ଘରୋଇ ହିଂସା ଓ ମହିଳାଙ୍କ ସ୍ୱାସ୍ଥ୍ୟ

ଯଦିଓ ଘରୋଇ ହିଂସାର ପ୍ରସାର ଅତ୍ୟନ୍ତ ବ୍ୟାପକ କିନ୍ତୁ ଖୁବ୍ କମ ସଂଖ୍ୟକ ମାମଲା ସମ୍ପର୍କରେ ହିଁ ରିପୋର୍ଟ କରାଯାଇଥାଏ। ଖାସ କରି ବିହାର, କର୍ଣ୍ଣାଟକ ଓ ମଣିପୁର ଆଦି ରାଜ୍ୟରେ ଘରୋଇ ହିଂସାର ମାତ୍ରା ସମୁଦାୟ ଲିଂଗଗତ ହିଂସାର ପାଖାପାଖି ୪0% ହୋଇଥିବା ବେଳେ ରିପୋର୍ଟ କରାଯାଏ ମାତ୍ର ୮ ପ୍ରତିଶତ କିମ୍ବା ତା'ଠୁ କମ ସଂଖ୍ୟକ ମାମଲା।

ଘରୋଇ ହିଂସା ଓ ମହିଳାଙ୍କ ସ୍ୱାସ୍ଥ୍ୟ

ପ୍ରାୟ ପ୍ରତିଦିନ ଖୁବ୍ ଡେରି ରାତିରେ ସେଇ ଏକା ଘଟଣାର ପୁନରାବୃତ୍ତି ଘଟେ। ଆଖପାଖର କୋଉଠି ଗୋଟେ ଘରୁ ହଠାତ ସ୍ତ୍ରୀ ଲୋକଟିଏ ବିକଳ ହୋଇ କାନ୍ଦି ଉଠେ। ଆଉ ପରେ ପରେ ଶୁଭେ ଝରକା-କବାଟ ବନ୍ଦ ହେବାର ଶବ୍ଦ। ହେଲେ ବନ୍ଦ ଝର୍କାକୁ ଡେଇଁ, ନିଶୂନ ରାତିର ନୀରବତାକୁ ଭାଙ୍ଗି ଭାସି ଆସେ ସେଇ ବିକଳ କାନ୍ଦ। ପୁଣି ମଝି ମଝିରେ ବିଧା-ଚାପୁଡ଼ା ଆଉ ଗୋଇଠାର ଶବ୍ଦ।

କେବେ କେବେ ଜୋରରେ ଜିନିଷପତ୍ର ଫୋପଡ଼ାଫୋପଡ଼ିର ଶବ୍ଦ ବି ଶୁଭେ। ସୌମେନକୁ ଇଛା ହୁଏ, ନିଜ ସ୍ତ୍ରୀ ଉପରେ ଏତେ ଅମାନୁଷିକ ଅତ୍ୟାଚାର କରୁଥିବା ସେ କଦର୍ଯ୍ୟ ଲୋକଟିକୁ ଧରି, ତାକୁ ବହେ ଛେଚି ତା' ପରେ ତାକୁ ପୋଲିସ୍ ଜିମା ଦେବାକୁ।

ହେଲେ ସେ ଜାଣି ପାରେ ନାହିଁ ଯେ, ବାସ୍ତବରେ କେଉଁ ଘରେ ଏସବୁ ଘଟୁଛି। ଏପରି କି ଆଖପାଖର କେତେ ଜଣଙ୍କୁ ପଚାରିବା ପରେ ବି ସେ ସଠିକ ଉତ୍ତର ପାଏ ନାହିଁ। ମଝିରେ ବ୍ୟସ୍ତ ହୋଇ ସେ ଏ ବିଷୟରେ ତା'ର ଜଣେ ସହକର୍ମୀଙ୍କୁ କହିଲା। ସବୁ ଶୁଣି ସାରିବା ପରେ ସେ ତାକୁ ଯାହା କହିଲେ, ତାହା ତାକୁ ଭିତରୁ ଦୋହଲାଇ ଦେଇଥିଲା। ସହକର୍ମୀ ଜଣଙ୍କ କହିଲେ, "ଦେଖନ୍ତୁ, ଆପଣ ଏମିତି ବ୍ୟସ୍ତ ହେବା ସ୍ବାଭାବିକ। କିନ୍ତୁ ଆପଣ ଏଭଳି ମାମଲାରେ ହସ୍ତକ୍ଷେପ କରିବା ଦ୍ୱାରା ହୁଏତ ସେ ସ୍ତ୍ରୀ ଲୋକଟି ପାଇଁ ଅଧିକ ଅଡୁଆ ସୃଷ୍ଟି ହୋଇପାରେ। ଏପରିକି ତା' ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇପାରେ।"

