ପରମ୍ପରାର ଅଭିଭାବକ ଭିଭିଆନା; ଆକର୍ଷଣ କରୁଛି ତାଙ୍କର ଏହି କଳା

୭୫ ବର୍ଷୀୟା ଭିଭିଆନା ଏକ ନିଆରା କ୍ୟାଣ୍ଡେଲ୍ ଚିତ୍ରକଳାର ପଥପ୍ରଦର୍ଶିକା। ସେ ଏଇ କଳା କ୍ଷେତ୍ରରେ ଜଣେ ଅଭିଭାବକଙ୍କ ଦାୟିତ୍ଵ ମଧ୍ୟ ତୁଲାଇଥା'ନ୍ତି। ଗୋଟିଏ ପ୍ରାଚୀନ ବିବାହ ରୀତିନୀତିରୁ ଆରମ୍ଭ ହୋଇଥିବା ମହମବତୀ ତିଆରିର ଏଇ ଚିତ୍ରକଳା କେବଳ ଭିଭିଆନା ବା ତାଙ୍କ ପରିବାରର ଜୀବନ-ଜୀବିକା ସାଜିନି ବରଂ ନିଜ ସୌନ୍ଦର୍ଯ୍ୟରେ ତାଙ୍କ ସହରକୁ ଏକ ଦର୍ଶନୀୟସ୍ଥଳରେ ପରିଣତ କରିଦେଇଛି।

ପରମ୍ପରାର ଅଭିଭାବକ ଭିଭିଆନା

ଟିଓ ଟିଟଲାନ୍ ଡେଲ୍ ଭାଲେ ସହରର ଏଇ ଅପେକ୍ଷାକୃତ କମ୍ ଭିଡ଼ ସମ୍ପନ୍ନ ଆଉ ପ୍ରାୟ ନିରବ ରାସ୍ତାଟିରେ ପାଦ ଦେବା ମାତ୍ରେ ହିଁ ଯେ କେହି ସହଜରେ ଆଘ୍ରାଣ କରିପାରିବ ମହୁ ଆଉ ପୋଡ଼ା କାଠର ମିଶାମିଶି ଗୋଟାଏ ମଧୁର ବାସ୍ନାକୁ। କାରଣ ମେକ୍ସିକୋର ଅକ୍ସାକା ଅନ୍ତର୍ଗତ ଏଇ ସହରରେ ରହନ୍ତି ଡୋନା ଭିଭିଆନା ଆଲାବେଜ୍ ବା କାସା ଭିଭିଆନା। ଆଉ ପ୍ରାୟ ୪ ପିଢି ଧରି ଭିଭିଆନାଙ୍କ ବଂଶଧରମାନେ ଏହିଠାରେ ହିଁ ତିଆରି କରି ଆସୁଛନ୍ତି ବିଭିନ୍ନ ଉତ୍ସବ ପାଇଁ ଆବଶ୍ୟକ ପଡୁଥିବା ପାରମ୍ପରିକ ବାସ୍ନାଯୁକ୍ତ କ୍ୟାଣ୍ଡେଲ୍। ଏହି କ୍ୟାଣ୍ଡେଲ ସମ୍ପୃକ୍ତ ରାସ୍ତାକୁ ସେଭଳି ସୁଗନ୍ଧରେ ଭରିଦିଏ।

୭୫ ବର୍ଷୀୟା ଭିଭିଆନା ଏଇ ସୁନ୍ଦର-ପାରମ୍ପରିକ ଚିତ୍ରକଳାର କେବଳ ପଥପ୍ରଦର୍ଶିକା ନୁହନ୍ତି, ସେ ଏଇ କଳା କ୍ଷେତ୍ରରେ ଜଣେ ଅଭିଭାବକଙ୍କ ଦାୟିତ୍ଵ ମଧ୍ୟ ତୁଲାଇଥା'ନ୍ତି। ଗୋଟିଏ ପ୍ରାଚୀନ ବିବାହ ରୀତିନୀତିରୁ ଆରମ୍ଭ ହୋଇଥିବା ମହମବତୀ ତିଆରିର ଏଇ ଚିତ୍ରକଳା କେବଳ ଭିଭିଆନା ବା ତାଙ୍କ ପରିବାରର ଜୀବନ-ଜୀବିକା ସାଜିନି ବରଂ ନିଜ ସୌନ୍ଦର୍ଯ୍ୟରେ ତାଙ୍କ ସହରକୁ ଏକ ଦର୍ଶନୀୟସ୍ଥଳରେ ପରିଣତ କରିଦେଇଛି।

