ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ । ରାଜ୍ୟରେ ଏ କିଭଳି ଶାସନ ଚାଲିଛି ବୋଲି କଲେ ବଡ଼ ପ୍ରଶ୍ନ । ଏଥର ଆଉ ବଙ୍କା ଟଙ୍କା ନୁହେଁ ସିଧା ସଳଖ ଭାବେ ନାଁ ନନେଇ 5T ସଚିବ ଭ.କେ ପାଣ୍ଡିଆନ୍ଙ୍କୁ କରିଛନ୍ତି ଟାର୍ଗେଟ । ଏମିତିକି ସେ ଯାହା କରୁଛନ୍ତି ତାହା ଭୁଲ୍ ବୋଲି ଅପରାଜିତା କହିଛନ୍ତି । ପ୍ରଶାସନିକ ବିଧିବ୍ୟବସ୍ଥାର ଉଲଂଘନ କରାଯାଉଛି ବୋଲି ଅପରାଜିତା କହିଛନ୍ତି ।
Also Read
ସେ ଆହୁରି କହିଛନ୍ତି, ‘ଓଡ଼ିଶାରେ ଶାସନ ବ୍ୟବସ୍ଥା ହାଇଜାକ୍ ହୋଇଯାଇଛି । ଜଣେ ସଚିବସ୍ତରୀୟ ଅଧିକାରୀ ସମ୍ପୂର୍ଣ୍ଣ ଶାସନ ବ୍ୟବସ୍ଥାକୁ ହାଇଜାକ୍ କରିନେଇଛନ୍ତି । ଲୋକେ ଯାହାକୁ ଆସ୍ଥା କରିଥିଲେ, ସେହି ଲୋକପ୍ରତିନିଧିମାନେ ଦିଶୁନାହାନ୍ତି । ଓଡ଼ିଶାରେ ବିଚିତ୍ର ଶାସନ ବ୍ୟବସ୍ଥା ଚାଲିଛି ବୋଲି ଅନ୍ୟ ରାଜ୍ୟରେ ବି ଲୋକେ କଥା ହେଲେଣି । ବାହାର ରାଜ୍ୟର ଲୋକ ଆମ ଉପରେ, ଆଉ ଆମ ଲୋକଙ୍କ ଉପରେ ହସୁଛନ୍ତି । ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ।’
ଖାଲି ସେତିକି ନୁହେଁ, ‘ଉକ୍ତ ସଚିବ ତଥା ଅଧିକାରୀଙ୍କ ଗସ୍ତ ପୂର୍ବରୁ ୨/୩ ଜଣ ମନ୍ତ୍ରୀ ସେଠାକୁ ଯାଇ ବ୍ୟବସ୍ଥା କରୁଛନ୍ତି । ଯେଭଳି ସଚିବଙ୍କୁ ଏକ ଭବ୍ୟ ସ୍ୱାଗତ କରାଯିବ । ପାଦ ଧୋଇ ସଚିବଙ୍କୁ ସ୍ୱାଗତ କରାଯାଉଛି । ଏମିତିକି କୌଣସି ସଚିବ ପବ୍ଲିକ୍ ମିଟିଂ କରିପାରିବେ ନାହିଁ ବୋଲି ନିୟମ ରହିଥିବା ବେଳେ ଏହି ସଚିବଙ୍କ କାର୍ଯ୍ୟକ୍ରମରେ ଲୋକ ଏକାଠି କଚୁଛନ୍ତି ନେତା ଓ ମନ୍ତ୍ରୀ । କିନ୍ତୁ ବିଡ଼ମ୍ବନାର କଥା ମିଟିଂ ବେଳକୁ କେବଳ ସେହି ଅଧିକାରୀ ରହୁଛନ୍ତି, ଆଉ କେହି ଦିଶୁନାହାନ୍ତି ।’
ଅପରାଜିତା ଆହୁରି କହିଛନ୍ତି, ‘ସଚିବ କହୁଛନ୍ତି ଯେ ସେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବୁଲୁଛନ୍ତି । ସତରେ କଣ ମୁଖ୍ୟମନ୍ତ୍ରୀ ଏଭଳି ନିର୍ଦ୍ଦେଶ ଦେଇଛନ୍ତି, ତାହା ସ୍ପଷ୍ଟ କରାଯାଉ । ଯଦି ମୁଖ୍ୟମନ୍ତ୍ରୀ ସତରେ ନିର୍ଦ୍ଦେଶ ଦେଇଛନ୍ତି, ତେବେ ଓଡ଼ିଶା ଶାସନ ବ୍ୟବସ୍ଥାକୁ ନେଇ ଏକ ବଡ଼ ପ୍ରଶ୍ନ ଉଠୁଛି । ମୁଖ୍ୟ ସଚିବ ଓ ଡିସି ଥାଉ ଥାଉ ଜଣେ ନିମ୍ନସ୍ତରର ସଚିବଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ଏତେ ଆସ୍ଥା କାହିଁକି ?