"କେମିତି?", ପଚାରିଲା ସୌମେନ।

"ଦେଖନ୍ତୁ; ହୁଏତ ସେ ସ୍ତ୍ରୀ ଲୋକଟିର ବହୁତ ଗୁଡିଏ ଅସହାୟତା ଥାଇ ପାରେ। ସେ ଆର୍ଥିକ ଦୃଷ୍ଟିରୁ ସକ୍ଷମ ହୋଇ ନଥାଇ ପାରେ। ତା' ପରିବାର(ବାପାଘର) ପଟୁ ତାକୁ ଛାଡ଼ପତ୍ର ପାଇଁ ସମର୍ଥନ ମିଳୁ ନଥାଇ ପାରେ। କିମ୍ବା ନିଜ ପିଲା ପାଇଁ ମଧ୍ୟ ସେ ଚୁପ ରହି ସବୁ ସହୁଥାଇ ପାରେ। ସବୁ ପରେ ବି ଆପଣ ଯଦି ପୋଲିସର ହସ୍ତକ୍ଷେପ ଲୋଡ଼ନ୍ତି ଆଉ ପୋଲିସ ତା' ନିକଟରେ ପହଞ୍ଚି ବି ଯାଏ, କିନ୍ତୁ ମହିଳା ଜଣଙ୍କ ଆଦୌ ପାଟି ନ ଫିଟାଇ ଚୁପ ରହନ୍ତି ତା' ହେଲେ କି ଲାଭ ହେବ? ପୁଣି ଭାବନ୍ତୁ, ପୋଲିସ୍ ଚାଲି ଯିବା ପରେ କ'ଣ ହେବ ସେ ମହିଳାଙ୍କର? ହୁଏତ ତାଙ୍କ ଜୀବନ ବି ଯାଇପାରେ। ତା' ପରେ ତାଙ୍କ ପିଲାର ଅବସ୍ଥା କ'ଣ ହେବ?"

ସତରେ ତ ଏତେ ସବୁ କଥା ବିଷୟରେ ସେ ଭାବି ନଥିଲା! ସୌମେନ ଏହା ପରେ ବାଧ୍ୟ ହୋଇ ଚୁପ ରହିଲା ସିନା ସେ ସେଇ ଜାଗାରେ ଯେଉଁ ଅଳ୍ପ କିଛି ମାସ ରହିଲା, ତାକୁ ସବୁ ବେଳେ ବ୍ୟସ୍ତବିବ୍ରତ କରୁଥିଲା ସେ ବିକଳ କାନ୍ଦ।

ତେବେ କେବଳ ସୌମେନ ଜାଣିଥିବା ଏଇ ଘଟଣା ନୁହେଁ, ଏଭଳି ଅନେକ ଅନେକ ମାମଲା ଆଦୌ ଲୋକଲୋଚନକୁ ଆସି ପାରେ ନାହିଁ।

