Advertisment

ଚର୍ଚ୍ଚାରେ ଘରୋଇ କ୍ରିକେଟ୍‌ର ଦ୍ରୋଣାଚାର୍ଯ୍ୟ

କୋଚ୍ ଚନ୍ଦ୍ରକାନ୍ତ ପଣ୍ଡିତ ଅତୀତରେ ମୁମ୍ବାଇକୁ ତିନି ଥର ଓ ବିଦର୍ଭକୁ ଦୁଇ ଥର ରଣଜୀ ବିଜେତା କରାଇଥିଲେ; ହେଲେ ମଧ୍ୟପ୍ରଦେଶର ମୁକୁଟ ବିଜୟ ତାଙ୍କ ପାଇଁ ସ୍ୱତନ୍ତ୍ର ଗୁରୁତ୍ୱ ରଖେ। ତେବେ ଏହି ସଫଳତା ପଣ୍ଡିତଙ୍କ ପାଇଁ କାହିଁକି ସ୍ୱତନ୍ତ୍ର ଏବଂ ଏହା ପଛରେ କ’ଣ ଥିଲା ତାଙ୍କର ଗୁରୁମନ୍ତ୍ର?

ଅଦ୍ୟତନ ହୋଇଛି
The Specialty in the coaching of Chandrakanta Pandit

The Specialty in the coaching of Chandrakanta Pandit

Advertisment

ଚନ୍ଦ୍ରକାନ୍ତ ପଣ୍ଡିତ - ଭାରତର ପୂର୍ବତନ ଓ୍ୱିକେଟ୍‌କିପର୍-ବ୍ୟାଟର୍। ଏ ନାଁକୁ ନେଇ ଆଜି ଚାରିଆଡ଼େ ଚର୍ଚ୍ଚା; କିନ୍ତୁ ଜଣେ ଖେଳାଳି ଭାବେ ନୁହେଁ, ସଫଳ କୋଚ୍ ଭାବେ। ସେ ଏବେ କୌଣସି ଜାତୀୟ ଟିମ୍‌କୁ ପ୍ରଶିକ୍ଷଣ ଦେଇ ନାହାନ୍ତି, ହେଲେ ଜାତୀୟସ୍ତରରେ ତାଙ୍କର ଖୁବ୍ ଚର୍ଚ୍ଚା ହେଉଛି। କେହି କେହି ଏ କଥା ବି କହୁଛନ୍ତି ଯେ ଏଭଳି କୋଚ୍‌ଙ୍କୁ ଭାରତୀୟ କ୍ରିକେଟ୍‌ରେ ବଡ଼ ଭୂମିକା ମିଳିବା ଆବଶ୍ୟକ।

Advertisment

ଜୁନ୍ ମାସ ୨୬ ତାରିଖ ଚନ୍ଦ୍ରକାନ୍ତ ଓରଫ ଚନ୍ଦୁ ପଣ୍ଡିତଙ୍କ ପାଇଁ ଐତିହାସିକ ଦିନ ଥିଲା। ଭାରତୀୟ ଘରୋଇ କ୍ରିକେଟ୍‌ର ସବୁଠାରୁ ବଡ଼ ଟୁର୍ଣ୍ଣାମେଣ୍ଟ ‘ରଣଜୀ ଟ୍ରଫି’ର ଫାଇନାଲ୍ ମ୍ୟାଚ୍‌ର ଫଳାଫଳ ଦିନ। ୪୧ ଥର ବିଜେତା ମୁମ୍ବାଇକୁ ହରାଇ ମୁକୁଟ ଜିତିଥିଲା ମଧ୍ୟପ୍ରଦେଶ। ଟିମ୍‌ର ପ୍ରଥମ ମୁକୁଟ ପୁଣି ନୂଆ ଅଧିନାୟକଙ୍କ ନେତୃତ୍ୱରେ। ଏ ସଫଳତାରେ ଯାହାଙ୍କର ପ୍ରଚ୍ଛନ୍ନ ଭୂମିକା ଥିଲା, ସେ ହେଲେ ଚନ୍ଦ୍ରକାନ୍ତ ପଣ୍ଡିତ। ଏ ସଫଳତାରେ ତାଙ୍କ ଆଖି ଛଳ ଛଳ ହୋଇଯାଇଥିଲା।