ଖୁବ୍ କମ୍ ବୟସରୁ ବାପା-ମା'ଙ୍କୁ ହରାଇ ଅନାଥ ହୋଇଯାଇଥିଲେ ଭିଭିଆନା। ସେଥିପାଇଁ ତାଙ୍କୁ ନିଜ ଜେଜେମା'ଙ୍କ ପାଖରେ ରହିବାକୁ ପଡ଼ିଥିଲା। ଜେଜେମା'ଙ୍କ ପାଖରେ ତାଙ୍କୁ ଭଲରେ ପାଠ ପଢ଼ାଇବା ପାଇଁ କିମ୍ବା ଠିକ୍‌ରେ ଖାଇବା ପିଇବା ଦେବା ପାଇଁ ବି ସମ୍ବଳ ନଥିଲା। ତେଣୁ ସେ ନିଜ ନାତୁଣୀକୁ ସେମାନଙ୍କ ଅଞ୍ଚଳର ୱେଲା(Vela ବା କ୍ୟାଣ୍ଡେଲ୍) ତିଆରିର ପାରମ୍ପରିକ କଳା ଶିଖିବା ପାଇଁ କହିଲେ।

ଭିଭିଆନାଙ୍କ ପିଲାଦିନ କଟିଥିଲା ଏଇ କଳା ଶିଖିବାରେ। ଜେଜେମା' ନିଜ ମା'ଙ୍କଠାରୁ ଉତ୍ତରାଧିକାରୀ ସୂତ୍ରରେ ପାଇଥିବା ଛାଞ୍ଚଗୁଡିକରୁ ହିଁ ପ୍ରଥମେ ସେ କ୍ୟାଣ୍ଡେଲ୍ ତିଆରି କଳା ଶିଖିବା ଆରମ୍ଭ କରିଥିଲେ। ଜେଜେ ମା'ଙ୍କ ସାଥେ ସାଥେ ରହି ବି' ୱାକ୍ସକୁ ତରଳାଇ ସେଥିରେ ରଙ୍ଗ ଭରିବା ପରେ ତାକୁ ଛାଞ୍ଚ ଭିତରେ ଢାଳିବା ଓ ପୁଣି ଗରମ ଛାଞ୍ଚକୁ ପାଣିରେ ଥଣ୍ଡା କରିବା ଭିତରେ ନିଜ ହାତକୁ ପାକଳ କରିବାରେ ହିଁ ତାଙ୍କ ପିଲାଦିନ କଟିଥିଲା।

ସେବେଠାରୁ ସେ ଦକ୍ଷ ହେବା ଆରମ୍ଭ କରିଥିଲେ ଏଇ କଳାରେ। ଆଉ ମାତ୍ର ୮ବର୍ଷ ବୟସରେ ହିଁ ତିଆରି କରିଥିଲେ ନିଜର ପ୍ରଥମ ୱେଲା। ତେବେ ଭିଭିଆନା ଓ ତାଙ୍କ କଳା ବିଷୟରେ ଆଉ ଆଗକୁ ବଢିବା ପୂର୍ବରୁ ଏଠାରେ ସମ୍ପୃକ୍ତ କଳାଟିର ଇତିହାସ ସମ୍ପର୍କରେ କିଛିଟା ଜାଣିବା ଦରକାର।

