Advertisment

Sports: ୨୦୨୪ ଟି-୨୦ ବିଶ୍ୱକପ୍ ଟିମ୍‌ରେ କେଉଁମାନଙ୍କୁ ମିଳିବ ସୁଯୋଗ

୨୦୨୪ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଟିମ୍‌ରେ କେଉଁମାନେ ସ୍ଥାନ ପାଇବେ, ତାହାକୁ ନେଇ ଏବେ ଜୋର୍‌ସୋର୍‌ରେ ଚର୍ଚ୍ଚା ଚାଲିଛି। ଟି-୨୦ ଆନ୍ତର୍ଜାତିକ ଛଡ଼ା ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ (ଆଇପିଏଲ୍‌)ର ଚଳିତ ସିଜନ୍ ମଧ୍ୟ ବିଶ୍ୱକପ୍ ପାଇଁ ଚୟନର ମାପକାଠି ହୋଇଥିବାରୁ ଦାବିଦାରଙ୍କ ସଂଖ୍ୟା ବଢ଼ୁଛି।

ଅଦ୍ୟତନ ହୋଇଛି
T20 World Cup 2024 Expected Indian Team

The claimant is growing in the team for the T20 World Cup

Advertisment

ଚଳିତ ବର୍ଷ ଜୁନ୍ ମାସରେ ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ ହେବାକୁ ଥିବା ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଟିମ୍‌ରେ କେଉଁମାନଙ୍କୁ ସାମିଲ କରାଯିବ? କେମିତି ହେବ ଟିମ୍‌ର ରୂପରେଖ? ଏହାକୁ ନେଇ ଏବେ ଜୋର୍‌ସୋର୍‌ରେ ଚର୍ଚ୍ଚା ଚାଲିଛି।

Advertisment

ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ ଟିମ୍ ଘୋଷଣା କରିବାର ଡେଡ୍‌ଲାଇନ୍ ମେ’ ୧ ରଖିଛି । ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡର ଚୟନ କମିଟି ଏପ୍ରିଲ୍ ଶେଷ ସୁଦ୍ଧା ବୈଠକ କରି ଟିମ୍ ଘୋଷଣା କରିପାରେ । ଟି-୨୦ ଆନ୍ତର୍ଜାତିକ ଛଡ଼ା ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ (ଆଇପିଏଲ୍‌)ର ଚଳିତ ସିଜନ୍ ମଧ୍ୟ ବିଶ୍ୱକପ୍ ପାଇଁ ଚୟନର ମାପକାଠି ହୋଇଥିବାରୁ ଦାବିଦାରଙ୍କ ସଂଖ୍ୟା ବଢ଼ୁଛି।

ଅଧିକ ପଢ଼ନ୍ତୁ: ଟି-୨୦ ବିଶ୍ୱକପ୍‌: ଖୁବଶୀଘ୍ର ହେବ ଟିମ୍‌ ଘୋଷଣା, ଏହି ୧୫ ଖେଳାଳିଙ୍କୁ ମିଳିପାରେ ସୁଯୋଗ...

Advertisment

ଟି-୨୦ ବିଶ୍ୱକପ୍‌ରେ ରୋହିତ ଶର୍ମା ଭାରତୀୟ ଟିମ୍‌ର ଅଧିନାୟକତ୍ୱ କରିବେ । ପୂର୍ବରୁ ଏହାର ଘୋଷଣା ସରିଛି । ଗତ ବର୍ଷ ଦିନିକିଆ ବିଶ୍ୱକପ୍‌ରେ ଟିମ୍ ଇଣ୍ଡିଆକୁ ଫାଇନାଲ୍ ଯାଏଁ ନେଇଥିବା ରୋହିତଙ୍କୁ ଏହି ଗୁରୁଦାୟିତ୍ୱ ମିଳିବାର ଯଥାର୍ଥତା ରହିଛି। ଏହାଛଡ଼ା, ସୀମିତ ଓଭର୍ କ୍ରିକେଟ୍‌ରେ ସେ ଜଣେ ଧୂଆଁଦାର ବ୍ୟାଟର୍ । ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କ ନେତୃତ୍ୱରେ ପାଞ୍ଚ ଥର ଚାମ୍ପିଅନ୍ ହୋଇଛି।

