Advertisment

Bhakta’s Trap: ଅଠାକାଠି କାହା ପାଇଁ ତିଆରି କରୁଛନ୍ତି ଭକ୍ତ...କିଏ ଏଥିରେ ପଡ଼ିବ ?

ବିଧାନସଭାରେ ସମର୍ଥନ ନଥାଇ କଂଗ୍ରେସ କାହିିଁକି ଯେ ଅନସ୍ଥା ପ୍ରସ୍ତାବ ଆଣୁଛି, ସେ ନେଇ ରାଜନୈତିକ ମହଲ ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ମନରେ ଉତ୍କଣ୍ଠା ସୃଷ୍ଟି ହେବା ସ୍ୱଭାବିକ । ହେଲେ କୁହାଯାଏ ଯେ ରାଜନୀତିରେ ପ୍ରତ୍ୟେକ ପଦକ୍ଷେପ ‘ପ୍ରମେଡିଟେଡ୍‌’ ବା ପୂର୍ବଚିନ୍ତିତ । ଭକ୍ତଙ୍କ ଆହ୍ୱାନକୁ ଯଦି ବିଜୁ ଜନତା ଦଳ ପ୍ରତ୍ୟଖ୍ୟାନ କରେ, ତେବେ କଂଗ୍ରେସ ଉକ୍ତ ଦଳକୁ କାଠଗଡ଼ାରେ ଛିଡ଼ା କରିବା ପାଇଁ ବାଟ ଉନ୍ମୁକ୍ତ ହୋଇଯିବ ।

ଭକ୍ତଙ୍କ ଅଠାକାଠି

ଭକ୍ତଙ୍କ ଅଠାକାଠି

Advertisment

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଏବେ ଏକ ବଡ଼ଧରଣର ଅଙ୍କ କଷୁଥିବା ପରି ଜଣାପଡ଼ୁଛି। ଏହି ଅଙ୍କକୁ ଅଠାକାଠିର ମିଶାଣ-ଫେଡ଼ାଣ ଅଙ୍କ ବୋଲି କୁହାଯାଇପାରେ। ଆମେ ସମସ୍ତେ ଅଠାକାଠି ସମ୍ପର୍କରେ ଅବଗତ । ଏହାକୁ ସାଧାରଣତଃ ପକ୍ଷୀ ଶିକାରୀ ମାନେ ବ୍ୟବହାର କରିଥାନ୍ତି । ପକ୍ଷୀମାନେ ଖାଦ୍ୟ ଅନ୍ୱେଷଣରେ ଆସି ଅଠାକାଠିରେ ଥିବା ଖାଦ୍ୟ ଖାଇବା କ୍ଷଣି ଏଠି ଲାଗି ରହିଯାଇଥାନ୍ତି । ଆହୁରି କେତେକ କ୍ଷେତ୍ରରେ ଶିକାରୀମାନେ ଏହାକୁ ଅନ୍ୟ ଜୀବଜନ୍ତୁଙ୍କୁ ଧରିବା ପାଇଁ ବ୍ୟବହାର କରିଥାନ୍ତି ।

Advertisment

ଶିକାରୀର ଅଠାକାଠିର ଅଠାରେ ଥରେ ଲାଗିଲେ ସେଠାରୁ ଖସିବା ବଡ଼ କଷ୍ଟ । ଯଦି ବା କୌଣସି ପ୍ରକାରେ ଖସି ହେବ, ତେବେ ତାହା ବିନା ଶାରୀରିକ କ୍ଷତରେ ସମ୍ଭବ ନୁହେଁ । ଭିଡିମୋଡ଼ି ହୋଇ ଅଠାକାଠିରୁ ବାହାରିଲା ବେଳକୁ ଦେହରୁ ଅନେକ ଚର୍ମ ଛିଡ଼ି ଯାଇଥିବ ଏବଂ ଶରୀର ରକ୍ତାକ୍ତ ହୋଇଯାଇଥିବ। ଅପରପକ୍ଷରେ ଅଠାକାଠିଟି ଯଦି ଠିକଣା ରୂପେ ପ୍ରସ୍ତୁତ ହୋଇନଥିବ, ତେବେ କାଠିରୁ ଅଠା ଛାଡ଼ି ଶିକାରୀ ଦେହରେ ଲାଗିବ ଏବଂ ଶିକାରୀ ଅଠାରେ ଆକ୍ତାମାକ୍ତା ହୋଇ ହଇରାଣ ହେବ।

