Advertisment

କଂଗ୍ରେସ ପାଇଁ କାଳ ହେଉଛି କି ଅତ୍ୟଧିକ ସମର୍ପଣ ଭାବ

କଂଗ୍ରେସର ନେତାମାନେ ପୂର୍ବରୁ ଅନେକ ଥର ବିଭିନ୍ନ ଜେରାର ସାମ୍ନା କରିଛନ୍ତି। ଅନେକ ମଧ୍ୟ ଗିରଫ ହୋଇଛନ୍ତି। ହେଲେ ଦଳ ସେଭଳି କିଛି ଆଖିଦୃଶିଆ ପଦକ୍ଷେପ ନେଇନି। ହେଲେ ଆଜି ଯେତେବେଳେ ସୋନିଆ ଓ ରାହୁଲଙ୍କ ବେଳ ପଡିଛି ଦଳ କାହିଁକି ଜୋରଦାର ବିରୋଧ କରୁଛି? ଏହା ପଛରେ ରହିଛି କି ଗିରଫଦାରୀ ଭୟ?

ଅଦ୍ୟତନ ହୋଇଛି
Why congress protest for Sonia and Rahul Gandhi in national herald case

Why congress protest for Sonia and Rahul Gandhi in national herald case

Advertisment

ଆଜି ଦ୍ୱିତୀୟ ଥର ପାଇଁ ଇଡିରେ ହାଜର ହୋଇଛନ୍ତି କଂଗ୍ରେସର କାର୍ଯ୍ୟକାରୀ ସଭାପତି ସୋନିଆ ଗାନ୍ଧୀ। ଏହା ଆଗରୁ ଅର୍ଥାତ ଗତ ୨୧ ତାରିଖ ଦିନ ଇଡି ଆଗରେ ହାଜର ହୋଇଥିଲେ ସେ। ନାସ୍‌ନାଲ୍ ହେରାଲ୍ଡ ଅର୍ଥ ହେରଫେର ମାମଲାରେ ସମ୍ପୃକ୍ତି ନେଇ ପ୍ରଥମେ ରାହୁଲ ଏବଂ ତା’ ପରେ ସୋନିଆ ଗାନ୍ଧୀ ହାଜର ହେବା ପାଇଁ ଇଡି ସମନ କରିଥିଲା। ଆଉ ଏହାକୁ ନେଇ ଦେଶବ୍ୟାପି ପ୍ରତିବାଦ ହୋଇଥିଲା। ବିଭନ୍ନ ସ୍ଥାନରେ ହିଂସାକାଣ୍ଡ ଘଟାଇଥିଲେ କଂଗ୍ରେସ କର୍ମୀମାନେ। ଆଇନକୁ ହାତକୁ ନେଇ ଭଙ୍ଗାରୁଜା ମଧ୍ୟ କରିଥିଲେ।

Advertisment

ତେବେ ଆଗରୁ ମଧ୍ୟ କଂଗ୍ରେସ ଦଳର ଅନେକ ନେତା ସିବିଆଇ ଏବଂ ଇଡିର ଜେରାକୁ ସାମ୍ନା କରିଛନ୍ତି, ହେଲେ କାହାପାଇଁ ଦଳ ଏଭଳି ଭାବେ ବାହାରି ବିରୋଧ ପ୍ରଦର୍ଶନ କରିନି। କିନ୍ତୁ ସୋନିଆ ଏବଂ ରାହୁଲଙ୍କ କଥା ଅଲଗା। ଅଭିଯୋଗ ହେଉଛି ମା’ ପୁଅକୁ ସୁରକ୍ଷା ଦେବା ପାଇଁ ଦଳ ରାଜରାସ୍ତାକୁ ଓହ୍ଲାଇ ସିଧାସଳଖ ଆରୋପ ଲଗାଇଛି କେନ୍ଦ୍ର ସରକାର ଉପରେ।

