Advertisment

ଦ୍ରୌପଦୀଙ୍କୁ ବିଜେଡିର ସମର୍ଥନ ପଛରେ ଅଛି କି ଭୋଟ୍ ବ୍ୟାଙ୍କ୍ ରାଜନୀତି

ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ବିଜେପି ଅପେକ୍ଷା ବିଜେଡି କାହିଁକି କରୁଛି ଅଧିକ ପ୍ରଚାର। ଶ୍ରେୟ ନେବା ପାଇଁ ବିଜେଡି ବିଜେପି ମଧ୍ୟରେ ଆରମ୍ଭ ହୋଇଛି କି ରେସ୍?

ଅଦ୍ୟତନ ହୋଇଛି
Why BJD support Draupadi Murmu

Why BJD support Draupadi Murmu

Advertisment

ଏବେ ରାଷ୍ଟ୍ରପତି ନିର୍ବାଚନ ନେଇ ଉଭୟେ ଏନ୍‌ଡିଏ ଏବଂ ୟୁପିଏର ପ୍ରାର୍ଥୀ ବିଭିନ୍ନ ରାଜ୍ୟ ବୁଲି କ୍ୟାମ୍ପେନିଂ କରୁଛନ୍ତ ଏନ୍‌ଡିଏରୁ ପ୍ରାର୍ଥୀ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ। ସେହିପିର ୟୁପିଏରୁ ପ୍ରାର୍ଥୀ ହୋଇଛନ୍ତି ଯଶୋବନ୍ତ ସିହ୍ନା। ତେବେ ସବୁଠାରୁ ଚର୍ଚ୍ଚାରେ ରହିଛି ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀ ଘୋଷଣା ହେବା ଏବଂ ଘୋଷଣା ହେବା ପରେ ପରେ ବିଜେଡି ଏହାକୁ ସମର୍ଥନ କରିବା।

Advertisment

ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହେବା ପରେ ଏକ ପ୍ରକାର ଶ୍ରେୟ ରାଜନୀତି ଆରମ୍ଭ ହୋଇଛି। ବିଜେଡି ଏବଂ ବିଜେପି ମଧ୍ୟରେ ଶ୍ରେୟ ନେବା ପାଇଁ ଆରମ୍ଭ ହୋଇଛି ରେସ୍। ବିଜେଡି କହୁଛି ନବୀନ ଦ୍ରୌପଦୀଙ୍କୁ ଆଗୁଆ ସମର୍ଥନ କରି ମାଷ୍ଟର୍‌ ଷ୍ଟ୍ରୋକ୍ ମାରିଛନ୍ତି। ହେଲେ ଅନ୍ୟପକ୍ଷର ଯୁକ୍ତି, ସପୋର୍ଟ ନ କରି କୁଆଡ଼େ ଯାଆନ୍ତେ। ଦ୍ରୌପଦୀ ମୁର୍ମୁ ଏନଡିଏ ପ୍ରାର୍ଥୀ ହେଲେ ମଧ୍ୟ ବିଜେଡି ସୁପ୍ରିମୋ ସମସ୍ତଙ୍କୁ ଭୋଟ୍‌ଦେବା ପାଇଁ ଅପିଲ୍ କରି ବାହାବାହା ନେଉଛନ୍ତି।

ତେବେ ନବୀନଙ୍କ ଇଚ୍ଛାରେ ବିଜେପି ଦ୍ରୌପଦୀଙ୍କୁ ପ୍ରାର୍ଥୀ କରିଛି, ନା ନବୀନ ବାଧ୍ୟ ହୋଇଛନ୍ତି ଦ୍ରୌପଦୀଙ୍କୁ ସମର୍ଥନ କରିବା ପାଇଁ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଏଠି ପ୍ରଶ୍ନ ଉଠୁଛି, ଯଦି ନବୀନ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହୁଅନ୍ତୁ ବୋଲି ଚାହୁଁଥିଲେ ତେବେ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ ପରେ ଏ ସମ୍ପର୍କରେ କିଛି କହିଲେ ନି କାହିଁକି?

