Advertisment

ସରକାରୀ ବ୍ୟବସ୍ଥା ଉପରୁ ତୁଟୁଛି କି ଆଦିବାସୀଙ୍କ ଭରସା ?

ସରକାର ଆଦିବାସୀଙ୍କ ଜମି ପାଇଁ ଡହଳ ବିକଳ। ହେଲେ ଆଦିବାସୀଙ୍କ ବିକାଶକୁ ଅଣଦେଖା। ୫ ମାସରେ ୯ ଜୁଆଙ୍ଗ ଆଦିବାସୀଙ୍କର ମୃତ୍ୟୁକୁ ନେଇ ଜାତୀୟ ମାନବାଧିକାର କମିସନ ରିପୋର୍ଟ ମାଗିଛି।

ଅଦ୍ୟତନ ହୋଇଛି
The hope of the tribals is breaking from the government system

The hope of the tribals is breaking from the government system

Advertisment

ଗତ କେଇ ଦଶନ୍ଧି ହେଲା ରାଜ୍ୟ ସରକାରଙ୍କର ବିଭିନ୍ନ କାର୍ଯ୍ୟକଳାପ ଆଦିବାସୀମାନଙ୍କ ମଧ୍ୟରେ କିଛି ଏଭଳି ଧାରଣା ସୃଷ୍ଟି କରିଦେଇଛି ଯେ କୌଣସି ଉନ୍ନତି, ବିକାଶମୂଳକ ଯୋଜନା ବା ପ୍ରକଳ୍ପ ବିଷୟକୁ ସେମାନେ ସହଜରେ ବିଶ୍ୱାସକୁ ନେଇପାରୁ ନାହାଁନ୍ତି।

Advertisment

ଜଳ, ଜମି, ଜଙ୍ଗଲ ତଥା ପ୍ରାକୃତିକ ସମ୍ପଦ ହେଉଛି ଆଦିବାସୀଙ୍କର ଦେବତା; ସେମାନଙ୍କର ଜୀବନ ଜୀବୀକା। ଆଦ୍ୟରୁ ଆଜିଯାଏଁ ସେମାନେ ହିଁ ପ୍ରାକୃତିକ ସମ୍ପଦର ପ୍ରକୃତ ରକ୍ଷକଭାବରେ ଠିଆହୋଇଛନ୍ତି। ଇତି ମଧ୍ୟରେ ଓଡ଼ିଶାକୁ ଅନେକ ବଡ ବଡ କମ୍ପାନୀ ଆସିଛନ୍ତି, ଖଣି ପାଣିର ଶିଳ୍ପ କାରଖାନା କରିଛନ୍ତି। ହେଲେ ବିକାଶ ହୋଇଛି କାହାର? ଅତୀତର ଏଭଳି ଅନେକ ଅଧ୍ୟାୟ ରହିଛି ଯେଉଁ ଘଟଣାବଳୀକୁ ଦେଖିଲେ ଏହାର ସ୍ପଷ୍ଟ ଉତ୍ତର ମିଳେ।

ନଭେମ୍ବର ୧୪ରେ ଆଦିବାସୀଙ୍କ ଜମି କିଣା ବିକା ସମ୍ପର୍କରେ ରାଜ୍ୟ କ୍ୟାବିନେଟ୍‌ରେ ହୋଇଥିବା ନିଷ୍ପତ୍ତି ଏବଂ ସ୍ଥଗିତାଦେଶ ପରେ ଏହାକୁ ଆଦିବାସୀ ଉପଦେଷ୍ଟା ପରିଷଦକୁ ତର୍ଜମା ପାଇଁ ପଠାଯିବାକୁ ନେଇ ଆଦିବାସୀଙ୍କପ୍ରତି ଓଡ଼ିଶା ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠିଛି। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି।

Advertisment

ତେବେ କ୍ୟାବିନେଟ୍‌ ନିଷ୍ପତ୍ତିର ମାତ୍ର ୪୮ ଘଣ୍ଟା ନ ପୂରୁଣୁ ଏଭଳି ସ୍ଥଗିତନାମା କାହିଁକି ଆସିଲା? ଏହା ପଛରେ ଯେଉଁ ବଡ କାରଣ ସାମ୍ନାକୁ ଆସିଛି ତାହା ହେଲା ଜାତୀୟସ୍ତରରେ ରାଜ୍ୟ ସରକାରକୁ କରାଯାଇଥିବା ସମାଲୋଚନା! କ୍ୟାବିନେଟ୍‌ରେ ଆଦିବାସୀଙ୍କ ଜମି ହସ୍ତାନ୍ତର ସମ୍ପର୍କୀତ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଲା। ଏକ ହିନ୍ଦୀ ଖବରକାଗଜରେ ପ୍ରକାଶ ପାଇଥିବା ନ୍ୟୁଜ୍ କ୍ଲିପ୍‌କୁ ପୋଷ୍ଟ କରି ସାମାଜିକ ଗଣମାଧ୍ୟମ ‘ଏକ୍ସ୍’ରେ ସରକାରଙ୍କ ବିରୋଧରେ ଜାତୀୟସ୍ତରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲା। ବିଭିନ୍ନ ଆସିବାସୀ ସଂଗଠନ, ବିଶିଷ୍ଟ ବ୍ୟକ୍ତିବିଶେଷ ନିନ୍ଦା ପ୍ରତିବାଦ କଲେ।