ସୁନ୍ଦର କ୍ୟାଣ୍ଡେଲ କଳାକୃତି ସହ ଭିଭିଆନା

ସ୍ପାନିସ୍ ମାନେ ମେକ୍ସିକୋ ଆସିବା ପୂର୍ବରୁ ଏଠାକାର ଜାପୋଟେକ୍ କମ୍ୟୁନିଟି (ଯେଉଁ ମାନଙ୍କ ସଂଖ୍ୟା ଖୁବ୍ କମ୍)ରେ ଏକ ପ୍ରଥା ପ୍ରଚଳିତ ଥିଲା। ଏଇ ସମ୍ପ୍ରଦାୟରେ ଯଦି ଜଣେ ଝିଅର ଘର ଲୋକେ ତା’ ପ୍ରେମିକକୁ ତା'ର ବର ଭାବେ ଗ୍ରହଣ କରିବାକୁ ଅରାଜି ହେଉଥିଲେ ତେବେ ପ୍ରେମିକ ଜଣଙ୍କ ଚୋରାରେ ନିଜ ପସନ୍ଦର କନ୍ୟାକୁ ଧରି ପ୍ରଥମେ ଦୂରକୁ ଚାଲି ଯାଉଥିଲେ। ଏହା ପରେ ସେଠାରେ ବିବାହ କରି ନେଉଥିଲେ। ବିବାହର ଅଳ୍ପଦିନ ମଧ୍ୟରେ କିନ୍ତୁ ନବବିବାହିତ ସେଇ ଦମ୍ପତି କ୍ଷମାପ୍ରାର୍ଥୀ ହୋଇ ଫେରୁଥିଲେ କନ୍ୟା ଘରକୁ।

ଝିଅଟିର ଘର ଲୋକଙ୍କୁ ବୁଝାଇ ସୁଝାଇ ଉଭୟ ପକ୍ଷର ପରିବାର ମଧ୍ୟରେ ଏକ ଶାନ୍ତିପୂର୍ଣ୍ଣ ଆପୋଷ ବୁଝାମଣା ପାଇଁ ଦମ୍ପତିଟି ସେତେବେଳେ ସାହାଯ୍ୟ ନେଉଥିଲା ସହରର ମାନ୍ୟଗଣ୍ୟ ତଥା ବରିଷ୍ଠ ବ୍ୟକ୍ତିମାନଙ୍କର। ସମସ୍ତେ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ପହଞ୍ଚୁଥିଲେ କନ୍ୟା ଘରେ। ଆଉ ଏଇ ଶୋଭାଯାତ୍ରାରେ ଯିବା ସମୟରେ ସମସ୍ତେ ହାତରେ ଧରୁଥିଲେ ବିଭିନ୍ନ ରଙ୍ଗ ବିଶିଷ୍ଟ ଗୋଟିଏ ଗୋଟିଏ ଅତି ସୁନ୍ଦର-ବାସ୍ନାଯୁକ୍ତ କ୍ୟାଣ୍ଡେଲ୍।

ଯଦିଓ ଧୀରେ ଧୀରେ ଜାପୋଟେକ୍ ସମ୍ପ୍ରଦାୟ ମଧ୍ୟରେ କ୍ଷମା ପ୍ରାର୍ଥନାର ଏଇ ନିଆରା ପ୍ରଥା ଲୋପ ପାଇଗଲା କିନ୍ତୁ ସେଇ ପ୍ରଥା ପାଇଁ ଆବଶ୍ୟକ ପଡୁଥିବା କ୍ୟାଣ୍ଡେଲ୍ ପ୍ରସ୍ତୁତିର ପାରମ୍ପରିକ କଳା କିନ୍ତୁ ବଞ୍ଚି ରହିଲା। ଭିଭିଆନାଙ୍କ ନାତୁଣୀ ବିବିଆନା ହର୍ନାଣ୍ଡେଜ୍ ମେଣ୍ଡୋଜା କହନ୍ତି, ଆଜି ବି ନୂତନ ଦମ୍ପତି ପାଇଁ ସମୃଦ୍ଧି ଓ ପ୍ରାଚୁର୍ଯ୍ୟ ଆଣୁଥିବା ଏସବୁ କ୍ୟାଣ୍ଡେଲ୍ ନିଜର ପ୍ରତୀକାତ୍ମକତା ତଥା ଗୁଣାତ୍ମକତା ଦୃଷ୍ଟିରୁ ବେଶ୍ ମହତ୍ତ୍ୱପୂର୍ଣ୍ଣ। ସାମୁଦ୍ରିକ ଶାମୁକା ଭଳି ଗଠନ ଦୃଷ୍ଟିରୁ ଏଗୁଡ଼ିକୁ କୁହାଯାଏ 'ୱେଲାସ୍ ଟ୍ରାଡିସେନେଲ୍ସ ଡେ କୋଞ୍ଚା।'