ଯଦିଓ ଘରୋଇ ହିଂସାର ପ୍ରସାର ଅତ୍ୟନ୍ତ ବ୍ୟାପକ କିନ୍ତୁ ଖୁବ୍ କମ ସଂଖ୍ୟକ ମାମଲା ସମ୍ପର୍କରେ ହିଁ ରିପୋର୍ଟ କରାଯାଇଥାଏ। ଖାସ କରି ବିହାର, କର୍ଣ୍ଣାଟକ ଓ ମଣିପୁର ଆଦି ରାଜ୍ୟରେ ଘରୋଇ ହିଂସାର ମାତ୍ରା ସମୁଦାୟ ଲିଂଗଗତ ହିଂସାର ପାଖାପାଖି ୪0% ହୋଇଥିବା ବେଳେ ରିପୋର୍ଟ କରାଯାଏ ମାତ୍ର ୮ ପ୍ରତିଶତ କିମ୍ବା ତା'ଠୁ କମ ସଂଖ୍ୟକ ମାମଲା। କିନ୍ତୁ ଯେତିକି ବି କେସ୍‌ ରେକର୍ଡ କରାଯାଇଥାଏ, ତା'ର ସଂଖ୍ୟା ମଧ୍ୟ କିଛି କମ ନୁହେଁ। ନ୍ୟାସ୍‌ନାଲ୍‌ କ୍ରାଇମ୍‌ ରେକର୍ଡ୍ସ ବ୍ୟୁରୋର ୨୦୧୯ ରିପୋର୍ଟ ଅନୁଯାୟୀ, ସେ ବର୍ଷ ପଞ୍ଜିକୃତ ମୋଟ ୪.୦୫ ଲକ୍ଷ ମହିଳା ବିରୋଧୀ ହିଂସା ମାମଲା ମଧ୍ୟରୁ ୩୦.୯ % ମାମଲା ପଞ୍ଜିକୃତ ହୋଇଥିଲା ଭାରତୀୟ ପିଙ୍ଗଳ କୋଡ୍‌(ଆଇପିସି)ର 498A ଧାରା ଅଧୀନରେ।

ଆଉ ଏହି ଧାରା ମହିଳାମାନଙ୍କୁ ନିଜ ସ୍ୱାମୀ କିମ୍ୱା ସ୍ୱାମୀଙ୍କ ସମ୍ପର୍କୀୟଙ୍କ ଦ୍ୱାରା କରାଯାଉଥିବା ଅତ୍ୟାଚାର ଅଥବା ହିଂସା କବଳରୁ ସୁରକ୍ଷା ପ୍ରଦାନ କରିଥାଏ। ଅର୍ଥାତ ସେ ବର୍ଷ ଅନ୍ତତଃ ପ୍ରତି ୩ ଜଣରେ ଜଣେ ମହିଳା କୌଣସି ନା କୌଣସି ଘରୋଇ ହିଂସାର ଶିକାର ହୋଇଥିଲେ।

ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଖାଲି ଆମ ଦେଶରେ ନୁହେଁ, ସାରା ବିଶ୍ୱରେ ଘରୋଇ ହିଂସା ଏକ ମହାମାରୀ ହୋଇ ଦେଖାଦେଇଛି। ବିଶେଷ କରି କରୋନା ମହାମାରୀ ସମୟରେ ଏଭଳି ହିଂସାର ମାତ୍ରା ବହୁଗୁଣିତ ହୋଇଛି। ବିଶ୍ଵବ୍ୟାପୀ ପ୍ରାୟ ୭୩୬ ନିୟୁତ ମହିଳା ନିଜ ଜୀବନ କାଳ ମଧ୍ୟରେ ଥରେ ନା ଥରେ ଘରୋଇ ହିଂସାର ଶିକାର ହୋଇଥିବା ପରିସଂଖ୍ୟାନରୁ ଜଣା ପଡ଼ିଛି। ତେଣୁ ଆନ୍ତର୍ଜାତିକ ସ୍ତରରେ ଏଭଳି ହିଂସାର ବିଲୋପ ଦିଗରେ ଦୀର୍ଘକାଳୀନ ଯୋଜନା ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି।

