ଟକମକ୍ ଫୁଟୁଛି ଭୁବନେଶ୍ବର ବିଜେଡି କଳି, ୨ କର୍ପୋରେଟରଙ୍କ ସହ ୪ ଜଣଙ୍କୁ ମଗାଗଲା ସୋ-କଜ୍

ବିଦ୍ରୋହୀ କର୍ପୋରେଟରଙ୍କ ବିରୋଧରେ ମେଳି। ଟକ୍ ମକ୍ ହେଇ ଫୁଟିଲାଣି ଭୁବନେଶ୍ବର ବିଜେଡି କନ୍ଦଳ।

BJD

ତୀବ୍ର ହେଲାଣି ଭୁବନେଶ୍ବର ବିଜେଡି କନ୍ଦଳ । ଅମରେଶ ଓ ବିରଞ୍ଚିଙ୍କ ବିରୋଧରେ ମେଳି କଲେ ବିଜେଡି କର୍ପୋରେଟର । ପ୍ରଚ୍ଛଦପଟ୍ଟରେ ବିଧାୟକ ଓ ପୂର୍ବତନ ମନ୍ତ୍ରୀ । ଆଜି ସକାଳୁ ବିଜେଡିର ୩୦ କର୍ପୋରେଟର ଗୋଟିଏ ବସରେ ପୁରୀ ଯାଇ ଲୋକନାଥଙ୍କ ଦର୍ଶନ କରିଛନ୍ତି। ତେବେ କାହିଁକି ବିଜେଡିର ୩୦ କର୍ପୋରେଟର ମେଳି କଲେ ? ଚର୍ଚ୍ଚା ହେଉଛି ଅମରେଶ ଓ ବିରଞ୍ଚିଙ୍କୁ ଚେକ୍ ଦେବାପାଇଁ ଏବେ ଭୁବନେଶ୍ବର ଏକାମ୍ର ଓ ମଧ୍ୟ ନିର୍ବାଚନ ମଣ୍ଡଳୀର କିଛି କର୍ପୋରେଟର ଏକାଠି ହୋଇଛନ୍ତି। ଆଉ ଗୋଟିଏ ବସରେ ଲୋକନାଥଙ୍କ ଦର୍ଶନ କରିବାକୁ ଯାଇ ସୁପ୍ରିମୋଙ୍କୁ ବାର୍ତ୍ତା ଦେଇଛନ୍ତି ଦୁଇ ବିଦ୍ରୋହୀ କର୍ପୋରେଟରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ।

ପ୍ରଥମେ ଶଙ୍ଖ ଭବନ ପରେ ବିଏମ୍‌ସି କର୍ପୋରେସନକୁ ବର୍ଜନ ଆଉ ଆଉ ଏବେ ଗୋଟିଏ ବସରେ ଯାତ୍ରା । ଭୁବନେଶ୍ବର ବିଜେଡି କଳି ବଢି ଧିରେ ଧିରେ ବିସ୍ଫୋରକ ରୂପ ଧାରଣ କଲାଣି । ୨୦୨୪ ନିର୍ବାଚନ ଟିକେଟ ବଣ୍ଟନ ବେଳେ ଅମରେଶ ଓ ବିରଞ୍ଚି ଟିକେଟ୍ ପାଇଁ ଲବି କରିଥିଲେ । ଟିକେଟ ନ ମିଳିବାରୁ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ଓ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ବିରୋଧରେ ବର୍ଷିବା ସହ ନିର୍ବାଚନରେ ଖୋଲାଖୋଲି ଅସହଯୋଗ କରିଥିଲେ । ଯେଉଁଥି ଲାଗି ଭୁବନେଶ୍ବର ଏକାମ୍ରରେ ବିଜେଡି ପରାଜିତ ହେଲା ।

ନିର୍ବାଚନ ଫଳ ପ୍ରକାଶ ପରେ ବି ଏ ଦୁଇ କର୍ପୋରେଟର ବିଭିନ୍ନ ପ୍ରସଙ୍ଗରେ ଅଶୋକ ପଣ୍ଡା ଓ ଅନନ୍ତ ଜେନାଙ୍କୁ ବିରୋଧ କରିବା ସହ ତାଙ୍କ ବିରୋଧରେ ବୟାନ ଦେଇ ଆସୁଛନ୍ତି । ଏବେ ସ୍ଥିତି ବିଗିଡିବାରୁ କର୍ପୋରେଟରଙ୍କୁ ଢାଲ କରି ଅମରେଶ ଓ ବିରଞ୍ଚିଙ୍କୁ ପାନେ ଦେବାକୁ ରଣନୀତି ଆପଣାଇଛନ୍ତି । କଳି ଉଗ୍ର ହେବାରୁ ଆଜି ଭୁବନେଶ୍ବର ଜିଲ୍ଲା ବିଜେଡି ସଭାପତି ଅମରେଶ, ବିରଞ୍ଚିଙ୍କ ସହ ଏକାମ୍ର ବିଜୁ ଯୁବ ଜନତା ଦଳର ସଭାପତି ରାଜେଶ ପାତ୍ର ଓ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ବିବେକ ସ୍ବାଇଁଙ୍କୁ ଦଳୀୟ ଶୃଙ୍ଖଳା ଭଙ୍ଗ ପାଇଁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । ଯାହାର ଜବାବ ୧୫ ଦିନ ଭିତରେ ସମସ୍ତ ୪ଜଣ ରଖିବେ । ଆସନ୍ତା ୨ରୁ ବିଜେଡିର ପଦଯାତ୍ରା । ହେଲେ ପଦଯାତ୍ରା ପୂର୍ବରୁ ଭୁବନେଶ୍ବର ଗୋଷ୍ଠୀ କନ୍ଦଳ ତୀବ୍ର ହେବା ଦଳ ପାଇଁ ଆଗକୁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ ।