ସାକାର ହେବ କି ମେସୀଙ୍କ ବିଶ୍ୱବିଜୟ ସ୍ୱପ୍ନ

ଲିଓନେଲ୍ ମେସୀ ତାଙ୍କର ଉଲ୍ଲେଖନୀୟ କ୍ୟାରିଅରରେ ଗୋଟିଏ ବି ବିଶ୍ୱକପ୍ ମୁକୁଟ ହାତେଇ ନାହାନ୍ତି। କତରରେ ସେ କ୍ୟାରିଅରର ଶେଷ ବିଶ୍ୱକପ୍ ଖେଳୁଛନ୍ତି ଏବଂ ଏହା ତାଙ୍କ ଲାଗି ଶେଷ ସୁଯୋଗ। ମେସୀ ତାଙ୍କ ବିଶ୍ୱବିଜୟ ସ୍ୱପ୍ନକୁ ସାକାର କରିପାରିବେ କି? ତାଙ୍କ ନେତୃତ୍ୱରେ ଆର୍ଜେଣ୍ଟିନାକୁ ଦେଇପାରିବେ କି ବିଶ୍ୱମୁକୁଟ?

ସାକାର ହେବ କି ମେସୀଙ୍କ ବିଶ୍ୱବିଜୟ ସ୍ୱପ୍ନ

ଲିଓନେଲ୍ ମେସୀ - ସର୍ବକାଳୀନ ସର୍ବଶ୍ରେଷ୍ଠ ଫୁଟ୍‌ବଲରଙ୍କ ମଧ୍ୟରେ ଗଣାଯାଉଥିବା ଫୁଟ୍‌ବଲ୍ ଜଗତର ଏକ ବହୁପରିଚିତ ନାଁ। ଆନ୍ତର୍ଜାତିକ ଫୁଟ୍‌ବଲ୍‌ରେ ସବୁବେଳେ ଆଗଧାଡ଼ିରେ ରହିଆସିଛନ୍ତି ଆର୍ଜେଣ୍ଟିନାର ଏହି ସୁପର୍‌ଷ୍ଟାର୍ । କ୍ଲବ୍ ଫୁଟ୍‌ବଲ୍‌ରେ ତ ସେ ରହିଛନ୍ତି ତୁଙ୍ଗ ଶିଖରରେ।

ମେସୀ ତାଙ୍କର ଦୀର୍ଘ ତଥା ଉଲ୍ଲେଖନୀୟ କ୍ୟାରିଅରରେ ମୋଟ୍ ୨୮ ମୁକୁଟ ଜିତିଛନ୍ତି; କିନ୍ତୁ ସେଥିରେ ଗୋଟିଏ ବି ବିଶ୍ୱକପ୍ ମୁକୁଟ ନାହିଁ। ଦୁଇ ମାସ ପୂର୍ବେ ସେ ଆନ୍ତର୍ଜାତିକ ଫୁଟ୍‌ବଲ୍‌ରୁ ଅବସର ଘୋଷଣା କରିଥିଲେ। କତରରେ ସେ କ୍ୟାରିଅରର ଶେଷ ବିଶ୍ୱକପ୍ ଖେଳୁଛନ୍ତି ଏବଂ ଏହା ତାଙ୍କ ଲାଗି ଶେଷ ସୁଯୋଗ। ମେସୀ ତାଙ୍କ ବିଶ୍ୱବିଜୟ ସ୍ୱପ୍ନକୁ ସାକାର କରିପାରିବେ କି? ତାଙ୍କ ନେତୃତ୍ୱରେ ଆର୍ଜେଣ୍ଟିନାକୁ ଜିତାଇପାରିବେ କି ବିଶ୍ୱମୁକୁଟ?

