୌହାଟୀରେ ନେତାଙ୍କ ମେଳି, ସାମାଜିକ କାର୍ଯ୍ୟକ୍ରମରେ ଏକାଠି ହେଲେ ବରିଷ୍ଠ ନେତା

ଏହା ପ୍ରଥମ ଥର ନୁହେଁ ଏହା ପୂର୍ବରୁ ମଧ୍ୟ ଅନେକ ଥର ବିଜେଡିରେ ମେଳି ଦେଖିବାକୁ ମିଳିଛି । ପୂର୍ବରୁ ନେତାଜୀ ଜୟନ୍ତୀ ଦିନ ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଘରେ ମଧ୍ୟ ବିଜେଡିର ଯୁବନେତା ମେଳି କରିଥିଲେ ।

ଭାଗ ଭାଗ ହୋଇଯିବ ବିଜେଡି !

ସାମାଜିକ କାର୍ଯ୍ୟକ୍ରମର ନେତାଙ୍କ ମେଳି । ଆସାମର ଗୌହାଟୀରେ ଏକ କାର୍ଯ୍ୟକ୍ରମରେ ଓଡ଼ିଶା ନେତାଙ୍କ ମେଳି ଦେଖିବାକୁ ମିଳିଥିଲା। ଏଥିରେ ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ, ସଞ୍ଜୟ ଦାସବର୍ମା, ସମ୍ବିତ ରାଉତରାୟ, ଅତନୁ ସବ୍ୟସାଚୀ ଥିଲେ । ଏହି ଅବସରରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ବିଜୟ ମହାପାତ୍ରଙ୍କ ଉପସ୍ଥିତି ହିଁ ଏହି ଚର୍ଚ୍ଚାକୁ ଅଧିକ ଖୋରାକ୍ ଯୋଗାଉଛି । କାରଣ ଉପସ୍ଥିତ ଥିବା ନେତାମାନଙ୍କ ମଧ୍ୟରୁ ଅଧିକାଂଶ ଏକଦା ବିଜୟ ମହାପାତ୍ରଙ୍କ ଘନିଷ୍ଠ ସହଯୋଗୀ ଥିଲେ । ବିଜେଡି ରାଜ୍ୟରେ କ୍ଷମତାରୁ ହଟିଛି । ଆଗକୁ ବିଜେଡିର ସାଂଗଠନିକ ନିର୍ବାଚନ ହେବାକୁ ଯାଉଛି । ଠିକ୍ ଏହି ସମୟରେ ନେତାମାନେ ଏକାଠି ହୋଇଛନ୍ତି ।  ତେବେ ସେଠାରେ କ’ଣ ଆଲୋଚନା ହୋଇଥିଲା ତାହା ସ୍ପଷ୍ଟ ହୋଇନାହିଁ । ଅନେକଙ୍କ ମନରେ ପ୍ରଶ୍ନ, ଏହା ଦଳ ବିଜେଡି ସୁପ୍ରିମୋଙ୍କ ବିରୋଧରେ ମେଳି ନୁହେଁ ତ ? ଏହି ଅବସରରେ ବିଜେପି ନେତା ପ୍ରଶାନ୍ତ ଜଗଦେବ ଏବଂ ବିଷ୍ଣୁ ଦାସଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ।

ତେବେ ଏହା ପ୍ରଥମ ଥର ନୁହେଁ ଏହା ପୂର୍ବରୁ ମଧ୍ୟ ଅନେକ ଥର ବିଜେଡିରେ ମେଳି ଦେଖିବାକୁ ମିଳିଛି । ପୂର୍ବରୁ ନେତାଜୀ ଜୟନ୍ତୀ ଦିନ ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଘରେ ମଧ୍ୟ ବିଜେଡି ନେତା ମେଳି କରିଥିଲେ । ଏହି ମେଳିରେ ବିଜେଡିର ଜୁନିୟର ନେତା ସାମିଲ୍ ହୋଇଥିଲେ । ନେତାଜୀ ଜୟନ୍ତୀ ଅବସରରେ ହୋଇଥିବା ମଶାଲ ଶୋଭାଯାତ୍ରା ପରେ ପରେ ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଘରେ ସମସ୍ତେ ଏକାଠି ବସିଥିଲେ ।

