ବର୍ତ୍ତମାନ ଚର୍ଚ୍ଚାରେ ଶ୍ରୀଲଙ୍କାର ଅବସ୍ଥା । ରାନିଲ୍ ବିକ୍ରମସିଙ୍ଘେ ଦେଶର ନୂତନ ରାଷ୍ଟ୍ରପତି । ତେବେ ଲଙ୍କାବାସୀ ଏହାକୁ କିଭଳି ଗ୍ରହଣ କରୁଛନ୍ତି, ଦେଶର ପରିସ୍ଥିତିରେ କେତେ ଉନ୍ନତି ଘଟୁଛି, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ । ତେବେ ଏଠି ପ୍ରଶ୍ନ ଉଠୁଛି, ଲଙ୍କାରେ ଏଭଳି ପରିସ୍ଥିତି କାହିଁକି ସୃଷ୍ଟି ହେଲା ? ଏଥିପାଇଁ ଦାୟୀ କିଏ ? ଏବେ ସାରା ବିଶ୍ୱରେ ଚର୍ଚ୍ଚା ଶ୍ରୀଲଙ୍କା ପରେ କାହା ପାଳି ? କିଏ ଭୋଗିବ ଶ୍ରୀଲଙ୍କା ଦଶା ।
କୋଭିଡ ପରିସ୍ଥିତି ଏବଂ ଋଷ-ୟୁକ୍ରେନ ଯୁଦ୍ଧର ପରିଣାମ ବର୍ତ୍ତମାନ ବିଶ୍ୱର ଛୋଟ ଛୋଟ ରାଷ୍ଟ୍ରମାନଙ୍କୁ ଭୋଗିବାକୁ ପଡୁଛି । ଏହାଛଡ଼ା ଚୀନର ଅତ୍ୟଧିକ ଋଣଭାରର ପ୍ରଭାବ ଛୋଟ ଦେଶଗୁଡିକୁ ଭୟାନକ ଆର୍ଥିକ ସଂକଟ ଆଡକୁ ଠେଲି ଦେଇଛି । ତେବେ ଭାରତରେ ଏହାର ପ୍ରଭାବ କଣ ପଡିବ ତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । କେତେକ ଭାରତର ଅବସ୍ଥା ମଧ୍ୟ ଶ୍ରୀଲଙ୍କା ଭଳି ହେବ ବୋଲି କହୁଥିବା ବେଳେ ଆଉ କେତକ ଅର୍ଥନୀତିଜ୍ଞ ଏହାକୁ ଖଣ୍ଡନ କରିଛନ୍ତି । ଭାରତରେ ଶ୍ରୀଲଙ୍କା ଭଳି ପରିସ୍ଥିତି ସୃଷ୍ଟି ହେବା ବେଳକୁ ବହୁତ ବଡ଼ବଡ଼ ଦେଶ ଡୁବି ସାରିଥିବେ ବୋଲି ବିଶେଷଜ୍ଞ ମତ ରଖିଛନ୍ତି ।
Also Read
ଶ୍ରୀଲଙ୍କାର ଏଭଳି ପରିସ୍ଥିତି କାହିଁକି ହେଲା, ଏଥିପାଇଁ ଦାୟୀ କିଏ ?
୧-ପରିବାରବାଦ:
ଶ୍ରୀଲଙ୍କା ପତନର ଏକ କାରଣ ହେଉଛି ପରିବାରବାଦ । ରାଜପାକସେ ପରିବାର ହାତରେ କ୍ଷମତା ଠୁଳ ହୋଇ ରହିବା । ମହିନ୍ଦା ରାଜପାକସେଙ୍କ ପରେ କ୍ଷମତା ଆସିଥିଲା ଗୋଟାବାୟା ରାଜପାକସେଙ୍କ ପାଖକୁ । ଗୋଟାବାୟାଙ୍କ ସରକାରରେ ତାଙ୍କ ଭାଇ ଚମାଲ ରାଜପାକସେ ଜଳସେଚନ ମନ୍ତ୍ରୀ ଥିବା ବେଳେ ଅନ୍ୟ ଜଣେ ଭାଇ ବାସିଲ୍ ଥିଲେ ଅର୍ଥମନ୍ତ୍ରୀ । ସେହିପରି ଚମାଲଙ୍କ ପୁଅ ଶଶୀନ୍ଦ୍ର ଥିଲେ କୃଷିମନ୍ତ୍ରୀ । ମହିନ୍ଦାଙ୍କ ଗୋଟିଏ ପୁଅ ନମାଲ କ୍ରୀଡାମନ୍ତ୍ରୀ ଥିବା ବେଳେ ତାଙ୍କ ଅନ୍ୟ ଜଣେ ପୁଅ ୟୋସିଥା ଥିଲେ ପିଏମ୍ ଚିଫ୍ ଅଫ୍ ଷ୍ଟାପ୍ ।
