Advertisment

ଟେଷ୍ଟ୍‌ରେ କେବେ ଫର୍ମକୁ ଫେରିବେ ‘ରନ୍ ମେସିନ୍’ ବିରାଟ

ଟେଷ୍ଟ କ୍ରିକେଟର୍ ଅଭିଜ୍ଞ ବ୍ୟାଟର୍ ବିରାଟ କୋହଲିଙ୍କ ନୈରାଶ୍ୟଜନକ ଫର୍ମକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଟିମ୍ ଇଣ୍ଡିଆ ପାଇଁ ଏହା ଚିନ୍ତାର ବିଷୟ ହୋଇଛି। ଘରୋଇ ମାଟିରେ ତ ସେ ବାରମ୍ବାର ବିଫଳ ହେଉଛନ୍ତି, ବିଦେଶରେ ହେବାକୁ ଥିବା ବିଶ୍ୱ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍ ଫାଇନାଲ୍‌ରେ ତାଙ୍କ ଠାରୁ ଟିମ୍ (ଯଦି ଯୋଗ୍ୟତା ହାସଲ କରେ) କ’ଣ ଆଶା କରିବ?

ଅଦ୍ୟତନ ହୋଇଛି
When Virat Kohli return to form in Tests

When Virat Kohli return to form in Tests

Advertisment

‘ରନ୍ ମେସିନ୍’ ଭାବେ ଆଖ୍ୟାୟିତ ବିରାଟ କୋହଲିଙ୍କ ଫର୍ମ ଭାରତୀୟ କ୍ରିକେଟ୍ ପାଇଁ ଖୁବ୍ ଗୁରୁତ୍ୱ ରଖେ, ତାହା ସୀମିତ ଓଭର୍ ଫର୍ମାଟ୍ ହେଉ ବା ଟେଷ୍ଟ୍‌। ଗତ କିଛି ବର୍ଷ ହେଲା ବିରାଟ ଆଶାଜନକ ପ୍ରଦର୍ଶନ କରିପାରୁ ନାହାନ୍ତି। ଅବଶ୍ୟ ସେ ଦିନିକିଆ ଓ ଟି-୨୦ ଫର୍ମାଟ୍‌ରେ ଫର୍ମ ଫେରିପାଇଲେଣି; କିନ୍ତୁ ଟେଷ୍ଟ୍‌ କ୍ରିକେଟ୍‌ରେ ସେ ରନ୍ ପାଇଁ ସଂଘର୍ଷ କରୁଛନ୍ତି।

Advertisment

କେତେକ ପୂର୍ବତନ କ୍ରିକେଟର୍ ବିରାଟଙ୍କ ଫର୍ମକୁ ପ୍ରତ୍ୟାବର୍ତ୍ତନ ନେଇ ଆଶାବାଦୀ ଅଛନ୍ତି; ହେଲେ ‘ରନ୍ ମେସିନ୍’ ରନ୍ ନ କରିବା ଦ୍ୱାରା ଟିମ୍‌କୁ ଯେଉଁ କ୍ଷତି ସହିବାକୁ ପଡ଼ୁଛି, ତାହାର ଭରଣା କିପରି ହେବ? ଘରୋଇ ମାଟିରେ ତ ସେ ବାରମ୍ବାର ବିଫଳ ହେଉଛନ୍ତି, ବିଦେଶରେ ହେବାକୁ ଥିବା ବିଶ୍ୱ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍ ଫାଇନାଲ୍‌ରେ ତାଙ୍କ ଠାରୁ ଟିମ୍ (ଯଦି ଯୋଗ୍ୟତା ହାସଲ କରେ) କ’ଣ ଆଶା କରିବ?

ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫି ଚାଲିଛି। ଚାରି ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ପ୍ରଥମ ମ୍ୟାଚ୍‌ରେ ଭାରତ ଇନିଂସ୍ ଓ ୧୩୨ ରନ୍‌ରେ ଅଷ୍ଟ୍ରେଲିଆକୁ ହରାଇଥିଲା। ଏହି ମ୍ୟାଚ୍‌ରେ ଭାରତ ପକ୍ଷରୁ ଅଧିକାଂଶ ଖେଳାଳି ଭଲ ପ୍ରଦର୍ଶନ କରିଥିଲେ; କିନ୍ତୁ ବିରାଟଙ୍କ ବ୍ୟାଟ୍ ଚାଲିଲାନି। ସେ ୨୬ ବଲ୍‌ରେ ମାତ୍ର ୧୨ ରନ୍‌ର ଇନିଂସ୍ ଖେଳିଥିଲେ।

Advertisment

ବିରାଟ ପ୍ରଥମ ତିନି ଟେଷ୍ଟ୍‌ରେ ପାଞ୍ଚ ଇନିଂସ୍ ଖେଳି ମାତ୍ର ୧୧୧ ରନ୍ ସଂଗ୍ରହ କରିଛନ୍ତି। ସେ ନିଜ ପୂର୍ବ ୧୫ ଇନିଂସ୍‌ରେ ଗୋଟିଏ ବି ଅର୍ଦ୍ଧଶତକ ଲଗାଇପାରି ନାହାନ୍ତି।

