Advertisment

Sports: ଟିମ୍ ଇଣ୍ଡିଆ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ଶ୍ରେୟସ ଆୟର

୨୦୨୩ ଦିନିକିଆ ବିଶ୍ୱକପ୍‌ରେ ଦୃଢ଼ ପ୍ରଦର୍ଶନ କରୁଥିବା ଭାରତୀୟ ଯୁବ ବ୍ୟାଟର୍ ଶ୍ରେୟସ ଆୟରଙ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା। ଟିମ୍‌ରେ ତାଙ୍କ ଉପସ୍ଥିତି ଖୁବ୍ ଗୁରୁତ୍ୱ ରଖେ। ସେ ମଧ୍ୟକ୍ରମର ବାଦ୍‌ଶାହ, ତାଙ୍କ ବିନା ଟିମ୍‌ର ବ୍ୟାଟିଂ ଲାଇନ୍‌ଅପ୍ ସତେ ଯେମିତି ଅସମ୍ପୂର୍ଣ୍ଣ।

ଅଦ୍ୟତନ ହୋଇଛି
Why Shreyas Iyer is important to Team India

Why Shreyas Iyer is important to Team India

Advertisment

୨୦୨୩ ଦିନିକିଆ ବିଶ୍ୱକପ୍‌ରେ ଟିମ୍ ଇଣ୍ଡିଆ ତା’ର ଶ୍ରେଷ୍ଠ ପ୍ରଦର୍ଶନ ଅବ୍ୟାହତ ରଖିଛି। ଲିଗ୍ ପର୍ଯ୍ୟାୟରେ ଟେବୁଲ୍ ଟପ୍ପର୍ ହେବା ସହ ସମସ୍ତ ନଅ ମ୍ୟାଚ୍ ଜିତିବା ରୋହିତ ସେନା ପାଇଁ ବଡ଼ ସଫଳତା। ଏହା ପୂର୍ବରୁ ଟିମ୍ କୌଣସି ବିଶ୍ୱକପ୍‌ରେ କ୍ରମାଗତ ନଅ ମ୍ୟାଚ୍‌ରେ ବିଜୟ ହାସଲ କରି ନ ଥିଲା।

Advertisment

ଟିମ୍‌ର ସାମଗ୍ରିକ ପ୍ରଦର୍ଶନ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ବ୍ୟାଟିଂ ହେଉ କିମ୍ବା ବୋଲିଂ ଅଥବା ଫିଲ୍ଡିଂ - ସବୁ ବିଭାଗରେ ଟିମ୍ ଚମକପ୍ରଦ ପ୍ରଦର୍ଶନ କରିଆସୁଛି। ଏବେ ଟିମ୍‌ର ଯେଉଁ କେତେଜଣ ଖେଳାଳିଙ୍କୁ ନେଇ ବେଶୀ ଚର୍ଚ୍ଚା ହେଉଛି, ସେମାନଙ୍କ ମଧ୍ୟରେ ଅଛନ୍ତି ବ୍ୟାଟର୍ ଶ୍ରେୟସ ଆୟର।

ଟିମ୍ ଇଣ୍ଡିଆରେ ଶ୍ରେୟସ ଉପସ୍ଥିତି ବେଶ୍ ଗୁରୁତ୍ୱ ରଖେ, ହେଲେ ଟିମ୍ ପାଇଁ ସେ ଏତେ ଗୁରୁତ୍ୱପୂର୍ଣ୍ଣ କାହିଁକି?

Advertisment

ଶ୍ରେୟସଙ୍କୁ ଭାରତୀୟ ମଧ୍ୟକ୍ରମ (ମିଡିଲ୍ ଅର୍ଡର୍‌)ର ବାଦ୍‌ଶାହ କୁହାଯାଏ। ଏବେ ଜୋର୍‌ଦାର ଫର୍ମରେ ଥିବା ଏହି ଯୁବ ବ୍ୟାଟର୍ ବିଶ୍ୱକପ୍‌ର ଲିଗ୍ ପର୍ଯ୍ୟାୟରେ ଟପ୍ ସ୍କୋରର୍‌ଙ୍କ ତାଲିକାରେ ଅଷ୍ଟମ ସ୍ଥାନରେ ରହିଛନ୍ତି। ସେ ଏ ଯାବତ ନଅ ମ୍ୟାଚ୍‌ରୁ ୭୦.୧୬ ଆଭରେଜ୍ ଓ ୧୦୬.୫୮ ଷ୍ଟ୍ରାଇକ୍ ରେଟ୍‌ରେ ୪୨୧ ରନ୍ ସଂଗ୍ରହ କରିଛନ୍ତି। ଏଥିରେ ଗୋଟିଏ ଶତକ ସହିତ କେତେକ ଉପଯୋଗୀ ଇନିଂସ୍ ରହିଛି।

ଶ୍ରେୟସ ଟିମ୍‌ରେ ନ ଥିଲେ, ମଧ୍ୟକ୍ରମ ଦୁର୍ବଳ ଜଣାପଡ଼େ ଏବଂ ସେ ଥିଲେ, ଟିମ୍ ସଂଯୋଜନା ମଜଭୁତ ହୁଏ। ଆଉ ଯେତେବେଳେ ସେ ଫର୍ମରେ ଥାଆନ୍ତି, ଟିମ୍ ଇଣ୍ଡିଆର ମୁକାବିଲା କରିବା ଅନ୍ୟମାନଙ୍କ ପକ୍ଷରେ କଷ୍ଟସାଧ୍ୟ ହୋଇଯାଏ।

Advertisment

ତାଙ୍କ ଏକାଗ୍ରତା, ଶାନ୍ତ ସ୍ୱଭାବ, ପ୍ରତିକୂଳ ପରିସ୍ଥିତିରେ ଲଢ଼େଇ କରିବାର ସାମର୍ଥ୍ୟ ଓ ବଡ଼ ସଟ୍ ଖେଳିବାର ଦକ୍ଷତା ତାଙ୍କୁ ଟିମ୍‌ର ଗୁରୁତ୍ୱପୂର୍ଣ୍ଣ ଖେଳାଳି ଭାବେ ଗଢ଼ିତୋଳିଛି।

ନେଦର୍‌ଲାଣ୍ଡ୍‌ସ ବିପକ୍ଷ ଟିମ୍ ଇଣ୍ଡିଆର ଶେଷ ଲିଗ୍ ମ୍ୟାଚ୍‌ରେ ଶ୍ରେୟସ ସର୍ବାଧିକ ୧୨୮ ରନ୍‌ର ଅପରାଜିତ ଇନିଂସ୍ ଖେଳିଥିଲେ। ଏଥିରେ ତାଙ୍କୁ ‘ପ୍ଲେୟର୍ ଅଫ୍ ଦ ମ୍ୟାଚ୍‌’ ବିବେଚନା କରାଯାଇଥିଲା। ସେ ୯୪ ବଲ୍‌ର ସାମ୍ନା କରି ୧୦ ଚୌକା ଓ ୫ ଛକା ମାରିଥିଲେ । ସେ ବିରାଟ କୋହଲିଙ୍କ ସହ ତୃତୀୟ ୱିକେଟ୍ ପାଇଁ ୭୧ ଓ ଲୋକେଶ ରାହୁଲଙ୍କ ସହ ଚତୁର୍ଥ ୱିକେଟ୍ ପାଇଁ ୨୦୮ ରନ୍‌ର ଭାଗୀଦାରୀ କରିଥିଲେ।

ଏତଦ୍‌ଭିନ୍ନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଲଢ଼ୁଆ ୭୭, ଶ୍ରୀଲଙ୍କା ବିପକ୍ଷରେ ବିସ୍ଫୋରକ ୮୨, ପାକିସ୍ତାନ ବିପକ୍ଷରେ ଅପରାଜିତ ୫୩ ରନ୍‌ର ଇନିଂସ୍ ଖେଳି ଶ୍ରେୟାସ ପ୍ରଭାବିତ କରିଥିଲେ। କେତେବେଳେ ବିରାଟଙ୍କ ସହିତ, କେତେବେଳେ ରାହୁଲ ତ ଆଉ କେତେବେଳେ ରବୀନ୍ଦ୍ର ଜାଡ଼େଜାଙ୍କ ସହିତ ସେ ଉଜ୍ଜ୍ୱଳ ଭାଗୀଦାରୀ କରିଥିଲେ।

ଅଷ୍ଟ୍ରେଲିଆ ସିରିଜ୍‌ରେ ଫର୍ମକୁ ଫେରିଥିଲେ:

ଶ୍ରେୟସ ଆୟର ଚଳିତ ବର୍ଷ ମାର୍ଚ୍ଚରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ ସମୟରେ ଆହତ ହୋଇଥିଲେ। ଏହାପରେ ସେ ଦୀର୍ଘ ଦିନ ଯାଏଁ ଟିମ୍‌ରୁ ବାହାରେ ଥିଲେ। ସେ ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ (ଆଇପିଏଲ୍‌)ର ଷୋଡ଼ଶ ସଂସ୍କରଣରେ ଖେଳିପାରି ନ ଥିଲେ।

ଏପ୍ରିଲ୍‌ରେ ଶ୍ରେୟାସ ପିଠିର ନିମ୍ନ ଭାଗରେ ସର୍ଜରୀ କରାଇଥିଲେ। ଏହାପରେ ସେ ରିହାବିଲିଟେସନ୍ ପାଇଁ ଜାତୀୟ କ୍ରିକେଟ୍ ଏକାଡେମୀ (ଏନ୍‌ସିଏ) ଯାଇଥିଲେ। ଏହି କାରଣରୁ ସେ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍ (ଡବ୍‌ଲ୍ୟୁଟିସି) ଫାଇନାଲ୍‌ରୁ ବି ବାଦ୍ ପଡ଼ିଥିଲେ।

ଶ୍ରେୟସ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରନ୍ତି। ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ପରୀକ୍ଷା କରାଯାଇଥିଲା, କିନ୍ତୁ ଟି-୨୦ର ହିରୋ ଦିନିକିଆରେ ବିଫଳ ହୋଇଥିଲେ।

ସେପ୍ଟେମ୍ବରରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ଏସିଆ କପ୍ ମ୍ୟାଚ୍‌ରେ ଶ୍ରେୟସ ପ୍ରତ୍ୟାବର୍ତ୍ତନ କରିଥିଲେ। ଏଥିରେ ସେ ୧୪ ରନ୍‌ର ଇନିଂସ୍ ଖେଳିଥିଲେ। ସେ ପରବର୍ତ୍ତୀ ମ୍ୟାଚ୍‌ରେ ହୁଏତ ଫର୍ମ ହାସଲ କରିଥା’ନ୍ତେ, ହେଲେ ତାଙ୍କ ପିଠି ଯନ୍ତ୍ରଣା ପୁଣି ଆରମ୍ଭ ହୋଇଯାଇଥିଲା। ଏହା ଫଳରେ ତାଙ୍କୁ କେତେକ ମ୍ୟାଚ୍‌ରୁ ଦୂରେଇ ରହିବାକୁ ପଡ଼ିଥିଲା।

କିନ୍ତୁ ଶ୍ରେୟସ ହାର୍ ମାନି ନ ଥିଲା, ନିଜକୁ ମାନସିକ ଓ ଶାରୀରିକ ସ୍ତରରେ ମଜଭୁତ କରିଥିଲେ। ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହୋଇଥିଲେ।

ବିଶ୍ୱକପ୍‌ର ଅବ୍ୟବହିତ ପୂର୍ବରୁ ଟିମ୍ ଇଣ୍ଡିଆ ଘରେ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ୍ ଖେଳିଥିଲା। ଏହା କ୍ରିକେଟ୍ ମହାସମର ପୂର୍ବରୁ ୱାର୍ମଅପ୍ ସଦୃଶ ଥିଲା। ଏହି ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଶ୍ରେୟସ ଉଲ୍ଲେଖନୀୟ ଶତକ ଲଗାଇ ଏ କଥାର ସଙ୍କେତ ଦେଇଥିଲେ ଯେ ସେ ବିଶ୍ୱକପ୍‌ରେ ଚମକପ୍ରଦ ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ଅଛନ୍ତି।

ଇନ୍ଦୋର ଠାରେ ଆୟୋଜିତ ଏହି ମ୍ୟାଚ୍‌ରେ ସେ ୯୦ ବଲ୍‌ରୁ ୧୦୫ ରନ୍ ସଂଗ୍ରହ କରିଥିଲେ। ତାଙ୍କ ଇନିଂସ୍‌ରେ ୧୧ ଚୌକା ଓ ୩ ଛକା ଥିଲା। ଏଥିରେ ଗିଲ୍ ବି ଶତକୀୟ ଇନିଂସ୍ ଖେଳିଥିଲେ ଏବଂ ଭାରତ ଏହି ମ୍ୟାଚ୍ ଜିତିଥିଲା।

ଏହା ସହିତ ଫର୍ମକୁ ଫେରିଥିବା ଶ୍ରେୟସଙ୍କ ଉପସ୍ଥିତି ଟିମ୍‌ର ମଧ୍ୟକ୍ରମକୁ ପୁଣି ମଜଭୁତ କରିଥିଲା। ଭାରତୀୟ ଟିମ୍ ମ୍ୟାନେଜ୍‌ମେଣ୍ଟ ମଧ୍ୟ ଆଶ୍ୱସ୍ତ ହୋଇଥିଲା।

ହୋଇପାରିବେ କି ରୋହିତଙ୍କ ଉତ୍ତରାଧିକାରୀ:

ଟିମ୍ ଇଣ୍ଡିଆର ଭବିଷ୍ୟତର ଅଧିନାୟକ ଭାବେ ଯେଉଁ ଖେଳାଳିମାନଙ୍କୁ ବିଚାରକୁ ନିଆଯାଉଛି, ସେମାନଙ୍କ ମଧ୍ୟରେ ଶ୍ରେୟସ ଆୟର ମଧ୍ୟ ରହିଛନ୍ତି। କିନ୍ତୁ ରୋହିତ ଶର୍ମାଙ୍କ ଉତ୍ତରାଧିକାର ଦୌଡ଼ରେ ଅଲ୍‌ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା ଓ ୱିକେଟ୍‌କିପର୍‌-ବ୍ୟାଟର୍ ଲୋକେଶ ରାହୁଲ ତାଙ୍କ ଠାରୁ ଆଗରେ ଅଛନ୍ତି। ଏବେ ଏହି ଦୁଇ ଜଣଙ୍କୁ ଅତିକ୍ରମ କରି ଆଗକୁ ଯିବା ତାଙ୍କ ପାଇଁ କଷ୍ଟକର। ଅବଶ୍ୟ ହାର୍ଦ୍ଦିକ ଏବେ ଟେଷ୍ଟ ଖେଳୁ ନାହାନ୍ତି।

ବିଶ୍ୱକପ୍‌ରେ ହାର୍ଦ୍ଦିକ ଭାରତୀୟ ଟିମ୍‌ର ଉପ-ଅଧିନାୟକ ଥିଲେ। ସେ ଆହତ ହୋଇ ବାଦ୍ ପଡ଼ିବା ପରେ ରାହୁଲ ଏହ ଭୂମିକା ତୁଲାଉଛନ୍ତି।

ଅବଶ୍ୟ ଶ୍ରେୟସଙ୍କ ପାଖରେ ନେତୃତ୍ୱ ହେବାର ଯୋଗ୍ୟତା ରହିଛି। ସେ ଆଇପିଏଲ୍‌ରେ ଏହି ଭୂମିକା ତୁଲାଇ ସାରିଛନ୍ତି। ତେବେ ଭାରତୀୟ ଟିମ୍‌ର ନେତୃତ୍ୱ ନେବା ଭିନ୍ନ କଥା।

ଶ୍ରେୟସଙ୍କ ବିନା ଭାରତୀୟ ବ୍ୟାଟିଂ ଲାଇନ୍‌-ଅପ୍ ସତେ ଯେମିତି ଅସମ୍ପୂର୍ଣ୍ଣ। ଟିମ୍‌ରେ ତାଙ୍କ ଭବିଷ୍ୟତ ଉଜ୍ଜ୍ୱଳ। କିନ୍ତୁ ଏବେ ତାଙ୍କ ପାଇଁ ନେତୃତ୍ୱ ନେବା ଦିଗରେ ଆଗକୁ ବଢ଼ିବା ନୁହେଁ, ଫର୍ମ ଓ ଫିଟ୍‌ନେସ୍ ବଜାୟ ରଖିବା ସବୁଠାରୁ ବଡ଼ ଆହ୍ୱାନ।

ଶ୍ରେୟସଙ୍କୁ ଏବେ ୨୮ ବର୍ଷ ବୟସ। ଆଗକୁ ତାଙ୍କର ଲମ୍ବା କ୍ୟାରିଅର୍ ରହିଛି। ସେ ରୋହିତଙ୍କ ଉତ୍ତରାଧିକାରୀ ହୋଇ ନ ପାରିଲେ ବିି ଭବିଷ୍ୟତରେ ଅଧିନାୟକ ହୋଇପାରିବେ।

ଇମେଲ୍: biswasports@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

World Cup Indian Cricket Indian Cricket Team Shreyas Iyer Inspired From Virat Kohli
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