ସିବିଆଇ ଏବଂ ଇଡିଙ୍କୁ ବ୍ୟବାହର କରି କେନ୍ଦ୍ର ସରକାର ରାଜନେତାଙ୍କୁ ହଇରାଣ କରୁଛନ୍ତି। କଂଗ୍ରେସ ହେଉଛି ପରିବାରବାଦର ପ୍ରତିକ ଅବା ପରିବାର ଚଳାଉଥିବା ଦଳଟିଏ। ଦଳର ବରିଷ୍ଠ ନେତାମାନେ ମଧ୍ୟ ଭାବୁଛନ୍ତି ଯଦି ଦଳର ମୁଖିଆଙ୍କ ଉପରେ ଆଞ୍ଚ ଆସେ ଅବା ସେମାନେ ଯଦି ଗିରଫ ହୋଇଯାଆନ୍ତି କର୍ମୀଙ୍କ ମନୋବଳ ଉପରେ ଏହା ପ୍ରଭାବ ପକାଇବ। ଏଥିପାଇଁ ପ୍ରାଣପଣେ ଏମାନଙ୍କୁ ସୁରକ୍ଷା ଦେବା ପାଇଁ ଲାଗିପଡିଛି ପୂରା ଦଳ।

Advertisment

ସୋନିଆ ଗାନ୍ଧୀ ଗତ ଗୁରୁବାର ଦିନ ଯେତେବେଳେ ଇଡି ଆଗରେ ହାଜର ହେଲେ ସେହିଦିନ ଦେଶବ୍ୟାପି କଂଗ୍ରେସ କର୍ମୀମାନେ ଜୋରଦାର ବିରୋଧ ପ୍ରଦର୍ଶନ କରିଥିଲେ। ଦେଶର ବିଭିନ୍ନ ସ୍ଥାନରେ ଦଳର କର୍ମୀମାନେ ଆଇନକୁ ହାତକୁ ନେଇ ଭଙ୍ଗାରୁଜା କଲେ। ସୋନିଆଙ୍କୁ ଆଗରୁ ଇଡି ସମନ କରିଥିଲେ ମଧ୍ୟ ସ୍ୱାସ୍ଥ୍ୟଗତ କାରଣରୁ ହାଜର ହୋଇପାରି ନଥିଲେ। ଏହା ପୂର୍ବରୁ ରାହୁଲ ହାଜର ହୋଇଥିଲେ। ଇଡି ନିକଟରେ ଗତ ଜୁନ ମାସରେ ୪ ଥର ଜେରାର ସାମ୍ନା କରିଥିଲେ ରାହୁଲ ଗାନ୍ଧୀ।

ଗାନ୍ଧି ପରିବାର ପ୍ରତି ରାଜନୈତିକ ଆକ୍ରୋଶ ରଖି ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ଅଭିଯୋଗରେ କଂଗ୍ରେସ ନେତାମାନେ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ମଧ୍ୟ ହେଲେ ନୂଆଦିଲ୍ଲୀସ୍ଥିତ ଜନ୍ତର ମନ୍ତରରେ ଧାରଣା ଦେଲେ ଦଳର ବରିଷ୍ଠ ନେତାମାନେ। କଂଗ୍ରେସରୁ ମୁଖ୍ୟମନ୍ତ୍ରୀ ଥିବା ରାଜସ୍ଥାନର ଅଶୋକ ଗେହେଲଟ୍ ହୁଅନ୍ତୁ ବା ଭୂପେଶ ବଘେଲ, ସଲମାନ ଖୁର୍ସିଦ ହୁଅନ୍ତୁ ବା ସଚିନ୍ ପାଇଲଟ୍ ସବୁ ବଡ଼ ନେତା ସାମିଲ ହୋଇଥିଲେ ବିରୋଧ ପ୍ରଦର୍ଶନରେ।