ତଥାପି ସମାଲୋଚନା କରି ନାହାନ୍ତି ପଣ୍ଟିଂ, ହେଡେନ୍:

ପୂର୍ବତନ ଅଧିନାୟକ ବିରାଟ ଏବେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିରେ ଏ ଯାବତ ନିଜ ଛାପ ଛାଡ଼ିବାରେ ବିଫଳ ହୋଇଛନ୍ତି। ଏହି ଘରୋଇ ସିରିଜ୍ ଭାରତ ପାଇଁ ବହୁତ ଗୁରୁତ୍ୱ ରଖୁଥିବା ବେଳେ କୋହଲିଙ୍କ ବିଫଳତା ଟିମ୍‌ର ବ୍ୟାଟିଂ ପ୍ରଦର୍ଶନକୁ ପ୍ରଭାବିତ କରିଛି।

Advertisment

ଏହି ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ବିରାଟଙ୍କୁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଛି। ପୂର୍ବତନ ଅଷ୍ଟ୍ରେଲୀୟ ଓପନର୍ ମାର୍କ ୱ’ କଟାକ୍ଷ କରି କହିଛନ୍ତି ଯେ ସେ ବିଶ୍ୱାସ କରିପାରୁ ନାହାନ୍ତି, ଏହି ସ୍ତରର ଜଣେ ଖେଳାଳି ଟେଷ୍ଟ୍‌ରେ ଏତେ ଦିନ (ଶେଷ ୪୧ ଇନିଂସ୍) ହେଲା ଶତକ ଲଗାଇ ନାହାନ୍ତି।

କିନ୍ତୁ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଓ ପୂର୍ବତନ ଓପନର୍ ମାଥ୍ୟୁ ହେଡେନ୍ ଏହି ଭାରତୀୟ ବ୍ୟାଟରଙ୍କୁ ସମାଲୋଚନା କରି ନାହାନ୍ତି।

ପଣ୍ଟିଂଙ୍କ ବିଚାରରେ ବିରାଟ ଚାମ୍ପିଅନ୍ ଖେଳାଳି, ସେ ଫର୍ମକୁ ଫେରିବେ। ଆଇସିସି ରିଭ୍ୟୁରେ ପଣ୍ଟିଂ କହିଛନ୍ତି, “ବିରାଟଙ୍କ ପାଇଁ ମୁଁ ବାରମ୍ବାର କହିଛି ଯେ ଚାମ୍ପିଅନ୍ ଖେଳାଳି ସବୁବେଳେ ଏକ ବାଟର ସନ୍ଧାନ କରିଥାଏ। ସେ ଏବେ ରନ୍ କରିପାରୁ ନାହାନ୍ତି, ଯାହା ଆମେ ସମସ୍ତେ ତାଙ୍କ ଠାରୁ ଆଶା କରୁଛୁ। ତେବେ ସେ ନିଜେ ବି ଏ କଥା ଜାଣନ୍ତି। ଯେତେବେଳେ ଆପଣ ବ୍ୟାଟର୍ ହୋଇଥା’ନ୍ତି, ସଂଘର୍ଷ କରୁଥା’ନ୍ତି, ରନ୍ କରିପାରୁ ନ ଥା’ନ୍ତି, ସେତେବେଳେ ଆପଣ ନିଜେ ସେ ବିଷୟରେ ଭଲ ଭାବେ ଜାଣନ୍ତି। ମୋର ଏହାକୁ ନେଇ ଚିନ୍ତା ନାହିଁ, କାରଣ ମୋର ବିଶ୍ୱାସ ଅଛି ଯେ ସେ ପ୍ରତ୍ୟାବର୍ତ୍ତନ କରିବେ।”

ଅଷ୍ଟ୍ରେଲିଆର ସଫଳ ଅଧିନାୟକଙ୍କ ମଧ୍ୟରେ ପରିଗଣିତ ପଣ୍ଟିଂଙ୍କ କହିବାନୁଯାୟୀ, ସେ ଏହି ସିରିଜ୍‌ରେ କାହାର ଫର୍ମ ବିଷୟରେ ଭାବୁ ନାହାନ୍ତି। ବ୍ୟାଟର୍‌ଙ୍କ ପାଇଁ ଏହି ସିରିଜ୍ କଠିନ ରହିଆସିଛି। ଏହା କେବଳ ଟର୍ଣ୍ଣ ଯୋଗୁଁ ନୁହେଁ, ଅସମାନ ବାଉନ୍ସ ଯୋଗୁଁ ମଧ୍ୟ, ଯାହା ଫଳରେ ଆପଣଙ୍କର ପିଚ୍ ଉପରୁ ଭରସା ଉଠିଯାଏ।