ଚନ୍ଦ୍ରକାନ୍ତ ପଣ୍ଡିତ ଯେ ପ୍ରଥମ ଥର କୌଣସି ରଣଜୀ ଟିମ୍‌କୁ ବିଜେତା କରାଇଛନ୍ତି, ତା’ ନୁହେଁ। ସେ ଅତୀତରେ ମୁମ୍ବାଇକୁ ତିନି ଥର ଓ ବିଦର୍ଭକୁ ଦୁଇ ଥର ମୁକୁଟ ଜିତାଇ ସାରିଛନ୍ତି। ହେଲେ ମଧ୍ୟପ୍ରଦେଶର ମୁକୁଟ ବିଜୟ ତାଙ୍କ ପାଇଁ ସ୍ୱତନ୍ତ୍ର ଗୁରୁତ୍ୱ ରଖେ। ତେବେ ଏହି ସଫଳତା ପଣ୍ଡିତଙ୍କ ପାଇଁ କାହିଁକି ସ୍ୱତନ୍ତ୍ର ଏବଂ ଏହା ପଛରେ କ’ଣ ଥିଲା ତାଙ୍କର ଗୁରୁମନ୍ତ୍ର?

Advertisment

୨୩ ବର୍ଷ ପୂର୍ବେ ମଧ୍ୟପ୍ରଦେଶ ରଣଜୀ ଟିମ୍‌ର ଅଧିନାୟକ ଥିବା ବେଳେ ପଣ୍ଡିତଙ୍କର ଯେଉଁ କାମ ଅଧୁରା ରହିଯାଇଥିଲା, ତାହା ଜୁନ୍ ୨୬ରେ ପୂର୍ଣ୍ଣ ହୋଇଥିଲା। ଅବଶ୍ୟ ଭୂମିକା ଥିଲା ଭିନ୍ନ। ୧୯୯୯ରେ ବି ତାଙ୍କ ଟିମ୍ ଫାଇନାଲ୍‌ରେ ପହଞ୍ଚିଥିଲା। ଏକ ସଂଯୋଗ ଥିଲା ଯେ ସେହି ଫାଇନାଲ୍ ମ୍ୟାଚ୍‌ଟି ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଖେଳାଯାଇଥିଲା, ଯେଉଁଠି ଏଥର ରଣଜୀ ଫାଇନାଲ୍ ଅନୁଷ୍ଠିତ ହୋଇଥିଲା।

ଫରକ୍ ଏତିକି, ସେତେବେଳେ ପଣ୍ଡିତଙ୍କ ନେତୃତ୍ୱାଧୀନ ଟିମ୍ ଫାଇନାଲ୍‌ରେ କର୍ଣ୍ଣାଟକ ଠାରୁ ହାରିଯାଇଥିଲା; କିନ୍ତୁ ଏଥର ସେମିତି ହୋଇ ନ ଥିଲା। ମଧ୍ୟପ୍ରଦେଶ ପ୍ରଥମ ଥର ଅଧିନାୟକତ୍ୱ କରୁଥିବା ଆଦିତ୍ୟ ଶ୍ରୀବାସ୍ତବଙ୍କ ନେତୃତ୍ୱରେ ମୁମ୍ବାଇକୁ ୬ ଓ୍ୱିକେଟ୍‌ରେ ହରାଇ ରଣଜୀ ଟ୍ରଫି କରାୟ କରିଥିଲା।

Advertisment

ଯେଉଁ ଟ୍ରଫି ଅଧିନାୟକ ଚନ୍ଦ୍ରକାନ୍ତ ପଣ୍ଡିତଙ୍କ ହାତରୁ ଖସି ଯାଇଥିଲା, ତାହାକୁ କୋଚ୍ ରୂପରେ ପଣ୍ଡିତ ଛଳ ଛଳ ଆଖିରେ ଉଠାଇଥିଲେ। ଏହି କାରଣରୁ ଫାଇନାଲ୍ ଜିତିବା ପରେ ସେ କହିଥିଲେ, “ପ୍ରତି ଟ୍ରଫି ସନ୍ତୋଷ ଦେଇଥାଏ, ହେଲେ ଏହା ସ୍ୱତନ୍ତ୍ର। ଏତେ ବର୍ଷ ଯାଏଁ ସବୁବେଳେ ଲାଗୁଥିଲା ଯେ ମୋ ହାତରୁ କିଛି ଖସିଯାଇଛି, ସେଇଥିପାଇଁ ଅଧିକ ଭାବବିହ୍ୱଳ ହୋଇଛି।” ଅଧିନାୟକ ଆଦିତ୍ୟ ବି ମୁକୁଟ ବିଜୟର ଶ୍ରେୟ କୋଚ୍ ପଣ୍ଡିତଙ୍କୁ ଦେଇଛନ୍ତି।