ଆଦିବାସୀ ଆକ୍ଟିଭିଷ୍ଟ୍‌ ଗ୍ଲାଡ୍‌ସନ୍ ଡୁଙ୍ଗ୍‌ଡୁଙ୍ଗ୍‌ ଟ୍ୱିଟ କରି ଲେଖିଲେ, “ଓଡିଶାର ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ ଅସ୍ତିତ୍ୱକୁ ନଷ୍ଟ କରିବା ପାଇଁ ଜମି ଆଇନକୁ ପରିବର୍ତ୍ତନ କରିଥିଲେ। ଭୂମି ହେଉଛି ଆମର ପରିଚୟ, ସଂସ୍କୃତି, ଐତିହ୍ୟ, ଇତିହାସ ଏବଂ ଅସ୍ତିତ୍ୱ। ଜମି ବିନା ଆଦିବାସୀ ସମାଜ ରହିବ ନାହିଁ। ତେଣୁ ଏହାକୁ ଦୃଢ ବିରୋଧ କରନ୍ତୁ।”

Advertisment

ସେମିତି ‘ଆଦିବାସୀ ଡଟ୍ କମ୍’ ଟ୍ୱିଟ୍‌ କରି ଉଲ୍ଲେଖ କରିଛି, “ଇଂରେଜ ଅମଳରୁ ଆଦିବାସୀଙ୍କ ଜମିକୁ ସୁରକ୍ଷା ଦେଉଥିବା ଆଇନ-କାନୁନ୍‌କୁ ହଟାଇ ଆମ ଜମି ଲୁଣ୍ଠନ କରିବାର ପ୍ରସ୍ତୁତି ଚାଲିଛି।” ପିକେ ଓରାନ ପୋଷ୍ଟ୍‌ କରିଛନ୍ତି, “ଓଡ଼ିଶାର ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି କରିବାର ଉଦ୍ଦେଶ୍ୟ ଏହା ଥିଲା..”। ଏଭଳି ଜାତୀୟ ସ୍ତରରେ ବ୍ୟାପକ ପ୍ରତିକ୍ରିୟା ପ୍ରକାଶ ପାଇବାର ତୁରନ୍ତ ପରେ ରାଜସ୍ୱ ମନ୍ତ୍ରୀ ‘ଏକ୍ସ’ରେ ହିଁ ଟ୍ୱିଟ୍‌ କରି ନିଷ୍ପତ୍ତିରେ ସ୍ଥଗିତ ରଖାଯାଇଥିବା ସୂଚନା ପ୍ରକାଶ କଲେ।

ଆଗକୁ ନିର୍ବାଚନ ଥିବାରୁ ଏହି ସମୟରେ ରାଜ୍ୟର ୨୨ ପ୍ରତିଶତ ଆଦିବାସୀଙ୍କ କ୍ଷେତ୍ରରେ ସରକାର କୌଣସି ରିସ୍କ୍‌ ନେବାକୁ ଚାହିଁ ନ ଥିଲେ ବୋଲି କୁହାଯାଏ। ଆଉ ଏହା ପରେ ସମ୍ପୂର୍ଣ୍ଣ ପ୍ରତ୍ୟାହାର ପାଇଁ ବିଧାନସଭା ଭିତରେ ଓ ବାହାରେ ବ୍ୟାପକ କମ୍ପନ ହେବାରୁ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ୍‌ କ୍ୟାବିନେଟ୍‌ ବୈଠକ ଡାକି ଆଦିବାସୀ ଉପଦେଷ୍ଟା ପରିଷଦକୁ ପଠାଇ ଦିଆଯାଇଛି, ଯାହାକୁ ନେଇ ବିବାଦ ଲାଗିରହିଛି।

