୩ ଦଳରୁ ୩ ଭଉଣୀ ପ୍ରାର୍ଥୀ, କାହାକୁ ବାଛିବେ ଭୋଟର ?

୩ ଦଳରୁ ନିର୍ବାଚନ ଲଢ଼ୁଛନ୍ତି ୩ ଭଉଣୀ। ନବରଙ୍ଗପୁର ଜିଲ୍ଲାରେ ଏହି ଭିନ୍ନ ଲଢ଼େଇ ଦେଖିବାକୁ ମିଳିଛି । ଫଳରେ ରାଜନୀତରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି ।

୩ ଦଳରୁ ୩ ଭଉଣୀ ପ୍ରାର୍ଥୀ, କାହାକୁ ବାଛିବେ ଭୋଟର

ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ । ସରଗରମ ହେଉଛି ପ୍ରଚାର ମୈଦାନ୍‌ । ନିର୍ବାଚନ ବୈତରଣୀ ପାର୍‌ ହେବା ପାଇଁ ଜୋରସୋର୍‌ରେ ଲାଗିପଡ଼ିଛନ୍ତି ପ୍ରାର୍ଥୀ । ଜିତିବା ଲକ୍ଷ୍ୟରେ ଘରକୁ ଘର ବୁଲି ଭୋଟ୍‌ ଭିକ୍ଷା ମାଗୁଛନ୍ତି ବିଭିନ୍ନ ଦଳୀୟ ପ୍ରାର୍ଥୀ । କେଉଁଠି ସ୍ୱାମୀ ସ୍ତ୍ରୀ ତ ଆଉ କେଉଁଠି ଭାଇ ଭାଇ । ସମସ୍ତଙ୍କୁ ଘାରିଛି ନିର୍ବାଚନୀ ନିଶା । ଏହାରି ମଧ୍ୟରେ ନିର୍ବାଚନ ଏକ ନିଆରା ଲଢ଼େଇ ସାମ୍ନାକୁ ଆସିଛି । ଯାହା ରାଜନୀତି ଉଷ୍ମତା ଭିତରେ ଏକ ରୋଚକ ବିଷୟ ପାଲଟିଛି । ନବରଙ୍ଗପୁର ଜିଲ୍ଲାରେ ଏହି ଭିନ୍ନ ଲଢ଼େଇ ଦେଖିବାକୁ ମିଳିଛି । ଯେଉଁଠି ୩ ଦଳରୁ ନିର୍ବାଚନ ଲଢ଼ୁଛନ୍ତି ୩ ଭଉଣୀ।

ତ୍ରିସ୍ତରୀୟ ପଞ୍ଚାୟତକୁ ନେଇ ଚଳଚଞ୍ଚଳ ହୋଇ ପଡିଛି ପୁରପଲ୍ଲୀ ଓ ଗାଁରୁ ସହର । ନିର୍ବାଚନୀ ତାରିଖ ଯେତିକି ପଖାଇ ଆସୁଛି ସେତିକି ଅଞ୍ଚଳ ମାନଙ୍କରେ ପ୍ରାର୍ଥୀ ନିଜ ନିଜ ସମର୍ଥକଙ୍କୁ ନେଇ ପ୍ରଚାରରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳୁଛି । ଏପରିକି ହେଭିୱେଟ ନେତା ମଧ୍ୟ ନିର୍ବାଚନରେ ନିଜ ଦଳକୁ ସମର୍ଥନ ଜଣାଇ ନିଜ ପ୍ରାର୍ଥୀ ପାଇଁ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳୁଛି ।

