Advertisment

୧୨ ବର୍ଷର ତପସ୍ୟା ଶୁଖୁଆ ପୋଡାରେ ଯିବନି ତ…

ସମଦୂରତ୍ୱର ସୀମା ଲଂଘି ଶାସକ ଦଳ ସମ୍ପର୍କର ଯେଉଁ ସେତୁ ଗଢିଛି ଏଥିରେ ରାଜ୍ୟବାସୀ କେତେ ଲାଭାନ୍ୱିତ ହେବେ ? ଓଡ଼ିଶାର ମୁଖ୍ୟ ବିରୋଧୀଦଳ ଭୂମିକା ନିର୍ବାହ କରୁଥିବା ବିଜେପି କିଭଳି ବିଜେଡି ଓ କଂଗ୍ରେସ ବିରୋଧୀ ଭୋଟକୁ ବିଶ୍ୱାସ ଜିତାଇବ ? ଆଗକୁ ଅଘୋଷିତ ମେଣ୍ଟ ହେବ କି ?

ଅଦ୍ୟତନ ହୋଇଛି
The politics of odisha is in hard-line state

The politics of odisha is in hard-line state

Advertisment

ମୁଣ୍ଡ ଉପରେ ୨୦୨୪ ସାଧାରଣ ନିର୍ବାଚନ, କଡ଼ଲେଉଟାଇଲାଣି ରାଜ୍ୟ ରାଜନୀତି। ବନ୍ଧୁତା ଦିବସ ବେଳେ ଶାହାଙ୍କ ୨ ଦିନିଆ ଓଡ଼ିଶା ଗସ୍ତ, ନବୀନଙ୍କ ସହିତ ପ୍ରଶଂସାର ଆଦାନ ପ୍ରଦାନ, ସଂସଦରେ ୨ ଟି ପ୍ରସଙ୍ଗରେ ବିଜେପିକୁ ସମର୍ଥନ ପରେ ଜାତୀୟ ରାଜନୀତିରେ ଯେଉଁ ସମାଲୋଚନା କରାଯାଇଛି ତାହା ଆଗରୁ କେବେ ହୋଇ ନଥିଲା।

Advertisment

୨୬ ଡିସେମ୍ବର ୧୯୯୭ରେ ବୁଣାଯାଇଥିବା ବୀଜ ଶାଖା ପ୍ରଶାଖାକୁ ପ୍ରସାରିତ କରି ଆଜି ବିଶାଳ ଦ୍ରୁମ ଭାବେ ବିଜେଡି ନିଜର ସ୍ଥିତି ବଜାୟ ରଖିଛି। ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡିର ସାଙ୍ଗଠନିକ ସାଧନା, ସଫଳ ରାଜନୈତିକ ଶିଖରକୁ ପହଞ୍ଚାଇଛି । ଦୀର୍ଘ ସମୟ ଧରି ଏକ ରାଜ୍ୟର ନେତୃତ୍ୱ ନେଇଥିବା ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ପ୍ରଖ୍ୟାତ କମ୍ୟୁନିଷ୍ଟ ନେତା ତଥା ପ୍ରାକ୍ତନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ଜ୍ୟୋତି ବସୁଙ୍କ ସ୍ଥାନକୁ ଅତିକ୍ରମ କରି ଦ୍ୱିତୀୟରେ ଆସି ପହଞ୍ଚିଛନ୍ତି ନବୀନ।

ତାଲିକାର ପ୍ରଥମ ସ୍ଥାନରେ ରହିଛି ପ୍ରାକ୍ତନ ସିକ୍କିମ ମୁଖ୍ୟମନ୍ତ୍ରୀ ପବନ କୁମାର ଚାମ୍‌ଲିଂଙ୍କ ନାମ। ଅବଶ୍ୟ ଜ୍ୟୋତି ବସୁଙ୍କ ପରେ ମଧ୍ୟ ତାଙ୍କ ଦଳ ମାକ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ଆଉ ୧୦ ବର୍ଷ ଶାସନ କ୍ଷମତାରେ ଥିଲା । ୨୦୧୧ ଯାଏଁ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ମୁଖ୍ୟମନ୍ତ୍ରୀ ରହିଥିଲେ। ତେବେ ଏକ ଆଂଚଳିକ ଦଳ ଭାବେ ବିଜେଡି ନିଜ ନୀତି, ଆଦର୍ଶ ଓ ରଣକୌଶଳକୁ ନେଇ ଜାତୀୟ ରାଜନୀତିରେ ପ୍ରଶଂସା ଆଉ ପ୍ରଭାବ ବିସ୍ତାର କରିପାରିଛି।