ଅଧିକ ପଢ଼ନ୍ତୁ: ପୁଣି ଫେରିଲେ ବବି, ଅରୁଣ, ସଞ୍ଜୟ, ଅତନୁ, ଏମାନଙ୍କୁ ଆଗକୁ ଛାଡ଼ିଲା ଦଳ

ବିଧାୟକ ସୁନୀଲ ମହାନ୍ତି, ଦେବୀରଞ୍ଜନ ତ୍ରିପାଠୀଙ୍କ ସମେତ ପୂର୍ବରୁ ଭୁବନେଶ୍ବର ଓ ନିକଟରେ ଗୋପାଳପୁରରେ ମେଳି କରିଥିବା ପ୍ରଣବ ବଳବନ୍ତରାୟ, ସମ୍ବିତ ରାଉତରାୟ, ରୁଦ୍ର ମହାରଥୀ, ବିଷ୍ଣୁବ୍ରତ ରାଉତରାୟ, ଚନ୍ଦ୍ର ସାରଥୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ତେବେ କଟକ ମେୟର ସୁବାସ ସିଂ କି ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ ଏଥିରେ ସାମିଲ ହୋଇନଥିଲେ । ଯାହାକୁ ନେଇ ଚର୍ଚ୍ଚା ବଢିଥିଲା ।

ସାଂଗଠନିକ ନିର୍ବାଚନ ପୂର୍ବରୁ ବିଜେଡିରେ ଜୁନିୟର ଓ ସିନିୟର ଗୋଷ୍ଠୀର ଆବିର୍ଭାବ ହୋଇଛି । କିଛି ଦିନ ତଳେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଭୁବନେଶ୍ବର ସରକାରୀ ବାସଭବନରେ କିଛି ବରିଷ୍ଠ ନେତା ବି ମେଳି କରିଥିଲେ । ବର୍ତ୍ତମାନ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଦଳ ଦାୟିତ୍ବରେ ଥିବା ଦେବୀ ମିଶ୍ର, ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା ଓ ଅତନୁ ସବ୍ୟସାଚୀଙ୍କ ଭଳି ନେତାଙ୍କୁ ବିରୋଧ ଏକପ୍ରକାର ଜୋର ଧରିଛି । ଏହାରି ଭିତରେ ରାୟଗଡା ସଭାରେ ବରିଷ୍ଠ ବିଧାୟକ ଅରୁଣ ସାହୁ ତେରେଚ୍ଛା ବାଣ ମାରିଛନ୍ତି । ୨୪ ବର୍ଷ ଶାସନରେ ବିଜେଡିର ଅହଙ୍କାର ବଢିଯିବାରୁ ଦଳ ପରାଜିତ ହେଲା । ଦ୍ବନ୍ଦ୍ବ ଦୂର ହେଲେ ପୁଣି ବିଜେଡି କ୍ଷମତାକୁ ଆସିବ। ସେପଟେ ବିଜେଡି ଖୁବ୍ ଶୀଘ୍ର ସଫା ହୋଇଯିବ ବୋଲି ବିଜେପି କହିଥିବା ବେଳେ, ବିଜେଡି କହିଛି- ଗୋଷ୍ଠୀ କନ୍ଦଳ କିଛି ନାହିଁ । ରାଜନୈତିକ ସମୀକ୍ଷକଙ୍କ ମତ ହେଲା ବିଜେଡିର ଗୋଷ୍ଠୀ କନ୍ଦଳକୁ ଦଳପତି ମ୍ୟାନେଜ କରିବା କାଠିକର ପାଠ ।

ଅଧିକ ପଢ଼ନ୍ତୁ: ବବିଙ୍କୁ ନବୀନଙ୍କ ଡବଲ ଝଟକା; ଯାଜପୁରରୁ ବବି ବିଦା !