ଓଡ଼ିଶା ପ୍ରଦେଶ କମିଟିକୁ ଭଙ୍ଗ କଲା AICC, ପଦବୀରୁ ହଟିଲେ ସମସ୍ତ ପଦାଧିକାରୀ

ଓଡ଼ିଶା ପ୍ରଦେଶ କମିଟିକୁ ଭଙ୍ଗ କଲା AICC । କଂଗ୍ରେସ ସଭାପତିଙ୍କ ଅନୁମୋଦନ କ୍ରମେ ସବୁ କମିଟି ଭଙ୍ଗ କରାଯାଇଛି ।

Odisha Congress

ଓଡ଼ିଶା ପ୍ରଦେଶ କମିଟିକୁ ଭଙ୍ଗ କଲା AICC । କଂଗ୍ରେସ ସଭାପତିଙ୍କ ଅନୁମୋଦନ କ୍ରମେ ସବୁ କମିଟି ଭଙ୍ଗ କରାଯାଇଛି । ପିସିସି ଓ କାର୍ଯ୍ୟକାରୀ କମିଟିକୁ ଭାଙ୍ଗି ଦିଆଗଲା । ପିସିସି ସଭାପତିଙ୍କ ସମେତ ସମସ୍ତ ପଦାଧିକାରୀ ପଦବୀରୁ ହଟିଲେ । ଏଥିସହ ଜିଲ୍ଲା, ବ୍ଲକ୍ ଓ ମଣ୍ଡଳସ୍ତରୀୟ କମିଟି ମଧ୍ୟ ଭଙ୍ଗ କରାଯାଇଛି ।

ନୂଆ କମିଟି ଗଠନ ହେବା ଯାଏ ବର୍ତ୍ତମାନର ଜିଲ୍ଲା ସଭାପତି କାମଚଳା ସଭାପତି ଦାୟିତ୍ୱରେ ରହିବେ । ଏବେ ଚର୍ଚ୍ଚା, କିଏ ହେବେ ଓଡ଼ିଶାର ନୂଆ ପିସିସି ସଭାପତି । ଶରତ ପଟ୍ଟନାୟକଙ୍କ ସ୍ଥାନ ନେବେ କିଏ ? ରେସରେ ରହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ଭକ୍ତ ଚରଣ ଦାସ, ମହମ୍ମଦ ମୋକିମ ।

ସେହିପରି ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ନାଁକୁ ବି ନେଇ ଚର୍ଚ୍ଚା ହେଉଛି । ଚଳିତ ନିର୍ବାଚନରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୯ରୁ ୧୪କୁ ବୃଦ୍ଧି ପାଇଛି । ଆଗକୁ ରାଜ୍ୟରେ ସଂଗଠନକୁ ଅଧିକ ମଜଭୁତ କରିବାକୁ ଲକ୍ଷ୍ୟ ରଖିଛି କଂଗ୍ରେସ । ସେପଟେ ଚର୍ଚ୍ଚାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡ଼ାମ ହେଲେ କଂଗ୍ରେସ ବିଧାୟକ ଦଳ ନେତା ।

ଏଆଇସିସି ତାଙ୍କ ନାଁରେ ମୋହର ମାରିଛି । ସେହିପରି ବାସୁଦେବପୁର ବିଧାୟକ ଅଶୋକ ଦାସ କଂଗ୍ରେସ ବିଧାୟକ ଦଳ ଉପନେତା ନିର୍ବାଚିତ ହୋଇଛନ୍ତି । ରାଜଗାଙ୍ଗପୁର ବିଧାୟକ ସିଏସ୍ ରାଜନ ଏକ୍କା ହୋଇଛନ୍ତି କଂଗ୍ରେସ ଦଳ ମୁଖ୍ୟ ସଚେତକ । କିଏ ହେବେ କଂଗ୍ରେସ ବିଧାୟକ ଦଳ ନେତା ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ରେସରେ ଥିଲେ ତାରା ପ୍ରସାଦ ବାହିନୀପତି ଓ ରାମଚନ୍ଦ୍ର କାଡାମ । ଶେଷରେ ରାମଚନ୍ଦ୍ର କାଡାମଙ୍କ ନାଁରେ ମୋହର ବାଜିଛି ।