Advertisment

ଇତିମଧ୍ୟରେ ଅନେକ ଝଡ, ବତାସ, ବାତ୍ୟା ବହିଯାଇଛି; କିନ୍ତୁ ଏହି ଦୃମକୁ କେହି ଦୋହଲାଇପାରି ନାହିଁ! ତେବେ ଚଳିତ ସଂସଦ ଅଧିବେଶନ ସମୟରେ ଦଳ ଜାତୀୟସ୍ତରୀୟ ରାଜନୀତିରେ ସମାଲୋଚନାର ସମ୍ମୁଖିନ ହୋଇଛି ଯାହା ପୂର୍ବରୁ ହୁଏତ ଘଟିନି; ୨୦୦୦ରୁ ୨୦୦୯ ବିଜେପି ସହିତ ମିଳିତ ସରକାର କରିବା ବେଳେ ମଧ୍ୟ ନୁହେଁ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକାଳ ମଧ୍ୟରେ କେନ୍ଦ୍ରରେ ୩ ଜଣ ପ୍ରଧାନମନ୍ତ୍ରୀ ଦେଶର ନେତୃତ୍ୱ ନେଇଛନ୍ତି- ସ୍ୱର୍ଗତଃ ଅଟଳ ବିହାରୀ ବାଜପାୟୀ(ଏନ୍ଡିଏ), ଡ. ମନମୋହନ ସିଂ (ୟୁପିଏ) ଏବଂ ନରେନ୍ଦ୍ର ମୋଦୀ (ଏନ୍‌ଡିଏ)। ଏହି ସମୟ ମଧ୍ୟରେ ସଂସଦରେ ଅନେକ ପ୍ରସ୍ତାବ ଓ ବିଲ୍ କେନ୍ଦ୍ର ସରକାର ଆଣିଛନ୍ତି। ବିଜେଡି ଅନେକକୁ ସମର୍ଥନ ଆଉ ବିରୋଧ ମଧ୍ୟ କରିଛି।

Advertisment

ତେବେ ଚଳିତ ସଂସଦ ଅଧିବେଶନରେ ଦୁଇଟି ବିଷୟକୁ ନେଇ ବିଜେଡିର ‘ସମଦୂରତ୍ୱ’ ଫର୍ମୁଲା ସମାଲୋଚନାର ସମ୍ମୁଖିନ ହେବା ଦେଖାଦେଇଛି । ଗୋଟିଏ ହେଲା ମଣିପୁର ପ୍ରସଙ୍ଗରେ କେନ୍ଦ୍ର ସରକାର ବିରୋଧରେ ବିରୋଧୀ ମେଂଟ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ବିଜେଡିର ବିରୋଧ ଓ ସଂସଦରେ ଆଲୋଚନା ବେଳେ ଦଳୀୟ ସାଂସଦଙ୍କ କଂଗ୍ରେସକୁ ଆକ୍ରମଣ ଏବଂ ଦିଲ୍ଲୀ ସେବା (ସଂଶୋଧନ) ବିଲ୍,୨୦୨୩କୁ ସମର୍ଥନ।

ଏହି ଦୁଇଟି ବିଷୟରେ ବିଜେଡିର କଂଗ୍ରେସ ଓ ବିଜେପି ଠାରୁ ‘ସମଦୂରତ୍ୱ’ ରକ୍ଷାକରୁଥିବା ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠିଛି। କେବଳ ପ୍ରଶ୍ନ ଉଠିନି, ଜାତୀୟସ୍ତରରେ ରାଜନେତାମାନେ କଡା ଭାଷାରେ ସମାଲୋଚନା ମଧ୍ୟ କରିଛନ୍ତି।

ବିଜେଡିକୁ ଆକ୍ଷେପ କରି ଆପ୍ ସାଂସଦ ରାଘବ ଚଡ୍ଡା କହିଥିଲେ, “ଯେବେ ନିଆଁ ଲାଗିବ ଅନେକ ଘର ଜଳିବ, ଏଠାରେ କେବଳ ଆମ ଘର ହିଁ ନାହିଁ। ହେଲେ ଆପଣଙ୍କ ଘରେ ନିଆଁ ଲାଗିଲେ ଆମ୍ ଆଦମୀ ପାର୍ଟି ଆପଣଙ୍କ ସହିତ ଠିଆ ହେବ, ଏ ବିଶ୍ୱାସ ମୁଁ ଦେଉଛି।”