ତେବେ କୋଚ୍ ରୂପରେ ଏହା ପଣ୍ଡିତଙ୍କ ଷଷ୍ଠ ରଣଜୀ ଟ୍ରଫି ମୁକୁଟ। ସେ ମୁମ୍ବାଇକୁ ୨୦୦୨-୦୩, ୨୦୦୩-୦୪ ଓ ୨୦୧୫-୧୬ ଏବଂ ବିଦର୍ଭକୁ ୨୦୧୭-୧୮ ଓ ୨୦୧୮-୧୯ ସିଜନ୍‌ରେ ରଣଜୀ ବିଜେତା କରାଇସାରିଛନ୍ତି। ଏଥିପାଇଁ ତାଙ୍କୁ ‘ଭାରତୀୟ ଘରୋଇ କ୍ରିକେଟ୍‌ର ଦ୍ରୋଣାଚାର୍ଯ୍ୟ’ କୁହାଯାଏ।

ପଣ୍ଡିତଙ୍କ ଖେଳାଳି ଜୀବନ:

ଜଣେ ସଫଳ କୋଚ୍ ଭାବେ ଖ୍ୟାତି ଅର୍ଜନ କରିଥିବା ପଣ୍ଡିତଙ୍କ ଆନ୍ତର୍ଜାତିକ କ୍ୟାରିଅର ସେତେ ଉଲ୍ଲେଖନୀୟ ନ ଥିଲା। ସେ ୧୯୮୬ରୁ ୧୯୯୨ ମଧ୍ୟରେ ପାଞ୍ଚଟି ଟେଷ୍ଟ୍‌ ଓ ୩୬ଟି ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଥିଲେ। ୧୯୮୭ ବିଶ୍ୱକପ୍‌ରେ ସେ ଇଂଲଣ୍ଡ ବିପକ୍ଷ ସେମିଫାଇନାଲ୍‌ରେ ଦିଲୀପ ଭେଙ୍ଗସରକାରଙ୍କ ସ୍ଥାନରେ ଟିମ୍‌ରେ ସୁଯୋଗ ପାଇଥିଲେ। ସେଥିରେ ସେ ୨୪ ରନ୍‌ର ଇନିଂସ୍ ଖେଳିଥିଲେ। ଭାରତୀୟ ଟିମ୍ ସେହି ମ୍ୟାଚ୍ ହାରିଯାଇଥିଲା।

ତେବେ ପ୍ରଖ୍ୟାତ କୋଚ୍ ରମାକାନ୍ତ ଆଚରେକରଙ୍କ ଠାରୁ କ୍ରିକେଟ୍‌ର ଗୁରୁମନ୍ତ୍ର ଶିଖିଥିବା ଓ୍ୱିକେଟ୍‌କିପର୍-ବ୍ୟାଟର୍ ପଣ୍ଡିତଙ୍କ ପ୍ରଥମ-ଶ୍ରେଣୀ କ୍ୟାରିଅର ଭଲ ଥିଲା। ସେ ଘରୋଇ କ୍ରିକେଟ୍‌ରେ ମୁମ୍ବାଇ, ମଧ୍ୟପ୍ରଦେଶ ଓ ଆସାମ ପକ୍ଷରୁ ଖେଳିଥିଲେ। ସେ ୧୩୮ଟି ପ୍ରଥମ-ଶ୍ରେଣୀ ମ୍ୟାଚ୍ ଖେଳି ୪୮.୫୭ ଆଭରେଜ୍‌ରେ ୮୨୦୯ ରନ୍ ସଂଗ୍ରହ କରିଥିଲେ। ଏଥିରେ ୨୨ ଶତକ ଓ ୪୨ ଅର୍ଦ୍ଧଶତକ ରହିଥିଲା। ଏହାଛଡ଼ା ଓ୍ୱିକେଟ୍ ପଛରେ ସେ ୨୮୧ କ୍ୟାଚ୍ ଧରିଥିବା ବେଳେ ୪୧ ଷ୍ଟମ୍ପିଂ କରିଥିଲେ।