ସେହିପରି ହେଡେନ୍ କହିଛନ୍ତି ଯେ ବିରାଟଙ୍କ ଟେକ୍ନିକ୍‌ରେ କୌଣସି ତ୍ରୁଟି ନାହିଁ। ଯଦି ଆପଣ କ୍ୟାରିଅର୍‌ର ସେହି ସୋପାନରେ ପହଞ୍ଚିଯାଆନ୍ତି, ଯେଉଁଠି ବିରାଟ ପହଞ୍ଚିଛନ୍ତି, ତା’ହେଲେ ବେଳେବେଳେ ଫୋକସ୍ କରିବାରେ ସମସ୍ୟା ହୁଏ। ସମସ୍ତେ ଜାଣିଛନ୍ତି ଯେ ବିରାଟ କ’ଣ ହାସଲ କରିଛନ୍ତି। ତାଙ୍କ ପାଖରେ ଯଥେଷ୍ଟ ଶକ୍ତି ରହିଛି। ଆପଣ ଟିମ୍‌ରେ ତାଙ୍କ ପାଇଁ ପ୍ରଶଂସାକୁ ଦେଖିପାରିବେ।

୨୦୨୦ ଠାରୁ ଟେଷ୍ଟ୍‌ରେ ଶତକ ଲଗାଇ ନାହାନ୍ତି ବିରାଟ:

୨୦୨୦ ଠାରୁ ବିରାଟ ୨୩ ଟେଷ୍ଟ୍‌ର ୪୧ ଇନିଂସ୍ ଖେଳି ୨୫.୭୦ ଆଭରେଜ୍ ୧୦୨୮ ରନ୍ କରିଛନ୍ତି। ଏହି ସମୟରେ ସେ କୌଣସି ଶତକ ହାସଲ କରିପାରିରି ନ ଥିବା ବେଳେ ଛଅ ଅର୍ଦ୍ଧଶତକ ଲଗାଇଛନ୍ତି।

ଗତ ବର୍ଷ ଏସିଆ କପ୍ ସମୟରେ ଆଫଗାନିସ୍ତାନ ବିପକ୍ଷରେ କ୍ୟାରିଅର୍‌ର ପ୍ରଥମ ଟି-୨୦ ଶତକ ହାସଲ କରି ବିରାଟ ହ୍ୱାଇଟ୍-ବଲ୍ କ୍ରିକେଟ୍‌ରେ ଫର୍ମକୁ ଫେରିଥିଲେ। ଏହା ସହିତ ଆନ୍ତର୍ଜାତିକ ଶତକ ପାଇଁ ତାଙ୍କର ପ୍ରାୟ ଚାରି ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଥିଲା। ଏହାପରେ ସେ ଦିନିକିଆରେ ମଧ୍ୟ ଶତକ ଲଗାଇଥିଲେ। କିନ୍ତୁ ଟେଷ୍ଟ୍‌ରେ ସେ ଫର୍ମକୁ ଫେରିପାରି ନାହାନ୍ତି। ସେ ବିଶେଷକରି ସ୍ପିନର୍‌ଙ୍କ ବିପକ୍ଷରେ ବାରମ୍ବାର ବିଫଳ ହେଉଛନ୍ତି।

ଆନ୍ତର୍ଜାତିକ କ୍ରିକେଟ୍‌ରେ ୨୫,୦୦୦ରୁ ଅଧିକ ରନ୍ କରିଥିବା ବିରାଟ ବିଶ୍ୱର ଶ୍ରେଷ୍ଠ ବ୍ୟାଟରଙ୍କ ମଧ୍ୟରେ ପରିଗଣିତ ହୁଅନ୍ତି। ସେ ବଡ଼ ଖେଳାଳି। ଟେଷ୍ଟ୍‌ରେ ସେ ୮,୦୦୦ରୁ ଅଧିକ ରନ୍ କରିଛନ୍ତି। ସୀମିତ ଓଭର୍ ଭଳି ଟେଷ୍ଟ୍‌ରେ ବି ସେ ଶୀଘ୍ର ଫର୍ମକୁ ଫେରିବେ ବୋଲି ସମସ୍ତଙ୍କ ଆଶା ଅଛି। ଏହାଛଡ଼ା ଇଂଲଣ୍ଡରେ ହେବାକୁ ଥିବା ବିଶ୍ୱ ଟେଷ୍ଟ୍‌ ଚାମ୍ପିଅନସିପ୍ ଫାଇନାଲ୍ ପାଇଁ ଯୋଗ୍ୟତା ହାସଲ କରିବା ସ୍ଥଳେ ଟିମ୍‌ର ସେ ସବୁଠାରୁ ବଡ଼ ଆଶା ହେବେ - ଏ କଥା ଟିମ୍ ଜାଣେ, ଖୋଦ୍ ବିରାଟ ବି ଜାଣନ୍ତି।

ଇମେଲ୍: biswasports@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Virat Kohli Test Match
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