ଏ ପ୍ରଶ୍ନ କେବଳ ମେସୀଙ୍କ ପ୍ରଶଂସକମାନଙ୍କ ମନରେ ଉଙ୍କି ମାରୁ ନାହିଁ, ବିଶ୍ୱତମାମ୍ ଫୁଟ୍‌ବଲ୍ ପ୍ରେମୀଙ୍କ ମନକୁ ଆନ୍ଦୋଳିତ କରୁଛି।

କତରରେ ଆର୍ଜେଣ୍ଟିନା ପ୍ରି-କ୍ୱାର୍ଟରଫାଇନାଲ୍ ରାଉଣ୍ଡରେ ପ୍ରବେଶ କରିବା ପରେ ମେସୀଙ୍କ ଟିମ୍‌କୁ ନେଇ ସମ୍ଭାବନା ବଢ଼ିଯାଇଛି। ସମସ୍ତଙ୍କ ନଜର ଏବେ ଏହି ଟିମ୍ ଉପରେ।

ମେସୀ ସର୍ବାଧିକ ୧୧ ଥର ଲିଗ୍ ମୁକୁଟ ଜିତିଥିବା ବେଳେ ସାତ ଥର ନାସ୍‌ନାଲ୍ କପ୍‌ସ, ଚାରି ଥର ଚାମ୍ପିଅନ୍ସ ଲିଗ୍, ତିନି ଥର କ୍ଲବ୍ ବିଶ୍ୱକପ୍ ଏବଂ ଥରେ ଲେଖାଏଁ କୋପା ଆମେରିକା, ଫାଇନାଲିସ୍ମା ଓ ଅଲିମ୍ପିକ୍ ମୁକୁଟ ହାତେଇଛନ୍ତି। କତର ବିଶ୍ୱକପ୍‌ର ଗ୍ରୁପ୍ ରାଉଣ୍ଡ ସୁଦ୍ଧା ସେ ନିଜ ଆନ୍ତର୍ଜାତିକ କ୍ୟାରିଅରରେ ମୋଟ୍ ୯୦ରୁ ଊର୍ଦ୍ଧ୍ୱ ଗୋଲ୍ ସ୍କୋର୍ କରିଛନ୍ତି । ୨୦୦୫ରେ ସେ ଆର୍ଜେଣ୍ଟିନା ପକ୍ଷରୁ ଆନ୍ତର୍ଜାତିକ ପଦାର୍ପଣ କରିଥିଲେ। ଓଭରାଲ୍ କ୍ୟାରିଅରରେ ସେ ମୋଟ୍ ୭୮୫ ଗୋଲ୍ ଦେଇଛନ୍ତି।

ମେସୀଙ୍କୁ ସର୍ବାଧିକ ସାତ ଥର ସମ୍ମାନଜନକ ବାଲୋନ୍ ଡି’ ଓର୍ ପୁରସ୍କାର ମିଳିଛି। ଏହାଛଡ଼ା ସେ ଛଅ ଥର ୟୁରୋପିଆନ୍ ଗୋଲ୍ଡେନ୍ ଶୁଜ୍ ଓ ଥରେ ବିଶ୍ୱକପ୍ ଗୋଲ୍ଡେନ୍ ବଲ୍ ପୁରସ୍କାର ପାଇଛନ୍ତି। ଥରେ ସର୍ବଶ୍ରେଷ୍ଠ ଫିଫା ପୁରୁଷ ଖେଳାଳି, ତିନି ଥର ୟୁଏଫା ପ୍ଲେୟାର୍ ଅଫ୍ ଦ ଇଅର୍ ଏବଂ ଛଅ ଥର ଲିଗ୍‌ରେ ପ୍ଲେୟାର୍ ଅଫ୍ ଦ ଇଅର ବିବେଚିତ ହୋଇଛନ୍ତି। ଏହାଛଡ଼ା ୧୪ ଥର ଏଫ୍ଆଇଏଫ୍ ପ୍ରୋ ୱାର୍ଲ୍ଡ ଇଲେଭେନ୍‌ରେ ମଧ୍ୟ ସ୍ଥାନ ପାଇଛନ୍ତି।

ପିଲାଦିନେ ଅଟକି ଯାଇଥିଲା ଶାରିରୀକ ବିକାଶ:

ମାତ୍ର ଛଅ ବର୍ଷ ବୟସରେ ହିଁ ମେସୀ ଫୁଟ୍‌ବଲ୍‌ ଦ୍ୱାରା ରାସ୍ତାରେ ୧୫-୨୦ ମିନିଟ୍ ଯାଏଁ ଜଗଲିଙ୍ଗ୍ କରୁଥିଲେ। ବଲ୍ ତାଙ୍କ ଗୋଡ଼ରୁ ତଳକୁ ପଡ଼ୁ ନ ଥିଲା। ଏତେ ଛୋଟ ପିଲାଏ ଏଭଳି କରୁଥିବାର ଦେଖି ଲୋକେ ତାଙ୍କୁ ପୁରସ୍କାର ବାବଦରେ ଅର୍ଥରାଶି ଦେଉଥିଲେ। ଲୋକେ ମେସୀଙ୍କୁ ‘ଭବିଷ୍ୟତର ଫୁଟ୍‌ବଲର୍’ କହିବା ଆରମ୍ଭ କରିଦେଇଥିଲେ।

ମେସୀଙ୍କୁ ଯେତେବେଳେ ୧୦ ବର୍ଷ ବୟସ ହୋଇଥିଲା, ଜଣାପଡ଼ିଥିଲା ଯେ ସେ ‘ଗ୍ରୋଥ୍ ହରମୋନ୍ ଡେଫିସିଏନ୍ସି’ରେ ପୀଡ଼ିତ, ଯେଉଁଥିରେ ଶରୀରର ବିକାଶ ଅଟକିଯାଏ। ଏହାର ଚିକିତ୍ସା ବାବଦରେ ପ୍ରତି ମାସରେ ୧୦୦୦ ଡଲାରର ଖର୍ଚ୍ଚ ଉଠାଇବାକୁ ତାଙ୍କ ପରିବାର ସମର୍ଥ ନ ଥିଲା।

ସେତେବେଳେ ନେଭଲ୍ସ ଓଲ୍ଡ ବଏ କ୍ଲବ୍ ବାର୍ସିଲୋନା କ୍ଲବ୍‌କୁ ଏହାର ସୂଚନା ଦେଇଥିଲା, ଯିଏ ମେସୀଙ୍କ ଖେଳରେ ପ୍ରଭାବିତ ହୋଇଥିଲା ଏବଂ ତାଙ୍କୁ ଟିମ୍‌ରେ ସାମିଲ୍ କରିବାକୁ ଚାହୁଁଥିଲା। ବାର୍ସିଲୋନା କ୍ଲବ୍ ମେସୀ ୟୁରୋପରେ ହିଁ ରହିବା ସର୍ତ୍ତରେ ତାଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ବହନ କରିବାକୁ ପ୍ରସ୍ତୁତ ହୋଇଥିଲା।

ମେସୀ ୨୦୦୦ରେ ୧୩ ବର୍ଷ ବୟସରେ ବାର୍ସିଲୋନା ସହ ସଂଶ୍ଳିଷ୍ଟ ହୋଇଥିଲେ। ପେପର୍ ନ ଥିବା ଯୋଗୁଁ ସେ ଏକ ନାପ୍‌କିନ୍ ପେପର୍‌ରେ ଚୁକ୍ତି ସ୍ୱାକ୍ଷର କରିଥିଲେ। ୨୦୨୧ରେ ବାର୍ସିଲୋନା ଛାଡ଼ିବା ପୂର୍ବରୁ ସେ ଏହି କ୍ଲବ୍ ସହ ଦୀର୍ଘ ବର୍ଷ ଧରି ସଂଶ୍ଳିଷ୍ଟ ରହିଆସିଥିଲେ।

କତର ବିଶ୍ୱକପ୍‌ରେ ଆର୍ଜେଣ୍ଟିନାର ସ୍ଥିତି:

ଦୁଇ ଥର ବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ୍ ବିଶ୍ୱକପ୍‌ରେ ପ୍ରି-କ୍ୱାର୍ଟର୍‌ଫାଇନାଲ୍‌ରେ ସ୍ଥାନ ପାଇଛି। ଜର୍ମାନ୍ କ୍ଲବ୍ ପିଏସ୍‌ଜିର ମେସୀଙ୍କ ଅଧିନାୟକତ୍ୱରେ ଖେଳୁଥିବା ଆର୍ଜେଣ୍ଟିନା ଟିମ୍ ଗ୍ରୁପ୍-ସି’ର ଶେଷ ମ୍ୟାଚ୍‌ରେ ପୋଲାଣ୍ଡକୁ ୨-୦ରେ ହରାଇଥିଲା। ଏହି ମ୍ୟାଚ୍‌ରେ ମେସୀ ଆର୍ଜେଣ୍ଟିନାର କିମ୍ବଦନ୍ତୀ ଖେଳାଳି ଡିଏଗୋ ମାରାଡୋନାଙ୍କ ୨୧ ବିଶ୍ୱକପ୍ ମ୍ୟାଚ୍ ଖେଳିବା ରେକର୍ଡକୁ ଅତିକ୍ରମ କରିଥିଲେ।

ଆର୍ଜେଣ୍ଟିନା ତିନି ମ୍ୟାଚ୍‌ରୁ ଛଅ ପଏଣ୍ଟ ପାଇ ଗ୍ରୁପ୍ ଟପ୍ପର ହୋଇଥିଲା। ପୋଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ମେସୀ କୌଣସି ଗୋଲ୍ ଦେଇ ପାରି ନ ଥିଲେ। ତେବେ ଟୁର୍ଣ୍ଣାମେଣ୍ଟରେ ସେ ଏଯାବତ ଦୁଇଟି ଗୋଲ୍ ଦେଇଛନ୍ତି।

ଆର୍ଜେଣ୍ଟିନା ନିଜ ପ୍ରଥମ ମ୍ୟାଚ୍‌ରେ ସାଉଦୀ ଆରବ ଠାରୁ ୧-୨ରେ ଅପ୍ରତ୍ୟାଶିତ ପରାଜୟର ସମ୍ମୁଖୀନ ହୋଇଥିଲା, ଯେଉଁଥିରେ ମେସୀ ଟିମ୍ ପକ୍ଷରୁ ଏକମାତ୍ର ଗୋଲ୍ କରିଥିଲେ। ସେତେବେଳେ କେହି କେହି ମେସୀଙ୍କ ଟିମ୍ ଗ୍ରୁପ୍ ରାଉଣ୍ଡ୍‌ରୁ ବିଦାୟ ନେଇପାରେ ବୋଲି ଆଶଙ୍କା ବ୍ୟକ୍ତ କରିଥିଲେ।

ଦ୍ୱିତୀୟ ମ୍ୟାଚ୍‌ରେ କିନ୍ତୁ ମେକ୍ସିକୋକୁ ୨-୦ରେ ହରାଇ ଜୋର୍‌ଦାର ପ୍ରତ୍ୟାବର୍ତ୍ତନ କରିଥିଲା ଆର୍ଜେଣ୍ଟିନା। ମେସୀ ଓ ଆଞ୍ଜୋ ଫର୍ଣ୍ଣାଣ୍ଡୋ ଏହି ମ୍ୟାଚ୍‌ରେ ଗୋଟିଏ ଲେଖାଏଁ ସ୍କୋର୍ କରିଥିଲେ।

ବିଶ୍ୱକପ୍‌ରେ ମେସୀ:

ଫୁଟ୍‌ବଲ୍‌ର ଅନେକ ବିଶେଷଜ୍ଞଙ୍କ ମତରେ ଆର୍ଜେଣ୍ଟିନାର ବିଶ୍ୱକପ୍ ଟିମ୍‌ରେ କେତେକ ଦୁର୍ବଳତା ଅଛି। ଏହାସତ୍ତ୍ୱେ ଏହି ଟିମ୍‌ରେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫର୍‌ୱାର୍ଡ ମେସୀ ଅଛନ୍ତି। ସେ ଯେକୌଣସି ଅଭାବକୁ ଦୂର କରିପାରିବେ। କ୍ଲବ୍ ମ୍ୟାଚ୍‌ରେ ତ ସେ ବାଦ୍‌ଶାହ, ଆନ୍ତର୍ଜାତିକ ମ୍ୟାଚ୍‌ରେ ମଧ୍ୟ ସେ ଉତ୍ତମ ଖେଳ ଦେଖାଇ ଆସିଛନ୍ତି।

ବିଶ୍ୱକପ୍‌ରେ ମଧ୍ୟ ମେସୀ ଭଲ ପ୍ରଦର୍ଶନ କରଆସିଛନ୍ତି। ସେ ଆର୍ଜେଣ୍ଟିନା ପକ୍ଷରୁ ପଞ୍ଚମ ବିଶ୍ୱକପ୍ ଖେଳୁଛନ୍ତି। ସେ ଟିମ୍ ପକ୍ଷରୁ ସର୍ବାଧିକ ବିଶ୍ୱକପ୍ ମ୍ୟାଚ୍ ଖେଳିବାର ଗୌରବ ଅର୍ଜନ କରିଛନ୍ତି। ୨୦୧୦ ସଂସ୍କରଣକୁ ଛାଡ଼ିଦେଲେ, ସେ ପ୍ରତି ବିଶ୍ୱକପ୍‌ରେ ଗୋଲ୍ କରିଛନ୍ତି। ୨୦୧୪ ସଂସ୍କରଣରେ ସେ ୪ ଗୋଲ୍ ଦେଇଥିଲେ। ବିଶ୍ୱକପ୍‌ରେ ଏ ବତ ତାଙ୍କ ଗୋଲ୍ ସଂଖ୍ୟା ୮ରେ ପହଞ୍ଚିଛି। ୨୦୦୬ରୁ ପ୍ରତି ବିଶ୍ୱକପ୍‌ରେ ଖେଳିଆସୁଥିବା ମେସୀଙ୍କ ଅଧିନାୟକତ୍ୱରେ ଆର୍ଜେଣ୍ଟିନା ୨୦୧୪ ସଂସ୍କରଣର ଫାଇନାଲ୍‌ରେ ସ୍ଥାନ ପାଇଥିଲା; କିନ୍ତୁ ଜର୍ମାନୀ ଠାରୁ ହାରି ଯାଇଥିଲା।

ଆର୍ଜେଣ୍ଟିନା ୧୮ତମ ଥର ବିଶ୍ୱକପ୍‌ରେ ଭାଗ ନେଉଛି। ଟିମ୍ ଶେଷ ଥର ଡିଏଗୋ ମାରାଡୋନାଙ୍କ ନେତୃତ୍ୱରେ ୧୯୮୬ରେ ବିଶ୍ୱକପ୍ ଜିତିଥିଲା। ଏହା ପୂର୍ବରୁ ଆର୍ଜେଣ୍ଟିନା ୧୯୭୮ରେ ବି ମୁକୁଟ ଜିତିଥିଲା।

ମେସୀ ଫିଫା ବିଶ୍ୱକପ୍‌କୁ ଛାଡ଼ିଦେଲେ, ଫୁଟ୍‌ବଲ୍‌ର ସବୁ ଟୁର୍ଣ୍ଣାମେଣ୍ଟ୍‌ରେ ନିଜ ଟିମ୍‌କୁ ଶିଖରରେ ପହଞ୍ଚାଇଛନ୍ତି। ଏବେ ଦେଖିବାର ଅଛି, କ୍ୟାରିଅର୍‌ର ଶେଷ ବିଶ୍ୱକପ୍‌ରେ ଏହି ୩୫ବର୍ଷୀୟ ଖେଳାଳି ତାଙ୍କ ନେତୃତ୍ୱରେ ଫିଫା ମାନ୍ୟତାର ତିନି ନମ୍ବର ଟିମ୍ ଆର୍ଜେଣ୍ଟିନାକୁ କେଉଁ ପର୍ଯ୍ୟନ୍ତ ନେଇପାରୁଛନ୍ତି?

ଇମେଲ୍: biswasports@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)