ଶ୍ରୀ ଚଡ୍ଡା ଆହୁରି କହିଥିଲେ, “ନିଶ୍ଚୟ କିଛି ବାଧ୍ୟବାଧକତା ଥିବ ଯାହାଦ୍ୱାରା ଏଭଳି ନିଷ୍ପତ୍ତି ବିଜେଡି ନେଲା।”

ସେହିଭଳି ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ସାଂସଦ ପି. ଚିଦାମ୍ବରମ୍ କହିଲେ, “ଏହା ଏକ ଅସାମ୍ବିଧାନିକ ବୋଲି ଜାଣି ସୁଦ୍ଧା ବିଜେଡି ଏହାକୁ କିଭଳି ସମର୍ଥନ କଲା ମୋର ଜାଣିବା ବାହାରେ।” ଆର୍‌ଜେଡି ସାଂସଦ ମନୋଜ ଝା ସମଦୂରତାକୁ ନେଇ କଟାକ୍ଷ କରି କହିଲେ, “ହାତିର ପାଦ ମୂଷାର ଲାଞ୍ଜରେ ଯେତେବେଳେ ପଡିଥିବ ସେହି ସମୟରେ ସମଦୂରତ୍ୱର ଅର୍ଥ କ’ଣ ସେହି ମୂଷାକୁ ପଚାରିଲେ ଜଣାପଡିବ ତାକୁ କେମିତି ଲାଗେ।” କବିତା ମାଧ୍ୟମରେ ଶ୍ରୀ ଝା କହିଲେ, “ଆପଣଙ୍କ ସହିତ ହାତ ମିଳାଉଥିବା ସମସ୍ତ ବ୍ୟକ୍ତି ବନ୍ଧୁ ହୋଇପାରିବେ ନାହିଁ।”

ତେବେ ସବୁଠାରୁ ବଳିଯାଇଥିଲା ଟିଏମ୍‌ସି ସାଂସଦ ଡେରେକ ଓ’ବ୍ରେନ୍‌ଙ୍କ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ କରିଥିବା ସାଙ୍ଘାତିକ ଆକ୍ରମଣ। ବରିଷ୍ଠ ସାମ୍ବାଦିକ କରନ ଥପରଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତବ୍ୟ ଦେଇ ସେ କହିଥିଲେ, “ଶ୍ରୀ ପଟ୍ଟନାୟକ ଜଣେ ସ୍ୱାର୍ଥପର ରାଜନେତା, ଯିଏ କି ଶେଷ ପର୍ଯ୍ୟନ୍ତ ଓଡିଶାର ମୁଖ୍ୟମନ୍ତ୍ରୀ ହୋଇ ରହିବାକୁ ଚାହାନ୍ତି। ମୁଁ ତାଙ୍କର ସୁସ୍ଥ ଦୀର୍ଘାୟୁ କାମନା କରୁଛି।”

ଶ୍ରୀ ଓ’ବ୍ରେନ୍ ଆହୁରି କହିଥିଲେ, “ଶ୍ରୀ ପଟ୍ଟନାୟକ ସଙ୍ଘୀୟ ବ୍ୟବସ୍ଥାକୁ ସୁରକ୍ଷିତ ରଖିବାକୁ ଇଚ୍ଛୁକ ନୁହଁନ୍ତି । 

ଏହା ପୂର୍ବରୁ କେନ୍ଦ୍ର ଶାସନ କ୍ଷମତାରେ ବିଜେପିର ଶୀର୍ଷସ୍ତରର ନେତୃତ୍ୱ ତଥା ଗୃହମନ୍ତ୍ରୀ ଅମିତ ଶାହାଙ୍କ ବନ୍ଧୁତା ଦିବସରେ ଅଚାନକ ଓଡ଼ିଶା ଗସ୍ତକୁ ନେଇ ରାଜନୈତିକ ଆଲୋଡନ ଲାଗିରହିଛି । ନବୀନ ସରକାରଙ୍କୁ ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କ ପ୍ରଚୁର ପ୍ରଶଂସାର ଆଦାନ ପ୍ରଦାନ, ଶାହା-ନବୀନଙ୍କ ରୁଦ୍ଧଦ୍ୱାର ବୈଠକ ରାଜ୍ୟ ରାଜନୀତି ପାଣିକୁ ଚହଲାଇ ଦେଇଛି। କି ଆଲୋଚନା ହେଲା ତାହା ସାମ୍ନାକୁ ଆସିନାହିଁ। କିନ୍ତୁ ସେପଟେ କଂଗ୍ରେସର ବରିଷ୍ଠ ନେତା ପଂଚାନନ କାନୁନଗୋ ଆଲୋଚନାର ବିଷୟ ସର୍ବ ସମ୍ମୁଖରେ ପ୍ରକାଶ କରିବାକୁ ଦାବି କରିଛନ୍ତି।

