ମୋର ଏବେ ବି ମନେଅଛି, ମୋ' ଆଈର ଡାହାଣ ହାତରେ ଜଗନ୍ନାଥ-ବଳଭଦ୍ର-ସୁଭଦ୍ରା ବିମାନରେ ବସିଥିବାର ଗୋଟିଏ ଟ୍ୟାଟୁ (tattoo) ଥିଲା। ତାକୁ କାଳେ ଛୋଟବେଳେ ତା' ଜେଜେମା' ଏୟା କହି ସେଇଟା କରେଇ ଦେଇଥିଲା ଯେ, "ମଲାପ ରେ କ'ଣ ଖାଲି କାନ-ହାତ ହୋଇ ଯମପୁର ଯିବୁ? ଏଇଗୁଡା ସବୁ ସାଙ୍ଗରେ ନେବୁ ନା।" ଅବଶ୍ୟ ସେବେ ସେମାନେ ଛୁଞ୍ଚି ଫୋଡି ହାତ-ଗୋଡରେ ଏମତି ଚିତ୍ର କରେଇବାକୁ "ଚିତା କୁଟେଇବା" କହୁଥିଲେ।
ଏଇ ଚିତା କୁଟେଇବା ପ୍ରଥାଟା ଭାରତର ରାଜସ୍ଥାନରୁ ଆଣ୍ଡାମାନ୍ ପ୍ରାୟ ସବୁ ଜାଗାରେ ପ୍ରଚଳିତ ଅଛି। କେବଳ ଭାରତ ନୁହେଁ ପୃଥିବୀର ଅନ୍ୟ ଅନେକ ସମାଜ ଓ ସଭ୍ୟତାରେ ମଧ୍ୟ ଏଇ ଚିତାକୁଟା ବା tattoo ବନେଇବା ପରମ୍ପରା ଅଛି। ହେଲେ ଷାଠିଏ ଦଶକରେ 'ମେଟାଲ୍' ମ୍ୟୁଜିକ୍ ବ୍ୟାଣ୍ଡ୍ର ସଦସ୍ୟମାନେ ହିଁ ଆଜିର ଏ ଆଧୁନିକ tattoo cultureକୁ ଲୋକପ୍ରିୟ କରାଇଥିଲେ।
କେବଳ ପରମ୍ପରା ବା ସୌନ୍ଦର୍ଯ୍ୟ ପାଇଁ ନୁହେଁ, ଇତିହାସରେ ଅନେକ ସମୟରେ ଭିନ୍ନ ଭିନ୍ନ କାରଣ ପାଇଁ ମଧ୍ୟ tattooର ବ୍ୟବହାର କରାଯାଇଛି। ଯେମିତିକି ୱାଫେନ୍- ଏସ୍ ନାମକ ଏକ ନାଜିଦଳ ନିଜ ଗୋଷ୍ଠୀକୁ ଚିହ୍ନଟ କରିବା ପାଇଁ, ନିଜ ନିଜ ବାହୁରେ ଏକ ବିଶିଷ୍ଟ tattoo ବନାଉଥିଲେ। ସେମିତି ଚିକିତ୍ସା କ୍ଷେତ୍ରରେ ମଧ୍ୟ କିଛି କ୍ରନିକ ଓ ନିର୍ଦ୍ଦିଷ୍ଟ ରୋଗୀଙ୍କୁ ଚିହ୍ନଟ କରିବା ପାଇଁ tattoo ବ୍ୟବହାର କରାଯାଇଛି। ପୃଥିବୀର ବିଭିନ୍ନ କୋଣରେ ଥିବା ତନ୍ତ୍ର ବା cult cultureରେ ମଧ୍ୟ ବିଶେଷ ଧରଣର tattoo ବନାଯାଇଥାଏ। କିଛି ଲୋକ ପୁରୁଣା କ୍ଷତ ଓ ଅସ୍ତ୍ରୋପଚାର ଚିହ୍ନକୁ ଲୁଚାଇବା ପାଇଁ ମଧ୍ୟ tattooର ସାହାଯ୍ୟ ନିଅନ୍ତି ତ କିଛି ଲୋକ permanent ବା ଚିରସ୍ଥାୟୀ makeup ପାଇଁ।
