Advertisment

ମାନବ ସେବାରେ ବ୍ରତୀ ପ୍ରଭାବେନ୍

ମାତ୍ର ୧୨ ବର୍ଷ ବୟସରେ ମନରେ ଜାଗିଉଠିଲା ଦେଶ ପ୍ରେମ। ଝିଅଟି ପଣ କଲା ବିଳାସବ୍ୟସନଠାରୁ ଦୂରରେ ରହିବ ଆଉ ଦେଶୀ ଜିନିଷ ହିଁ ବ୍ୟବହାର କରିବ। ସେଥିପାଇଁ ସେ ତଳେ ଅଖା ପାରି ଶୋଇଲା। ପୁଣି ସ୍କୁଲ୍‌ରେ ଚରଖାରେ ତୁଳାରୁ ସୂତା କାଟି ଖଦୀ ତିଆରି କଲା। ଆସନ୍ତୁ ଜାଣିବା ସେହି ମହିୟସୀଙ୍କ ବିଷୟରେ।

ଅଦ୍ୟତନ ହୋଇଛି
The life Story of Prabhaben Shah

The life Story of Prabhaben Shah

Advertisment

ଜାତିର ପିତା ମହାତ୍ମା ଗାନ୍ଧୀ ସେତେବେଳେ 'ଭାରତ ଛାଡ଼' ଆନ୍ଦୋଳନ ପାଇଁ ଆହ୍ୱାନ ଦେଇଥା'ନ୍ତି। ଆଉ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମାତ୍ର ୧୨ ବର୍ଷ ବୟସର ଝିଅଟିଏ ପଣ କଲା, ସେ ବିଳାସବ୍ୟସନଠାରୁ ଦୂରରେ ରହିବ ଏବଂ କେବଳ ଦେଶୀ ଜିନିଷ ହିଁ ବ୍ୟବହାର କରିବ। ସେଥିପାଇଁ ସେ ତଳେ ଅଖା ପାରି ଶୋଇଲା। ପୁଣି ସ୍କୁଲ୍‌ରେ ଚରଖାରେ ତୁଳାରୁ ସୂତା କାଟି ଖଦୀ ତିଆରି କଲା।

Advertisment

ଅତି ଛୋଟ ବୟସରୁ ସେଇ ଝିଅଟି ବର୍ଦ୍ଦୋଳିର ସ୍ୱରାଜ ଆଶ୍ରମ ସହ ଜଡ଼ିତ ଥିଲା, ଆଉ ମହାତ୍ମାଙ୍କୁ ନିଜ ଗୁରୁ ତଥା ଆଦର୍ଶ ଭାବେ ଗ୍ରହଣ କରିଥିଲା। ଏ ତ ଥିଲା ସ୍ୱାଧୀନତା ସଂଗ୍ରାମ ସମୟରେ ସେଇ ଝିଅଟିର ସ୍ୱତଃସ୍ଫୂର୍ତ୍ତ ଛୋଟ ଅବଦାନଟିଏ। ହେଲେ ସେଇଠି ଅଟକି ଯାଇ ନଥିଲା ଝିଅଟି। ବରଂ ଦେଶ ସ୍ୱାଧୀନତା ପାଇବା ପରେ ବି ସମାଜ ପ୍ରତି ସେ ନିଜର କର୍ତ୍ତବ୍ୟ ଜାରି ରଖିଲା।

ବଡ଼ ହେବା ପରେ ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତୀକରଣ, ନାରୀ ଜାଗରଣ ତଥା ପ୍ରାକୃତିକ ବିପର୍ଯ୍ୟୟ ଏବଂ ପଡ଼ୋଶୀ ଦେଶ ସହ ଯୁଦ୍ଧ ସମୟରେ ରିଲିଫ୍‌ ବଣ୍ଟନ ଆଦି କାର୍ଯ୍ୟରେ ନିଜକୁ ନିୟୋଜିତ କଲା। ଏଇ ବର୍ଷ ଫେବୃଆରୀରେ ସେଦିନର ସେ ଝିଅଟି ୯୩ ବର୍ଷ ବୟସରେ ପାଦ ଦେଇଛି। ତଥାପି ସମାଜ ସେବା କ୍ଷେତ୍ରରେ ନିଜର ଅବଦାନ ଜାରି ରଖିଛି।

