ଓଡ଼ିଶାରେ ବହୁତ ଭଲ ଆତିଥ୍ୟ ଓ ଚର୍ଚ୍ଚା ମିଳିଲା: ମମତା ବାନାର୍ଜୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

CM Naveen Patnaik, CM Mamata Banerjee

ଓଡ଼ିଶା ଗସ୍ତର ଶେଷ ଦିନରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସାକ୍ଷାତବେଳେ ଦୁଇ ମୁଖ୍ୟମନ୍ତ୍ରୀ ଭାରତରେ ସଂଘୀୟ ବ୍ୟବସ୍ଥା ସ୍ଥାୟୀ ଓ ସୁଦୃଢ଼ ହେବା ଉପରେ ଜୋର୍ ଦେଇଛନ୍ତି । ମମତା କହିଛନ୍ତି, ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା ନେଇ ଆଲୋଚନା ହୋଇଛି ।

ଆଲୋଚନ ପରେ ନବୀନ କହିଛନ୍ତି ଏହା ଏକ ସୌଜନ୍ୟମୂଳକ ସାକ୍ଷାତ । କୌଣସି ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଚର୍ଚ୍ଚା ହୋଇନି । ଆମ ଭିତରେ ବହୁତ ପୁରୁଣା ବନ୍ଧୁତ୍ୱ, ସୁନ୍ଦର ସଂପର୍କ ରହିଛି । ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା ନେଇ ଆଲୋଚନା ହେଲା ବୋଲି କହିଛନ୍ତି ନବୀନ । ମମତା ଆହୁରି କହିଛନ୍ତି ଯେ, ଓଡ଼ିଶାରେ ବହୁତ ଭଲ ଆତିଥ୍ୟ ଓ ଚର୍ଚ୍ଚା ମିଳିଲା । ଓଡ଼ିଶାରେ ମୋର ସୁରକ୍ଷା, ପ୍ରୋଟୋକଲ ପ୍ରତି ପୂରା ଧ୍ୟାନ ଦିଆଗଲା । ପ୍ରଭୁ ଜଗନ୍ନାଥ ମନ୍ଦିରରେ ବହୁତ ଭଲ ଦର୍ଶନ, ପୂଜା ହେଲା । ଦାୟିତ୍ୱରେ ଥିବା ଅଫିସରମାନେ ବହୁତ ଭଲ ସୁବିଧା ଯୋଗାଇଲେ । ପୁରୀରେ ପଶ୍ଚିମବଙ୍ଗ ଭବନ ନିର୍ମାଣ ପାଇଁ ୨ ଏକର ଜାଗା ଦେଲେ। ପଶ୍ଚିମବଙ୍ଗ ଦୀଘାରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିର୍ମାଣ କରୁଛୁ ।

ପଶ୍ଚିମବଙ୍ଗ ଯିବାକୁ ନବୀନ ବାବୁଙ୍କୁ ନିମନ୍ତ୍ରଣ କରିଛନ୍ତି ମମତା । ନବୀନ ନିବାସରେ ଏହି ସାକ୍ଷାତବେଳେ ମହାପ୍ରଭୁଙ୍କ ଅଙ୍ଗବସ୍ତ୍ର ସହ ନବୀନ ତିନି ରଥର କାଠ ତିଆରି ପ୍ରତିକୃତି, ରୂପା ତାରକସିର କାରୁକାର୍ଯ୍ୟ ସହ ଛେନାପୋଡ଼ ଦେଇଥିଲେ ମମତାଙ୍କୁ । ମମତା ମଧ୍ୟ ବିଶ୍ୱ ବାଂଲା ଦ୍ୱାରା ପ୍ରସ୍ତୁତ ଏକ ସାଲ୍ ଉପହାର ଦେଇଥିଲେ।