୨୦୧୪ରେ ଗଂଜାମ ଜିଲ୍ଲା ଆସିକାରୁ ଏକ ହୃଦୟ ବିଦାରକ, ଅତି ସମ୍ବେଦନଶୀଳ ସ୍ପର୍ଶକାତର ଘଟଣା ସାମ୍ନାକୁ ଆସିଥିଲା। ଆସିକା ସରକାରୀ ବାଳିକା ବିଦ୍ୟାଳୟର ସପ୍ତପ ଶ୍ରେଣୀ ଛାତ୍ରୀ ଜଣେ ଖାତା କିଣିବାକୁ ଜିଦ୍ କରିଥିଲେ। ଘରେ ବାପା-ମାଆ ଖାତା ପାଇଁ ୧୦ ଟଙ୍କା ନ ଦେବାରୁ ଦେହରେ କିରୋସିନ୍ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଥିଲେ ଛାତ୍ରୀ।
ଏହି ଘଟଣାଟିକୁ ହଠାତ କେହି ସାଧାରଣରେ ସହଜରେ ଗ୍ରହଣ କରି ନଥିଲେ। ଘରଲୋକେ ଖାତା ଖଣ୍ଡିକ ପାଇଁ ମାତ୍ର ୧୦ ଟଙ୍କା ଦେଇପାରିଲେ ନାହିଁ ଯେ ପିଲାଟି ଆତ୍ମହତ୍ୟା କରିଦେଲା! ତେବେ ସେ ଘରର ପରିସ୍ଥିତି ଜାଣିବା ପରେ ଘଟଣା ଉପରେ ବିଶ୍ୱାସ କରିବାକୁ ବାଧ୍ୟ ହେଲେ।
ଘରେ ବାପା ପାରାଲିସ୍ ରୋଗୀ। ମାଆ ଅନ୍ୟ ଘରେ ବାସନ ସଫାକରି ପରିବାର ଚଳାନ୍ତି। ଆଜିକାଲିର ମହଙ୍ଗା ବଜାରରେ ଚଳିବା ତାଙ୍କ ପାଇଁ କେତେ କଷ୍ଟକର ତାହା ହୃଦୟଙ୍ଗମ କରିହେବ।
ତେବେ ଏହି ଘଟଣାର ଅନୁସନ୍ଧାନ କରିବା ପରେ ବିଶିଷ୍ଟ ମାନବାଧିକାର ଆଇନଜୀବୀ ପ୍ରବୀର ଦାସ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଏକ ପିଆଇଏଲ୍ ଫାଇଲ୍ କଲେ। ରାଜ୍ୟ ସରକାରଙ୍କୁ କୋର୍ଟ ଜବାବ ମାଗିଲେ। ସରକାର କହିଲେ, ଆମେ ଲକ୍ଷେ ଟଙ୍କା ସହାୟତା ରାଶି ଉକ୍ତ ପରିବାରକୁ ଦେବାକୁ ଯୋଜନା କରୁଛୁ।
ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପିଲାଙ୍କୁ ଷ୍ଟାଇପେଣ୍ଡ୍ ଦେବା ପାଇଁ ସରକାର କି ପ୍ରକାର ବ୍ୟବସ୍ଥା କରିଛନ୍ତି ତା’ର ସତ୍ୟପାଠ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଲେ। ମାମଲାଟି ଏବେ ବିଚାରାଧିନ ରହିଛି।
Also Read
ଏହି ଘଟଣାର ପ୍ରାୟ ୭ ବର୍ଷ ପରେ ପୁଣି ଦକ୍ଷିଣ ଓଡ଼ିଶାର ଏକ ଚିନ୍ତାଜନକ ଦୁଃଖଦ ଘଟଣା ରାଜ୍ୟବାସୀଙ୍କୁ ବିଚଳିତ କରେ। ୨୦୨୧ ଜୁଲାଇରେ ରାୟଗଡା ଓ ଗଜପତି ଜିଲ୍ଲାର ୬ ଜଣ ଶିଶୁ ଶ୍ରମିକ ଆନ୍ଧ୍ରର ଗୁଣ୍ଟୁରରେ ଏକ ଚିଙ୍ଗୁଡି ଫ୍ୟାକ୍ଟ୍ରିରେ ଜୀବନ ହାରିଲେ। କୋଭିଡ୍ କାରଣରୁ ସରକାରୀ ସ୍କୁଲ୍ରେ ଅନ୍ଲାଇନ୍ କ୍ଲାସ୍ କରିବାକୁ ଘୋଷଣା ହୋଇଥିଲା।