Advertisment

ଏଠାରେ ଯାହାଙ୍କ ବିଷୟରେ କୁହାଯାଉଛି ସେ ହେଲେ, ଡାମନର ପ୍ରଭାବେନ୍ ଶାହ। ଲୋକେ ତାଙ୍କୁ ଶ୍ରଦ୍ଧାରେ 'ଡାମନ କି ଦିବ୍ୟା' ବୋଲି ସମ୍ବୋଧନ କରିଥାନ୍ତି। ସମାଜସେବା କ୍ଷେତ୍ରରେ ନିଜର ଅତୁଳନୀୟ ଅବଦାନ ପାଇଁ ୨୦୨୨ ମସିହା, ଜାନୁଆରୀ ମାସରେ ତାଙ୍କୁ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରାଯାଇଛି। ଏହାକୁ ନେଇ ସେ ବହୁତ ଖୁସି ମଧ୍ୟ। ତାଙ୍କ ମତରେ ଏହି ସମ୍ମାନ କେବଳ ତାଙ୍କର ନୁହେଁ। ଏହା ହେଉଛି ସେ ସମସ୍ତଙ୍କ ପାଇଁ ଉଦ୍ଧିଷ୍ଟ, ଯେଉଁମାନେ ତାଙ୍କୁ ଜୀବନର ବିଭିନ୍ନ ମୋଡ଼ରେ ସହଯୋଗର ହାତ ବଢାଇ ଦେଇଛନ୍ତି।

ତା' ଛଡା ସେ ଯାହା ବି କରିପାରିଛନ୍ତି ସେଥିରେ ତାଙ୍କ ସ୍ୱର୍ଗତ ସ୍ୱାମୀ ସୁଭାଷଙ୍କର ମଧ୍ୟ ଯଥେଷ୍ଟ ଅବଦାନ ରହିଥିବା ସେ କହନ୍ତି। ଆଜି ମଧ୍ୟ ଯେଉଁଠି ମହିଳାମାନେ ବହୁ ସଂଖ୍ୟାରେ ସମାଜର ଲିଙ୍ଗଗତ ବୈଷମ୍ୟର ଶିକାର ହେଉଛନ୍ତି ସେଠି ବିବାହ ପରେ, ପୁଣି ସେ ସମୟରେ, ସ୍ୱାମୀ ଯେ ତାଙ୍କୁ ନିଜ ପସନ୍ଦର କାମ କରିବା ପାଇଁ ଅନୁମତି ଓ ପ୍ରୋତ୍ସାହନ ଦେଇଥିଲେ, ତା' କିଛି କମ୍ କଥା ନୁହେଁ।

Advertisment

୯୩ ବର୍ଷ ବୟସରେ ବି ପ୍ରଭାଙ୍କ ସ୍ମୃତିଶକ୍ତି ବେଶ ପ୍ରଖର। ପୂର୍ବ ଦିନ କଥା ମନେପକାଇ ସେ କୁହନ୍ତି, ସପ୍ତମରୁ ହିଁ ପାଠ ଛାଡି ତାଙ୍କୁ ବିବାହ କରିବାକୁ ପଡ଼ିଥିଲା। ଗୁଜରାଟ ବିଦ୍ୟୁତ୍ ବୋର୍ଡରେ କର୍ତ୍ତବ୍ୟରତ ସ୍ୱାମୀ ସୁଭାଷଙ୍କର ଯେତେବେଳେ ବର୍ଦ୍ଦୋଳି ଜିଲ୍ଲାକୁ ବଦଳି ହେଲା ସେତେବେଳେ ତାଙ୍କ ବଡ଼ ଝିଅକୁ ହୋଇଥିଲା ମାତ୍ର ଦେଢ଼ ବର୍ଷ। ସେଠାରେ ପିଲାଙ୍କ ପାଇଁ ସ୍କୁଲ୍‌ଟିଏ ନଥିଲା। ତେଣୁ ସେ ସେଠାରେ ନିଜ ପ୍ରଚେଷ୍ଟାରେ ଗୁଜରାଟୀ ମାଧ୍ୟମରେ ଏକ ବାଲ୍ ମନ୍ଦିର ପ୍ରତିଷ୍ଠା କଲେ। ପ୍ରଥମେ ସେ ନିଜ ଝିଅ ସହ ଅନ୍ୟ କିଛି ପଡିଶା ପିଲାଙ୍କୁ ନିଜେ ହିଁ ପାଠ ପଢ଼ାଉଥିଲେ। ପରେ କେତେକ ଶିକ୍ଷକଙ୍କୁ ସେଠାରେ ନିଯୁକ୍ତି ଦିଆଗଲା।