୨-ଚୀନ ଋଣ:
ଆଜି ଶ୍ରୀଲଙ୍କାର ଆର୍ଥିକ ପରିସ୍ଥିତିର ଦୂରାବସ୍ଥା ପଛରେ ରହିଛି ଚୀନର ଋଣ । ଚୀନ ଶ୍ରୀଲଙ୍କାରେ ହେଉଥିବା ଭିତ୍ତିଭୂମି ପ୍ରକଳ୍ପ ପାଇଁ ଆବଶ୍ୟକତାଠାରୁ ଅଧିକ ପୁଞ୍ଜି ଦେଉଥିଲା । ବନ୍ଦର, କ୍ରିକେଟ୍ ଷ୍ଟାଡିୟମ ଏବଂ ହସ୍ପିଟାଲ ନିର୍ମାଣରେ ଚୀନ ପୁଞ୍ଜି ଖଟାଇଥିଲା । ଗୋଟିଏ କାମ ପାଇଁ ୧ ଟଙ୍କା ଆବଶ୍ୟକ ହେଉଥିବା ବେଳେ ସେଠାରେ ଚୀନ ୫ ଟଙ୍କା ଯାଏଁ ଦେଉଥିଲା । ଏହାଫଳରେ ବାକି ୪ ଟଙ୍କା ରାଜପାକସେ ପରିବାର ପାଖକୁ ଯାଉଥିଲା । ଯାହାଫଳରେ ଏହି ପରିବାର ଧନୀ ହେଉଥିବା ବେଳେ ଋଣ ଭାରରେ ବୁଡିଯାଇଥିଲା ଶ୍ରୀଲଙ୍କା । ବର୍ତ୍ତମାନ ଆଇଏମ୍ଏଫ ଏବଂ ବିଶ୍ୱ ସମୁଦାୟ, ଚୀନ କେତେ ଋଣ ଦେଇଛି ତାହା ସର୍ବ ସାଧାରଣରେ ପ୍ରକାଶ କରୁ ବୋଲି ଦାବି କରୁଥିଲେ ମଧ୍ୟ ତାହା ଚୀନ କରୁନାହିଁ ।
୩-କରୋନା ପ୍ରଭାବ:
ବିଶ୍ୱ ମହାମାରୀର ପ୍ରଭାବ ପଡିଥିଲା ଶ୍ରୀଲଙ୍କାର ଆର୍ଥିକ ପରିସ୍ଥିତି ଉପରେ । କୋଭିଡ୍ ଯୋଗୁଁ ଶ୍ରୀଲଙ୍କାର ପର୍ଯ୍ୟଟନ ଶିଳ୍ପ ବିଶେଷ ଭାବେ ପ୍ରଭାବିତ ହେଲା । ୨ ରୁ ୩ ବର୍ଷ ଯାଏଁ ଏହି ଶିଳ୍ପ ପ୍ରଭାବିତ ହେବା ଯୋଗୁଁ ଶ୍ରୀଲଙ୍କା ପାଖରେ ବିଦେଶୀ ମୁଦ୍ରା ଭଣ୍ଡାର ହ୍ରାସ ପାଇବାରେ ଲାଗିଲା । ଯାହାଫଳରେ ଅନ୍ୟଦେଶରୁ ଶ୍ରୀଲଙ୍କା କୌଣସି ସାମଗ୍ରୀ ଆମଦାନୀ କରିବାରେ ସକ୍ଷମ ହୋଇପାରୁନି । ସେପଟେ ଲୋକପ୍ରିୟତା ହାସଲ କରିବା ପାଇଁ ଗୋଟାବାୟା ସରକାର ଅନେକ କ୍ଷେତ୍ରରେ ଋଣଛାଡ କରିଥିଲେ । ଯାହାର ସିଧା ପ୍ରଭାବ ପଡିଲା ରାଜକୋଷ ଉପରେ ।
୪-ଫର୍ଟିଲାଇଜର ଆମଦାନୀ ବନ୍ଦ:
ଶ୍ରୀଲଙ୍କା ସରକାର ନିଷ୍ପତ୍ତି ନେଲେ ଅର୍ଗାନିକ୍ ଫାର୍ମିଂ କରିବା ପାଇଁ । ଏଥିଯୋଗୁଁ ବାହାର ଦେଶରୁ ସାର ଆମଦାନୀ ବନ୍ଦ କରିଦେଲେ । ଏହାଫଳରେ ଖାଦ୍ୟ ଶସ୍ୟ ଉତ୍ପାଦନ ଉପରେ ଏହାର ବିଶେଷ ଭାବେ ପ୍ରଭାବ ପଡିଲା । ଚାଷୀମାନେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇଲେ । ଉତ୍ପାଦନ ହ୍ରାସ ପାଇଥିବା ଯୋଗୁଁ ଶ୍ରୀଲଙ୍କାରେ ଖାଦ୍ୟ ସାମଗ୍ରୀର ଦର ଆକାଶ ଛୁଆଁ ହୋଇଛି ।
୫-ଋଷ ୟୁକ୍ରେନ୍ ଯୁଦ୍ଧ:
ଶ୍ରୀଲଙ୍କା ଭଳି ବହୁତ ଛୋଟ ବଡ଼ ଦେଶ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି । ବିଶ୍ୱ ତୈଳ ବଜାରରେ ବର୍ତ୍ତମାନ ଅଶୋଧିତ ତୈଳ ଦର ବୃଦ୍ଧି ପାଇଥିବା ଯୋଗୁଁ ଛୋଟ ରାଷ୍ଟ୍ରଗୁଡିକ ଏତେ ପଇସା ଦେଇ କିଣିବା ସମ୍ଭବପର ହେଉନାହିଁ । ବିଶେଷକରି ଶ୍ରୀଲଙ୍କାରେ ବିଦେଶୀ ମୁଦ୍ରା ଭଣ୍ଡାର ଖାଲି ହୋଇଯାଇଥିବା ଯୋଗୁଁ ତେଲ ଏବଂ ଗ୍ୟାସ ଆମଦାନୀ କରିବା କଷ୍ଟକର ହେଉଛି । ଏଥିପାଇଁ ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସ ଦର ବୃଦ୍ଧି ପାଇଛି । ପେଟ୍ରୋଲ ପମ୍ପ ଏବଂ ଗ୍ୟାସ ସିଲିଣ୍ଡର ପାଇବା ପାଇଁ ଲୋକଙ୍କ ଲମ୍ବା ଲାଇନ୍ ଏବେ ବି କମି ନାହିଁ ।
ଶ୍ରୀଲଙ୍କା ପରେ କାହା ପାଳି?
ପାକିସ୍ତାନ:
ଶ୍ରୀଲଙ୍କା ଭଳି ପାକିସ୍ତାନରେ ମଧ୍ୟ ଚୀନ ଅଧିକ ପୁଞ୍ଜି ନିବେଶ କରିଛି । ପାକିସ୍ତାନରେ ହେଉଥିବା ଅର୍ଥନୈତିକ କରିଡରରେ ୮୦ ପ୍ରତିଶତ ପୁଞ୍ଜି ନିବେଶ କରିଛି ଚୀନ । ନିଜସ୍ୱ ଠିକା ସଂସ୍ଥା ଦ୍ୱାରା ଚୀନ ପ୍ରକଳ୍ପ କାମ କରୁଛି । ସେହିପରି ଏହି ଦେଶରେ ଭାରତଠାରୁ ମଧ୍ୟ ଖାଦ୍ୟ ସାମଗ୍ରୀର ଦରଦାମ, ତୈଳ ଦର ଢେରଗୁଣା ଅଧିକ ରହିଛି । ଶ୍ରୀଲଙ୍କା ଭଳି ପାକିସ୍ତାନରେ ମଧ୍ୟ ରାଜନୈତିକ ଅସ୍ଥିରତା ଲାଗି ରହିଛି । ଇମ୍ରାନ ଖାନଙ୍କ ପରେ ଏବେ ପାକିସ୍ତାନର ଦାୟିତ୍ୱ ସମ୍ଭାଳିଛନ୍ତି ସେହେବାଜ ସରିଫ୍ । ତେବେ ପାକିସ୍ତାନର ବର୍ତ୍ତମାନ ରାଜନୈତିକ ନେତୃତ୍ୱ, ଶ୍ରୀଲଙ୍କା ଭଳି ପରିସ୍ଥିତି ଉପୁଜିଲେ ସଂକଟକୁ କେମିତି ସାମନା କରୁଛନ୍ତି ତାହା ଦେଖିବା କଥା ।
ନେପାଳ:
ଭାରତର ଘନିଷ୍ଠ ସହଯୋଗୀ ନେପାଳ ଉପରେ ଏବେ ଚୀନର ଆଖି । ଏକ ରିପୋର୍ଟ ଅନୁଯାୟୀ ନେପାଳରେ ପ୍ରାୟ ୯୦ ପ୍ରତିଶତ ଏଫଡିଆଇ କେବଳ ଚୀନର । ଚୀନ ଏଠାରେ ସଡ଼କ, ରେଳପଥ, ସ୍କୁଲ ଆଦି ପ୍ରକଳ୍ପରେ ପୁଞ୍ଜିନିବେଶ କରୁଛି । ଏପରିକି ଚୀନ ଶିକ୍ଷକ ପଠାଇ ଏଠାରେ ପିଲାଙ୍କୁ ମାଣ୍ଡାରିନ୍ ପଢାଉଛି । ତେବେ ଶ୍ରୀଲଙ୍କା ଭଳି ନେପାଳରେ ଯଦି ସଂକଟ ସୃଷ୍ଟି ହୁଏ ତେବେ ନେପାଳର ରାଜନେତାମାନେ ଏହାକୁ ସାମନା କରିବାରେ ସକ୍ଷମ ହେବେନି । ଅତି ସହଜରେ ତାସ୍ର ପତା ଭଳି ଢଳିଯିବ ନେପାଳ ।