ଆଜି ମିଲେନିଆଲ୍ ଆଉ ଜୁମର୍ (କିଛି ମାତ୍ରାରେ ଜେନ୍ X) ମାନଙ୍କ ମଧ୍ୟରେ tattoo କେବଳ ଗୋଟିଏ style statement ନୁହେଁ ବରଂ ନିଜକୁ ସ୍ୱାଧୀନଚେତା ସାବ୍ୟସ୍ତ କରିବା ଓ ନିଜ ମନର ଭାବକୁ ଦୁନିଆ ଆଗରେ ରଖିବାର ଗୋଟିଏ ଲୋକପ୍ରିୟ ମାଧ୍ୟମ। କିନ୍ତୁ ଅନେକ ସମୟରେ ଅତି ଛୋଟ ଛୋଟ ଅସାବଧାନତା ପାଇଁ ଏଇ ସୁନ୍ଦର tattoo ସା°ଘାତିକ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିଥାଏ ଓ ସୁନ୍ଦର ଦେଖାଯିବା ବଦଳରେ ସବୁଦିନ ପାଇଁ ଶରୀର ଓ ମନରେ ଦାଗ ଛାଡିଯାଏ।
Also Read
Tattoo କେମିତି କରାଯାଏ:
Tattoo କରିବା ପାଇଁ ଇଙ୍କ୍କୁ ଚର୍ମର ଉପରିସ୍ଥର ବା ଡର୍ମିସରେ ଛୁଞ୍ଚି ଦ୍ୱାରା ଫୋଡିଫୋଡି ଏକ ନିର୍ଦ୍ଦିଷ୍ଟ ଚିତ୍ର/ ପ୍ରତୀକ/ ଅକ୍ଷର ବନାଯାଇଥାଏ। ଅଧିକାଂଶ ଟ୍ୟାଟୁ-ମେସିନ୍ ମ୍ୟାନୁଆଲ୍ ବା ମଣିଷ ଦ୍ୱାରା ନିୟନ୍ତ୍ରିତ ହୁଏ, ଯେଉଁଥିରେ ଗୋଟିଏ କିମ୍ବା ଏକାଧିକ ଛୁଞ୍ଚି ସମୂହ ରହିଥାଏ। ଏହି ଛୁଞ୍ଚିଗୁଡିକ ସିଲେଇ ମେସିନ୍ ପରି ଚର୍ମକୁ ଦ୍ରୁତଗତିରେ, ବାରମ୍ବାର ଫୋଡିଥାନ୍ତି ଓ ପ୍ରତ୍ୟେକଥର ଫୋଡିବା ସମୟରେ ରଙ୍ଗ ଇଙ୍କ୍ ବୁନ୍ଦାକୁ ଚର୍ମରେ ଭର୍ତ୍ତି କରନ୍ତି। Tattoo ଇଙ୍କ୍ରେ କଲର୍ ପିଗ୍ମେଣ୍ଟସ୍ ଥାଏ, ଯାହା ଉଭୟ ପ୍ରାକୃତିକ ଓ କୃତ୍ରିମ ହୋଇପାରେ।
ଏହି କଲର୍ ପିଗମେଣ୍ଟସ୍ ହିଁ ଚର୍ମକୁ ରଙ୍ଗୀନ କରିଥାଏ। ଅନେକ ସମୟରେ ବିନା ଆନେସ୍ଥେସିଆରେ tattoo କରାଯାଏ, ଯାହାକି ଯନ୍ତ୍ରଣାଦାୟକ ହୋଇଥାଏ। ସେହିପରି ବାରମ୍ବାର ଛୁଞ୍ଚି ଫୋଡିବା ଦ୍ଵାରା ରକ୍ତସ୍ରାବର ମଧ୍ୟ ସମ୍ଭାବନା ରହିଥାଏ। ଅସ୍ଥାୟୀ ବା temporary tattoo ପାଇଁ ହୀନା ବା ମେହେନ୍ଦୀ ବ୍ୟବହାର କରାଯାଏ, ଏହା ଚର୍ମକୁ କମଳା ବା ନାରଙ୍ଗୀ ରଙ୍ଗ ଦେଇଥାଏ।
Tattoo ସହ ଜଡ଼ିତ ସ୍ୱାସ୍ଥ୍ୟଗତ ସମସ୍ୟା:
(୧) ଆଲର୍ଜି (allergy):