ତେବେ କଥା ଏତିକିରେ ସରି ନାହିଁ । ପ୍ରେସମିଟରେ ଉକ୍ତ ସଚିବଙ୍କ ଖୋଲା ଚାଲେଂଜ ମଧ୍ୟ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ‘ଯଦି ରାଜନୀତି କରିବାକୁ ଏତେ ଇଛା ଚାକିରି ଛାଡ଼ ମଇଦାନକୁ ଆସ’ ବୋଲି କହିଛନ୍ତି ଅପରାଜିତା । ସରକାରୀ ଚାକିରି କରିବ, ସରକାରଙ୍କଠାରୁ ଦରମା ନେଇ ରାଜନୀତି କରିବ । ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।’
ଅନ୍ୟପଟେ ମନ୍ତ୍ରୀ, ବିଧାୟକଙ୍କୁ ଦାସତ୍ୱ ସ୍ୱୀକାର କରିବାକୁ ପଡୁଛି ବୋଲି କହିଛନ୍ତି ଅପରାଜିତା । ବିଧାୟକ, ମନ୍ତ୍ରୀମାନଙ୍କ ପ୍ରତି ମୋର ଗଭୀର ସହାନୁଭୂତି ରହିଛି । ଏହା ସେମାନଙ୍କ ଆତ୍ମସମ୍ମାନର ପ୍ରଶ୍ନ, ଆମ ସମସ୍ତଙ୍କ ସମ୍ମାନର ପ୍ରଶ୍ନ ।
ଜଣେ ନିମ୍ନସ୍ତରର ସଚିବଙ୍କ ଗସ୍ତରେ ଯେଭଳି ସରକାରୀ ଅର୍ଥ ଖର୍ଚ୍ଚ ହେଉଛି ତାହା ମୁଖ୍ୟ ଶାସନ ସଚିବଙ୍କ ଗସ୍ତରେ ମଧ୍ୟ ଖର୍ଚ୍ଚ ହେଉ ନାହିଁ । ଉନ୍ନତିମୂଳକ କାର୍ଯ୍ୟର ତଦାରଖ କରିବା ପାଇଁ ଉକ୍ତ ସଚିବ ଯାଉଛନ୍ତି, ହେଲେ ପାଖରେ ସ୍ଥାନୀୟ ନେତା କିମ୍ବା ମନ୍ତ୍ରୀ ଦେଖାଯାଉ ନାହାନ୍ତି । ତେବେ ଏଭଳି ଶାସନ ବ୍ୟବସ୍ଥା ସମାଜ ପାଇଁ ବିପଦ ବୋଲି ଅପରାଜିତା କହିଛନ୍ତି ।
ତେବେ ଶେଷରେ ଅପରାଜିତା ବିଜେଡି ଓ ସରକାରଙ୍କୁ ୨୪ ଘଣ୍ଟା ସମୟ ଦେଇଛନ୍ତି । ସେ କହିଛନ୍ତି ବିଜେଡି ତାଙ୍କ ଯୁକ୍ତିର କାଉଣ୍ଟର କରୁ ।