Advertisment

ନରସିଂହଙ୍କ ପୁଅ, ନା ଆଉ କିଏ ? ବଲାଙ୍ଗିରରେ କନ୍‌ଫ୍ୟୁଜନ୍‌, କାହାକୁ ଦେବେ ଭୋଟ ?

୨୦୧୪ରେ ମଧ୍ୟ ଦଳୀୟ ପ୍ରାର୍ଥୀ ବାସୁଦେବ ପତିଙ୍କୁ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ତେବେ ସବୁଥର ଭଳି ଏଥର ବି ଦଳରେ ଗୋଷ୍ଠୀ କନ୍ଦଳ ଜଳ ଜଳ ଦିଶୁଛି।

ଅଦ୍ୟତନ ହୋଇଛି
undefined

Balangir Politics

Advertisment

ଓଡ଼ିଶା ରାଜନୀତିର ଅନ୍ୟତମ ହାଇକ୍ଲାସ୍ ପଲିଟିକାଲ ଜୋନ୍ ପଶ୍ଚିମ ଓଡ଼ିଶାର ବଲାଙ୍ଗିର ବିଧାନସଭା ଆସନ । ଶଂଖ ଦଳର ଲହର ଭିତରେ ବି ଏଠୁ ଦୁଇ ଦୁଇ ଥର ଜିତାପଟ ମାରି ଆସୁଛନ୍ତି କଂଗ୍ରେସ ଭେଟେରାନ୍ ନରସିଂହ ମିଶ୍ର । ଏ ରାଜନୈତିକ ପଶାପାଲିରେ ଗତ ଦୁଇଟି ନିର୍ବାଚନରେ ବିଜେଡିରୁ ରାଜପରିବାର ସଦସ୍ୟ ଓ କଂଗ୍ରେସ ଭେଟରାନଙ୍କ ମଧ୍ୟରେ ସୂତେ ସୂତେରେ ଟକ୍କର ହୋଇ ଆସୁଛି । ତେବେ ଏଥର ନିର୍ବାଚନରେ ନରସିଂହ ନିଜେ ନଲଢି ପୁଅକୁ ପେସ୍ କରିବାକୁ ଘୋଷଣା କରିଥିବାରୁ ବଲାଙ୍ଗିରର ରାଜନୀତିରେ ଏବେଠୁ ସସ୍ପେନ୍ସ ବଢୁଛି ।

Advertisment

ପଶ୍ଚିମ ଓଡ଼ିଶାର ସଂଭ୍ରାନ୍ତ ସହର ବଲାଙ୍ଗିର । ରାଜଧାନୀଠୁ ଦୂରତା ଢେର ବେଶି ହେଲେ ବି ରାଜ୍ୟ ରାଜନୀତିରେ ପ୍ରଭାବ କିନ୍ତୁ ବହୁ ଅଧିକ। ଏକଦା ବିଜେଡି ସୁପ୍ରିମୋଙ୍କ ସହ ଘନିଷ୍ଠ ସମ୍ପର୍କ ଥିବା ସିଂହଦେଓ ରାଜପରିବାରର ପଲିଟିକାଲ ବ୍ୟାଟେଲ ଫିଲ୍ଡ ଥିବା ଏ ଆସନ ଏବେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଗଡ଼ ।

୨୦୧୪ ଓ ୨୦୧୯ରୁ ଲଗାତର ଦୁଇ ଦୁଇ ଥର ବିଜୟୀ ହୋଇ ରାଜୁତି କରୁଛନ୍ତି କଂଗ୍ରେସ ଭେଟେରାନ । ୧୯୯୦ରୁ ୨୦୧୪ ଯାଏଁ ଅନଙ୍ଗ ଉଦୟ ସିଂଦେଓଙ୍କ କବଜାରେ ରହି ଆସିଥିଲା ରାଜ୍ୟର ଏ ଅଣସଂରକ୍ଷିତ ଆସନ। ତେବେ ୨୦୧୪ରେ ଅନଙ୍ଗଙ୍କ ଜୟଯାତ୍ରାରେ ବ୍ରେକ୍ ଲଗାଇଥିଲେ ନରସିଂହ। ଆଉ ୧୯ରେ ଅନଙ୍ଗ ନିଜେ ଛିଡା ନହୋଇ ସାନ ପୁଅ ଅର୍କେଶ ନାରାୟଣ ସିଂହଦେଓଙ୍କୁ ବାଟ ଛାଡ଼ିଥିଲେ। ହେଲେ ନରସିଂହଙ୍କ ଯାଦୁ ଆଗରେ ବିଜେଡିର ସେ ଏକ୍ସପେରିମେଣ୍ଟ ଫେଲ ମାରିଥିଲା। ଆଉ ଦୁଇଟି ଯାକ ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କଠାରୁ ପାଖାପାଖି ଅଧା ଭୋଟ୍ ପାଇ ତୃତୀୟ ସ୍ଥାନରେ ନିଜକୁ ସନ୍ତୁଷ୍ଟ କରିଥିଲା ବିଜେପି।

