ଭରତପୁର ଘଟଣା: ବିଜେଡି ପକ୍ଷରୁ ଭୁବନେଶ୍ବରରେ ହରତାଳ ଡାକରା ପ୍ରତ୍ୟାହୃତ

ପ୍ରତ୍ୟାହୃତ ହେଲା ବିଜେଡି ପକ୍ଷରୁ ମଙ୍ଗଳବାର ଭୁବନେଶ୍ବରରେ ହରତାଳ ଡାକରା । ହରତାଳ ପ୍ରତ୍ୟାହାର ନେଇ ପ୍ରେସମିଟ୍‌ରେ ବିଜେଡି ସୂଚନା ଦେଲା  । 

Bharatpur Incident

ବଡ଼ ଖବର । ପ୍ରତ୍ୟାହୃତ ହେଲା ବିଜେଡି ପକ୍ଷରୁ ଭୁବନେଶ୍ବରରେ ମଙ୍ଗଳବାର ହରତାଳ ଡାକରା । ହରତାଳ ପ୍ରତ୍ୟାହାର ନେଇ ପ୍ରେସମିଟ୍‌ରେ ସୂଚନା ଦେଲା ବିଜେଡି । ନିରପେକ୍ଷ ତଦନ୍ତ ପାଇଁ ସରକାର ରାଜି ହୋଇଥିବାରୁ ପ୍ରତ୍ୟାହୃତ ହୋଇଥିବା ନେଇ ଦଳ ସୂଚନା ଦେଇଛି । ଭରତପୁର ଘଟଣାକୁ ନେଇ ହରତାଳ ଡାକରା ଦେଇଥିଲା ବିଜେଡି । 

ଏପଟେ ଭୁବନେଶ୍ବରର ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାର ହେବ ବିଚାର ବିଭାଗୀୟ ତଦନ୍ତ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ଲୋକସେବା ଭବନରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀ ଚିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ବିଚାରପତି ଜଷ୍ଟିସ ଚିତ୍ତରଂଜନ ଦାଶଙ୍କ ଅଧ୍ୟକ୍ଷତାରେ ଏହି ତଦନ୍ତ ହେବ। ୬୦ ଦିନ ଭିତରେ ରିପୋର୍ଟ ପ୍ରଦାନ କରିବେ ତଦନ୍ତ କମିଶନ । ଏହା ସହିତ ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ତ୍ବରାନ୍ବିତ କରିବା ପାଇଁ ହାଇକୋର୍ଟଙ୍କୁ ଅନୁରୋଧ କରାଯାଇଥିବା ସୂଚନା ମିଳିଛି । ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ଅଭିଯୁକ୍ତ ୫ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯିବା ସହ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ଏହାଛଡ଼ା ଘଟଣାରେ ସଂପୃକ୍ତ ଯୁବକମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ ସମସ୍ତ ବ୍ୟକ୍ତି ବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ହୋଇ ପଦକ୍ଷେପ ନେଇଥିବା ସୂଚନା ଦିଆଯାଇଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଲୋକସେବା ଭବନରେ ଚାଲିଥିବା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ, ଆଇନମନ୍ତ୍ରୀ, ଆଡଭୋକେଟ ଜେନେରାଲ, ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି ପ୍ରମୁଖ ଉପସ୍ଥିତ ଥିଲେ।