ପାରମ୍ପରିକ ନିୟମ ଅନୁସାରେ କ୍ୟାଣ୍ଡେଲ୍ ପ୍ରସ୍ତୁତକାରୀ ପରିବାରଗୁଡିକୁ କୌଣସି ଆର୍ଥିକ ସହାୟତା ବା ପାରିଶ୍ରମିକ ମିଳୁ ନଥିଲା। ବରଂ ଏମାନଙ୍କ ପାଉଣା ସମ୍ପୂର୍ଣ୍ଣ ରୂପେ ନିର୍ଭର କରୁଥିଲା ଗୋଟିଏ ଦେଣନେଣ ପ୍ରଥା ଉପରେ। ସମ୍ପୃକ୍ତ ପରିବାରଗୁଡ଼ିକ ମୁଖ୍ୟତଃ ଖାଦ୍ୟ ପ୍ରତିବଦଳରେ କ୍ୟାଥୋଲିକ ଚର୍ଚ୍ଚ ଗୁଡ଼ିକ ପାଇଁ କ୍ୟାଣ୍ଡେଲ୍ ପ୍ରସ୍ତୁତ କରୁଥିଲେ। ଫଳରେ ଦିନକୁ ଦିନ ସେଭଳି ବହୁ ସଂଖ୍ୟକ ପରିବାରର ଆର୍ଥିକ ଅବସ୍ଥା ଅତି ଶୋଚନୀୟ ହେବାରେ ଲାଗିଲା। ତେଣୁ ବହୁତ ଜଣ କ୍ୟାଣ୍ଡେଲ୍ ତିଆରି ପେସା ଛାଡ଼ି ଦେଲେ।

୧୯୭୦ ଦଶକରେ ଭିଭିଆନାଙ୍କ ସ୍ୱାମୀ ଅସୁସ୍ଥ ହୋଇପଡିବାରୁ ତାଙ୍କ ଦୁଇ ପୁଅ ଓ ଝିଅଙ୍କ ସମ୍ପୂର୍ଣ୍ଣ ଦାୟିତ୍ୱ ଆସି ପଡିଲା ଭିଭିଆନାଙ୍କ ମୁଣ୍ଡ ଉପରେ। ଆବଶ୍ୟକତା ତାଙ୍କୁ ବାଧ୍ୟ କଲା ପରମ୍ପରା ଓ ଚର୍ଚ୍ଚ ପରିସରର ବାହାରକୁ ଯାଇ ଅକ୍ସାକାର ଅନ୍ୟ ଅଂଶରେ ନିଜ ହାତ ତିଆରି ସୁନ୍ଦର କ୍ୟାଣ୍ଡେଲ୍ ସବୁ ପାଇଁ ବଜାର ଖୋଜିବାକୁ। ସେବେକାର କଥାକୁ ମନେପକାଇ ଭିଭିଆନାଙ୍କ ପୁଅ ଜୋଶ୍ ଆଲାବେଜ୍ କହନ୍ତି, ପାରମ୍ପରିକ ଭାବେ କ୍ୟାଣ୍ଡେଲ୍ ପ୍ରସ୍ତୁତିର କଳା କ୍ଷେତ୍ରରେ ମହିଳାମାନେ କାରିଗରୀ ଓ କ୍ୟାଣ୍ଡେଲ୍ ର ସୁନ୍ଦରତା ଉପରେ ଧ୍ୟାନ ଦେଉଥିବା ବେଳେ ପୁରୁଷମାନେ ଏହାର ବିକ୍ରିବଟା କଥା ବୁଝୁଥିଲେ।