ଚଳିତ ଆଇପିଏଲ୍‌ରେ ବି ରୋହିତ ଦମ୍‌ଦାର ପ୍ରଦର୍ଶନ କରୁଛନ୍ତି । ଏପ୍ରିଲ୍ ୧୮ ସୁଦ୍ଧା ସେ ସାତ ଇନିଂସ୍ ଖେଳି ୪୯.୫ ଆଭରେଜ୍ ଓ ୧୬୪.୦୮ ଷ୍ଟ୍ରାଇକ୍ ରେଟ୍‌ରେ ୨୯୭ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ଗୋଟିଏ ଶତକ ରହିଛି ।

Advertisment

ରୋହିତଙ୍କ ସହିତ ଆଉ ଯେଉଁମାନେ ଟି-୨୦ ବିଶ୍ୱକପ୍ ଟିମ୍‌ରେ ସ୍ଥାନ ପାଇବେ, ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ନାମ ଆପାତତଃ ସ୍ପଷ୍ଟ ହୋଇଗଲାଣି । ଟିମ୍‌ରେ ବିଶେଷଜ୍ଞ ବ୍ୟାଟର୍‌ଙ୍କ ମଧ୍ୟରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ଟି-୨୦ ମାନ୍ୟତାରେ ବିଶ୍ୱର ନଂ.୧ ସୂର୍ଯ୍ୟକୁମାର ଯାଦବ ସାମିଲ ହେବା ପ୍ରାୟତଃ ନିଶ୍ଚିତ।

ବିରାଟ ଚଳିତ ଆଇପିଏଲ୍‌ରେ ଏ ଯାବତ (ଏପ୍ରିଲ୍ ୧୮ ସୁଦ୍ଧା) ସର୍ବାଧିକ ୩୬୧ ରନ୍ କରିଛନ୍ତି । ସେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ସାତ ଇନିଂସ୍ ଖେଳି ୭୨.୨୦ ଆଭରେଜ୍ ଓ ୧୪୭.୩୪ ଷ୍ଟ୍ରାଇକ୍ ରେଟ୍‌ରେ ସ୍କୋର୍ କରିଛନ୍ତି, ଯେଉଁଥିରେ ଗୋଟିଏ ଶତକ ରହିଛି ।

ସୂର୍ଯ୍ୟକୁମାର ଆଘାତରୁ ସୁସ୍ଥ ହୋଇ ବିଳମ୍ବରେ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗ ଦେଇଥିଲେ । ସେ ଚାରି ଇନିଂସ୍ ଖେଳି ୩୨.୫୦ ଆଭରେଜ୍ ଓ ୧୭୧.୦୫ ଷ୍ଟ୍ରାଇକ୍ ରେଟ୍‌ରେ ୧୩୦ ରନ୍ କରିଛନ୍ତି । ଟି-୨୦ କ୍ରିକେଟ୍‌ରେ ସେ ଜଣେ ବଡ଼ ଖେଳାଳି । ଫିଟ୍ ରହିବା ସ୍ଥଳେ ତାଙ୍କ ଚୟନ ନେଇ ସନ୍ଦେହ ନାହିଁ।

ରୋହିତଙ୍କ ସହ କିଏ ଓପନିଂ କରିବେ, ତାହା କୌତୂହଳର ବିଷୟ । ପୂର୍ବରୁ ଦୌଡ଼ରେ ଋତୁରାଜ ଗାଏକୱାଡ଼, ଶୁବମନ ଗିଲ୍ ଓ ଯଶସ୍ୱୀ ଜୟସ୍ୱାଲ ଥିଲେ; ଏବେ ଏଥିରେ ବିରାଟଙ୍କ ନାଁ ଯୋଡ଼ି ହୋଇଛି।