ଆର୍ଥିକ ଦୁର୍ବଳ ଶ୍ରେଣୀର ପରିବାର ମୋବାଇଲ୍ ଫୋନ୍ ପିଲାଙ୍କୁ ଦେଇପାରିଲେ ନାହିଁ ବୋଲି ଆନ୍ଧ୍ରକୁ କାମ କରିବାକୁ ଯାଇଥିଲେ। ସେଠାରେ ସେମାନଙ୍କ ଜୀବନ ଚାଲିଯାଇଥିଲା। ସରକାର ମୃତ ପିଲାଙ୍କ ପରିବାକୁ କ୍ଷତିପୂରଣ ଘୋଷଣା କରିଥିଲେ।
ଏଭଳି ଅନେକ ଘଟଣା ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଟୁଥିବା ସାମ୍ନାକୁ ଆସେ। ରାଜ୍ୟର ୨୩ ବର୍ଷର ଏକ ନିରବଛିନ୍ନ ସ୍ଥିର ସରକାର ପାଇଁ ଏଭଳି ଘଟଣା ନିଶ୍ଚୟ ଏକ ପ୍ରଶ୍ନବାଚୀ?
କେବଳ ଶିକ୍ଷା କ୍ଷେତ୍ରରେ କାହିଁକି; ସ୍ୱାସ୍ଥ୍ୟ, ଜୀବୀକା, ଗମନାଗମନ ତଥା ଆର୍ଥିକ ଆଦି ପ୍ରମୁଖ ମୌଳିକ ଆବଶ୍ୟକତାଗୁଡିକୁ ନେଇ କ୍ରମାଗତଭାବେ ବିଭିନ୍ନ ସମୟରେ ବ୍ୟବସ୍ଥା ଉପରକୁ ଆଙ୍ଗୁଠି ଉଠିଛି। ଏଭଳି ସ୍ଥଳେ୨୩ ବର୍ଷର ଶାସନ କ୍ଷମତାରେ ଥିବା ନବୀନ ସରକାର ପଞ୍ଚମ ପାଳିରେ ଯେଉଁ ନୂଆ ଅଭିନବ ପଦକ୍ଷେପ ନେଇଛନ୍ତି ତାହା ଆଲୋଚନାର ବିଷୟ।
୨୦୧୯ ନିର୍ବାଚନ ପରେ ଏବଂ ଆଗାମୀ ୨୦୨୪ ପୂର୍ବରୁ ବିଜେଡି ସରକାର ରାଜ୍ୟବାସୀଙ୍କ ପ୍ରମୁଖ ମୌଳିକ ଆବଶ୍ୟକତାଗୁଡିକୁ ସୁଦୃଢ କରିବାର ଗୁରୁତ୍ୱଦେଇ କରିଛନ୍ତି। ଆଉ ଏସବୁକୁ ୩ଗୋଟି ‘କରଣ’କୁ ନେଇ ଫୋକସ କରାଯାଇଛି- ‘ରୂପାନ୍ତରୀକରଣ’, ‘ଉନ୍ନତିକରଣ’ ଓ ‘ସୌନ୍ଦର୍ଯ୍ୟକରଣ’।
କ୍ରମାଗତ ଭାବେ ୫ଟି ନିର୍ବାଚନ ଜିତିଆସିଥିବା ନବୀନ ସରକାର ୫ମ ପାଳିରେ ନୂଆ କନ୍ସେପ୍ଟ ‘୫-ଟି’ ପ୍ରସ୍ତୁତ କରିଛନ୍ତି। ଏହାରି ମାଧ୍ୟମରେ ଶିକ୍ଷା, ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଓ ଗମନାଗମନ ଭଳି ପ୍ରଧାନ ମୌଳିକ ବିଷୟଗୁଡିକ ଉପରେ ସରକାର ବିଶେଷ ଗୁରୁତ୍ୱ ଦେଇଛନ୍ତି।
ତେବେ କ’ଣ ଏହାଦ୍ୱାରା ଉପରୋକ୍ତ ବ୍ୟବସ୍ଥାର ବ୍ୟତିକ୍ରମରେ କିଛି ପରିବର୍ତ୍ତନ ହୋଇଛି? ମୌଳିକ ସୁବିଧାଗୁଡିକର ଭିତିଭୂମି ସୁଦୃଢ ହେଉଛି?