ନିଆରା କ୍ୟାଣ୍ଡେଲ୍ ଚିତ୍ରକଳାର ପଥପ୍ରଦର୍ଶିକା ଭିଭିଆନା

ଭିଭିଆନା ଯେତେବେଳେ ନିଜ ବ୍ୟବସାୟର ସବୁ କଥା ଏକା ବୁଝାବୁଝି କଲେ ଓ ତୁଳନାତ୍ମକ ଭାବେ ଏହାର ପରିସରକୁ ବ୍ୟାପକ କରିବା ସହ ତାଙ୍କ କଳାକୃତିଗୁଡ଼ିକର ବ୍ୟବସାୟୀକରଣ କରିବା କଥା ଚିନ୍ତା କଲେ ସେତେବେଳେ ତାଙ୍କ ପାଇଁ ସବୁ କାମ ଆହୁରି କଷ୍ଟକର ହୋଇ ପଡିଲା। ଆଉ ବହୁ ବିରୋଧକୁ ବି ସାମ୍ନା କରିବାକୁ ପଡିଲା।

ପ୍ରଥମେ ନିଜ ସହରର ଲୋକମାନଙ୍କର ତାଙ୍କ କଳା ପ୍ରତି ବିଶେଷ ଆଗ୍ରହ ନ ଦେଖି ସେ ନିଜ ବ୍ୟବସାୟର ପରିସରକୁ ବ୍ୟାପକ କରିବାରେ ଲାଗିଲେ। ସେ ଆହୁରି ସୁନ୍ଦର ଭାବେ ନିଜ କ୍ୟାଣ୍ଡେଲ୍ ସବୁକୁ ପ୍ରସ୍ତୁତ କରିବା ସହ ସେସବୁକୁ ବିକ୍ରି କରିବା ପାଇଁ ଆହୁରି ବଡ଼ ବଜାର ଖୋଜିବାରେ ଲାଗିଲେ ଓ ସେଥିରେ ସଫଳ ମଧ୍ୟ ହେଲେ। ଏହା ଦ୍ୱାରା ସେ କେବଳ ଭଲରେ ନିଜ ପରିବାରର ଭରଣପୋଷଣ କରିବାରେ ସକ୍ଷମ ହେଲେନି, କ୍ୟାଣ୍ଡେଲ୍ ମେକିଂର ପ୍ରାଚୀନ କଳାର ପୁନରୁଦ୍ଧାର ଓ ପୁନରୁତ୍ଥାନରେ ମଧ୍ୟ ସଫଳ ହୋଇପାରିଲେ।

ଯେତେବେଳେ ଭିଭିଆନାଙ୍କ ହାତତିଆରି କ୍ୟାଣ୍ଡେଲ୍ ସବୁର ଚାହିଦା ବଢିବାରେ ଲାଗିଲା ସେତେବେଳେ ତାଙ୍କୁ ଅଧିକ ସଂଖ୍ୟକ ସହାୟକମାନଙ୍କ ଆବଶ୍ୟକତା ମଧ୍ୟ ପଡ଼ିଲା। ପ୍ରଚଳିତ ପରମ୍ପରାକୁ ନ ମାନି ଭିଭିଆନା ନିଜ ପରିବାରର ଝିଅ ଓ ମହିଳାଙ୍କ ବ୍ୟତୀତ ବାହାରର ମହିଳାମାନଙ୍କୁ ମଧ୍ୟ କାମ ଶିଖିବା ପାଇଁ ଆମନ୍ତ୍ରିତ କଲେ। ଭିଭିଆନାଙ୍କ ପରମ୍ପରାକୁ ଏଭଳି ଅମାନ୍ୟ କରିବାକୁ ତାଙ୍କ ଗାଁର ମୁଖିଆମାନେ ସହି ପାରିଲେନି ଓ ତାଙ୍କଠାରୁ ବହୁ ସଂଖ୍ୟକ କାଠ ତିଆରି ଛାଞ୍ଚ ଛଡ଼ାଇ ନେଲେ, ଯାହାକୁ କି ସେ ଉତ୍ତରାଧିକାର ସୂତ୍ରରେ ପାଇଥିଲେ।