ସୂଚନା ଅନୁସାରେ, ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ର ୯ ଟି ପଞ୍ଚାୟତ (ମୈଦଲପୁର, ଗାଦବା କତରା, ମାଝୀଗୁଡା, ନୁଆକୋଟ, ସେମଳା, ତୁମ୍ବର୍ଲା, ସାନବାର୍ଲି, କଣ୍ଟାମାଳ ଓ ଚନ୍ଦ୍ରପୁର )କୁ ନେଇ ଗଠିତ । ଏହି ଅଞ୍ଚଳରେ ଆଦିବାସୀ ସଂଖ୍ୟା ଅଧିକା ରହିଥିବାବେଳେ ଅଣ ସଂରକ୍ଷିତଙ୍କ ସଂଖ୍ୟା ଦ୍ଵିତୀୟ ରହିଛି । ଏବେ ଏହି ଜିଲ୍ଲା ପରିଷଦ ଆସନ ପାଇଁ ତିନି ସମ୍ପର୍କୀୟ ଭଉଣୀଙ୍କ ମଧ୍ୟରେ ହେଉଛି ହାଇଭଲ୍ଟେଜ ନିର୍ବାଚନୀ ଲଢେଇ ।

ଡାବୁଗାଁର ପୂର୍ବତନ କଂଗ୍ରେସ ବିଧାୟକ ଭୁଜବଳ ମାଝୀଙ୍କ ଝିଅ ଡାକ୍ତର ଲିପିକା ମାଝୀଙ୍କୁ କଂଗ୍ରେସ ପାପଡାହାଣ୍ଡି ଯୋନ-୨ ର ଜିଲ୍ଲା ପରିଷଦ ସଭ୍ୟା ଭାବେ ପ୍ରାର୍ଥୀ କରିଥିବା ବେଳେ ତାଙ୍କୁ ଟକ୍କର ଦେବେ ତାଙ୍କ ବଡ ମାଆଙ୍କ ଝିଅ ଭାନୁମତି ପୂଜାରୀକୁ ବିଜୁ ଜନତା ଦଳ ପାପଡାହାଣ୍ଡି ଜୋନ -୨ ର ଜିଲ୍ଲା ପରିଷଦ ସଭ୍ୟା ଭାବେ ପ୍ରାର୍ଥୀ ହୋଇଛନ୍ତି । ସେହିପରି ସମାନ ଢଙ୍ଗରେ ବିଜେପି ମଧ୍ୟ ଏହି ଆସନ ପାଇଁ ଭାନୁମତି ପୂଜାରୀଙ୍କ ସମ୍ପର୍କୀୟ ଭଉଣୀ ଲକ୍ଷ୍ମୀ ଭତ୍ରାଙ୍କୁ ଏହି ଆସନ ପାଇଁ ଜିଲ୍ଲା ପରିଷଦ ପ୍ରାର୍ଥୀ କରିଛି । ଡକ୍ଟର ଲିପିକା ମାଝୀ ପୂର୍ବତନ ବିଧାୟକ ଭୁଜବଳ ମାଝୀଙ୍କ ଝିଅ ହୋଇଥିବା ବେଳେ ଭାନୁମତି ପୂଜାରୀ ଓ ଲକ୍ଷ୍ମୀ ଭତରା ତାଙ୍କର ଝିଆରୀ ହେବେ ।

ପାପଡାହାଣ୍ଡି ଜୋନ -2 ର ଜିଲ୍ଲା ପରିଷଦ ଆସନ ପାଇଁ ଏହି ତିନି ଭଉଣୀଙ୍କ ଲଢେଇକୁ ନେଇ ଏବେ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବୃଦ୍ଧି ପାଇଛି । ନିଜ ନିଜ ଦଳୀୟ ଏଜେଣ୍ଡା କୁ ନେଇ ତିନି ଭଉଣୀ ପ୍ରଚାର ମୈଦାନ କୁ ଓହ୍ଲାଇଛନ୍ତି । ତେବେ ଏହି ଭିନ୍ନ ନିର୍ବାଚନ ଲଢ଼େଇରେ କିଏ ବାଜି ମାରିବ ତାହା ଦେଖିବାକୁ ବାକି ରହିଲା ।