ସମଦୂରତାର ପ୍ରସଙ୍ଗ ସୀମା ଲଙ୍ଘି ବର୍ତ୍ତମାନ ବିଜେଡି-ବିଜେପି ମଧ୍ୟରେ କଥା କଟାକଟି ହେବା ଆରମ୍ଭ ହେଲାଣି । କିଏ କାହା ସହିତ ମିଶିଛି, କିଏ ସମୁଦ୍ର ଆଉ କିଏ ନଦୀ ତାକୁ ନେଇ ତର୍କ ସୃଷ୍ଟି ହେଲାଣି । ଏଭଳି ସ୍ଥିତିରେ ଆଗକୁ ସ୍ଥିତି କ’ଣ ହେବ? ଆଗୁଆ ନିର୍ବାଚନର ଆଭାସ ମିଳିଛି। ଉଭୟ ଦଳ ମଧ୍ୟରେ ଆଗକୁ ଅଘୋଷିତ ମେଂଟ ହେବ କି?

ତେବେ ସେ ଯାହା ହେଉନା କାହିଁକି ଏହି ‘ସଙ୍ଗମ’ ଏକ ଅମଳିନ ଭାବମୂର୍ତ୍ତିର ଇମେଜ୍‌କୁ ନେଇ ସମାଲୋଚନା ସୃଷ୍ଟି ହୋଇଛି, ଯାହାର ନିର୍ମାଣ ପାଇଁ ଦୀର୍ଘ ୨୩ ବର୍ଷର ସାଧନା ହୋଇଥିଲା। ଏହାର ପ୍ରତିବଦଳରେ ଓଡ଼ିଶାର ଲାଭ କ’ଣ? ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ମହାନଦୀ ଜଳ ବିବାଦର ସମାଧାନ ଭଳି ଅନେକ ବହୁ ପ୍ରତିକ୍ଷିତ ପ୍ରସ୍ତାବ ସବୁ ଓଡ଼ିଶା ପାଇବ ତ? କାରଣ ଏଥିରେ ବିଜେଡିର ରାଜନୈତିକ ଫାଇଦା ଠାରୁ ଅଧିକ ବିଜେପି ଜାତୀୟସ୍ତରରେ ଅଧିକ ଲାଭବାନ ହେବାର ଦୃଶ୍ୟମାନ ହୁଏ।

ସେମିତି ରାଜ୍ୟରେ ପ୍ରମୁଖ ବିରୋଧୀ ଦଳର ଭୂମିକା ନିର୍ବାହ କରୁଥିବା ବିଜେପିର ଆଗାମୀ ରଣକୌଶଳ କ’ଣ ହେବ ତାକୁ ନେଇ ଦଳୀୟ ନେତା ଓ କର୍ମୀ ଦ୍ୱନ୍ଦ୍ୱରେ। ବିଜେଡିର ତୀବ୍ର ବିରୋଧୀଭାବେ ଜଣାଯାଉଥିବା କିଛି ବିଜେପି ନେତା ସବୁଠାରୁ ବେଶୀ ଅଡୁଆରେ ଥିବା ମନେହୁଏ।

ତେବେ ଏଭଳି ମୌକା ଦେଖି ଛକା ମାରିବାକୁ ଆଗେଇ ଆସିଛନ୍ତି କଂଗ୍ରେସ ସମେତ ଅନ୍ୟାନ୍ୟ ଦଳ। କଂଗ୍ରେସ, ବାମପନ୍ଥୀ ସମେତ ରାଜ୍ୟର ଅଣବିଜେପି ବିରୋଧୀ ଦଳ ସବୁ ମିଶି ‘ଇଣ୍ଡିଆ’ ମିଳିତ ମେଂଟ ବ୍ୟାନରରେ ଏକାଠି ଆଗାମୀ ସାଧାରଣ ନିର୍ବାଚନ ପାଇଁ କେନ୍ଦ୍ର ଓ ରାଜ୍ୟ ବିରୋଧରେ ରଣହୁଙ୍କାର ଦେଇଛନ୍ତି।

ଇମେଲ୍: dksawat@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Naveen Patnaik BJD Amit Shah BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