ଏବେ ଆପଣ ଭାବୁଥିବେ ଏହି ଅଠାକାଠି କ’ଣ ଓ ଏବଂ ଭକ୍ତ ଦାସ ଏହାକୁ କାହା ବିରୋଧରେ ପ୍ରୟୋଗ କରିବାକୁ ଚାହୁଁଛନ୍ତି ? କିଏ ତାଙ୍କର ଲକ୍ଷ୍ୟ ବା ନିଶାନାରେ ରହିଛନ୍ତି ? ଆସନ୍ତୁ ଏବେ ଅଠାକାଠିର ସ୍ୱରୂପ ଜାଣିବା । ଏହି କେତେ ଦିନ ହେବ ଭକ୍ତ ଦାସ ରାଜ୍ୟ ଶାସନରେ ଥିବା ମୋହନ ମାଝୀ ସରକାର ବିରୋଧରେ ରଣହୁଙ୍କାର ଦେଉଥିବା ଦେଖାଯାଇଛି । ସେ କହୁଛନ୍ତି ଯେ ଏହି ସରକାର ଅଧୀନରେ ନାରୀମାନେ ସୁରକ୍ଷିତ ନୁହଁନ୍ତି । ଏଣୁ କଂଗ୍ରେସ ଏହି ସରକାରଙ୍କ ବିରୋଧରେ ଅନସ୍ଥା ପ୍ରସ୍ତାବ ଆଣିବ । ଓଡିଶା ବିଧାନସଭାରେ ଅନସ୍ଥା ପ୍ରସ୍ତାବ ବରୋଧୀ ଦଳମାନେ ଆଣିବା ପାଇଁ ଅନ୍ୟୁନ ୧୪ ଜଣ ସଭ୍ୟଙ୍କ ସମର୍ଥନ ଆବଶ୍ୟକ । ଏହି ସଂଖ୍ୟା କଂଗ୍ରେସ ପାଖରେ ଅଛି । ଗତ ବିଧାନସଭା ନିର୍ବାଚନରେ ଦଳର ସଦସ୍ୟମାନଙ୍କ ସଂଖ୍ୟା ୯ରୁ ୧୪ରେ ପହଞ୍ଚି ଥିଲା ।

Advertisment

ଓଡ଼ିଶା ବିଧାନସଭାର ନିଜସ୍ୱ ନିୟମାବଳୀର ତ୍ରୟୋଦଶ ଅନୁଚ୍ଛେଦ ବର୍ଣ୍ଣିତ ବ୍ୟବସ୍ଥା ଅନୁସାରେ ଅନସ୍ଥା ପ୍ରସ୍ତାବ ଆଣିବା ପାଇଁ ଯଦି ଅନ୍ୟୁନ ୧୪ ଜଣ ସଦସ୍ୟ ଛିଡ଼ା ହୋଇ ଏହି ଦାବି ଉପସ୍ଥାପନ କରିବେ, ତେବେ ବାଚଷ୍ପତିଙ୍କୁ ତାକୁ ସ୍ୱୀକାର କରିବା ପାଇଁ ପଡ଼ିବ । ଅପରପକ୍ଷରେ ଅନାସ୍ଥା ପ୍ରସ୍ତାବଟିକୁ ପାରିତ କରିବା ପାଇଁ ଅନ୍ୟୁନ ୭୪ ଜଣ ବିଧାୟକଙ୍କ ସମର୍ଥନ ଦରକାର । କଂଗ୍ରେସ୍ ଏବେ ବିଜୁ ଜନତା ଦଳକୁ ଆହ୍ୱାନ କରୁଛି ଯେ ସେ ଏହି ଅନସ୍ଥା ପ୍ରସ୍ତାବକୁ ସମର୍ଥନ କରୁ । ବିଜୁ ଜନତା ଦଳ ଏହି ପ୍ରସ୍ତାବକୁ ଗ୍ରହଣ କରିବ କି ନାହିଁ ସେ ନେଇ ଏ ପର୍ଯ୍ୟନ୍ତ ସ୍ପଷ୍ଟ ସଙ୍କେତ ଦେଇନାହିଁ । ଦଳର ବରିଷ୍ଠ ନେତା ଭୂପିନ୍ଦର ସିଂହ କହିଛନ୍ତି ଯେ ସଭାପତି ନବୀନ ପଟ୍ଟନାୟକ ଏ ନେଇ ନିଷ୍ପତି ନେବେ ।