Advertisment

ତେବେ ଏଥର ବଲାଙ୍ଗିରର ଦୃଶ୍ୟପଟ୍ଟ କିଛି ଭିନ୍ନ ଇଙ୍ଗିତ କରୁଥିବା ରାଜନୈତିକ ସମୀକ୍ଷକଙ୍କ ଚର୍ଚ୍ଚା। କାରଣ ନରସିଂହ ଏଥର ନିର୍ବାଚନ ଲଢିବେନି ବୋଲି ଘୋଷଣା କରିଛନ୍ତି। ସେ ତାଙ୍କ ସାନ ପୁଅ ସମରେନ୍ଦ୍ରଙ୍କୁ ବିଧାନସଭା ଆସନରେ ପେସ୍ କରିବାକୁ ସ୍ପଷ୍ଟ କରିଥିବା ବେଳେ, ସମରେନ୍ଦ୍ର ବି ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିବାକୁ ପୁରା ଜୋସରେ।

ଏପଟେ ବିଜେଡି ଭେଟେରାନ୍ ଅନଙ୍ଗ ଉଦୟ ସିଂହଦେଓ ରାଜନୀତିରେ ଏବେ ବି ସକ୍ରିୟ ଥିଲେ ମଧ୍ୟ ଦୁଇ ପୁଅ କଳିକେଶ ଓ ଅର୍କେଶ ନିର୍ବାଚନ ଲଢୁଥିବାରୁ ସେ ନିଜେ ଲଢିବା ଅପେକ୍ଷା ଦୁଇ ପୁଅଙ୍କୁ ପ୍ରମୋଟ କରିବାକୁ ଉଚିତ୍ ମଣିଛନ୍ତି। ଗତଥର ସାନପୁଅ ଅର୍କେଶ ନାରାୟଣ,ନରସିଂହଙ୍କୁ କଡ଼ା ଟକ୍କର ଦେଇ ମାତ୍ର ୫ ହଜାର ୩ ଶହ ଭୋଟରେ ହାର ମାନିଥିଲେ। ସେ ଦୃଷ୍ଟିରୁ ଏଥର ବି ଅର୍କେଶ ବଲାଙ୍ଗିରରୁ ବିଜେଡି ପ୍ରାର୍ଥୀ ହେବା ସମ୍ଭାବନା ରହିଛି। ହେଲେ ପାରିବାରିକ ବିବାଦରେ ଛନ୍ଦି ହୋଇଥିବାରୁ ବିଜେଡି ଅର୍କେଶଙ୍କ ବଦଳରେ ତାଙ୍କ ବଡ଼ ଭାଇ ତଥା ବଲାଙ୍ଗିରର ପୂର୍ବତନ ସାଂସଦ କଳିକେଶ ନାରାୟଣଙ୍କୁ ବିଧାନସଭା ଆସନ ଛାଡ଼ିବା ଚର୍ଚ୍ଚା ବି ଜୋର ଧରିଛି।

Advertisment

ସାରା ପଶ୍ଚିମ ଓଡ଼ିଶାରେ ଦବଦବା ସତ୍ତ୍ବେ ବଲାଙ୍ଗିର ବିଧାନସଭା ଆସନରେ କିନ୍ତୁ ଏଯାଏଁ ଆଦୌ ଖାତା ଖୋଲିନଥିବା ବିଜେପି ଏ ଆସନକୁ ନେଇ ସବୁବେଳେ ଆଶାବାଦୀ। କିନ୍ତୁ ଦଳକୁ ଥରୁଟିଏ ବି ମିଳିନି ବିଜୟର ସଫଳତା। ଗତଥର ଏ ଆସନରୁ ଯୁବନେତା ଅନନ୍ତ ଦାସ ପ୍ରାର୍ଥୀ ହୋଇ ତୃତୀୟ ସ୍ଥାନରେ ରହିଥିଲେ। ୨୦୧୪ରେ ମଧ୍ୟ ଦଳୀୟ ପ୍ରାର୍ଥୀ ବାସୁଦେବ ପତିଙ୍କୁ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ତେବେ ସବୁଥର ଭଳି ଏଥର ବି ଦଳରେ ଗୋଷ୍ଠୀ କନ୍ଦଳ ଜଳ ଜଳ ଦିଶୁଛି।

ଗତଥରର ପ୍ରାର୍ଥୀ ହୋଇଥିବା ଅନନ୍ତଙ୍କର ସାଂସଦ ସଂଗୀତା କୁମାରୀ ସିଂହଦେଓଙ୍କ ସହ ଭଲ ଟର୍ମ ନଥିବା ଚର୍ଚ୍ଚା ହେଉଛି। ତେଣୁ ଅନନ୍ତଙ୍କ ସହ ଏଥର ଦଳର ଅନ୍ୟତମ ଛାମୁଆ ନେତା ଗୋପାଳଜୀ ପାଣିଗ୍ରାହୀ ପ୍ରାର୍ଥୀ ରେସରେ ସାମିଲ ହୋଇଛନ୍ତି।

ବଲାଙ୍ଗିର ବିଧାନସଭା ନିବାର୍ଚନ ମଣ୍ଡଳୀ ୨୦୧୪ ମସିହାରୁ କଂଗ୍ରେସ ଅଧିନରେ ଥିଲେ ବି ବ୍ଳକ ଓ ପୌର ପରିଷଦରେ କିନ୍ତୁ ରହିଛି ବିଜେଡିର ଆଧିପତ୍ୟ। ତେବେ ବଲାଙ୍ଗିର ବିଧାନସଭା ଆସନ ପରିବାରବାଦ ରାଜୀନୀତିରୁ ଉର୍ଦ୍ଧ୍ବକୁ ଯାଇପାରୁନଥିବାରୁ ଏହାକୁ ନେଇ ବି ବଢୁଛି ଆଲୋଚନା ଓ ସମାଲୋଚନା ।

BJD BJP Congress Odisha Politics General Elections 2024 Sattara Satranj
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