ଏଇ ପାରମ୍ପରିକ ଛାଞ୍ଚ ସବୁ ତାଙ୍କ ହାତରୁ ଚାଲିଯିବା ତାଙ୍କ ପାଇଁ ବରଦାନ ସାବ୍ୟସ୍ତ ହେଲା। ସେ ଏଥର ନିଜ କଳ୍ପନା ଶକ୍ତିକୁ ପ୍ରୟୋଗ କରି ଆହୁରି ସୁନ୍ଦର ସୁନ୍ଦର କ୍ୟାଣ୍ଡେଲ୍ ସବୁ ପ୍ରସ୍ତୁତ କରିବାକୁ ଲାଗିଲେ। ସେ ଏଥିପାଇଁ ପ୍ରକୃତିକୁ ହିଁ ନିଜର ପ୍ରେରଣା ଭାବେ ବ୍ୟବହାର କଲେ।

ପ୍ରାକୃତିକ ପରିବେଶ ଭିତରେ ଥିବା ବିଭିନ୍ନ ଫୁଲ ଓ ଅନ୍ୟାନ୍ୟ ସାମଗ୍ରୀକୁ ଦେଖି, ସେଇଭଳି ଛାଞ୍ଚ ତିଆରି କରି ସେ ନିଜ କ୍ୟାଣ୍ଡେଲ୍ ସବୁ ପ୍ରସ୍ତୁତ କରିବାକୁ ଲାଗିଲେ। ଖାସ୍ କରି ଛୋଟଠୁ ବଡ଼ ବିଭିନ୍ନ ଆକାରର ଗୋଲାପ ଫୁଲ ଆକୃତିର କ୍ୟାଣ୍ଡଲ୍ ସବୁ ସେ ପ୍ରସ୍ତୁତ କରିବାକୁ ଲାଗିଲେ । ଆଉ ପାରମ୍ପରିକ ଶାମୁକା ଆକାରର କ୍ୟାଣ୍ଡେଲ୍ ସବୁ ଠାରୁ ଏସବୁ ଭିନ୍ନ ତଥା ସୁନ୍ଦର ହୋଇଥିବାରୁ ଏଗୁଡ଼ିକର ଚାହିଦା ମଧ୍ୟ ବଢ଼ିବାରେ ଲାଗିଲା।

କ୍ୟାଣ୍ଡେଲ୍ କଳାରେ ବ୍ୟସ୍ତ ଭିଭିଆନା

ଏବେ ଭିଭିଆନାଙ୍କ କ୍ୟାଣ୍ଡେଲ୍ ବେଶ୍ ଲୋକପ୍ରିୟ ଓ କେବଳ ତାଙ୍କ ପ୍ରସ୍ତୁତ କ୍ୟାଣ୍ଡେଲଗୁଡ଼ିକୁ ଦେଖିବାକୁ ହିଁ ଅକ୍ସାକା ଆସନ୍ତି ବହୁ ପର୍ଯ୍ୟଟକ। ଏଥିରୁ ଉତ୍ସାହ ହୋଇ ଭିଭିଆନା, ତାଙ୍କ ପରିବାର ଲୋକେ ଓ ତାଙ୍କ ଛାତ୍ରଛାତ୍ରୀମାନେ ଦିନରାତି ପରିଶ୍ରମ କରି ପ୍ରସ୍ତୁତ କରନ୍ତି ଆହୁରି ସୁନ୍ଦର ସୁନ୍ଦର କ୍ୟାଣ୍ଡେଲ୍ ସବୁ।

ବାହାରୁ ଅତି ସାଧାରଣ ଦିଶୁଥିବା ଇଟା ଯୋଡେଇ ତାଙ୍କ ଘର ହିଁ ସାଜିଥାଏ ସେମାନଙ୍କ ୱାର୍କସପ୍। ଏଇ ସାଧାରଣ ଘରଟି ମଧ୍ୟରେ ପିଢ଼ି ପରେ ପିଢ଼ି ଦେଇ ପ୍ରବାହିତ ହେଉଥାଏ ଗୋଟାଏ ଅସାଧାରଣ ପରମ୍ପରା, ଯାହାକୁ ଭିଭିଆନା ଦୁନିଆରୁ ବାହୁଡ଼ି ଯିବା ପୂର୍ବରୁ ନିଜ ଉତ୍ତରଦାୟାଦମାନଙ୍କୁ ସମର୍ପି ଦେଇ ଯିବାକୁ ଚାହାନ୍ତି।

ଭୁବନେଶ୍ୱର

(ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)