ଭାରତ:
ତେବେ ଆମ ପଡୋଶୀ ଦେଶମାନଙ୍କଠାରୁ ଆମର ପରିସ୍ଥିତି ଢେର ଗୁଣା ଭଲ ଅଛି । ଜାତିସଂଘର ରିପୋର୍ଟ ଅନୁଯାୟୀ ୨୦୨୨ରେ ଭାରତ ବର୍ତ୍ତମାନ ୬.୪ ପ୍ରତିଶତ ଅଭିବୃଦ୍ଧି ଲକ୍ଷ୍ୟ ରଖିଛି । ୨୦୨୩ ଆର୍ଥିକ ବର୍ଷରେ ଭାରତ ୮.୨ ପ୍ରତିଶତ ଅଭିବୃଦ୍ଧି ଲକ୍ଷ୍ୟ ହାସଲ କରିବ ବୋଲି ଆଇଏମ୍ଏଫ୍ ଆକଳନ କରିଛି । ବିଶ୍ୱ ଆର୍ଥିକ ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖି ଭାରତ ନିରନ୍ତର ଆର୍ଥିକ ସଂସ୍କାର ଜାରି ରଖିଛି । ଇନଫ୍ଲେସନକୁ ଦୃଷ୍ଟିରେ ରଖି ଆରବିଆଇ ରେପୋରେଟ୍ ବଢାଇଛି ।
ଆମ ଦେଶରେ ବର୍ତ୍ତମାନ ବିଭିନ୍ନ ସାମଗ୍ରୀରେ ଦରଦାମ ବୃଦ୍ଧି ପାଇଥିଲେ ମଧ୍ୟ ପଡୋଶୀ ଦେଶ ତୁଳନାରେ କମ ରହିଛି । ଅନ୍ୟ ଦେଶ ତୁଳନାରେ ଭାରତ ସବୁବେଳ ବିଦେଶୀ ପୁଞ୍ଜିନିବେଶକାରୀଙ୍କ ପାଇଁ ପ୍ରଥମ ପସନ୍ଦ ପାଲଟିଛି । କୋଭିଡ ସମୟରେ ମଧ୍ୟ ଆମ ଦେଶରେ ବିଦେଶୀ ପୁଞ୍ଜି ନିବେଶ ପରିମାଣ ହ୍ରାସ ପାଇନି । ତେବେ ଅନ୍ୟ ଦେଶ ତୁଳନାରେ ଆମ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ଅଧିକ ରହିଛି ।
ଅନ୍ୟପଟେ ଭାରତରେ ରାଜ୍ୟ ଗୁଡିକର ନିଜସ୍ୱ ଆୟ ରହିଛି । ଗୋଟିଏ ରାଜ୍ୟ ଆର୍ଥିକ ସଂକଟର ସାମନା କରୁଥିବା ବେଳେ କେନ୍ଦ୍ର ନିଜ ଆଡୁ ଏହାର ଭରଣା କରିବାରେ ସକ୍ଷମ ହେଉଛି । ତେବେ କୋଭିଡ ପରେ ବିଶ୍ୱର ପ୍ରାୟ ସବୁ ଦେଶର ଆର୍ଥିକ ଅବସ୍ଥା ବିଶେଷ ଭାବେ ପ୍ରଭାବିତ ହୋଇଛି । ଏଥିରୁ ଭାରତ ବା ବାଦ୍ ପଡନ୍ତା କିପରି ? ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେଉଛି । ଯାହାକି ଭାରତ ଅର୍ଥନୀତି ପାଇଁ ଆଗକୁ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ।
ବର୍ତ୍ତମାନ ଶ୍ରୀଲଙ୍କାର ଆଶା ଭରସା ହେଉଛି ଆଇଏମ୍ଏଫ । ତେବେ ବିକ୍ରମାସିଙ୍ଘେ ସରକାର ଲଙ୍କାକୁ ଏହି ଜଟିଳ ପରିସ୍ଥିତିରୁ କେତେ ଶୀଘ୍ର ଉଦ୍ଧାର କରୁଛି । ଆଇଏମଏଫ ତାଙ୍କ ଉପରେ କେତେ ଭରସା କରି ଆର୍ଥିକ ସଙ୍କଟ ଦୂର କରୁଛି, ତାହା ଉପରେ ସମସ୍ତଙ୍କ ନଜର ।