Advertisment

ଏହାରି ଭିତରେ ମଧ୍ୟ ଚାଲିଥିଲା କିଏ କେତେ ଲୟାଲ ତା’ର ପ୍ରତିଯୋଗିତା। ଯଦି ବିଶ୍ୱସ୍ତ ବୋଲି ପ୍ରମାଣିତ ନକଲେ କାଳେ ପଦବୀ ଚାଲିଯିବ ଭାବି ମୁଖ୍ୟମନ୍ତ୍ରୀମାନେ ରାଜ୍ୟରେ ଯେତେ ସମସ୍ୟା ଥିଲେ ମଧ୍ୟ ରାଲିରେ ସାମିଲ ହୋଇଥିଲେ। ଭୂପେଶ ବଘେଲ ଏବଂ ଅଶୋକ ଗେହେଲଟ୍‌ କାଳେ ପଦ ଚାଲିଯିବ ସେଥିପାଇଁ ପୂରାଦମରେ ବିରୋଧ ପ୍ରଦର୍ଶନ କରିଥିଲେ। ରାହୁଲଙ୍କୁ ଜେରା ବେଳେ ଅଗ୍ନିବୀରକୁ ଢାଲ କରି ଦଳ ଜୋରଦାର ବିରୋଧ କରିଥିବା ବେଳେ ବର୍ତ୍ତମାନ ସୋନିଆଙ୍କୁ ଜେରା ବେଳେ ଦରଦାମ ବୃଦ୍ଧିକୁ ଢାଲ କରୁଛି। ଲୋକଙ୍କ ପାଇଁ ଲଢେଇ ବାହାନାରେ ନିଜ ସ୍ୱାର୍ଥ ସାଧନ ପାଇଁ କଂଗ୍ରେସ ଉଦ୍ୟମ କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି।

ତେବେ ଏଠି ପ୍ରଶ୍ନ ଉଠୁଛି, କଂଗ୍ରେସ ଦଳର ଏଭଳି ଅନେକ ନେତା ଆଗରୁ ଜେରାର ସାମ୍ନା କରିଛନ୍ତି। ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ତଥା ସୋନିଆଙ୍କ ଜ୍ୱାଇଁ ରବଟ୍ ଭଦ୍ରା ମନି ଲଣ୍ଡ୍ରିଂ ମାମଲାରେ ଇଡି ଆଗରେ ହାଜର ହୋଇ ଜେରାକୁ ସାମ୍ନା କରିଥିଲେ। ସେତେବେଳେ କଂଗ୍ରେସ ନେତାମାନେ ବିଭିନ୍ନ ଗଣମାଧ୍ୟମରେ ଭଦ୍ରାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ।

ସେହିପରି ଆଇନକ୍ସ୍ ମିଡିଆ କେସ୍‌ରେ ଦେଶର ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କୁ ଗିରଫ କରିଥିଲା ଇଡି। ସେତେବେଳେ ଦଳର ନେତାମାନେ ମିଡିଆରେ ଆସି ପ୍ରତିବାଦ କରିଥିଲେ ମଧ୍ୟ ଏମିତି ରାଜରାସ୍ତାକୁ ଓହ୍ଲାଇ ନଥିଲେ। ସେମିତି କର୍ଣ୍ଣାଟକ କଂଗ୍ରେସର ବରିଷ୍ଠ ନେତା ଡି.କେ ଶିବକୁମାରଙ୍କୁ ମନି ଲଣ୍ଡ୍ରିଂ କେସ୍‌ରେ ଇଡି ଗିରଫ କରିଥିଲା।

ଏମିତି ଅନେକ ନେତା ସବିଆଇ ଏବଂ ଇଡି ଦ୍ୱାରା ଜେରାର ସାମ୍ନା ହୋଇଛନ୍ତି ଏବଂ ଗିରଫ ହୋଇଛନ୍ତି। ହେଲେ ଦଳ ସେମାନଙ୍କୁ ବଞ୍ଚାଇବା ପାଇଁ କେବେ ବି ରାଜରାସ୍ତାକୁ ଓହ୍ଲାଇନି। କିନ୍ତୁ ଏବେ ସୋନିଆ ଏବଂ ରାହୁଲ ଇଡି ଜେରାର ସାମ୍ନା କରୁଥିବା ବେଳେ ଦଳ ଏଭଳି କାହିଁକି ଆକ୍ରମଣାତ୍ମକ ପଦକ୍ଷେପ ନେଉଛି। କେଉଁଠି ନାଁ କେଉଁଠି ଗିରଫ ଭୟ ରହୁଛି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି।

