Advertisment

ବିବାଦରେ BJD ର ମୁଖ୍ୟାଳୟ; ୧୨ କୋଟିରେ ଦିଆଯାଇଛି ୧୦୦ କୋଟିର ସଂପତ୍ତି..

ବେଆଇନ ଭାବେ ଛିଡା ହୋଇଛି କି ଶଙ୍ଖ ଭବନ? ସରକାରରେ ଥିବାବେଳେ ଏହି ଭବନ ନିର୍ମାଣ ପାଇଁ ଆଇନକୁ ମୋଡି ମକଚି ଦିଆଯାଇଛି କି? କେମିତି ସଡ଼କ ବା ଉପଗଳି କିସମକୁ ଘରବାଡିରେ ପରିଣତ କରାଗଲା? ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍।

undefined

Sankha Bhawan

Advertisment

ଭୁବନେଶ୍ୱରସ୍ଥିତ ବିଜେଡି ମୁଖ୍ୟ କାର୍ଯ୍ୟାଳୟ-ଶଙ୍ଖ ଭବନ ନିର୍ମାଣକୁ ନେଇ ସରଗରମ ରାଜ୍ୟ ରାଜନୀତି। ବିବାଦୀୟ ଜମିରେ ଠିଆ ହୋଇଛି କି ବିଜେଡି ହେଡ୍ ଅଫିସ୍? ବେଆଇନ୍ ନିର୍ମାଣ ନେଇ ଅଭିଯୋଗ ଉଠିବା ପରେ ସରକାରଙ୍କ ତତ୍ପରତା। ରାଜସ୍ୱ ମନ୍ତ୍ରୀ କହିଲେ ଆଇନ୍ ଉଲ୍ଲଂଘନ ହୋଇଥିଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆଉ ଆରପଟେ ବିଜେଡି ସାମ୍ବାଦିକ ସମ୍ମିଳନୀ କରି ପାଲଟା ଅଭିଯୋଗ କରି କହିଛି କୌଣସି ବେଆଇନ୍ ନିର୍ମାଣ ହୋଇନି। ବିଜେପିର ଏହା ଅସୂୟା ଭାବ।

Advertisment

ବେଆଇନ ଭାବେ ଛିଡା ହୋଇଛି କି ଶଙ୍ଖ ଭବନ? ସରକାରରେ ଥିବାବେଳେ ଏହି ଭବନ ନିର୍ମାଣ ପାଇଁ ଆଇନକୁ ମୋଡି ମକଚି ଦିଆଯାଇଛି କି? କେମିତି ସଡ଼କ ବା ଉପଗଳି କିସମକୁ ଘରବାଡିରେ ପରିଣତ କରାଗଲା? ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍। ଭୁବନେଶ୍ୱର ଛାତି ଉପର ୟୁନିଟ-୬ ରେ ମୋଟ୍ ୪ଟି ପ୍ଲଟ୍ କୁ ମିଶାଇ ୧ ଏକର ୧୮୩ ଡିସିମିଲ ଜାଗା ଉପରେ ନିର୍ମାଣ ହୋଇଛି ବିଜେଡି ମୁଖ୍ୟାଳୟ- ଶଙ୍ଖ ଭବନ। ସେଗୁଡିକହେଲା- ପ୍ଲଟ୍ ନଂ ୭୯୭ର ପାର୍ଟ, ୮୦୦, ୭୯୭/୮୪୯ ଏବଂ ୭୯୮ର ପାର୍ଟ।

ତେବେ ୭୯୮ ପ୍ଲଟ ର କିସମ ହେଉଛି ସଡ଼କ। ଯାହାକି ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ। ସଡ଼କ କିସମକୁ କିନ୍ତୁ ଘରବାଡିକୁ ପରିବର୍ତ୍ତନ କରାଯାଇଛି ଦଳୀୟ କାର୍ଯ୍ୟାଳୟ ନିର୍ମାଣ ପାଇଁ। ତେବେଏହା କିପରି ସମ୍ଭବ ହେଲା ତାକୁ ନେଇ ଉଠିଛି ପ୍ରଶ୍ନ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ବିଜେଡି ସରକାରରେ ଥିବା ବେଳେ ଯାହା ଚାହୁଁଥିଲା ତାହା କରୁଥିଲା। ସବୁକିଛିର ତଦନ୍ତହେବ ଓ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।