ଶୃଙ୍ଖଳା ଓ ମାନସିକ ଦୃଢ଼ତାକୁ ଗୁରୁତ୍ୱ:

ପଣ୍ଡିତଙ୍କ କୋଚିଂ ଶୈଳୀ ମଧ୍ୟ ଭାରତୀୟ କ୍ରିକେଟ୍ ଜଗତରେ ଚର୍ଚ୍ଚାର ବିଷୟ ହୋଇଥାଏ। ଶୃଙ୍ଖଳା ଜରିଆରେ ସେ ଏକ ସାଧାରଣ ଟିମ୍‌କୁ ବି ବିଜେତା କରାଇବାର ଦକ୍ଷତା ରଖନ୍ତି। ଖେଳାଳିମାନଙ୍କ ତମାମ୍ ଆବଶ୍ୟକତାକୁ ଧ୍ୟାନ ଦିଅନ୍ତି ଏବଂ ସେମାନଙ୍କୁ କେବଳ କ୍ରିକେଟ୍ ଉପରେ ଫୋକସ୍ କରିବା ପାଇଁ ପ୍ରେରିତ କରନ୍ତି।

ମଧ୍ୟପ୍ରଦେଶ ଟିମ୍ ସହ ସେ ଦୁଇ ବର୍ଷ ହେଲା କାମ କରିଆସୁଛନ୍ତି। ଶୃଙ୍ଖଳା ଉପରେ ସେ ବେଶୀ ଗୁରୁତ୍ୱ ଦେଇଆସିଛନ୍ତି। ଖେଳାଳିମାନଙ୍କର ଯିବା-ଆସିବା ଟାଇମିଂ ହେଉ ବା ଡ୍ରେସ୍ କୋଡ୍ ଅଥବା ଟିମ୍‌ରେ ଆଚରଣ - ପଣ୍ଡିତ ତିଳେମାତ୍ର ବିଶୃଙ୍ଖଳା ବରଦାସ୍ତ କରନ୍ତିନି। ତାଙ୍କର ଗୋଟିଏ ଡାକରାରେ ଟିମ୍ ଅଭ୍ୟାସ ପାଇଁ ପଡ଼ିଆରେ ପହଞ୍ଚିଯାଏ। ଖେଳାଳିଙ୍କ ଆଲର୍ଟନେସ୍ ଦେଖିବା ପାଇଁ ଥରେ ସେ ରାତି ୧୨ଟା ବେଳେ ସେମାନଙ୍କୁ ପଡ଼ିଆକୁ ଡାକିଥିଲେ। ଯଦି କୌଣସି ଖେଳାଳି ପ୍ରଶିକ୍ଷଣକୁ ବିଳମ୍ବରେ ଆସେ, ତାକୁ ପୂରା ସତ୍ର ଛାଡ଼ିବାକୁ ପଡ଼ିଥାଏ। ଯଦି କୌଣସି ସ୍ଥାନକୁ ଯିବା ବେଳେ କେହି ବିଳମ୍ବ କରେ, ତା’ହେଲେ ଟିମ୍ ତାକୁ ଛାଡ଼ି ଚାଲିଯାଏ। ପରେ ସମ୍ପୃକ୍ତ ଖେଳାଳିଙ୍କୁ ନିଜ ଖର୍ଚ୍ଚରେ ଟିମ୍ ସହ ଯୋଗ ଦେବାକୁ ପଡ଼ିଥାଏ।

