ଏହି ଅଭିନେତ୍ରୀଙ୍କ ସ୍ୱାମୀଙ୍କ ନାଁରେ ଥିଲା ‘ବଲ୍ଲେ ବଲ୍ଲେ’ ଢାବା

ଏହି ଢାବା କାହାକୁ ମିଳିଥିଲା, ପ୍ରକାଶ କଲେ ସ୍ଥାନୀୟ ଅଞ୍ଚଳର ସଂଜୀବ ଜେନା । ଏହି ‘ବଲ୍ଲେ ବଲ୍ଲେ ଢାବା ଜଣେ ବିଜେଡି ନେତ୍ରୀଙ୍କ ସ୍ବାମୀଙ୍କୁ ଚଳାଇବାକୁ ଦିଆଯାଇଥିଲା ବୋଲି ସେ କହିଛନ୍ତି ।

Balle Balle Dhaba

ଯାଜପୁର ଧର୍ମଶାଳା ଭବନ ପରିସର ‘ବଲ୍ଲେ ବଲ୍ଲେ’ ଢାବାକୁ ନେଇ ଥମୁନି ଚର୍ଚ୍ଚା । ଆଜି ଢାବାରୁ ଜିନିଷ ହଟୁଥିବା ବେଳେ ସାମ୍ନାକୁ ଆସିଲା ରୋଚକ ତଥ୍ୟ । ଏହି ଢାବା କାହାକୁ ମିଳିଥିଲା, ପ୍ରକାଶ କଲେ ସ୍ଥାନୀୟ ଅଞ୍ଚଳର ସଂଜୀବ ଜେନା । ଏହି ‘ବଲ୍ଲେ ବଲ୍ଲେ ଢାବା ବିଜେଡି ନେତ୍ରୀ ଏଲିନା ଦାସଙ୍କ ସ୍ବାମୀଙ୍କୁ ଚଳାଇବାକୁ ଦିଆଯାଇଥିଲା ବୋଲି ସେ କହିଛନ୍ତି ।

ସ୍ଥାନୀୟ ଯୁବକ ସଂଜୀବ ଜେନା ଆହୁରି କହିଛନ୍ତି ଯେ, ଧର୍ମଶାଳା ଭବନ ଲିଜ୍‌ ପାଇଁ ଟେଣ୍ଡର ଡକାଯାଉଥିଲା। କିନ୍ତୁ ତତ୍କାଳୀନ ବିଧାୟକ ନିଜ ଇଚ୍ଛାରେ ଢାବାକୁ ଲିଜ୍‌ ଦେଉଥିଲେ । ଆମେ ସ୍ଥାନୀୟ ଅଞ୍ଚଳର ହୋଇ ବି ଆମକୁ ମିଳୁନଥିଲା ବୋଲି କହିଛନ୍ତି ସଂଜୀବ । ତେବେ ସଂଜୀବ ଜେନାଙ୍କ ଏହି ଅଭିଯୋଗ ନେଇ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ, ଅଭିନେତ୍ରୀ ଏଲିନା ଦାସ କି ତାଙ୍କ ସ୍ୱାମୀଙ୍କ ପ୍ରତିକ୍ରିୟା ମିଳିପାରିନି ।

ସେପଟେ ବଲ୍ଲେ ବଲ୍ଲେ ଢାବାରେ ଗତକାଲି ପ୍ରଶାସନ ଲଟକା ଲଗାଇଥିଲା । ଆଉ ଆଜି ଖାଲି କରାଯାଉଛି ଢାବା । ଯାଜପୁର ନେଉଳପୁର ସ୍ଥିତ ଧର୍ମଶାଳା ଭବନ ପରିସରରେ ଥିବା ବଲ୍ଲେ ବଲ୍ଲେ ଢାବା ଖାଲି କରାଯାଉଛି । ଢାବା ଚଳାଉଥିବା ମାଲିକ ଆଜି କର୍ମଚାରୀଙ୍କୁ ଲଗାଇ ହୋଟେଲ୍ ସାମଗ୍ରୀକୁ ଅନ୍ୟତ୍ର ସ୍ଥାନାନ୍ତର କରୁଛନ୍ତି । ବଲ୍ଲେ ବଲ୍ଲେ ଢାବା ଓ ଲଜ୍‌ରେ ସାଂସଦ ଓ ବିଧାୟକ ପାଣ୍ଠି ବିନିଯୋଗ ହୋଇଥିବା ଅଭିଯୋଗ ହୋଇଛି । ବିନା କାଗଜପତ୍ରରେ ଏହି ଢାବାକୁ ଜଣେ ବିଜେଡି ନେତ୍ରୀଙ୍କ ସ୍ୱାମୀଙ୍କୁ ଚଳାଇବାକୁ ଦିଆଯାଇଥିଲା । ଆଉ ପ୍ରଚ୍ଛଦପଟ୍ଟରେ ଥିଲେ ଧର୍ମଶାଳାର ପୂର୍ବତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟ ।

ସ୍ବାଧୀନ ବିଧାୟକ ହିମାଂଶୁ ସାହୁ ସମୀକ୍ଷା କରିବା ପରେ ତତ୍ପରତା ଦେଖାଇଥିଲା ପ୍ରଶାସନ । ଲଟକା ଲଗାଇବା ସହ ତିନି ଦିନ ଭିତରେ ଢାବା ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଗଣମାଧ୍ୟମ କ୍ୟାମେରା ସାମନାରେ ପ୍ରଣବ ବଳବନ୍ତରାୟ ମୁହଁ ଖୋଲୁ ନଥିବା ବେଳେ ଢାବା ଲିଙ୍କ ଅଭିଯୋଗକୁ ପରୋକ୍ଷରେ ଖଣ୍ଡନ କରୁଛନ୍ତି ।

ସେପଟେ ପ୍ରଣବ ବଳବନ୍ତରାୟଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକ । ଢାବାରେ ଚାଲିଥିଲା ରଙ୍ଗଶାଳା । ନିର୍ବାଚନ ବେଳେ ସେଠାରୁ କୋଟି କୋଟି ଟଙ୍କା ବାଣ୍ଟୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ । ଏନେଇ ପ୍ରଣବ ବଳବନ୍ତରାୟଙ୍କ ପ୍ରତିକ୍ରିୟା ମିଳିନାହିଁ ।