୧୯୯୫ ମସିହାରେ ପ୍ରଥମେ 'ବେଜିଂ ଡିକ୍ଲାରେସନ୍ ଆଣ୍ଡ୍ ପ୍ଲାଟଫର୍ମ୍' ପକ୍ଷରୁ ମହିଳା ବିରୋଧୀ ହିଂସାର ବିଲୋପ ପାଇଁ ଆହ୍ୱାନ ଦିଆଯାଇଥିଲା। ୨୦୧୫ରେ ଜାତିସଂଘ ପକ୍ଷରୁ ବିଶ୍ୱ ସ୍ତରରେ ଦୀର୍ଘସ୍ଥାୟୀ ବିକାଶ ପାଇଁ ୨୦୩୦ ମସିହା ପର୍ଯ୍ୟନ୍ତ ଯେଉଁ କାର୍ଯ୍ୟସୂଚୀ ବା ଏଜେଣ୍ଡା ପ୍ରସ୍ତୁତ ହୋଇଥିଲା, ସେଥିରେ ମଧ୍ୟ ଗୃହ ତଥା ଗୃହ ବାହାରେ ମହିଳାମାନେ ଶିକାର ହେଉଥିବା ସମସ୍ତ ପ୍ରକାର ହିଂସାର ବିଲୋପକୁ ଲକ୍ଷ୍ୟ ଭାବେ ଗ୍ରହଣ କରାଯାଇଥିଲା।

ସେହିପରି ୨୦୧୬ ମସିହାରେ 'ଦ ୱାର୍ଲଡ ହେଲଥ ଆସେମବ୍ଲି -୬୯' ପକ୍ଷରୁ ଏଭଳି ଏକ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ଵ୍ୟଵସ୍ଥା ଗ୍ରହଣ କରିବାକୁ ଆହ୍ୱାନ ଦିଆଯାଇଥିଲା, ଯାହା କି ମହିଳାମାନେ ଶିକାର ହେଉଥିବା ସମସ୍ତ ପ୍ରକାର ହିଂସାର ବିଲୋପରେ ସହାୟକ ହୋଇ ପାରିବ। ଏସବୁ ସତ୍ତ୍ୱେ ଏ ପର୍ଯ୍ୟନ୍ତ ଆହୁରି ୪୯ଟି ଦେଶ ଏ ଦିଗରେ ଆଇନଗତ ପଦକ୍ଷେପ ନେବା ବାକି ଅଛି।

ଦେଖାଯାଇଛି ଯେ, ମୁଖ୍ୟତଃ ସ୍ଵଳ୍ପ କିମ୍ବା ସ୍ୱଳ୍ପ-ମଧ୍ୟମ ଆୟକାରୀ ରାଷ୍ଟ୍ର ଗୁଡିକରେ ମହିଳାମାନେ ଅଧିକ ସଂଖ୍ୟାରେ ଘରୋଇ ହିଂସାର ଶିକାର ହୋଇଥା'ନ୍ତି। ଆଉ ଏହା ସେମାନଙ୍କ ସ୍ୱାସ୍ଥ୍ୟ ଓ ଜୀବନ ଧାରଣର ମାନକୁ ଉଭୟ ସ୍ୱଳ୍ପ ତଥା ଦୀର୍ଘକାଳୀନ ଭାବେ ପ୍ରଭାବିତ କରିଥାଏ।

ଅତ୍ୟନ୍ତ ଅନୁନ୍ନତ ଦେଶଗୁଡିକରେ ୧୫ରୁ ୪୯ ବର୍ଷ ବୟସର ଝିଅ ଓ ମହିଳାମାନଙ୍କ ମଧ୍ୟରୁ ଅନ୍ତତଃ ୩୭% ମହିଳା ଆଜୀବନ ଘରୋଇ ହିଂସାର ଶିକାର ହୋଇଥା'ନ୍ତି। ପୁଣି ୧୫ରୁ ୨୪ ବର୍ଷ ବୟସର ଝିଅମାନଙ୍କ ମଧ୍ୟରୁ ଯେଉଁମାନେ କୌଣସି ରିଲେସନ୍‌ସିପ୍‌ରେ ଥା'ନ୍ତି, ସେମାନଙ୍କ ମଧ୍ୟରୁ ୪ ଜଣରୁ ଜଣେ ହିଂସାର ଶିକାର ହୋଇଥା'ନ୍ତି।