ତୁରନ୍ତ ଏହାକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି। ତେବେ ଏହା ସତ୍ତ୍ୱେ ସୋସିଆଲ ମିଡିଆରେ ଶାସକ ଦଳ ବିରୋଧୀଙ୍କୁ ‘ଆଦିବାସୀ ବିରୋଧୀ’ ଚିତ୍ରଣ କରିଥିବା ବିଭିନ୍ନ ପୋଷ୍ଟ୍‌ ସାମ୍ନାକୁ ଆସିଛି।

ବଡ କଥା ହେଉଛି ଆଦିବାସୀଙ୍କ ଜମି ହସ୍ତାନ୍ତର ସଂକ୍ରାନ୍ତରେ ରାଜ୍ୟ କ୍ୟାବିନେଟ୍‌ ନିଷ୍ପତ୍ତି ଓ ସ୍ଥଗିତନାମା ସାମ୍ନାକୁ ଆସିବା ପରେ ଆଉ ଏକ ଘଟଣା ମଧ୍ୟ ସାମ୍ନାକୁ ଆସିଛି ଏବଂ ତାହା ହେଉଛି ଜଣେ ଆଦିବାସୀ ନେତାଙ୍କୁ ଶାସକ ବିଜେଡି ବିଧାନସଭାରେ ଉପବାଚସ୍ପତି ଭାବରେ ଉପସ୍ଥାପିତ କରିବା। ଏହାକୁ ନେଇ ଦଳ ଏହା ଦେଖାଇବାକୁ ଚାହିଁଛି ଯେ ସରକାର ଆଦିବାସୀମାନଙ୍କୁ ବିଶେଷ ଗୁରୁତ୍ୱ ଦେଉଛି। ଆଉ ଏହାରି ଭିତରେ ରାଜ୍ୟ ସରକାରଙ୍କ ପାଖକୁ ଏନ୍‌ଏଚ୍‌ଆର୍‌ସି ପଠାଇଥିବା ନିର୍ଦ୍ଦେଶନାମା ବିଡମ୍ବିତ ଚିନ୍ତାଜନକ ସ୍ଥିତି ସୃଷ୍ଟିକରେ।

ଓଡିଶା ସ୍ୱାସ୍ଥ୍ୟ ବିଭାଗର ଅବହେଳା ଯୋଗୁଁ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ଗୋନାସିକା ପଞ୍ଚାୟତର ଜନ୍ତାରି ଗାଁରେ ଗତ ପାଞ୍ଚ ମାସ ଭିତରେ ୯ ଜଣ ଜୁଆଙ୍ଗ ଆଦିବାସୀଙ୍କ ମୃତ୍ୟୁ ଘଟିଛି। ଏନେଇ ଜାତୀୟ ମାନବିକ ଅଧିକାର କମିସନ୍‌ (ଏନ୍‌ଏଚ୍‌ଆର୍‌ସି) ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ଉପଯୁକ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଜନ୍ତାରି ଠାରୁ ୧୫ କିଲୋମିଟର ଦୂରରେ ଗୋନାସିକା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଥିବା ବେଳେ ୪୦ କିଲୋମିଟର ଦୂରରେ ବଂଶପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର। ସ୍ୱାସ୍ଥ୍ୟସେବା ଏତେ ଦୂରରେ ଥିବାରୁ ଆଦିବାସୀମାନେ ଅକାଳରେ ମୃତ୍ୟୁବରଣ କରୁଛନ୍ତି। ବିଗତ ଦିନରେ ୫ ମାସ ମଧ୍ୟରେ ୯ ଜଣ ଜୁଆଙ୍ଗ ଆଦିବାସୀଙ୍କର ମୃତ୍ୟୁ ହୋଇଥିଲା।

ମୃତକଙ୍କ ମଧ୍ୟରେ ଝଣେ ୬ ବର୍ଷର ଶିଶୁ ବି ଥିଲେ। ଆଉ ଏବେ ଅନେକ ଜ୍ୱରରେ ଆକ୍ରାନ୍ତ ହୋଇପଡୁଛନ୍ତି। ଏହାକୁ ତର୍ଜମା କରି ୮ ସପ୍ତାହ ମଧ୍ୟରେ ଘଟଣା ବିଷୟରେ ଜଣାଇବାକୁ କମିଶନଙ୍କ ନିର୍ଦ୍ଦେଶ ରହିଛି। ଅର୍ଥାତ ଆଦିବାସୀମାନଙ୍କ ପ୍ରତି ସରକାରଙ୍କ ପ୍ରତି ଆନ୍ତରିକତା କେତେ ତାହା ଏହି ଘଟଣାରୁ ଅନୁମେୟ।

ଇମେଲ୍: dksawat@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Odisha Assembly Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