Advertisment

ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ବିଜେପି ଘୋଷଣା କଲା ଦ୍ରୌପଦୀ ମୁର୍ମୁଙ୍କ ନାଁ। ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ରାଇରଙ୍ଗପୁର ଭଳି ଅଞ୍ଚଳରୁ ଆସୁଥିଲେ ମଧ୍ୟ ଜଣେ ଉଚ୍ଚଶିକ୍ଷିତା, ଭଦ୍ର ଏବଂ ନମ୍ର ନେତ୍ରୀ। ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ଏକଦା ମନ୍ତ୍ରୀ ଥିଲେ ଦ୍ରୌପଦୀ ମୁର୍ମୁ। ଏହାପରେ ସେ ରାଜ୍ୟପାଳ ଭାବେ ନିଜ ଦକ୍ଷତା ପ୍ରତିପାଦନ କରିଛନ୍ତି।

ଝାଡ଼ଖଣ୍ଡରେ ଯେତେବେଳେ ବିଜେପିର ରଘୁବର ଦାସ ମୁଖ୍ୟମନ୍ତ୍ରୀ ଥିଲେ, କିଛି ବିଲ୍‌କୁ ଗ୍ରହଣ ନ କରି ପୁନର୍ବିଚାର ପାଇଁ ପଠାଇଦେଇଥିଲେ। ୬ ବର୍ଷ କାଳ ରାଜ୍ୟପାଳ ଥିଲେ ଦ୍ରୌପଦୀ ମୁର୍ମୁ। ତେବେ ୨୦୨୧ରେ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଓଡ଼ିଶାକୁ ଫେରି କୌଣସି ସକ୍ରିୟ ରାଜନୀତିରେ ନ ଥିଲେ। ଆଗରୁ ମୋଦି ଜଣେ ଆଦିବାସୀଙ୍କୁ ରାଷ୍ଟ୍ରପତି କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ଏଥିଯୋଗୁଁ ଅର୍ଜୁନ ମୁଣ୍ଡା ଏବଂ ଜୁଏଲ ଓରାମଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ଥିଲା। ଶେଷରେ ବିଜେପି ଦ୍ରୌପଦୀଙ୍କ ମୁଣ୍ଡରେ ସୁନା କଳସ ଢାଳିଛି। ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ଏକପ୍ରକାର ସ୍ପଷ୍ଟ ହେଉଛି।

Advertisment

ତେବେ ଏନ୍‌ଡିଏ ନାଁ ଘୋଷଣା କରୁ କରୁ କାହିଁକି ନବୀନ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କଲେ? ତାକୁ ନେଇ ଅନେକ ଚର୍ଚ୍ଚା। ନାଁ ଘୋଷଣା ହେଉ ହେଉ ପ୍ରାର୍ଥିତ୍ୱ ସଂପର୍କରେ ମୋଦି ତାଙ୍କ ସହ ପୂର୍ବରୁ ଆଲୋଚନା କରିଥିବା ଦର୍ଶାଇ ଟୁଇଟ୍ କରିଥିଲେ ନବୀନ। ଖାଲି ଏତିକି ନୁହେଁ ଦଳମତ ନିର୍ବିଶେଷରେ ରାଜ୍ୟର ସବୁ ବିଧାୟକ ଦ୍ରୌପଦୀଙ୍କୁ ସମର୍ଥନ କରିବା ପାଇଁ ନବୀନ ଅପିଲ୍ ମଧ୍ୟ କଲେ।

ଏଥିସହ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏବଂ ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲିଙ୍କ ସହ କଥା ହୋଇ ମଧ୍ୟ ସମର୍ଥନ ଭିକ୍ଷା କରିଛନ୍ତି ନବୀନ। ଦ୍ରୌପଦୀଙ୍କ ପାଇଁ ବିଜେପି କାହାକୁ ସମର୍ଥନ ମାଗିବା ପୂର୍ବରୁ ବିଜେଡି ଆଗୁଆ ସମର୍ଥନ ଭିକ୍ଷା କରିଛି। ତାକୁ ନେଇ ଉଠିଛି ପ୍ରଶ୍ନ।