ରାଜ୍ୟରେ ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ମୌଳିକ ବ୍ୟବସ୍ଥାର ବିକାଶକୁ ଉପଲବ୍ଧି କରି ୨୦୧୯ ନିର୍ବାଚନ ପରେ ‘ରୂପାନ୍ତରୀକରଣ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଇତିମଧ୍ୟରେ ଅନେକ ସ୍କୁଲ୍, ସ୍ୱସ୍ଥ୍ୟକେନ୍ଦ୍ର ଓ ହସ୍ପିଟାଲଗୁଡିକର ରୂପ ବଦଳିଯାଇଥିବା ସରକାର ଦାବି କରିଛନ୍ତି। ୨୦୨୧ରେ ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ୧୦ଟି ସ୍କୁଲରୁ ‘ରୂପାନ୍ତରୀକରଣ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ।
ଏହାକୁ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ, “ପ୍ରତିଟି ପିଲା ଅନନ୍ତ ସମ୍ଭାବନାର ପ୍ରତିକ। ତା’ର ସୁନ୍ଦର ଭବିଷ୍ୟତ ପାଇଁ ତା’ ଆଖିରେ ଥାଏ ଅନେକ ସ୍ୱପ୍ନ, ଆଉ ଏହାକୁ ସାକାର କରିବା ପାଇଁ ରୂପାନ୍ତରଣ ଆଣିଛି ସୃଜନ। ପିଲାଙ୍କ ସ୍ୱପ୍ନ ସାକାର ହେଲେ ପୂରଣ ହେବ ନୂଆ ଓଡ଼ିଶା।”
ଏବେ ପାଖାପାଖି ୩ ବର୍ଷ ପରେ ବିଭିନ୍ନ ରୂପାନ୍ତରୀକରଣ ବିଦ୍ୟାଳୟଗୁଡିକୁ ନେଇ ଯେଉଁ ଅଭିଯୋଗମାନ ସାମ୍ନାକୁ ଆସିଛି ସେଥିରୁ ଗାଁ ସ୍କୁଲ୍ ପିଲାଙ୍କ ଭାଗ୍ୟ ଉଦୟ ହେବା ଭଳି ବିଶ୍ୱାସ କରି ହେଉ ନାହିଁ! କେବଳ ନୂଆ ରଙ୍ଗ ବୋଳିଦେଇ ସ୍କୁଲ୍ର ରୂପ ବଦଳାଇଦେବାର ସରକାର ପ୍ରୟାସ କରିଛନ୍ତି ବୋଲି ବିରୋଧୀ କହିଲେଣି।
ସରକାର ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ଏହିଭଳି ୩ଟି ପର୍ଯ୍ୟାୟରେ ହାଇସ୍କୁଲ୍ ରୂପାନ୍ତରୀକରଣ କାର୍ଯ୍ୟକ୍ରମ କଲେ। ଏଥିପାଇଁ ସରକାର ୩ ହଜାର ୪ଶହ ୧୧ କୋଟି ଟଙ୍କା ଖର୍ଚ୍ଚ ହେଲା। ହେଲେ ଶିକ୍ଷା ବ୍ୟବସ୍ଥାରେ ସେଭଳି ବିଶେଷ ପରିବର୍ତ୍ତନ ପରିଲକ୍ଷିତ ହେଲା ନାହିଁ। କେଉଁଠି ଶିକ୍ଷକ ନାହାନ୍ତି ତ କେଉଁଠି ଅଧାପନ୍ତରିଆ ଭିତ୍ତିଭୂମି; ସ୍କୁଲ ରୂପାନ୍ତର ନାଁରେ ବ୍ୟାପକ ଅନିୟମିତତା, ଏଭଳି ଅନେକ ଘଟଣା ସାମ୍ନାକୁ ଆସିଲା।