ବିଧାନସଭାରେ ସମର୍ଥନ ନଥାଇ କଂଗ୍ରେସ୍ କାହିିଁକି ଯେ ଅନସ୍ଥା ପ୍ରସ୍ତାବ ଆଣୁଛି, ସେ ନେଇ ରାଜନୈତିକ ମହଲ ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ମନରେ ଉତ୍କଣ୍ଠା ସୃଷ୍ଟି ହେବା ସ୍ୱଭାବିକ୍ । ହେଲେ କୁହାଯାଏ ଯେ ରାଜନୀତିରେ ପ୍ରତ୍ୟେକ ପଦକ୍ଷେପ ‘ପ୍ରମେଡିଟେଡ୍‌’ ବା ପୂର୍ବଚିନ୍ତିତ । ଭକ୍ତଙ୍କ ଆହ୍ୱାନକୁ ଯଦି ବିଜୁ ଜନତା ଦଳ ପ୍ରତ୍ୟଖ୍ୟାନ କରେ, ତେବେ କଂଗ୍ରେସ୍ ଉକ୍ତ ଦଳକୁ କାଠଗଡ଼ାରେ ଛିଡ଼ା କରିବା ପାଇଁ ବାଟ ଉନ୍ମୁକ୍ତ ହୋଇଯିବ । ଦଳକୁ କହିବାକୁ ସୁଯୋଗ ମିଳିବ ଯେ ନ।ରୀ ସୁରକ୍ଷା ନେଇ ବିଜୁ ଜନତା ଦଳ ଯେଉଁ ଆନ୍ଦୋଳନ କରୁଥିଲା ବା କରୁଛି, ତାହା ଆନ୍ତରିକତା ଶୂନ୍ୟ ଏବଂ ଦଳର ଏଥି ପ୍ରତି ଶତପ୍ରତିଶତ ପ୍ରତିବଦ୍ଧତା ନାହିଁ । ଅତଏବ୍ ନାରୀ ସୁରକ୍ଷା ନେଇ ବିରୋଧୀମାନଙ୍କ ଦ୍ୱାରା ଚାଲିଥିବା ଅଭିଯାନରେ କଂଗ୍ରେସ୍ ନିଜକୁ ସମ୍ମୁଖ ଭାଗରେ ଅବସ୍ଥାପତି କରି ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣରେ ସର୍ବାଗ୍ରେ ରହିବା ପାଇଁ ଏକ ମାର୍ଗ ପ୍ରସ୍ତୁତ କରୁଛି ।