ଦ୍ରୌପଦୀଙ୍କ ନାଁ ଘୋଷଣା ହେଉ ହେଉ ବିଜେଡିର ବରିଷ୍ଠ ନେତା ପ୍ରମିଳା ମଲ୍ଲିକଙ୍କ ଠାରୁ ଆରମ୍ଭ କରି ରାଜା ସ୍ୱାଇଁ ଯାଏଁ, ସମସ୍ତେ ଟୁଇଟ୍ କରି ସମର୍ଥନ ଘୋଷଣା କଲେ। ଏହାପରେ ଅଣ-ଏନ୍‌ଡିଏ ଦଳ ଭାବେ ବିଜେଡିର ଦୁଇ ମନ୍ତ୍ରୀ ଟୁକୁନି ସାହୁ ଏବଂ ଜଗନ୍ନାଥ ସାରକା ଦିଲ୍ଲୀ ଯାଇ ଦ୍ରୌପଦୀ ମୁର୍ମୁଙ୍କ ପ୍ରସ୍ତାବକ ମଧ୍ୟ ସାଜିଲେ। ତେବେ ଏଠାରେ ପ୍ରଶ୍ନ ଉଠୁଛି, ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ବିଜେଡି ଏତେ ସମର୍ଥନ କାହିଁକି। ହୁଏତ ଏହା ଦ୍ୱାରା ବିଜେଡି ଦେଖାଇବାକୁ ଚାହୁଁଛି ଯେ ଦ୍ରୌପଦୀ ଆମର ମଧ୍ୟ ପ୍ରାର୍ଥୀ।

ତା’ଛଡ଼ା, ଆଉ କିଛି ପ୍ରମୁଖ କାରଣ ମଧ୍ୟ ରହିଛି। ଏଭଳି ସମର୍ଥନ ପଛରେ ପ୍ରଥମତଃ ଦ୍ରୌପଦୀ ମୁର୍ମୁ ହେଉଛନ୍ତି ଜଣେ ମହିଳା। ଆଉ ବିଜେଡିର ଶକ୍ତି ହେଉଛନ୍ତି ମହିଳା ଭୋଟ୍‌ ବ୍ୟାଙ୍କ୍‌। ବିଭିନ୍ନ ଉପାୟରେ ଏହି ଭୋଟ୍‌ ବ୍ୟାଙ୍କ୍‌ କିଭଳି ସୁରକ୍ଷିତ ରହିବ ସେନେଇ ବିଜେଡି ସବୁବେଳେ ଯତ୍ନବାନ। ଆମ ରାଜ୍ୟରେ ମହିଳା ଭୋଟର୍‌ଙ୍କ ସଂଖ୍ୟା ରହିଛି ପ୍ରାୟ ୧ କୋଟି ୬୨ ଲକ୍ଷ।

ସେହିପରି ଆଦିବାସୀ ଭୋଟ୍‌ ବ୍ୟାଙ୍କ୍‌। ଏକ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ପ୍ରତି ୫ ଜଣରେ ଜଣେ ହେଉଛନ୍ତି ଆଦିବାସୀ ଭୋଟର୍‌। ଆମ ରାଜ୍ୟର ଜନସଂଖ୍ୟାର ପ୍ରାୟ ୨୨ ପ୍ରତିଶତ ହେଉଛନ୍ତି ଅଦିବାସୀ। ସେହପରି ଆମର ୫ଟି ଲୋକସଭା ଆସନ ଅଦିବାସୀଙ୍କ ପାଇଁ ସଂରକ୍ଷିତ ରହିଛି। ଦ୍ରୌପଦୀ ମୁର୍ମୁ ଆସୁଥିବା ମୟୂରଭଞ୍ଜ ଜିଲ୍ଲାରେ ଅଧିକାଂଶ ଆଦିବାସୀ ଭୋଟର ଅଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିଜେପି ବିଶ୍ୱେଶ୍ୱର ଟୁଡୁଙ୍କୁ କେନ୍ଦ୍ରରେ ମନ୍ତ୍ରୀ ମଧ୍ୟ କରିଛି। ଯଦି ନବୀନ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ନ କରନ୍ତେ ହୁଏତ ପାର୍ଟିର ମହିଳା ଏବଂ ଆଦିବାସୀ ଭୋଟ୍‌ ବ୍ୟାଙ୍କ୍‌ ଉପରେ ଏହାର ପ୍ରଭାବ ପଡ଼ନ୍ତା। ଏଥିପାଇଁ ହୁଏତ ବିଜେଡି ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ବାଧ୍ୟ ହୋଇଥାଇପାରେ।