ଏପରିକି ପିଲାମାନଙ୍କ ପ୍ରବେଶ ଓ ଉପସ୍ଥାନ ମଧ୍ୟ କମିଲା। ୨୦୨୧-୨୨ରେ ୫,୭୧,୯୦୯ ଫର୍ମଫିଲପ୍ ହୋଇଥିବା ବେଳେ ଅନୁପସ୍ଥିତି ୪୫ ହଜାର ଥିଲା। ୨୦୨୨-୨୩ରେ (୫,୩୨,୬୦୩) ପ୍ରାୟ ୪୦ ହଜାର ପିଲା କମ୍ହେବା ସହିତ ଅନୁପସ୍ଥିତି ମଧ୍ୟ ୧୩,୦୫୮କୁ କମିଲା। ଏହି ପ୍ରସଙ୍ଗରେ ବିଧାନସଭାରେ ବିରୋଧୀଦଳର ସଦସ୍ୟମାନେ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।
୪୦,୯୫୫ଟି ସ୍କୁଲ୍ରେ ପୃଥକ ପୃଥକ ଶ୍ରେଣୀ ଗୃହ ନାହିଁ, ସଂଖ୍ୟାଧିକ ସ୍କୁଲ୍ରେ ପାଇଁ ଶୌଚାଳୟ ନାହିଁ, ୧୩ ହଜାର ପିଲା ଦଶମ ଶ୍ରେଣୀ ପରୀକ୍ଷା ଦେବାକୁ ଆସିଲେନି, ସ୍କୁଲ୍ରେ ଶିକ୍ଷକ ଏବଂ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଅଧାରୁ ଅଧିକ ଅଧ୍ୟାପକ, ପ୍ରଫେସର୍ ପଦବୀ ଖାଲି ପଡିଛି।
୫ଟି ରୂପାନ୍ତରୀକରଣ ନାଁରେ ସ୍କୁଲ୍ରେ ରଙ୍ଗ ବୋଳି ପ୍ରଚାର କରାଯାଉଛି ବୋଲି କହି ବିରୋଧୀ ସାଙ୍ଘାତିକ ଅଭିଯୋଗ ଆଣିଲେ। ଖାଲି ସେତିକି ନୁହେଁ, ବିନା ଟେଣ୍ଡର୍ରେ ଲକ୍ଷାଧିକ ଟଙ୍କାର ଠିକା ଶାସକ ଦଳର ନେତାମାନଙ୍କୁ ଦିଆଯାଉଥିବା ଅଭିଯୋଗ ମଧ୍ୟ ଆସିଛି। ରୂପାନ୍ତରୀକରଣ ଯୋଜନାରେ ଯେଉଁ ସ୍କୁଲ୍ କାମ ହେଉଛି ତାହା ନିମ୍ନମାନର ବୋଲି ଅଭିଯୋଗ ହେଉଛି। ୬ ମାସ ହୋଇନି, ସ୍କୁଲର କାନ୍ଥ ଭୁଶୁଡି ବହୁ ଟଙ୍କା ବାଟମାରଣା ହେଉଛି। ଏଭଳି ଅନେକ ଅଭିଯୋଗ ସାମ୍ନାକୁ ଆସିଛି।
ସ୍ମାର୍ଟ ଶିକ୍ଷା ଭଳି ସ୍ମାର୍ଟ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ମଧ୍ୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମରେ ସାମିଲ ହୋଇଛି। ଆର୍ଥିକ ଦୁର୍ବଳ ସାଢେ ୩କୋଟି ଲୋକ ତଥା ୯୬ ଲକ୍ଷ ପରିବାରଙ୍କୁ ୫ ଲକ୍ଷ ଟଙ୍କା (ମହିଳାଙ୍କ ପାଇଁ ୧୦ ଲକ୍ଷ)ର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟ ହେଲ୍ଥ୍ କାର୍ଡ ବିତରଣ କଲେ ରାଜ୍ୟ ସରକାର।
ଏହା ଦ୍ୱାରା ହିତାଧିକାରୀମାନେ ବିଭିନ୍ନ ସ୍ଥାନରେ ଥିବା ୨୦୦ ବଡ ବଡ ଘରୋଇ ହସ୍ପିଟାଲ୍ରେ ଉତ୍ତମ ଗୁଣାତ୍ମକ ମାନର ସ୍ୱାସ୍ଥ୍ୟ ସୁବିଧା ପାଇପାରିବେ ବୋଲି ସରକାର ଦାବି କଲେ। ପୌର ଓ ପଂଚାୟତ ନିର୍ବାଚନ ପୂର୍ବରୁ ୨୦୨୧ରେ ମୁଖ୍ୟମନ୍ତ୍ରୀ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଯାଇ ସ୍ମାର୍ଟ ହେଲ୍ଥ କାର୍ଡ ବିତରଣ କରିଥିବା ଦେଖାଯାଇଛି। ହେଲେ ଗାଁ ସ୍ୱାସ୍ଥ୍ୟ ସେବା ବା ମୌଳିକ ସ୍ୱାସ୍ଥ୍ୟ ସୁବିଧାକୁ ବ୍ୟବସ୍ଥିତ କରିବା କ୍ଷେତ୍ରରେ ଗୁରୁତ୍ୱ ଦିଆଗଲା ନାହିଁ।