ଏବେ ଆସନ୍ତୁ ଟିକେ ନଜର ପକାଇବା କ’ଣ ଏହି ନାସ୍‌ନାଲ୍‌ ହେରାଲ୍ଡ ମାମଲା? କାହିଁକି ଫଶିଛନ୍ତି ସୋନିଆ ଏବଂ ରାହୁଲ ଗାନ୍ଧୀ? ବ୍ରିଟିଶ ସରକାର ବିରୋଧରେ ସ୍ୱର ଉତ୍ତୋଳନ ଲାଗି ୧୯୩୮ ମସିହାରେ ଜବାହରଲାଲ ନେହରୁ ଓ ଅନ୍ୟ ସ୍ୱାଧୀନତା ସଂଗ୍ରାମୀ ପ୍ରତିଷ୍ଠା କରିଥିଲେ ନାସ୍‌ନାଲ୍‌ ହେରାଲ୍ଡ ନ୍ୟୁଜ୍ ପେପର। ଆସୋସିଏଟେଡ୍ ଜର୍ଣ୍ଣାଲ୍ସ ଲିମିଟେଡ୍ ନାମକ ସଂସ୍ଥା ନାସ୍‌ନାଲ୍‌ ହେରାଲ୍ଡ ସମେତ ଅନ୍ୟ ଦୁଇଟି ଖବର କାଗଜ- ଉର୍ଦ୍ଦୁରେ କ୍ୱାମି ଆୱାଜ୍ ଓ ହିନ୍ଦୀରେ ନବଜୀବନ ମଧ୍ୟ ପ୍ରକାଶନ କରୁଥିଲା।

ତେବେ ଏହା ବ୍ୟକ୍ତିଗତ ସଂପତ୍ତି ନଥିଲା। ଆରମ୍ଭରୁ ପ୍ରାୟ ୫ ହଜାର ସ୍ୱାଧୀନତା ସଂଗ୍ରାମୀ ଏହାର ଶେୟାର୍ ହୋଲ୍ଡର୍ ଥିଲେ। ୨୦୧୦ରେ ବି ଏହାର ୧୦୫୭ ଶେୟାର ହୋଲ୍‌ଡର୍ ଥିବା ସୂଚନା ମିଳିଛି। କ୍ରମଶଃ ଆସୋସିଏଟେଡ୍ ଜର୍ଣ୍ଣାଲ୍ସ ଋଣଗ୍ରସ୍ତ ହୋଇପଡ଼ିଥିଲା। କଂଗ୍ରେସ ଦଳ ୯୦ କୋଟିର ଋଣ ଦେବା ସତ୍ତ୍ୱେ, ଏହାକୁ କାର୍ଯ୍ୟକ୍ଷମ କରାଯାଇ ପାରି ନଥିଲା। ଫଳରେ ଏହାକୁ ବନ୍ଦ କରିଦେବା ଲାଗି ୨୦୦୮ରେ ସୋନିଆ ଗାନ୍ଧୀ ନିର୍ଦ୍ଦେଶ ଦେଇଥିଲେ।

ପରେ ୨୦୧୦ରେ ନାସ୍‌ନାଲ୍‌ ହେରାଲ୍ଡକୁ କିଣିଥିଲା ୟଙ୍ଗ୍‌ ଇଣ୍ଡିଆ ନାମକ କଂପାନୀ, ଯାହାର ବୋର୍ଡ ଅଫ୍ ଡିରେକ୍ଟର୍ସ ଥିଲେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ। ୨୦୧୨ ମସିହାରେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ନାସ୍‌ନାଲ୍‌ ହେରାଲ୍ଡର ମାଲିକାନା ପରିବର୍ତ୍ତନକୁ ନେଇ କୋର୍ଟରେ ମାମଲା ରୁଜୁ କରିଥିଲେ। ସୋନିଆ, ରାହୁଲଙ୍କ ସମେତ ଅନ୍ୟ କଂଗ୍ରେସ ନେତାଙ୍କ ବିରୋଧରେ ସେ ଠକେଇ ଓ ଆସ୍ଥା ଭଙ୍ଗ ଅଭିଯୋଗ ଆଣିଥିଲେ।