ନୂଆ ଚର୍ଚ୍ଚା ଅନୁଯାୟୀ, ଆଇପିଏଲ୍‌ରେ କିଛି ସିଜନ୍ ଧରି ବାଙ୍ଗାଲୋର ଟିମ୍ ପକ୍ଷରୁ ଇନିଂସ୍ ଓପନ୍ କରୁଥିବା ବିରାଟଙ୍କୁ ଟି-୨୦ ବିଶ୍ୱକପ୍‌ରେ ଓପନର୍ ଭାବେ ଖେଳାଇବା ପାଇଁ ବିଚାର କରାଯାଉଛି। କିନ୍ତୁ ଏହାର ସମ୍ଭାବନା ଉଜ୍ଜ୍ୱଳ ନୁହେଁ ।

ପାଞ୍ଚ ବିଶେଷଜ୍ଞ ବ୍ୟାଟର୍ ରହିବା ସ୍ଥଳେ ରୋହିତ, ବିରାଟ ଓ ସୂର୍ଯ୍ୟକୁମାରଙ୍କ ଛଡ଼ା ଋତୁରାଜ, ଶୁବମନ, ଯଶସ୍ୱୀ ଓ ରିଙ୍କୁ ସିଂହ (ଫିନିଶର୍ ଭୂମିକା ପାଇଁ)ଙ୍କ ମଧ୍ୟରୁ ଆଉ ଦୁଇ ଜଣ ସ୍ଥାନ ପାଇବେ । ଯଦି ବ୍ୟାଟିଂ ସାମର୍ଥ୍ୟକୁ ଅଧିକ ମଜଭୁତ କରିବା କଥା ଚିନ୍ତା କରାଯାଏ, ତା’ହେଲେ ରିଙ୍କୁ ବାଦ୍ ପଡ଼ିବେ ଏବଂ ଅନ୍ୟ ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ସୁଯୋଗ ଦିଆଯିବ । ଏମିତି ହେଲେ, ଅଧିକ ଓପନିଂ ବିକଳ୍ପ ରହିବ।

ଚଳିତ ଆଇପିଏଲ୍‌ରେ ଗୁଜରାଟ ଟାଇଟନ୍ସର ଅଧିନାୟକ ଶୁବମନ ଏ ଯାବତ (ଏପ୍ରିଲ୍ ୧୮ ସୁଦ୍ଧା) ସାତ ଇନିଂସ୍ ଖେଳି ୪୩.୮୩ ଆଭରେଜ୍ ଓ ୧୫୧.୧୪ ଷ୍ଟ୍ରାଇକ୍ ରେଟ୍‌ରେ ୨୬୩ ରନ୍ କରିଥିବା ବେଳେ ଚେନ୍ନାଇ ସୁପର୍ କିଙ୍ଗ୍‌ସର ଅଧିନାୟକ ଋତୁରାଜ ଛଅ ଇନିଂସ୍ ଖେଳି ୪୪.୮୦ ଆଭରେଜ୍ ଓ ୧୩୦.୨୩ ଷ୍ଟ୍ରାଇକ୍ ରେଟ୍‌ରେ ୨୨୪ ରନ୍ କରିଛନ୍ତି।

କିନ୍ତୁ ଯଶସ୍ୱୀ ଏ ଯାଏଁ ଖାସ୍ ପ୍ରଦର୍ଶନ କରିପାରି ନାହାନ୍ତି । ସେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ସାତ ଇନିଂସ୍ ଖେଳି ୧୭.୨୯ ଆଭରେଜ୍ ଓ ୧୪୫.୭୮ ଷ୍ଟ୍ରାଇକ୍ ରେଟ୍‌ରେ ମାତ୍ର ୧୨୧ ରନ୍ କରିଛନ୍ତି । କିନ୍ତୁ ଆନ୍ତର୍ଜାତିକ କ୍ରିକେଟ୍‌ରେ ସେ ବହୁତ ପ୍ରଭାବିତ କରିଛନ୍ତି । ଏହାଛଡ଼ା ସେ ଜଣେ ବାମହାତି ବ୍ୟାଟର୍ । ଚୟନ ବେଳେ ଏ ସବୁକୁ ବିଚାରକୁ ନିଆଯିବ।