ସେତେବେଳେ ଶିକ୍ଷକମାନଙ୍କ ଦରମା ଓ ସ୍କୁଲ୍‌ର ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ପ୍ରଭା ଖଦୀ ଆଶ୍ରମରେ କ୍ଲର୍କ ଚାକିରୀ ମଧ୍ୟ କରିଥିଲେ। ଦୁଇ ବର୍ଷ ପରେ ପୁଣି ଥରେ ସ୍ଵାମୀଙ୍କ ବଦଳି ହେଲା ଡାମନକୁ। ସେଠାରେ ବି କୌଣସି ସ୍କୁଲ୍ ନ ଥିଲା। ତେବେ ଏଥର ପ୍ରଭା ଚିନ୍ତା କଲେ, ସିଧାସଳଖ ସ୍କୁଲ୍‌ଟିଏ ସ୍ଥାପନ ନକରି ସେ ପ୍ରଥମେ ମହିଳା ମଣ୍ଡଳୀଟିଏ ଆରମ୍ଭ କରିବେ ଓ ତା’ ମାଧ୍ୟମରେ ହିଁ ସ୍କୁଲ୍ ପ୍ରତିଷ୍ଠା ହେବ। ହେଲେ ୧୯୬୦ ଦଶକର ସେ ସମୟରେ ବହୁ ସ୍ଥାନରେ ସ୍ତ୍ରୀଲୋକମାନଙ୍କ ମଧ୍ୟରେ ପରଦା ପ୍ରଥାର ପ୍ରଚଳନ ଥିଲା ଓ ସେଇ ଗ୍ରାମୀଣ ଅଞ୍ଚଳର ମହିଳାମାନଙ୍କୁ ଶିକ୍ଷାର ମହତ୍ତ୍ଵ ବୁଝାଇବା ମଧ୍ୟ ସହଜ ନ ଥିଲା।

ତେବେ ପ୍ରଭା ଉଦ୍ୟମ ଜାରି ରଖିଲେ ଓ ୧୯୬୩ରେ ଡାମନ୍ ମହିଳା ମଣ୍ଡଳ ସ୍ଥାପିତ ହେଲା। ମଣ୍ଡଳର ସଦସ୍ୟାମାନଙ୍କୁ ପ୍ରଭାବେନ୍ ନିଜେ ପ୍ରଥମେ ପ୍ରାଥମିକ ଶିକ୍ଷା ଓ ସ୍ଵାସ୍ଥ୍ୟ ରକ୍ଷା ଦିଗରେ ସଚେତନ କରାଇଲେ। ଏପରିକି ସେମାନଙ୍କ ପାଇଁ ରାତିରେ (ସେମାନେ ଘରକାମ ସାରିବା ପରେ) ସ୍ଵତନ୍ତ୍ର କ୍ଲାସ୍‌ର ମଧ୍ୟ ଆୟୋଜନ କଲେ। ଧୀରେ ଧୀରେ ମହିଳା ମଣ୍ଡଳର କାମ ଆଗେଇ ଚାଲିଲା ଓ ସ୍ଥାନୀୟ ଲୋକଙ୍କ ଆର୍ଥିକ ସହାୟତାରେ ମଣ୍ଡଳ ପକ୍ଷରୁ ଦୁଇଟି ଗୁଜରାଟୀ ମାଧ୍ୟମ ଓ ଦୁଇଟି ଇଂରାଜୀ ମାଧ୍ୟମ ସ୍କୁଲ୍‌ର ପ୍ରତିଷ୍ଠା ହେଲା।

ପରେ ମହିଳା ମଣ୍ଡଳ ତରଫରୁ ଏକ ଛୋଟ ଋଣ ସଂସ୍ଥା ମଧ୍ୟ ଆରମ୍ଭ ହେଲା। ଉଦ୍ଦେଶ୍ୟ ଥିଲା, ପାମ୍ପଡ ତିଆରି, ଟେଲରିଂ କିମ୍ବା ତେଜରାଜି ଦୋକାନ ଭଳି ଛୋଟ ଛୋଟ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିବା ମହିଳାମାନଙ୍କୁ ଏଥିରୁ ଋଣ ଯୋଗାଇଦେଇ ସେମାନଙ୍କୁ ସ୍ୱୟଂ ସକ୍ଷମ ହେବାରେ ସାହାଯ୍ୟ କରିବା। ୧୯୬୫ରେ ଏକ ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ମହିଳା ମଣ୍ଡଳ ପକ୍ଷରୁ ରୋଗୀମାନଙ୍କ ସମ୍ପର୍କୀୟମାନଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଏକ ନିରାମିଷ କ୍ୟାଣ୍ଟିନ୍‌ ପ୍ରତିଷ୍ଠା କରାଯାଇଥିଲା, ଯାହା ଆଜି ମଧ୍ୟ କାର୍ଯ୍ୟକ୍ଷମ ଅଛି।