Advertisment

ସେହିପରି ଯଦି ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆସେ, ତେବେ କଂଗ୍ରେସ୍ ବିଗତ ଏକ ବର୍ଷ ମଧ୍ୟରେ ଘଟିଥିବା ଅନେକ ନାରୀ ନିର୍ଯ୍ୟାତନା ଘଟଣା ସମ୍ପର୍କରେ ଆଲୋଚନା କରିବାକୁ ସୁଯୋଗ ପାଇବ । ଏହା ଦ୍ୱାରା ଦଳର ସ୍ୱର ବ୍ୟାପକ ଭାବରେ ଜନସାଧାରଣଙ୍କ ନିକଟରେ ପହଞ୍ଚିବା ସହିତ ଏହାର ରାଜନୈତିକ ସ୍ଥିତି ଅଧିକ ଭାବରେ ଜାହିର କରିହେବ । କଂଗ୍ରେସ୍ ଅନାସ୍ଥା ପ୍ରସ୍ତାବ ଏକ ସାହସ ବା ଦୁଃସାହସ, ତାହା କେବଳ ବିଧାନସଭାରେ ଏ ସମ୍ପର୍କରେ ଆଲୋଚନା ସମୟରେ ଜଣାପଡ଼ିବ । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ଯଦି ଅନାସ୍ଥା ପ୍ରସ୍ତାବ ଆସେ, ତେବେ ତାଙ୍କ ଦଳ ଭାରତୀୟ ଜନତା ପାର୍ଟି କଂଗ୍ରେସ୍‌ର ୪୦ ବର୍ଷ ଶାସନର ଇତିହାସ ଖୋଲିବ । ଛବିରାଣୀ ହତ୍ୟାକାଣ୍ଡ ଠାରୁ ଅଞ୍ଜନା ମିଶ୍ରଙ୍କ ଉପରେ ହୋଇଥିବା ଅତ୍ୟାଚାର ପର୍ଯ୍ୟନ୍ତ ପ୍ରତ୍ୟେକ ଘଟଣାକୁ ବିଧାନସଭାରେ ଉପସ୍ଥାପତ କରିବ ।

ଏବେ ଦେଖିବାର କଥା ଯେ ଭକ୍ତଙ୍କ ଅଠାକାଠି ପ୍ରୟୋଗ ହେଉଛି କି ନାହିଁ । ବିଧାନସଭା ସେପ୍ଟେମ୍ବର ମାସରେ ହେବାର ଅଛି । ଏହା ଭିତରେ ରାଜନୈତିକ ପାଣିପାଗ ଅନେକ ଭାବରେ ଏବଂ ଅନେକ ଥର ପରିବର୍ତ୍ତନ ହେବ । ସେତେବେଳକୁ ସ୍ଥିତି କ’ଣ ଥିବ, ଏବେ ଠାରୁ ଆକଳନ କରିବା କଷ୍ଟ । କଂଗ୍ରେସ୍‌ର ଯୁବ ନେତା ଊଦିତ୍ ପ୍ରଧାନ ଦୁଷ୍କର୍ମ ଅଭିଯୋଗରେ ଗିରଫ ହେବା ପରେ ଦଳର ନୈତିକ ବଳ ଢେର ପରିମାଣରେ ହ୍ରାସ ପାଇଛି । ଏହି କ୍ଷେତ୍ରରେ ଦଳ କେତେ ଦୂର ବିଧାନସଭାରେ ଶାସକ ଦଳକୁ ଘେରିପାରୁଛି, ତାହା ଦେଖିବାର କଥା ।

ପରିଶେଷରେ ଏତିକି କୁହାଯାଇପାରେ ଯେ ଭକ୍ତଙ୍କ ନିଶାନାରେ ଉଭୟ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ଥିଲେ ହେଁ, ପ୍ରଥମ ଲକ୍ଷ୍ୟ ରହିଛି ବିଜୁ ଜନତା ଦଳ ଉପରେ। କାରଣ ହେଉଛି ଯେ ବିଜେପି ସରକାର ସହିତ ଲଢିବାକୁ ହେଲେ ପ୍ରଥମେ ଜନସାଧାରଣଙ୍କ ଧାରଣାରେ କଂଗ୍ରେସକୁ ଏକ ନମ୍ବର ବିରୋଧୀ ଦଳ ଭାବେ ଏକ ସ୍ଥାନ ସୃଷ୍ଟି କରିବାକୁ ହେବ ।

BJD BJP Congress Bhakta Charan Das No-confidence Motion
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