ଅମରଙ୍କ ଅସ୍ତ୍ରରେ ଘାଇଲା ବିଜେଡି; ମେଲୁଛି ଫାଟ, ମୁହାଁମୁହିଁ ହେଉଛନ୍ତି ନେତା

ବିଜେଡିରେ ମେଲୁଛି ଫାଟ, ମୁହାଁମୁହିଁ ନେତା । ଅମରଙ୍କ ଅମୋଘ ଅସ୍ତ୍ରରେ ଘାଇଲା ବିଜେଡି । ପରାମର୍ଶକୁ ଭିନ୍ନ ଦୃଷ୍ଟିରେ ଦେଖି ଦେଖେଇଲା ବିଦା ହେବାର ରାସ୍ତା ।

BJD Politics

ଚରମରେ ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ । ସ୍ଥିତି ଏମିତି ହେଲାଣି ଯେ, ନିର୍ବାଚନୀ ବିପର୍ଯ୍ୟୟ ପାଇଁ ଦଳକୁ ଟାର୍ଗେଟ୍ କରି ଆସୁଥିବା ବରିଷ୍ଠ ନେତା ଅମର ଶତପଥୀଙ୍କୁ ଆଜି ବିଜେପି ସଂପର୍କର ଷ୍ଟାମ୍ପ ମାରି ସିଧା ଦଳ ଛାଡ଼ି ଚାଲିଯିବାକୁ କୁହାଯାଇଛି । ଯାହାର ଜବାବରେ ଅମର ବି ସେ ଆଉ ବିଜେଡି ସଦସ୍ୟ ନଥିବା କହି ବିସ୍ଫୋରଣ କରିଛନ୍ତି । ଏଭଳି ସ୍ଥିତିରେ ଅମରଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ।

ବିଜେଡିରେ ମେଲୁଛି ଫାଟ, ମୁହାଁମୁହିଁ ନେତା । ଅମରଙ୍କ ଅମୋଘ ଅସ୍ତ୍ରରେ ଘାଇଲା ବିଜେଡି । ପରାମର୍ଶକୁ ଭିନ୍ନ ଦୃଷ୍ଟିରେ ଦେଖି ଦେଖେଇଲା ବିଦା ହେବାର ରାସ୍ତା । ନିର୍ବାଚନ ବିପର୍ଯ୍ୟୟ ପରେ ଦଳର ମୁଖିଆଙ୍କୁ ଅମରଙ୍କ ଟାର୍ଗେଟ୍ ପରେ ଆଜି ଆକ୍ରମଣାତ୍ମକ ମୁଦ୍ରାକୁ ଆସିଥିଲା ବିଜେଡି । ମୁଖପାତ୍ର ଲେନନ୍ ମହାନ୍ତି ଅମରଙ୍କୁ ବିଜେପି ସଂପର୍କରେ ଥିବାର ବଡ଼ ଅଭିଯୋଗ ଆଣି, ଅଣନିଶ୍ୱାସୀ ଲାଗୁଥିଲେ ଦଳ ଛାଡ଼ି ଚାଲିଯିବାକୁ ସିଧା ସିଧା ଶୁଣାଇ ଦେଇଥିଲେ ।

ଯାହାର କଡ଼ା ଜବାବ ରଖି ଅମର ବି କହିଛନ୍ତି, ମୁଁ ଏବେ ଏକପ୍ରକାର ସ୍ୱାଧୀନ । ଦଳୀୟ କାର୍ଯ୍ୟରୁ ନିଜକୁ ନିବୃତ ରଖିଛି । ଏମିତିକି ମୋର ସଦସ୍ୟତାକୁ ନବୀକରଣ କରିନି କହି ପ୍ରକାରନ୍ତରେ ସେ ଆଉ ଦଳ ସହ ନଥିବା ଜଣାଇ ଦେଇଛନ୍ତି । ଏଥିସହ ପୁଣି ବିଜେଡି ଉପରେ ବର୍ଷି ଦଳରେ ଆଉ ଶୃଙ୍ଖଳା ନାହିଁ, ଯେଉଁ ଉଦ୍ଦେଶ୍ୟ ନେଇ ବିଜେଡି ଗଠନ ହୋଇଥିଲା ତାହା ଏବେ ଲକ୍ଷ୍ୟଚ୍ୟୁତ ।

ଯେଉଁଥିପାଇଁ ବୈଜୟନ୍ତ ପଣ୍ଡା, ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କ ଭଳି ପ୍ରତିଷ୍ଠାତା ସଦସ୍ୟ ମାନେ ଦଳ ଛାଡିଛନ୍ତି ବୋଲି କହିବାକୁ ବି ପଛାଇ ନାହାନ୍ତି । ଅପରପକ୍ଷେ ବିଜେପି ସମେତ ବହୁ ଦଳ ତାଙ୍କୁ ଯୋଗାଯୋଗ କରୁଛନ୍ତି, ନିର୍ବାଚନ ମଣ୍ଡଳୀ ବାସିନ୍ଦାଙ୍କ ସହ ଆଲୋଚନା କରି ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଅମର ।

ବିଜେଡିରେ ଜଣକ ପରେ ଜଣେ ବରିଷ୍ଠ ନେତା ଦଳ ବିରୋଧରେ ବିଷୋଦଗାର କରୁଛନ୍ତି । ଆଉ ଦୋଷ-ତ୍ରୁଟି କାଢୁଛନ୍ତି । କିନ୍ତୁ ପ୍ରତିଷ୍ଠାତା ସଦସ୍ୟ ଅମର ଶତପଥୀ ଯେପରି ଶାଣିତ ଆକ୍ରମଣ କରୁଛନ୍ତି ସେଥିରୁ ସ୍ପଷ୍ଟ ଯେ ନବୀନଙ୍କ ପକଡ୍ ଧୀରେ ଧୀରେ ଖସୁଛି । ଏଭଳି ସ୍ଥଳେ ବିଜେଡିକୁ ଏକ ପ୍ରକାର ବାଏ ବାଏ କରିବାକୁ ଯାଉଥିବା ଅମର ଶତପଥୀଙ୍କ ଗତି କୁଆଡେ ହେବ ?

ଚର୍ଚ୍ଚା ହେଉଛି ଅମର ବିଜେପି ଡଙ୍ଗାକୁ ଡେଇଁ ପାରନ୍ତି । ତେବେ ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ କହିଛନ୍ତି ବିଜେଡି ଏବେ ବୁଡୁଥିବା ଡଙ୍ଗା । ଅମରଙ୍କୁ ବିଜେପି ଗ୍ରହଣ କରିବ ନା ନାହିଁ, ସେକଥା ଶୀର୍ଷ ନେତୃତ୍ୱ ନିଷ୍ପତ୍ତି ନେବେ । ରାଜନୈତିକ ସମୀକ୍ଷକଙ୍କ ମତ ହେଲା ବିଜେଡିରେ ସ୍ଥିତି ଏବେ ସାଂଘାତିକ । ଏଭଳି ଦଳୀୟ ବିଶୃଙ୍ଖଳା ଦଳକୁ ଆଗକୁ ବଢାଇବାରେ ବଡ଼ ବାଧକ ସାଜିପାରେ । ଏବେ ଦେଖିବାର କଥା, ଆନୁଷ୍ଠାନିକ ଭାବେ ଅମର କେବେ ବିଜେଡି ଛାଡୁଛନ୍ତି, କୁଆଡ଼େ ଯାଉଛନ୍ତି ।