• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବ୍ରହ୍ମପୁରରେ କଲେଜ୍ ଛାତ୍ରଙ୍କୁ ରାଗିଂ ମାମଲାର ମୁଖ୍ୟ ଅଭିଯୁକ୍ତ ଅଭିଷେକ ନାୟକଙ୍କ ବିଜେଡି ଲିଙ୍କ୍ । ବିଜୁ ଜନତା ଦଳର ଛାତ୍ର ସଂଗଠନରେ ଥିଲେ ଅଭିଷେକ । ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜର ଯୁକ୍ତ ତିନି ଦ୍ୱିତୀୟ ବର୍ଷରେ ପଢ଼ୁଥିବା ଅଭିଷେକ ଥିଲେ ବିଜେଡିର କଲେଜ୍ କନଭେନର୍ । ବିଜେଡି କଲେଜ୍ କ୍ୟାମ୍ପସ୍ କନଭେନର୍ ଭାବେ ତାଙ୍କୁ ଦାୟିତ୍ୱ ଦିଆଯାଇଥିଲା ।

ତେବେ ଶାସକ ଦଳର ଛାମୁଆ ସଂଗଠନର ସଦସ୍ୟ ହୋଇଥିବାରୁ ଅଭିଷେକ କଲେଜରେ ଏମିତି ଦୋରାତ୍ମ୍ୟ ଖେଳାଇ ଥିଲେ କି ? ସର୍ବ ସମ୍ମୁଖରେ, ଅନ୍ୟ ଛାତ୍ରଛାତ୍ରୀଙ୍କ ଆଗରେ ରାଗିଂ କରିବାକୁ ସାହସ କେଉଁଠୁ ପାଇଲେ ବୋଲି ପ୍ରଶ୍ନ ଉଠୁଛି ? ଏହି ଘଟଣା ପରେ ଗିରଫ ହୋଇ ଏବେ ଜେଲରେ ଅଭିଷେକ । କଲେଜରୁ ବି ତାଙ୍କୁ ବହିଷ୍କାର କରାଯାଇଛି । ଏହି ଘଟଣାକୁ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି ।

ଅନ୍ୟପଟେ ଆଜି କଲେଜକୁ ଯାଇ ସ୍ଥିତି ଯାଞ୍ଚ କରିବା ସହ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ । ଯାହା ଘଟିଛି ଅତି ନିନ୍ଦନୀୟ, ଏପରି ହେବା ଆଦୌ ଉଚିତ୍ ନୁହେଁ । ଘଟଣାର ଯେପରି ପୁନରାବୃତ୍ତି ହେବନି ସେ ନେଇ ଧ୍ୟାନ ଦିଆଯିବ ବୋଲି କହିଛନ୍ତି ଉଚ୍ଚଶିକ୍ଷା ବିଭାଗ ଆଞ୍ଚଳିକ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ତ୍ରିପାଠୀ ।

ସୂଚନାଯୋଗ୍ୟ, ବିନାୟକ ଆଚାର୍ଯ୍ୟ କଲେଜ କ୍ୟାମ୍ପସ୍‌ରେ ଜଣେ + ୨ ଛାତ୍ରୀଙ୍କୁ କେତେକ ଛାତ୍ରଛାତ୍ରୀ ରାଗିଂ କରୁଥିଲେ। +୩ ଛାତ୍ର ଅଭିଷେକ ନାୟକ ଓ ତାଙ୍କ ସାଥୀମାନେ ଠେଙ୍ଗା ଧରି ଜଣେ ଛାତ୍ରୀଙ୍କ ଗାଲକୁ କିସ୍‌ ଦେବାକୁ ଜଣେ ଛାତ୍ରଙ୍କୁ କହୁଥିଲେ। ଛାତ୍ର ଜଣକ ଅସହାୟ ହୋଇ ଭୟରେ ଛାତ୍ରୀଙ୍କ ଗାଲ୍‌କୁ କିସ୍‌ ଦେଉଥିଲେ ଓ ଆଇ ଲଭ୍‌ ୟୁ କହୁଥିଲେ। ଅଭିଷେକ ଓ ତାଙ୍କ ସାଥୀ (ଛାତ୍ରଛାତ୍ରୀ)ମାନେ ଅଶ୍ଲୀଳ ଭାଷାରେ ଗାଳି ମଧ୍ୟ ଦେଉଥିଲେ। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହେବା ପରେ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି।