Advertisment

Sports: ଟିମ୍ ଇଣ୍ଡିଆ ପାଇଁ କୁଲଦୀପ ଯାଦବ କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ

ଉଭୟ ରେଡ୍ ଓ ହ୍ୱାଇଟ୍ ବଲ୍‌ କ୍ରିକେଟ୍‌ରେ ନିଜ ଉପଯୋଗିତା ସାବ୍ୟସ୍ତ କରିଛନ୍ତି ଭାରତର ବାମହାତି ରିଷ୍ଟ ସ୍ପିନର୍ କୁଲଦୀପ ଯାଦବ। ନିକଟରେ ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ସେ ଥିଲେ ଟିମ୍‌ର ସବୁଠାରୁ ପ୍ରଭାବଶାଳୀ ସ୍ପିନର୍।

ଅଦ୍ୟତନ ହୋଇଛି
Why is Kuldeep Yadav so important to Team India

Why is Kuldeep Yadav so important to Team India

Advertisment

ନିକଟରେ ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଭାରତର ବାମହାତି ରିଷ୍ଟ ସ୍ପିନର୍ କୁଲଦୀପ ଯାଦବଙ୍କ ପ୍ରଦର୍ଶନକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ଏଥିରେ ଭେଟେରାନ୍ ଅଫ୍‌ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ ସର୍ବାଧିକ ୨୬ ୱିକେଟ୍ ନେଇଥିଲେହେଁ କୁଲଦୀପଙ୍କ ପ୍ରଦର୍ଶନ ଅଧିକ ଗୁରୁତ୍ୱ ରଖିଥିଲା। ସେ ସିରିଜ୍‌ର ସବୁଠାରୁ ପ୍ରଭାବଶାଳୀ ସ୍ପିନର୍ ଥିଲେ।

Advertisment

କୁଲଦୀପ ସିରିଜ୍‌ରେ ୩.୩୫ ଇକନମୀ ରେଟ୍ ଓ ୨୦.୧୫ ଆଭରେଜ୍‌ରେ ମୋଟ୍ ୧୯ ୱିକେଟ୍ ଅକ୍ତିଆର କରିଥିଲେ। ହାଇଦରାବାଦ ଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ସେ ସୁଯୋଗ ପାଇ ନ ଥିଲେ। ତେବେ ବିଶାଖାପାଟଣା ଠାରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ସ୍ପିନ୍ ବୋଲିଂ ଅଲ୍‌ରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା ଅନ୍‌ଫିଟ୍ ଥିବା ଯୋଗୁଁ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଥିଲା।

ପରବର୍ତ୍ତୀ ଟେଷ୍ଟରେ ଜାଡ଼େଜା ଟିମ୍‌କୁ ଫେରିଥିଲେ ବି କୁଲଦୀପ ତୃତୀୟ ସ୍ପିନର୍ ଭାବେ ଶେଷ ମ୍ୟାଚ୍ ଯାଏଁ ଟିମ୍‌ରେ ଅପରିବର୍ତ୍ତିତ ରହିଥିଲେ। ଦ୍ୱିତୀୟ ଟେଷ୍ଟରେ କୁଲଦୀପ ପ୍ରଥମ ଇନିଂସ୍‌ରେ ତିନି ଓ ଦ୍ୱିତୀୟ ଇନିଂସ୍‌ରେ ଗୋଟିଏ ୱିକେଟ୍ ନେଇଥିଲେ। ଏହାପରେ ରାଜକୋଟ ଠାରେ ଅନୁଷ୍ଠିତ ତୃତୀୟ ଟେଷ୍ଟରେ ସେ ଉଭୟ ଇନିଂସ୍‌ରେ ଦୁଇ ଲେଖାଏଁ ୱିକେଟ୍ ପାଇଥିଲେ।

Advertisment

ରାଞ୍ଚିରେ ହୋଇଥିବା ଚତୁର୍ଥ ଟେଷ୍ଟରେ ତାଙ୍କୁ ପ୍ରଥମ ଇନିଂସ୍‌ରେ କୌଣସି ୱିକେଟ୍ ମିଳି ନ ଥିଲା, ହେଲେ ଦ୍ୱିତୀୟ ଇନିଂସ୍‌ରେ ସେ ଚାରି ୱିକେଟ୍ ନେଇ ନିଜ ଦକ୍ଷତା ପ୍ରମାଣିତ କରିଥିଲେ।

ଧର୍ମଶାଳା ଠାରେ ପଞ୍ଚମ ତଥା ଶେଷ ଟେଷ୍ଟ ଖେଳାଯାଇଥିଲା, ଯେଉଁଠି ସେ ସବୁଠାରୁ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ। ପ୍ରଥମ ଇନିଂସ୍‌ରେ ଇଂଲଣ୍ଡ ଟିମ୍‌ର ବିପର୍ଯ୍ୟୟରେ ସେ ମୁଖ୍ୟ ଭୂମିକା ତୁଲାଇଥିଲେ ଏବଂ ପାଞ୍ଚ ୱିକେଟ୍ ନେଇଥିଲେ। ଦ୍ୱିତୀୟ ଇନିଂସ୍‌ରେ ବି ତାଙ୍କୁ ଦୁଇ ୱିକେଟ୍ ମିଳିଥିଲା । ଅଶ୍ୱିନ ମ୍ୟାଚ୍‌ରେ ନଅ ୱିକେଟ୍ ନେବା ସତ୍ତ୍ୱେ କୁଲଦୀପ ‘ପ୍ଲେୟର୍ ଅଫ୍ ଦ ମ୍ୟାଚ୍‌’ ବିବେଚିତ ହୋଇଥିଲେ।

Advertisment

ଏହାଛଡ଼ା ସେ ବ୍ୟାଟିଂରେ ୨୬.୭୯ ଷ୍ଟ୍ରାଇକ୍ ରେଟ୍‌ରେ ଉପଯୋଗୀ ୯୭ ରନ୍ କରିଥିଲେ। ଏଥିରେ ତାଙ୍କର ସର୍ବୋଚ୍ଚ ସ୍କୋର୍ ଥିଲା ୩୦ ରନ୍। ଅଧିନାୟକ ରୋହିତ ଶର୍ମା ବାମହାତି କୁଲଦୀପଙ୍କ ବ୍ୟାଟିଂକୁ ପ୍ରଶଂସା କରିବା ସହ ତାଙ୍କ ଭିତରେ ବଡ଼ ସଟ୍ ଖେଳିବାର ବି ସାମର୍ଥ୍ୟ ରହିଛି ବୋଲି ମତବ୍ୟକ୍ତ କରିଛନ୍ତି।

କୁଲଦୀପ ଉଭୟ ରେଡ୍ ଓ ହ୍ୱାଇଟ୍ ବଲ୍‌ କ୍ରିକେଟ୍‌ରେ ନିଜ ଉପଯୋଗିତା ସାବ୍ୟସ୍ତ କରିଛନ୍ତି। ସେ ଏ ଯାବତ ମାତ୍ର ୧୨ ଟେଷ୍ଟ ମ୍ୟାଚ୍ ଖେଳି ୩.୪୦ ଇକନମୀ ରେଟ୍‌ରେ ୫୩ ୱିକେଟ୍ ନେଇଛନ୍ତି। ବଲ୍ ସଂଖ୍ୟା ଦୃଷ୍ଟିରୁ ଟେଷ୍ଟରେ ୫୦ ୱିକେଟ୍ ନେବାରେ ସେ ଦ୍ରୁତତମ ଭାରତୀୟ ବୋଲର୍ ହୋଇପାରିଛନ୍ତି।

ଏତଦ୍‌ଭିନ୍ନ, ସେ ୧୦୩ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଖେଳି ୫.୦୫ ଇକନମୀ ରେଟ୍‌ରେ ୧୬୮ ୱିକେଟ୍ ଏବଂ ୩୫ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଖେଳି ୬.୭୪ ଇକନମୀ ରେଟ୍‌ରେ ୫୯ ୱିକେଟ୍ ନେଇଛନ୍ତି।

ଇଂଲଣ୍ଡର ପୂର୍ବତନ ବ୍ୟାଟର୍ ଜେଫ୍ ବଏକଟ୍‌ଙ୍କ କହିବାନୁଯାୟୀ, ବାମହାତି ରିଷ୍ଟ ସ୍ପିନର୍ କୁଲଦୀପଙ୍କ ମୁକାବିଲା କରିବାରେ ଇଂଲିଶ୍ ବ୍ୟାଟର୍‌ମାନଙ୍କ ବିଫଳତା ଭାରତ ବିପକ୍ଷରେ ଟିମ୍‌ର ଶୋଚନୀୟ ପରାଜୟର ମୁଖ୍ୟ କାରଣ ମଧ୍ୟରୁ ଅନ୍ୟତମ।

ବଏକଟ୍ ‘ଦ ଟେଲିଗ୍ରାଫ୍‌’ରେ ନିଜ ସ୍ତମ୍ଭରେ ଲେଖିଛନ୍ତି ଯେ ଇଂଲଣ୍ଡର ଅନେକ ବ୍ୟାଟର୍ କୁଲଦୀପଙ୍କୁ ପଢ଼ିପାରି ନ ଥିଲେ। ପିଚ୍ ଉପରେ ଧ୍ୟାନ ନ ଦେଇ ତାଙ୍କର ସାମ୍ନା କରିବାକୁ ପ୍ରୟାସ କରିଥିଲେ। ଆନ୍ତର୍ଜାତିକ ସ୍ତରର ବ୍ୟାଟର୍‌ମାନେ ତାଙ୍କୁ ମୁକାବିଲା କରିବାର ଉପାୟ ଖୋଜିବା ଦରକାର।

ଟେଷ୍ଟ କ୍ରିକେଟ୍‌ରେ ଗତ କିଛି ବର୍ଷ ହେଲା ରବିଚନ୍ଦ୍ରନ୍ ଅଶ୍ୱିନ ଓ ରବୀନ୍ଦ୍ର ଜାଡ଼େଜାଙ୍କ ପରେ କୁଲଦୀପ ତୃତୀୟ ପସନ୍ଦ ସ୍ପିନର୍ ରହିଆସିଛନ୍ତି। ତେବେ ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ଚମକପ୍ରଦ ପ୍ରଦର୍ଶନ କରି ସେ ଦେଖାଇ ଦେଇଛନ୍ତି ଯେ ସେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ପାଇଁ ପ୍ରକୃତ ହକ୍‌ଦାର।

ଏହି ସିରିଜ୍ ପୂର୍ବରୁ ଗତ ସାତ ବର୍ଷ ମଧ୍ୟରେ ସେ ମାତ୍ର ଆଠ ମ୍ୟାଚ୍ ଖେଳିଥିଲେ। କିନ୍ତୁ ସେ କ୍ରମାଗତ କିଛି ମ୍ୟାଚ୍‌ରେ ନିଜର ପ୍ରକୃତ କ୍ଷମତା ଦେଖାଇଛନ୍ତି ଏବଂ ପ୍ରତି ମ୍ୟାଚ୍ ସହିତ ଉନ୍ନତ ହୋଇ ଚାଲିଛନ୍ତି।

୨୦୧୯ରେ ସିଡ୍‌ନୀ ଠାରେ ଖେଳାଯାଇଥିବା ଏକ ଟେଷ୍ଟ ଇନିଂସ୍‌ରେ କୁଲଦୀପ ୫ ୱିକେଟ୍ ନେଇଥିଲେ। ଏହାକୁ ଦେଖି ଟିମ୍ ଇଣ୍ଡିଆର ତତ୍କାଳୀନ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ତାଙ୍କୁ ‘ଦରିଆପାରି ଟେଷ୍ଟରେ ଭାରତର ପ୍ରମୁଖ ସ୍ପିନର୍‌’ ଘୋଷଣା କରିଥିଲେ।

କିନ୍ତୁ ଟିମ୍‌ରେ ନିରନ୍ତର ସୁଯୋଗ ନ ପାଇବା ଓ ଆଣ୍ଠୁ ସର୍ଜରୀ କୁଲଦୀପଙ୍କ ଅଗ୍ରଗତିରେ ବାଧକ ସାଜିଥିଲା। ତେବେ ପରବର୍ତ୍ତୀ ସମୟରେ ସେ ଏହି ଦୁଃସମୟକୁ ଅତିକ୍ରମ କରିଥିଲେ, ଆଉ ଆଜି ସବୁ ଫର୍ମାଟ୍ ପାଇଁ ଟିମ୍‌ରେ ତାଙ୍କର ଆବଶ୍ୟକତା ବଢ଼ିଯାଇଛି।

କେମିତି କଲେ ‘ବାଜ୍‌ବଲ୍‌’ର ମୁକାବିଲା:

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ସୁଯୋଗ ମିଳିବା କୁଲଦୀପଙ୍କ ପାଇଁ ବହୁତ ଗୁରୁତ୍ୱ ରଖିଥିଲା। ଏହି ସିରିଜ୍‌ରେ ତାଙ୍କ ଆଗରେ ଥିଲା ଇଂଲଣ୍ଡର ‘ବାଜ୍‌ବଲ୍‌’ ରଣନୀତି, ଯାହାକି ଟେଷ୍ଟରେ ପ୍ରଥମରୁ ଆକ୍ରମଣାତ୍ମକ ଶୈଳୀରେ ବ୍ୟାଟିଂ କରିବା ଉପରେ ଆଧାରିତ ଥିଲା। ସେ ଏହାର ଦୃଢ଼ ମୁକାବିଲା କରିଥିଲେ। ଶେଷରେ ଭାରତୀୟ ବୋଲିଂ ବାହିନୀ ଆଗରେ ବିପକ୍ଷ ଟିମ୍‌ର ‘ବାଜ୍‌ବଲ୍‌’ ରଣନୀତି ଧରାଶାୟୀ ହୋଇଥିଲା।

କୁଲଦୀପଙ୍କ ବାଲ୍ୟକାଳର କୋଚ୍ କପିଳ ପାଣ୍ଡେ ଚାହୁଁଥିଲେ ଯେ ତାଙ୍କର ଶ୍ରେଷ୍ଠ ଛାତ୍ର ଦିନିକିଆ ଆନ୍ତର୍ଜାତିକରେ ନିଜର ୱିକେଟ୍ ହାସଲ ପ୍ରକ୍ରିୟାକୁ ଟେଷ୍ଟରେ ଆପଣାଉ।

ପାଣ୍ଡେଙ୍କ କହିବାନୁଯାୟୀ, ‘ବାଜ୍‌ବଲ୍‌’ ପୁରୁଣା ଶୈଳୀର ଦିନିକିଆ କ୍ରିକେଟ୍ ଛଡ଼ା ଆଉ କିଛି ନୁହେଁ। ଅତୀତରେ ଦିନିକିଆ ଆନ୍ତର୍ଜାତିକରେ ଓଭର୍ ପିଛା ୫ ରନ୍‌ରେ ୫୦ ଓଭର୍‌ରେ ୨୫୦ ରନ୍ ଭଲ ସ୍କୋର୍ ଥିଲା। ଏହି ହିସାବରେ ୯୦ ଓଭର୍‌ରେ ଦିନକୁ ୪୫୦ ରନ୍ ହେଉଛି। ଏମିତି ଇଂଲଣ୍ଡ ଖେଳୁଛି ଏବଂ ଟେଷ୍ଟ ବ୍ୟାଟିଂକୁ ଦିନିକିଆ ମୋଡ଼କୁ ନେଇଛି।

କୁଲଦୀପଙ୍କୁ କୁହାଯାଇଥିଲା ଯେ ଟେଷ୍ଟରେ ଦିନିକିଆ ଭଳି ବୋଲିଂ କର। ସେ ସେଇଆ କରିଥିଲେ ଏବଂ ସଫଳତା ପାଇଥିଲେ।

ଇଂଲଣ୍ଡ ବିପକ୍ଷ ୨୦୨୧ ଘରୋଇ ସିରିଜ୍ ସମୟରେ ଚେନ୍ନାଇ ଠାରେ କୁଲଦୀପଙ୍କ ପ୍ରଦର୍ଶନ ସାଧାରଣ ଜଣାପଡ଼ୁଥିଲା। ତାଙ୍କ ରନ୍‌ଅପ୍ ସିଧା ନ ଥିଲା ଏବଂ ହାତର ଗତି ଧୀମା ଥିଲା।

କିନ୍ତୁ ସର୍ଜରୀ କରାଇ କ୍ରିକେଟ୍‌କୁ ଫେରିବା ପରେ କ୍ରିଜ୍‌ରେ ତାଙ୍କ ରନ୍‌ଅପ୍ ସିଧା ହୋଇଥିଲା ଏବଂ ହାତର ଗତି ବଢ଼ିଥିଲା। ଏହା ସହିତ ବଲ୍ ବି ଅଧିକ ଜୋର୍‌ରେ ସ୍ପିନ୍ କରିଥିଲା। ଏହାହିଁ ତାଙ୍କ ସଫଳତାର ପ୍ରମୁଖ କାରଣ।

ଆଜି କୁଲଦୀପ ଭାରତୀୟ ଟିମ୍ ପାଇଁ ଏତେ ଗୁରୁତ୍ୱପୂର୍ଣ୍ଣ କାହିଁକି, ତାହା ଚୟନକାରୀ ଓ ଟିମ୍ ମ୍ୟାନେଜ୍‌ମେଣ୍ଟ ବୁଝିସାରିବେଣି। ଦିନିକିଆ ଆନ୍ତର୍ଜାତିକରେ ତ ସେ ଟିମ୍‌ର ପ୍ରମୁଖ ସ୍ପିନର୍। ଆଗାମୀ ଦିନରେ, ବିଶେଷକରି ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଯୁଗ ଶେଷ ହେବା ପରେ ସେ କ୍ରିକେଟ୍‌ର ସବୁଠାରୁ ଲମ୍ବା ଫର୍ମାଟ୍‌ରେ ଭାରତୀୟ ସ୍ପିନ୍ ଆକ୍ରମଣର ନେତୃତ୍ୱ ନେଇପାରନ୍ତି।

ଇମେଲ୍: biswasports@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Indian Cricket Indian Cricket Team Kuldeep Yadav
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