Advertisment

ଗଫଲତି କେବଳ କିସମ ପରିବର୍ତ୍ତନରେ ସରି ନଥିଲା। ସଂପତ୍ତିର ବଜାର ମୂଲ୍ୟ ୧୦୦ କୋଟିରୁ ଅଧିକ ଟଙ୍କା ହୋଇଥିବା ବେଳେ ବେଞ୍ଚ୍ ମାର୍କ ଦରଠାରୁ କମ ଦରରେ ମାତ୍ର ୧୨ କୋଟି ୯୩ ଲକ୍ଷ ୯୨ ହଜାର ୧୨୩ ଟଙ୍କାରେ ବିଜେଡିକୁ ଏସବୁ ପ୍ଳଟ୍ ଦିଆଯାଇଥିବା ଅଭିଯୋଗ ହୋଇଛି। ଯାହାଦ୍ୱାରା ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ୱ ହାନି ହୋଇଛି। ତେବେ ପ୍ରଶ୍ନ ଉଠୁଛି ସେତେବେଳର ସରକାରୀ ଦଳ ବିଜେଡି ପାଇଁ ଆଇନ୍ କଣ ସାଧାରଣ ଲୋକଙ୍କ ପାଇଁ ଥିବା ଆଇନ୍ ଠାରୁ ଭିନ୍ନ ଥିଲା କି? ଏହାର ଜବାବରେ ବିଜେଡି କହିଛି ଯାହା ହୋଇଛି, ଆଇନର ପ୍ରାବଧାନ ଭିତରେ ହୋଇଛି। ୭୯୮ ପ୍ଲଟ ଟି ସର୍ବସାଧାରଣଙ୍କ ପାଇଁ ସଡକ ବା ମୁଖ୍ୟ ରାସ୍ତା ନଥିଲା। ତାହା ଦୁଇଟି କ୍ୱାର୍ଟର୍ସ ମଧ୍ୟରେ ଥିବା ଉପଗଳି ବା କନଜରଭାନ୍ସି ଲାଣ୍ଡ। ଯେଉଁଥିପାଇଁ କିସମ ପରିବର୍ତ୍ତନ ହେଲା। ଶଙ୍ଖ ଭବନ ନାଁରେ ଏଭଳି ବିଭ୍ରାନ୍ତିକର ତଥ୍ୟରଖି ବିଜେପି ଅସହିଷ୍ଣୁତାର ପରିଚୟ ଦେଉଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଛି ବିଜେଡି।

ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ମଧ୍ୟ ଏ ସଂପର୍କରେ ସୋସିଆଲ୍ ମିଡିଆ ଏକ୍ସ ରେ ପ୍ରତିକ୍ରିୟା ରଖି ଲେଖିଛନ୍ତି, ଶଙ୍ଖ ଭବନ ଜମି ଲିଜ୍ ପ୍ରସଙ୍ଗ ହେଉ ବା ନିର୍ମାଣ କାର୍ଯ୍ୟ ଏଥିରେ କୌଣସି ଅସଙ୍ଗତି ନାହିଁ। ଜମି ଆବଣନ ପାଇଁ ବିଧି ଅନୁଯାୟୀ ବିଜେଡି ଆବେଦନ କରିଥିଲା ଏବଂ ସରକାରୀ ସ୍ତରରେ ଯାହା ନିର୍ଦ୍ଦେଶ ଦିଆଯାଇଥିଲା ତାହା ଅନୁପାଳନ ମଧ୍ୟ କରିଥିଲା। ଏଥିରେ କୌଣସି ପ୍ରକାର ତ୍ରୁଟି ବିଚ୍ୟୁତି ନାହିଁ।

Advertisment

ଶଙ୍ଖ ଭବନ ନିର୍ମାଣକୁ ନେଇ ରାଜନୀତି ଘନେଇଛି। ତେବେ ଏଦିଗରେ ତଦନ୍ତ ହେଲେ ଆଗକୁ ଆହୁରି ରୋଚକ ଚିତ୍ର ଦେଖିବାକୁ ମିଳିପାରେ।

BJD Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