୧୯୬୫ରୁ ୧୯୭୧ ମଧ୍ୟରେ ଦୁଇଟି ଯୁଦ୍ଧ (ଭାରତ-ପାକିସ୍ତାନ ମଧ୍ୟରେ)ର ସୈନିକ ଓ ସହିଦମାନଙ୍କ ପରିବାର ପାଇଁ ଡାମନ ମହିଳା ମଣ୍ଡଳ ପକ୍ଷରୁ ଅର୍ଥ ସଂଗ୍ରହ କରାଯାଇ ସହାୟତା ଆକାରରେ ପ୍ରଦାନ କରାଯାଇଥିଲା। ଖାଲି ସେତିକି ନୁହେଁ, ମଣ୍ଡଳର ସଦସ୍ୟାମାନେ ଟ୍ରକ୍‌ରେ ଖାଦ୍ୟ ସାମଗ୍ରୀ ସହ ନିଜେ ସ୍ୱେଟର ବୁଣି ସୀମାରେ ଲଢ଼ୁଥିବା ସୈନ୍ୟମାନଙ୍କ ପାଇଁ ପଠାଇଥିଲେ। ପରେ ସେ ୧୯୮୪ର ଭୋପାଳ ଗ୍ୟାସ୍ ଦୁର୍ଘଟଣା ହେଉ କି ୨୦୦୧ରେ କଚ୍ଛଠାରେ ଘଟିଥିବା ଭୂମିକମ୍ପ କିମ୍ବା ୨୦୧୮ର କେରଳ ବନ୍ୟା ପରିସ୍ଥିତି, ସବୁଠାରେ ପହଞ୍ଚିଛି ପ୍ରଭାବେନଙ୍କ ମହିଳା ମଣ୍ଡଳର ସହାୟତା।

ଏହା ବ୍ୟତୀତ ପ୍ରଭା ଓ ତାଙ୍କ ସହଯୋଗୀମାନଙ୍କ ପକ୍ଷରୁ ଗରିବଙ୍କ ପାଇଁ କେତେକ କ୍ୟାଣ୍ଟିନ୍‌ ପରିଚାଳନା କରାଯାଏ ତଥା ଆବଶ୍ୟକ ପଡିଲେ ଲୋକଙ୍କୁ ଲୁଗାପଟା ଯୋଗାଇ ଦେବାକୁ 'ବତ୍ରା ବ୍ୟାଙ୍କ୍‌'ଗୁଡ଼ିକର ମଧ୍ୟ ଆୟୋଜନ କରାଯାଇଥାଏ।

ଏ ଭିତରେ ଅନେକ ସମସ୍ୟାର ସମାଧାନ ଦିଗରେ କାମ କରିଛନ୍ତି ପ୍ରଭା। ବହୁ ସଂଖ୍ୟକ ମହିଳା ଓ ଶିଶୁଙ୍କ ଜୀବନକୁ ବିକଶିତ କରାଇବାରେ ସହାୟକ ହୋଇଛନ୍ତି। ଏ ପର୍ଯ୍ୟନ୍ତ ସମାଜସେବା କ୍ଷେତ୍ରରେ ନିଜ ପର ପିଢ଼ିର ଦାୟାଦମାନଙ୍କୁ ଉଚିତ ପରାମର୍ଶ ଓ ଦିଗଦର୍ଶନ ମଧ୍ୟ ଦେଇ ଆସୁଛନ୍ତି। ସେ ବିଶ୍ୱାସ କରନ୍ତି ଯେ, ଖାଲି ନିଜ ପାଇଁ ବଞ୍ଚିଥିବା ଜୀବନଟିଏ ବାସ୍ତବରେ ଜୀବନ ପଦବାଚ୍ୟ ନୁହେଁ।

The Life Story Of Prabhaben Shah
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