ମଧ୍ୟକ୍ରମରେ କୋଲକାତା ନାଇଟ୍ ରାଇଡର୍ସର ଅଧିନାୟକ ଶ୍ରେୟାସ ଆୟର (ଛଅ ଇନିଂସ୍‌ରୁ ୧୪୦ ରନ୍‌) ସ୍ଥାନ ପାଇବାର ସମ୍ଭାବନା କ୍ଷୀଣ । ଚଳିତ ଆଇପିଏଲ୍‌ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳି ପ୍ରଭାବିତ କରିଥିବା ବ୍ୟାଟର୍ ରିୟାନ ପରାଗ (ସାତ ଇନିଂସ୍‌ରୁ ୩୧୮ ରନ୍‌) ଟି-୨୦ ବିଶ୍ୱକପ୍ ଟିମ୍‌ରେ ସ୍ଥାନ ପାଇବା କଷ୍ଟ । ଚୟନକାରୀମାନେ ସମ୍ପୂର୍ଣ୍ଣ ନୂଆ ଖେଳାଳିଙ୍କୁ ସୁଯୋଗ ଦେଇ ରିସ୍କ ନେବାକୁ ଚାହିଁବେନି।

ଟିମ୍‌ରେ ତିନି ଜଣ ଅଲ୍‌ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜାଙ୍କ ସହ ଶିବମ୍ ଦୁବେ (ଛଅ ଇନିଂସ୍‌ରୁ ୨୪୨ ରନ୍‌) ସାମିଲ ହୋଇପାରନ୍ତି । ଶିବମ୍ ନିଜ ପ୍ରତିଭା ଓ ଆଇପିଏଲ୍ ପ୍ରଦର୍ଶନ ଏବଂ ବିଶେଷକରି ଜଣେ ପେସ୍ ବୋଲିଂ ଅଲ୍‌ରାଉଣ୍ଡର୍ ହୋଇଥିବା ଦୃଷ୍ଟିରୁ ଟିମ୍‌ରେ ସୁଯୋଗ ପାଇପାରନ୍ତି।

ଚଳିତ ଆଇପିଏଲ୍ ସିଜନ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ତଥା ଅଲ୍‌ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା ଆଶାନୁରୂପ ପ୍ରଦର୍ଶନ କରିପାରୁ ନାହାନ୍ତି । ଦୁଇ ବର୍ଷ ପୂର୍ବରୁ ଗୁଜରାଟ ଟାଇଟନ୍ସ ଭଳି ନୂଆ ଟିମ୍‌କୁ ଚାମ୍ପିଅନ୍ କରାଇଥିବା ଏହି ଖେଳାଳିଙ୍କୁ ନେଇ ଏବେ ପ୍ରଶ୍ନ ଉଠୁଛି।

ଚଳିତ ଆଇପିଏଲ୍ ସିଜନ୍‌ରେ ହାର୍ଦ୍ଦିକ ବ୍ୟାଟିଂରେ ଏ ଯାବତ (ଏପ୍ରିଲ୍ ୧୮ ସୁଦ୍ଧା) ସାତ ଇନିଂସ୍ ଖେଳି ୨୩.୫୦ ଆଭରେଜ୍ ଓ ୧୪୬.୮୭ ଷ୍ଟ୍ରାଇକ୍ ରେଟ୍‌ରେ ମାତ୍ର ୧୪୧ ରନ୍ କରିଛନ୍ତି । ସେ ସବୁ ମ୍ୟାଚ୍‌ରେ ବୋଲିଂ କରୁ ନାହାନ୍ତି । ସେ ଏ ଯାଏଁ ପାଞ୍ଚ ମ୍ୟାଚ୍‌ରେ ୧୫ ଓଭର୍ ବୋଲିଂ କରି ୪ ୱିକେଟ୍ ନେଇଛନ୍ତି । ଜାଡ଼େଜାଙ୍କ ପ୍ରଦର୍ଶନ ମଧ୍ୟ ପ୍ରଭାବଶାଳୀ ହୋଇପାରି ନାହିଁ। କିନ୍ତୁ ହାର୍ଦ୍ଦିକ ଓ ଜାଡ଼େଜା ଆନ୍ତର୍ଜାତିକ ପ୍ରଦର୍ଶନ ଓ ଟିମ୍‌ର ଆବଶ୍ୟକତା ଦୃଷ୍ଟିରୁ ସ୍ଥାନ ପାଇବେ । ସେଠାରେ ସେମାନଙ୍କ ଆଇପିଏଲ୍ ପ୍ରଦର୍ଶନ ଅଧିକ ଗୁରୁତ୍ୱ ରଖି ନ ପାରେ।