କୋଚ୍ ପଣ୍ଡିତ ଟିମ୍‌ରେ କନିଷ୍ଠ-ବରିଷ୍ଠ ସଂସ୍କୃତିକୁ ସମାପ୍ତ କରିବା ପାଇଁ ‘ଭାଇ’ ସମ୍ବୋଧନକୁ ବ୍ୟାନ୍ କରିଥିଲେ। ସମସ୍ତେ ପରସ୍ପରକୁ ନାଁ ଧରି ଡାକୁଥିଲେ, ସେ କନିଷ୍ଠ ହୁଅନ୍ତୁ ବା ବରିଷ୍ଠ। କୋଚ୍‌ଙ୍କ ଯୁକ୍ତି ଥିଲା ଯେ ଯଦି ଆପଣ କାହାକୁ ସମ୍ମାନ ଦେଉଛନ୍ତି, ହୃଦୟରୁ ଦିଅନ୍ତୁ ତୁଣ୍ଡରୁ ନୁହେଁ। ଖେଳାଳିମାନଙ୍କୁ ମାନସିକ ଭାବେ ଦୃଢ଼ କରିବା ପାଇଁ ସେ ଆର୍ମି ଟ୍ରେନିଂ ସ୍କୁଲ୍‌ରେ ସେମାନଙ୍କୁ ଅଭ୍ୟାସ କରାଉଥିଲେ। ଖାଲି ସେତିକି ନୁହେଁ, ସେଠାରୁ ବିଶେଷଜ୍ଞମାନଙ୍କୁ ଡକାଇ ହୋଲ୍‌କର ଷ୍ଟାଡିୟମ୍‌ରେ ଖେଳାଳିମାନଙ୍କୁ ଶାରୀରିକ ପ୍ରଶିକ୍ଷଣ ବି ଦେଉଥିଲେ।

ପଣ୍ଡିତ ମଜଭୁତ ଟିମ୍ ଗଢ଼ିବା ପାଇଁ ଡିଭିଜନାଲ୍ ମ୍ୟାଚ୍ ଓ ଟ୍ରାଏଲ୍ ମାଧ୍ୟମରେ ଖେଳାଳିଙ୍କ ସ୍କାଉଟ୍ କରୁଥିଲେ। ଯେଉଁ ଖେଳାଳି ଭିତରେ ପ୍ରତିଭା ଦେଖୁଥିଲେ, ତାକୁ ଶିବିରକୁ ଡାକୁଥିଲେ। ସେ ନିଜ ଖେଳାଳିମାନଙ୍କର ନଥିପତ୍ର ପ୍ରସ୍ତୁତ କରୁଥିଲେ। ସେଥିରେ ସେମାନଙ୍କ ପର୍‌ଫର୍ମାନ୍ସ, ଟ୍ରେନିଂ ସମୟ ସବୁକିଛି ଥାଏ। ପ୍ରତିଦିନ ଟିମ୍ ବୈଠକ ହୁଏ। ଏଥିରେ କୋଚ୍ ସବୁ ଖେଳାଳିଙ୍କୁ ଟିପ୍ସ ଦେଇଥା’ନ୍ତି ଏବଂ ତା’ ପରଦିନ ତା’ ଉପରେ କାମ ହୁଏ।

ପଣ୍ଡିତ ତାଙ୍କ ଦୁଇ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଟିମ୍ ପାଇଁ ୪୦୫ ଦିନ ପ୍ରଶିକ୍ଷଣ ଶିବିର ଚଳାଇଥିଲେ। ବର୍ଷାରେ ବି ଶିବିର ଆୟୋଜିତ ହେଉଥିଲା। ସେ ରଣଜୀ ଟିମ୍ ସହିତ ମହିଳା ଟିମ୍ ଓ ବୟସ ବର୍ଗର ଟିମ୍‌ଗୁଡ଼ିକର ଖେଳାଳିମାନଙ୍କୁ ବି ସବୁ ପ୍ରକାର ଆହ୍ୱାନ ପାଇଁ ପ୍ରଶିକ୍ଷଣ ଦେଉଥିଲେ। ତାଙ୍କ କାର୍ଯ୍ୟକାଳର ପ୍ରଥମ ବର୍ଷରେ ମଧ୍ୟପ୍ରଦେଶ ଟିମ୍ ଲିଗ୍ ରାଉଣ୍ଡରୁ ବିଦାୟ ନେଇଥିଲା; କିନ୍ତୁ ଏହାର ପର ସିଜନ୍‌ରେ ଟିମ୍ କମାଲ୍ କରିଥିଲା। ପଣ୍ଡିତ ଦୁଇ ବର୍ଷ ମଧ୍ୟରେ ଟିମ୍‌କୁ ନିମ୍ନରୁ ଶିଖରରେ ପହଞ୍ଚାଇଥିଲେ।