ତେବେ ବିକଶିତ ରାଷ୍ଟ୍ରଗୁଡିକରେ ମଧ୍ୟ ଘରୋଇ ହିଂସାର ପ୍ରସାର କିଛି କମ ନୁହେଁ। ୨୦୧୯ ତୁଳନାରେ ୨୦୨୦ ମସିହାରେ ଇଂଲଣ୍ଡରେ ଘରୋଇ ହିଂସା ମାମଲାରେ ୯% ବୃଦ୍ଧି ଏବଂ ୨୦୧୬ରୁ ୨୦୨୦ ମଧ୍ୟରେ ଆମେରିକାରେ ଘରୋଇ ହିଂସା ମାମଲାରେ ୪୨% ବୃଦ୍ଧି ଏହାର ପ୍ରମାଣ।

୧୯୯୩ ମସିହାରେ ଜାତିସଂଘ ପକ୍ଷରୁ କରାଯାଇଥିବା ଘୋଷଣା ଅନୁଯାୟୀ, ବୈବାହିକ ସମ୍ପର୍କ କିମ୍ବା ସେଭଳି କିଛି ଅନ୍ତରଙ୍ଗ ସମ୍ପର୍କରେ ଆବଦ୍ଧ ମହିଳା ମାନେ ଗୃହ ଓ ଗୃହ ବାହାରେ, ଉଭୟ ବ୍ୟକ୍ତିଗତ ଓ ସାର୍ବଜନୀନ ଜୀବନରେ ଶିକାର ହେଉଥିବା ଏଭଳି କୌଣସି ହିଂସାତ୍ମକ କାର୍ଯ୍ୟ, ଯାହା ସେମାନଙ୍କ ଶାରୀରିକ ଓ ଯୌନ ଶୋଷଣ ପାଇଁ ପ୍ରଯୁଜ୍ୟ ତଥା ସେମାନଙ୍କୁ ମାନସିକ ସ୍ତରରେ କ୍ଷତି ପହଞ୍ଚାଇବା ସହ ସେମାନଙ୍କ ସ୍ୱାଧୀନତାକୁ ବ୍ୟାହତ କରିଥାଏ, ସେସବୁ ଘରୋଇ ହିଂସା ପର୍ଯ୍ୟାୟଭୁକ୍ତ। ଏପରିକି ଭାରତରେ ଗର୍ଭଧାରଣ କରୁଥିବା ମହିଳାଙ୍କ ମଧ୍ୟରୁ ଅନ୍ତତଃ ୪% ମହିଳା ଗର୍ଭବତୀ ଥିବା ସମୟରେ ନିଜ ସ୍ୱାମୀଙ୍କ ଦ୍ୱାରା ହିଂସାର ଶିକାର ହୋଇଥା'ନ୍ତି। ଆଉ ଏଭଳି ହିଂସା ଯେ କେବଳ ସଂପୃକ୍ତ ମହିଳାଙ୍କର କ୍ଷତି କରିଥାଏ ତାହା ନୁହେଁ, ଜନ୍ମିତ ଶିଶୁର ମଧ୍ୟ ପ୍ରଭୂତ କ୍ଷତି ସାଧନ କରିଥାଏ। ଭବିଷ୍ୟତରେ ଏହା ଶିଶୁଟିର ଶିକ୍ଷା ଗ୍ରହଣ ତଥା ଯୁବାବସ୍ଥାରେ ତା'ର ରୋଜଗାର କ୍ଷମତା ଉପରେ କୁପ୍ରଭାବ ପକାଇଥାଏ।