ରାଜ୍ୟର ଅଧିକାଂଶ ସ୍ୱାସ୍ଥ୍ୟକେନ୍ଦ୍ର ଓ ମେଡିକାଲ୍ରେ ଡାକ୍ତର ଏବଂ ଭିତ୍ତିଭୂମିର ଘୋର ଅଭାବ ଥିବା ସତ୍ୱେ ସେଗୁଡିକର ବିକାଶ ଓ ଉନ୍ନତିକରଣ ଅବହେଳିତ ଦେଖାଗଲା। ରାଜ୍ୟ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଏଭଳି ଉଦ୍ବେଗ ଓ ଚିନ୍ତାଜନକ ସ୍ଥିତି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଏକ ମାମଲାରୁ ସାମ୍ନାକୁ ଆସିଛି।
କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ଜନସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକର ଅବସ୍ଥାକୁ ଅନୁଧ୍ୟାନ କରି ଏହି ମାମଲାରେ ହାଇକୋର୍ଟ ଗଭୀର ଉଦ୍ବେଗ ପ୍ରକାଶ କରିଥିଲେ। ଜିଲ୍ଲା ଆଇନ ସେବା ପ୍ରାଧୀକରଣ ବା ଡିଏଲ୍ଏସ୍ଏ ଦ୍ୱାରା ଦାଖଲ ଏକ ରିପୋର୍ଟରେ ଦର୍ଶାଯାଇଥିଲା ଯେ, ଅନେକ ସ୍ଥାନରେ ଡାକ୍ତର ନାହାଁନ୍ତି। ଜଣେ ଫାର୍ମାସିଷ୍ଟ୍ ପୂରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚଳାଉଛନ୍ତି। ଯାହାଦ୍ୱାରା ରୋଗୀମାନେ ଖର୍ଚ୍ଚାନ୍ତ ହୋଇ ଘରୋଇ ମେଡିକାଲ୍କୁ ଯିବାକୁ ବାଧ୍ୟ ହେଉଛନ୍ତି।
ଏହା ବ୍ୟତୀତ ଏକ୍ସ-ରେ, ଇସିଜି ଏବଂ ଅଲ୍ଟ୍ରାସାଉଣ୍ଡ୍ ଭଳି ମୌଳିକ ଭିତ୍ତିଭୂମି ନଥିବା ଚିନ୍ତାଜନକ ବିଷୟ। ଏସବୁ ଦିଗରେ ବିଶେଷ ଧ୍ୟାନ ଦେବାକୁ ରାଜ୍ୟ ସରକାରଙ୍କୁ ଓଡ଼ିଶା ହାଇକୋର୍ଟ ଚଳିତ ବର୍ଷ ଫେବୃଆରୀରେ ନିର୍ଦ୍ଦେଶ ଦେଇଥିଲେ। ଆମେ ସ୍ୱାସ୍ଥ୍ୟକ୍ଷେତ୍ରରେ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପଦକ୍ଷେପ ନେଉଛୁ, କିନ୍ତୁ ଏବେ ସୁଦ୍ଧା ଗାଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ବ୍ୟବସ୍ଥିତ କରିବାରେ ସକ୍ଷମ ହୋଇପାରିଲୁ ନାହିଁ।