ତେବେ ସତରେ କ’ଣ ବିଜେଡିର ବିନା ସମର୍ଥନରେ ଦ୍ରୌପଦୀ ମୁର୍ମୁ ଜିତିବା ସମ୍ଭବପର ନୁହେଁ। ପ୍ରଥମ ଥର ପାଇଁ ମୋଦି ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ବିଭିନ୍ନ ଦଳର ନେତାମାନେ ଆଦିବାସୀ ଏବଂ ମହିଳା ଭୋଟ୍‌ ବ୍ୟାଙ୍କ୍‌କୁ ନଜର ରଖି ନିଷ୍ପତ୍ତି ନେବାକୁ ବାଧ୍ୟ ହେଉଛନ୍ତି। ଏପରିକି ମମତା ବାନର୍ଜୀ ମଧ୍ୟ କହିଛନ୍ତି, ଯଦି ବିଜେପି ଏ ସମ୍ପର୍କରେ ଆଗରୁ କହିଥାନ୍ତା ତେବେ ସେ ବିଚାର କରିଥାନ୍ତେ। ଦ୍ରୌପଦୀ ମୁର୍ମୁଙ୍କୁ ବିଜୟୀ କରିବା ପାଇଁ ବିଜେଡି ଏବଂ ୱାଇଏସ୍ଆର୍‌ କଂଗ୍ରେସର ସମର୍ଥନ ଆବଶ୍ୟକ ଥିଲା।

ଯଦି ବିଜେଡି ସମର୍ଥନ କରି ନ ଥାନ୍ତା ତେବେ ୱାଇଏସ୍ଆର୍‌ କଂଗ୍ରେସ ସମର୍ଥନରେ ଦ୍ରୌପଦୀ ମୁର୍ମୁ ଜିତି ଯାଇପାରିଥାନ୍ତେ। ବର୍ତ୍ତମାନ ଦ୍ରୌପଦୀ ମୁର୍ମୁଙ୍କୁ ଶିରୋମଣି ଅକାଳି ଦଳ, ବିଏସ୍‌ପି ମଧ୍ୟ ସମର୍ଥନ ଘୋଷଣା କରିଛନ୍ତି। ସେହିପରି ବର୍ତ୍ତମାନ ମହାରାଷ୍ଟ୍ରରେ ବିଜେପି ଏବଂ ଶିବସେନା ମେଣ୍ଟ ସରକାର ଗଠନ କରିଛି। ରାଷ୍ଟ୍ରପତି ନିର୍ବାଚନର ସଂଖ୍ୟା ଗଣିତରେ ଏହା ଏନ୍‌ଡିଏର ପ୍ରାର୍ଥୀଙ୍କ ନମ୍ବର ବଢାଇ ଦେଇଛି। ସେହିପରି ଆଗରୁ ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିବା ଦ୍ରୌପଦୀ ମୁର୍ମୁ ଶିବୁ ସୋରେନ ଏବଂ ହେମନ୍ତ ସୋରେନଙ୍କୁ ଭେଟିଛନ୍ତି।

ତେବେ ଜେଏମ୍ଏମ୍ ଦ୍ରୌପଦୀଙ୍କୁ ସମର୍ଥନ ଦେଇପାରେ ବୋଲି ଚର୍ଚ୍ଚା ହେଉଛି। ଏତେ ସମର୍ଥନ ପରେ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଏକ ପ୍ରକାର ସୁନିଶ୍ଚିତ ହୋଇସାରିଥିବା ବେଳେ ରାଜ୍ୟରେ ବିଜେପି ଅପେକ୍ଷା ବିଜେଡିର ଏହି କ୍ୟାମ୍ପେନିଂର ଅର୍ଥ କ’ଣ ତାକୁ ନେଇ ଚର୍ଚ୍ଚା ଯୋର ଧରିଛି।

BJP Biju Janata Dal Draupadi Murmu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