ୱିକେଟ୍‌କିପର୍ ଭାବେ ଆଘାତରୁ ସୁସ୍ଥ ହୋଇ ପ୍ରାୟ ୧୫ ମାସ ପରେ ଆଇପିଏଲ୍ ଜରିଆରେ କ୍ରିକେଟ୍‌କୁ ଫେରିଥିବା ରିଷଭ ପନ୍ତ ଓ ସଞ୍ଜୁ ସାମ୍‌ସନ୍ ସ୍ଥାନ ପାଇପାରନ୍ତି । ଦୌଡ଼ରେ ଦିନେଶ କାର୍ତ୍ତିକ ବି ରହିଛନ୍ତି । କିନ୍ତୁ ଦୁଇ ଜଣ ଟିମ୍‌ରେ ସ୍ଥାନ ପାଇବେ । ଲୋକେଶ ରାହୁଲ, ଈଶାନ କିଶନ, ଜିତେଶ ଶର୍ମା ଓ ଧ୍ରୁବ ଜୁରେଲ୍ ଦୌଡ଼ରେ ନାହାନ୍ତି।

ଚଳିତ ଆଇପିଏଲ୍‌ରେ ରାଜସ୍ଥାନର ଅଧିନାୟକ ସଞ୍ଜୁ ଏ ଯାବତ (ଏପ୍ରିଲ୍ ୧୮ ସୁଦ୍ଧା) ସାତ ଇନିଂସ୍ ଖେଳି ୫୫.୨୦ ଆଭରେଜ୍ ଓ ୧୫୫.୦୫ ଷ୍ଟ୍ରାଇକ୍ ରେଟ୍‌ରେ ୨୭୬ ରନ୍ କରିଛନ୍ତି । ଅନ୍ୟପଟେ, ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ରିଷଭ ଉଭୟ ବ୍ୟାଟିଂ ଓ ୱିକେଟ୍‌କିପିଂରେ ପ୍ରଭାବିତ କରିଛନ୍ତି । ସେ ଏ ଯାବତ ସାତ ଇନିଂସ୍ ଖେଳି ୩୫ ଆଭରେଜ୍ ଓ ୧୫୬.୭୧ ଷ୍ଟ୍ରାଇକ୍ ରେଟ୍‌ରେ ୨୧୦ ରନ୍ କରିଛନ୍ତି।

ଅନ୍ୟପଟେ, ବାଙ୍ଗାଲୋର ଟିମ୍‌ର କାର୍ତ୍ତିକ ଅଦ୍ୟାବଧି ଛଅ ଇନିଂସ୍ ଖେଳି ୭୫.୩୩ ଆଭରେଜ୍‌ରେ ୨୨୬ ରନ୍ କରିଛନ୍ତି, ଯେଉଁଥିରେ ତାଙ୍କ ଷ୍ଟ୍ରାଇକ୍ ରେଟ୍ ୨୦୦ରୁ ଅଧିକ ରହିଛି । କ୍ୟାରିଅର୍‌ର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ଡିକେ ଟିମ୍‌ରେ ସାମିଲ ହେଲେ, ରିଙ୍କୁଙ୍କୁ ସୁଯୋଗ ଦିଆ ନ ଯିବା ସ୍ଥଳେ ଫିନିଶର୍ ଭୂମିକା ବି ତୁଲାଇ ପାରିବେ । ଏହାଛଡ଼ା, ବିଶେଷଜ୍ଞ ସ୍ପିନର୍ ଭାବେ ଦୁଇ ଜଣ ଓ ବିଶେଷଜ୍ଞ ପେସର୍ ଭାବେ ତିନି ଜଣ ଖେଳାଳି ଟି-୨୦ ବିଶ୍ୱକପ୍ ଟିମ୍‌ରେ ସ୍ଥାନ ପାଇପାରନ୍ତି।