ବିସିସିଆଇ ଦେବ କି ବଡ଼ ଦାୟିତ୍ୱ:

ପଣ୍ଡିତଙ୍କ କୋଚିଂକୁ କେତେକ ପୂର୍ବତନ କ୍ରିକେଟର୍ ପ୍ରଶଂସା କରିଛନ୍ତି। କ୍ରିକେଟ୍ ସମୀକ୍ଷକ ବିଜୟ ଲୋକପଲ୍ଲୀଙ୍କ କହିବାନୁଯାୟୀ, ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ତାଙ୍କୁ ଭାରତୀୟ କ୍ରିକେଟ୍‌ରେ ବଡ଼ ଭୂମିକା ଦେଇପାରିବ। ସବୁ ବଡ଼ ନାଁ ଭାରତର କୋଚ୍ ହୋଇଛନ୍ତି, ଯେପରିକି ରବି ଶାସ୍ତ୍ରୀ, ଅନିଲ କୁମ୍ବଲେ ଓ ରାହୁଲ ଦ୍ରାବିଡ଼, ସମସ୍ତେ ନିଜ ସ୍ଥାନରେ ଅଛନ୍ତି; କିନ୍ତୁ ତୃଣମୂଳସ୍ତରକୁ ଯାଇ ଚନ୍ଦ୍ରକାନ୍ତ ପଣ୍ଡିତ ଯେଉଁ କାମ କରିଛନ୍ତି, ସେମାନଙ୍କ ମଧ୍ୟରୁ କେହି କରି ନାହାନ୍ତି।

ପଣ୍ଡିତ ଖେଳାଳିମାନଙ୍କ ସହ ବିନା ଲାପ୍‌ଟପ୍‌ରେ ସବୁ ସମୟରେ କ୍ରିକେଟ୍ ବିଷୟରେ କଥାବାର୍ତ୍ତା କରନ୍ତି। ବିଭିନ୍ନ କଥା କହନ୍ତି। ଉଦାହରଣ ଦେଇ ବୁଝାନ୍ତି। କ୍ରିକେଟ୍‌କୁ ନେଇ ତାଙ୍କ ପାଖରେ ଯେଉଁ ଜ୍ଞାନ ଅଛି, ସେ ଯେଉଁଭଳି ପରିସ୍ଥିତି ଅନୁଯାୟୀ କ୍ରିକେଟ୍‌କୁ ମାପନ୍ତି, ତାହା ଚମକପ୍ରଦ। ସେ ଖୁବ୍ ସାଧାରଣ ଓ ବ୍ୟାବହାରିକ। ଏତେ ଉପଲବ୍ଧି ସତ୍ତ୍ୱେ ସେ ଆତ୍ମଗର୍ବୀ ନୁହନ୍ତି। ସେ କେବେ ବି ବହୁତ ବଡ଼ ବଡ଼ ଦାବି କରି ନାହାନ୍ତି। ତାଙ୍କ ଭଳି କୋଚ୍ ମିଳିବା କଷ୍ଟ। କ୍ରିକେଟ୍ ସମୀକ୍ଷକ ବିଜୟ ଲୋକପଲ୍ଲୀଙ୍କ ଭାଷାରେ ତାଙ୍କୁ ‘କ୍ରିକେଟ୍‌ର କୀଟ’ କୁହାଯାଇପାରିବ।

କିଏ କହିବ, ପଣ୍ଡିତଙ୍କ ସାମର୍ଥ୍ୟକୁ ପରଖି ଭବିଷ୍ୟତରେ ବିସିସିଆଇ ତାଙ୍କୁ କୌଣସି ବଡ଼ ଦାୟିତ୍ୱ ଦେଇପାରେ। ଭାରତୀୟ କ୍ରିକେଟ୍‌ର ପ୍ରଗତି ପର୍ଯ୍ୟାୟରେ କିଛି ବି ଅସମ୍ଭବ ନୁହେଁ।

ଦୂରଭାଷ: ୯୪୩୮୧୭୯୨୧୯

ଇ-ମେଲ୍: biswasports@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Cricket Chandrakant Pandit
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