ଆୟକର ନିୟମ ଅନୁଯାୟୀ, ଏକ ରାଜନୈତିକ ସଂଗଠନ କୌଣସି ତୃତୀୟ ପକ୍ଷ ସହ ଆର୍ଥିକ ନେଣଦେଣ କରିପାରିବ ନାହିଁ ବୋଲି ସେ ଯୁକ୍ତି ଦର୍ଶାଇଥିଲେ। ୟଙ୍ଗ୍‌ ଇଣ୍ଡିଆ ନାସ୍‌ନାଲ୍‌ ହେରାଲ୍ଡକୁ କିଣିବା ଦ୍ୱାରା, ସଂସ୍ଥା ନାଁରେ ଥିବା ୨ ହଜାର କୋଟିରୁ ଅଧିକ ଟଙ୍କାର ସଂପତ୍ତି ସୋନିଆ ଓ ରାହୁଲଙ୍କ ନିକଟକୁ ଚାଲି ଯାଇଥିବା ସେ ଅଭିଯୋଗ କରିଥିଲେ।

ସେହିପରି ମାତ୍ର ୫୦ ଲକ୍ଷ ଟଙ୍କା ବଦଳରେ ନାସ୍‌ନାଲ୍‌ ହେରାଲ୍ଡକୁ କଂଗ୍ରେସ ଦେଇଥିବା ୯୦ କୋଟି ଟଙ୍କାର ଋଣ ପରିଶୋଧ ହୋଇଯାଇଥିବା ଦର୍ଶାଯାଇଥିଲା। ଅର୍ଥାତ୍ ନାସ୍‌ନାଲ୍‌ ହେରାଲ୍ଡକୁ ୮୯.୫ କୋଟିର ଋଣ ଛାଡ଼ କରାଯାଇଥିବା ସୁବ୍ରମଣ୍ୟମ ସ୍ୱାମୀ ଉଲ୍ଲେଖ କରିଥିଲେ। ସୋନିଆ ଓ ରାହୁଲଙ୍କୁ ଲାଭ ପହଞ୍ଚାଇବା ଲାଗି ବେଆଇନ ଉପାୟରେ ଏସବୁ କରାଯାଇଥିବା ଅଭିଯୋଗ ନେଇ ମାମଲା ରୁଜୁ କରିଥିଲେ ସ୍ୱାମୀ।

ପରିବାରବାଦ ଏବଂ କ୍ୟାଡର୍‌ଭିତ୍ତିକ ଦଳ ଭିତରେ ଏହା ହିଁ ପାର୍ଥକ୍ୟ ରହିଛି। ପରିବାର ଚଳାଉଥିବା ଦଳଗୁଡିକର ପରିବାର ହେଉଛନ୍ତି ସବୁ କିଛି। ଏମାନଙ୍କୁ ପ୍ରୋଟେକସନ୍ ଦେବା ପାଇଁ ଦଳ ଏବଂ ଦଳର କର୍ମୀମାନେ ସବୁକିଛି କରିବାକୁ ବାଧ୍ୟ ହୁଅନ୍ତି। କାରଣ ଏହି ପରିବାର ହାତରେ ରାଜନୈତିକ ଏବଂ ଅର୍ଥନୈତିକ କ୍ଷମତା ନ୍ୟସ୍ତ ଥାଏ। କିନ୍ତୁ କ୍ୟାଡର୍‌ଭିତ୍ତିକ ଦଳରେ କେହି ଜଣେ ବ୍ୟକ୍ତି ଅନେକ ସମୟ ଧରି ନିରଙ୍କୁଶ କ୍ଷମତା ଉପଭୋଗ କରିପାରେନି। ଯଦି ସେ ଦୁର୍ନିତୀଗସ୍ତ ହୁଏ ତେବେ ଦଳ ତାହା ବିରୋଧରେ ଆକ୍ସନ ନେଇ ଦଳରୁ ବାହାର କରିଦିଏ। ହେଲେ ପରିବାର ଚଳାଉଥିବା ଦଳ ସେଭଳି ନେତାଙ୍କୁ ପ୍ରୋଟେକସନ୍ ଦେବାକୁ ବାଧ୍ୟ ହୁଏ।

Congress Sonia Gandhi Rahul Gandhi National Herald Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