୨୦୧୭ରେ ଭାରତ, ବାଂଗଲାଦେଶ ଓ ନେପାଳକୁ ନେଇ କରାଯାଇଥିବା ଏକ ଅଧ୍ୟୟନରୁ ଜଣା ପଡ଼ିଛି ଯେ, ଘରୋଇ ହିଂସା ବହୁ ସମୟରେ ଅବାଞ୍ଛିତ ଗର୍ଭଧାରଣ ପାଇଁ କାରଣ ପାଲଟି ଥାଏ। ଏହା ବ୍ୟତୀତ ବିଭିନ୍ନ ରାଷ୍ଟ୍ରରେ କରାଯାଇଥିବା ଗବେଷଣାରୁ ଏହା ଜଣା ପଡିଛି ଯେ, ଘରୋଇ ହିଂସାର ଶିକାର ମହିଳାମାନେ ଅନ୍ୟମାନଙ୍କଠାରୁ ୨ରୁ ୩% ଅଧିକ ମାନସିକ ଅବସାଦର ଶିକାର ହୋଇଥାନ୍ତି।

ଏମାନଙ୍କ ଠାରୁ କମ ଓଜନ ଯୁକ୍ତ ଶିଶୁ ଜନ୍ମ ହେବା ସହ ଏଇ ନବଜନ୍ମିତ ଶିଶୁଙ୍କ ଠାରେ ମୃତ୍ୟୁ ହାର ଅଧିକ ଦେଖା ଯାଇଥାଏ। ତା' ଛଡା ଏଇ ମହିଳାମାନେ ଶିଶୁ ଜନ୍ମ ପରବର୍ତ୍ତୀ ମାନସିକ ଅବସାଦର ଶିକାର ହେବା ସମ୍ଭାବନା ମଧ୍ୟ ବୃଦ୍ଧି ପାଇଥାଏ (୧.୫ରୁ ୨ଗୁଣ)।

ଆମେରିକା, ବ୍ରାଜିଲ, ତାଞ୍ଜାନିଆ, ସ୍ପେନ, ଭାରତ, ସ୍ଵିଡେନ, ନରୱେ ଓ ଅଷ୍ଟ୍ରେଲିଆ ଭଳି କେତେକ ଦେଶର ମହିଳାମାନଙ୍କୁ ନେଇ ନିକଟ ଅତୀତରେ କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣା ପଡ଼ିଛି ଯେ, ଘରୋଇ ହିଂସାର ଶିକାର ମହିଳାମାନେ ନିଜ ଶିଶୁଙ୍କୁ ଅତି ସ୍ୱଳ୍ପ ସମୟ ପାଇଁ ସ୍ତନ୍ୟପାନ କରାଇ ପାରନ୍ତି। ଏହି ସମସ୍ୟା ଛଡ଼ା ବାଂଗଲାଦେଶ ଓ ନେପାଳରେ କରାଯାଇଥିବା ଅଧ୍ୟୟନରୁ ଜଣା ପଡ଼ିଛି ଯେ, ଘରୋଇ ହିଂସାର ଶିକାର ମହିଳାମାନେ ଅଧିକ ସଂଖ୍ୟାରେ କୁପୋଷଣ ଓ ମାନସିକ ଚାପର ଶିକାର ହୋଇଥାନ୍ତି। ସେହିପରି ଏମାନଙ୍କ ଶିଶୁର ମଧ୍ୟ ସଠିକ ବିକାଶ ହୋଇ ପାରେ ନାହିଁ।

ତେଣୁ ଏଭଳି ଏକ ଅସୁସ୍ଥ ସମସ୍ୟାର ପ୍ରତିକାର ପାଇଁ ଆଇନଗତ ଵ୍ୟଵସ୍ଥା ସହ ଯୁବପିଢ଼ିଙ୍କୁ କିଭଳି କଥାବାର୍ତ୍ତା ଓ ପରସ୍ପର ସହଯୋଗରେ ଏକ ସୁସ୍ଥ ଓ ସମ୍ମାନଜନକ ସମ୍ପର୍କ ରକ୍ଷା କରାଯାଇ ପାରିବ ସେ ଦିଗରେ ଶିକ୍ଷା ଦିଆଯିବା ଆବଶ୍ୟକ।