ଏବେ ବି ଆମ୍ବୁଲାନ୍ସ ନ ପାଇ ବାହୁଙ୍ଗି, ଝୁଲାରେ ରୋଗୀ ବୁହା ହୋଇ ମାଇଲ୍ ମାଇଲ୍ ବାଟ ଚାଲି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଛନ୍ତି। ୨୦୨୫ ସୁଦ୍ଧା ଓଡ଼ିଶା ଡାକ୍ତର ବଳକା ରାଜ୍ୟ ହେବ ବୋଲି ଦାବି କରୁଥିବା ସରକାର ଏବେ ବି ଖାଲିଥିବା ପ୍ରାୟ ୩ ହଜାର ପଦବୀ ପୂରଣ କରିପାରି ନାହିଁ। ତଥାପି ଆଗାମୀ ଦିନରେ ୫ ହଜାର ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ ବୋଲି ଚଳିତ ବିଧାବସଭା ଅଧିବେଶନରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି।
ସେହିଭଳି ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ନାଁରେ ସରକାର କୋଟି କୋଟି ଟଙ୍କା ପାଣି ପରି ଖର୍ଚ୍ଚ କରୁଛନ୍ତି। ପୌର ନିର୍ବାଚନ ପୂର୍ବରୁ ରାଜ୍ୟରେ ବିଭିନ୍ନ କ୍ଷତ ବିକ୍ଷତ ରାସ୍ତା, ପୋଖରୀ ନର୍ଦ୍ଦମା, ଫୁଟ୍ପାଥ୍, ଉନ୍ନତିକରଣ ବା ମରାମତି ପାଇଁ ନଭେମ୍ବର ୨୦୨୧ରେ ରାଜ୍ୟ ସରକାର ୫୦୦କୋଟି ଟଙ୍କା ଖର୍ଚ୍ଚ କରିବାକୁ ଘୋଷଣା କଲେ। ଏହା ପୂର୍ବରୁ ୧୬୦ କୋଟି ଟଙ୍କାର ବରମୁଣ୍ଡା ଇଣ୍ଟର୍ନ୍ୟାସ୍ନାଲ୍ ବସ୍ ଟର୍ମିନାଲ୍ ନିର୍ମାଣ ପାଇଁ ୪ ବର୍ଷ ତଳେ ୨୦୧୯ରେ ଘୋଷଣା ହୋଇଥିଲା।
୨ ବର୍ଷ ମଧ୍ୟରେ ଏହି କାମ ସାରିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ସମୀକ୍ଷା ଉପରେ ସମୀକ୍ଷା ହେଉଛି ହେଲେ କାମ ୪ ବର୍ଷ ହେଇଗଲା କାମ ସରୁନି। ଏବେବି ରାଜଧାନୀ, ରାଉରକେଲା, ବ୍ରହ୍ମପୁର ଭଳି ସହରରେ ଜଳ ନିଷ୍କାସନ ବ୍ୟବସ୍ଥା ଏତେ ଶୋଚ୍ଚନୀୟ ହୋଇପଡିଛି ଯେ, ସାମାନ୍ୟ ବର୍ଷାରେ ରାସ୍ତା ଅନେକ ସମୟ ଧରି ଜଳମଗ୍ନ ହୋଇ ରହୁଛି।
ଉପଯୁକ୍ତ ତଦାରଖ ଓ ଦୂରଦୃଷ୍ଟିର ଅଭାବ କାରଣରୁ କେଉଁଠି ଦୁର୍ନୀତି ତ କେଉଁଠି କାମ ସରିବାର କିଛି ଦିନ ମଧ୍ୟରେ ପିଚୁ ଉଠିଲା, ଟାଇଲ୍ ଭାଙ୍ଗିଲା, ରାସ୍ତା ଖରାପ ହେଲା ଏଭଳି ନାନା ଘଟଣା ସାମ୍ନାକୁ ଆସିଲା। ରାସ୍ତା କାମ ଓ ପୋଖରୀ ପୁନରୁଦ୍ଧାରରେ ବ୍ୟାପକ ଦୁର୍ନୀତିର ଅଭିଯୋଗ ମଧ୍ୟ ପଦାକୁ ଆସିଛି। ଉନ୍ନତିକରଣରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ରାଜଧାନୀ ସମେତ ଅନ୍ୟାନ୍ୟ ସହରର ଲକ୍ଷ ଲକ୍ଷ ସଂଖ୍ୟକ ଉଠାଦୋକାନୀ। ଦୀର୍ଘ ବର୍ଷଧରି ରାସ୍ତାକଡରେ ଚା’, ପାନ, ଜଳଖିଆ ଦୋକାନ କରି ପରିବାର ଚଳାଉଥିବା ଲୋକେ ରୋଜଗାର ହରାଇଛନ୍ତି।