ସ୍ପିନର୍‌ଙ୍କ ମଧ୍ୟରେ ଲେଗ୍ ସ୍ପିନର୍ ଯୁଜବେନ୍ଦ୍ର ଚହଲ ଓ ବାମହାତି ରିଷ୍ଟ ସ୍ପିନର୍ କୁଲଦୀପ ଯାଦବ ରହିବା ନିଶ୍ଚିତ । ଚହଲ ଟି-୨୦ ଆନ୍ତର୍ଜାତିକରେ ଭାରତ ପକ୍ଷରୁ ସର୍ବାଧିକ ୯୬ ୱିକେଟ୍ ନେଇଛନ୍ତି । ଅନ୍ୟପଟେ, ଏବେ ସବୁ ଫର୍ମାଟ୍ ଲାଗି କୁଲଦୀପ ଟିମ୍ ପାଇଁ ଜରୁରୀ ହୋଇଯାଇଛନ୍ତି । ଚଳିତ ଆଇପିଏଲ୍‌ରେ ଚହଲ ଏ ଯାବତ (ଏପ୍ରିଲ୍ ୧୮ ସୁଦ୍ଧା) ରାଜସ୍ଥାନ ରୟାଲ୍ସ ପକ୍ଷରୁ ସାତ ମ୍ୟାଚ୍ ଖେଳି ୧୨ ୱିକେଟ୍ ନେଇଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସର କୁଲଦୀପ ଚାରି ମ୍ୟାଚ୍‌ରୁ ଛଅ ୱିକେଟ୍ ପାଇଛନ୍ତି।

ପେସର୍‌ଙ୍କ ମଧ୍ୟରେ ଯଶପ୍ରୀତ ବୁମ୍‌ରା (ସାତ ମ୍ୟାଚ୍‌ରୁ ୧୩ ୱିକେଟ୍‌) ଓ ବାମହାତି ଅର୍ଶଦୀପ ସିଂହ (ସାତ ମ୍ୟାଚ୍‌ରୁ ନଅ ୱିକେଟ୍‌)ଙ୍କ ସ୍ଥାନ ସୁରକ୍ଷିତ। ମହମ୍ମଦ ଶାମୀ ନାହାନ୍ତି, ତେଣୁ ମହମ୍ମଦ ସିରାଜ ତୃତୀୟ ପେସର୍ ହୋଇପାରନ୍ତି । ଆନ୍ତର୍ଜାତିକ ପ୍ରଦର୍ଶନକୁ ବିଚାରରେ ରଖାଯାଇ ସିରାଜଙ୍କ ଚୟନ ହୋଇପାରେ। ଏହାଛଡ଼ା ମୁକେଶ କୁମାର ଓ ଚଳିତ ଆଇପିଏଲ୍‌ର ଦ୍ରୁତତମ ବୋଲର୍ ମୟଙ୍କ ଯାଦବ (ଆନ୍ତର୍ଜାତିକ ମ୍ୟାଚ୍ ଖେଳି ନାହାନ୍ତି) ମଧ୍ୟ ଦୌଡ଼ରେ ଅଛନ୍ତି ।

ଟି-୨୦ ବିଶ୍ୱକପ୍ ପାଇଁ ସର୍ବଶ୍ରେଷ୍ଠ ଟିମ୍ ବାଛିବା ଚୟନ କମିଟି ଲାଗି ଏତେ ସହଜ ହେବ ନାହିଁ । ଟିମ୍ ଚୟନ ବେଳେ ଚୟନକାରୀମାନେ ଏ କଥାକୁ ବି ଧ୍ୟାନରେ ରଖିବେ ଯେ ଭାରତ ୧୭ ବର୍ଷ ଧରି ଏହି ଟ୍ରଫି ଜିତିପାରି ନାହିଁ।

ଇମେଲ୍: biswasports@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

T20 Indian Cricket Indian Cricket Team T20 World Cup
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