ଏଭଳି ଘଟଣାରେ ଭୁବନେଶ୍ୱର ବରଗଡ ଅଞ୍ଚଳର ଜଣେ ଉଠାଦୋକାନୀ ସୁବାଷ ପଣ୍ଡିତ ଜାରୁଆରୀ ୨୦୨୨ରେ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିବା ଘଟଣା ଚହଳ ସୃଷ୍ଟି କରିଥିଲା।
ଲୋକଙ୍କ ବଡ ଉପଲବ୍ଧି ହେଉଛି ଶ୍ରୀମନ୍ଦିର ଉନ୍ନତିକରଣ ପରେ ଦର୍ଶନ ସମସ୍ୟା! ପୂର୍ବରୁ ଭକ୍ତମାନେ ସୁରୁଖୁରୁରେ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ପ୍ରବେଶ କରିପାରୁଥିଲେ। ଉନ୍ନତିକରଣ ପରେ ଅନେକ ସମୟରେ ଅସମ୍ଭାଳ ଭିଡ ଓ ଦଳାଚକଟାରେ ଭକ୍ତ କ୍ଷତାହତ ହେବାର ଦେଖାଯାଇଛି। ନିକଟରେ (୧୫ ମାର୍ଚ୍ଚ ୨୦୨୩) ଶ୍ରୀମନ୍ଦିର ପଶ୍ଚିମଦ୍ୱାରରେ ଥିବା ବ୍ୟାରିକେଟ୍ ଭିତରେ ଭକ୍ତମାନେ ଦଳାଚକଟା ଫଳରେ ଅନେକ ଆହତ ହୋଇଥିଲେ।
ଭିଡ଼ ନିୟନ୍ତ୍ରଣରେ ପ୍ରଶାସନ ମଧ୍ୟ ବିଫଳ ହୋଇଥିଲା। ଏହାର କିଛି ମାସ ପୂର୍ବରୁ ଶ୍ରୀମନ୍ଦିରରେ ସାଧାରଣଭକ୍ତଙ୍କ ଦର୍ଶନ ସମୟରେ ଦଳାଚକଟା ଦୁଇ ଦୁଇ ଥର ଘଟି ଅନେକ କ୍ଷତାହତ ହୋଇ ମେଡିକାଲ୍ରେ ଭର୍ତ୍ତି ହୋଇଥିଲେ। ଏଥିପାଇଁ ନୂଆ ନୂଆ କରିଡର ଓ ପ୍ରଶାସନର ଦର୍ଶନ ବ୍ୟବସ୍ଥାକୁ ଲୋକେ ଦାୟୀ କରିଥିଲେ। ‘କରଣ’ କାର୍ଯ୍ୟକ୍ରମର ମହତ ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ହାସଲ ମଧ୍ୟରେ ଥିବା ‘ଫାଙ୍କ’କୁ ପଦାରେ ପକାଏ।
‘କରଣ’ କୌଶଳରେ କୌଣସି ବାସ୍ତବିକ ପରିବର୍ତ୍ତନ ନ ଥିବା ତଥା ଏହା ଶାସକ ଦଳର ଆଗାମୀ ନିର୍ବାଚନ ଲଢେଇର ପ୍ରମୁଖ ଅସ୍ତ୍ର ବୋଲି ବିରୋଧୀ ମାନେ ବିବେଚନା କରନ୍ତି। ଏକ ରାଜ୍ୟର ସର୍ବାଙ୍ଗୀନ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଦୀର୍ଘ ୨୩ ବର୍ଷ କିଛି କମ ସମୟ କି? ତଥାପି ମୌଳିକ ସୁବିଧାରୁ ଲୋକେ ବଞ୍ଚିତ ହେଉଛନ୍ତି? କେବଳ ଦଳ, ନିର୍ବାଚନ ଓ ଭୋଟ ବ୍ୟତୀତ ଭୋଟର ତଥା ସାଧାରଣ ଜନତାଙ୍କ ସମସ୍ୟଗୁଡିକୁ ଯଦି ବିଶେଷ ଗୁରୁତ୍ୱ ଦିଆଯାଏ ତେବେ କ୍ଷମତା ପାଇଁ ଲଢେଇ କରିବାର ଆବଶ୍ୟକ ପଡିନପାରେ ।