Tattoo ସହ ଜଡିତ ସବୁଠାରୁ ସାଧାରଣ ସମସ୍ୟା ହେଲା ଆଲର୍ଜି, ଯାହାକି tattoo ଇଙ୍କ୍ର ପିଗ୍ମେଣ୍ଟସ୍ କାରଣରୁ ହୋଇଥାଏ। ସବୁଠାରୁ ଅଧିକ ଆଲର୍ଜି ଲାଲ ଇଙ୍କ୍ରେ ଥିବା ମର୍କ୍ୟୁରୀ କାରଣରୁ ହୋଇଥାଏ। ଏହାଦ୍ୱାରା ଚର୍ମ ଲାଲ୍ ପଡି ଫୁଲିଯାଏ, ଫଳିଯାଏ, ଜଳାପୋଡା ହେବା ସହ କୁଣ୍ଡାଇ ମଧ୍ୟ ହୁଏ।
(୨) ଚର୍ମରେ ରଙ୍ଗୀନ ପ୍ୟାଚ୍ (skin discoloration) :
ଅନେକ ସମୟରେ କଲର୍ ପିଗ୍ମେଣ୍ଟସ୍ ଗୁଡିକ ରିଆକସନ୍ କରି ଚର୍ମରେ ଚେକାଚେକା ରଙ୍ଗୀନ ପ୍ୟାଚ୍ ବା skin discoloration କରନ୍ତି, ଫଳରେ ସୁନ୍ଦର ଦେଖାଯିବା ବଦଳରେ ଚର୍ମ ସ୍ଥାୟୀ ଭାବରେ ବିକୃତ ଓ ବଦରଙ୍ଗା ଦେଖାଯାଏ।
(୩) କିଲୋଏଡ୍ (Keloid):
ଯେଉଁମାନଙ୍କର କ୍ଷତ ହେଲେ ଶୁଖିବା ପରେ ମୋଟା ଦାଗ ବା କିଲୋଏଡ୍ ଟେଣ୍ଡେନ୍ସି ଥାଏ, ସେମାନଙ୍କ ଚମଡାରେ ବାରମ୍ବାର ଛୁଞ୍ଚି ଫୋଡିହୋଇ ହେଉଥିବା କ୍ଷେତ କାରଣରୁ ସେହି ଜାଗାରେ ଚମଡା ଫୁଲି ମୋଟା ଓ କଠିନ ଦାଗ ବା କିଲୋଏଡ୍ ସୃଷ୍ଟିକରେ।
(୪)ଗ୍ରାନୁଲୋମା (granuloma):
ଅନେକ ସମୟରେ ଶରୀର tattoo inkକୁ foreign body ବା ବାହ୍ୟ ବା ବର୍ଯ୍ୟବସ୍ତୁ ହିସାବରେ ଚିହ୍ନଟ କରେ। ଫଳରେ ଶରୀରରେ ଇନ୍ଫ୍ଲାମେଟୋରି ରିଆକ୍ସନ୍ ହୁଏ। ଏପରି ସ୍ଥିତିରେ tattoo ହୋଇଥିବା ସ୍ଥାନରେ ପ୍ରଥମେ ଫୁଲା ଦେଖାଯାଏ, ପରେ ଏହା ଟାଣ ବା ଗେଟା ବା lump ହୋଇ, ଗ୍ରାନୁଲୋମା ସୃଷ୍ଟି କରେ।
(୫) ଲିମ୍ଫାଟିକ୍ସ (lymphatics) ପାଇଁ ଭାର :
Tattoo ଇଙ୍କ୍ଗୁଡିକ ଶରୀରର ଲିମ୍ଫାଟିକ୍ ସିଷ୍ଟମ୍ରେ ପ୍ରବେଶ କରନ୍ତି ଏବଂ ମେଲାନୋମା ନାମକ ଚର୍ମ କର୍କଟ ରୋଗ ପରି ଲିମ୍ଫନୋଡ୍ ଗୁଡିକୁ ବନ୍ଦ କରିଦିଅନ୍ତି। ଫଳରେ ଶରୀରର ସେହି ଅ°ଶରୁ ଲିମ୍ଫ୍ (ଶରୀରର lymphocyte ଯୁକ୍ତ ଏକ ରଙ୍ଗହୀନ ତରଳ ପଦାର୍ଥ, ଯାହା ଇମ୍ବୁନ୍ ସିଷ୍ଟମ୍ ପାଇଁ ଜରୁରୀ) ନିର୍ଗତ ନ ହୋଇ ପାରି ଜମାହୋଇ ରହି ଫୁଲା ଓ ଜର କରିଥାଏ।
(୬)ଷ୍ଟାଫାଇଲୋକୋକାଲ୍ (staphylococcal) ସ°କ୍ରମଣ :
ମଣିଷର ଚର୍ମ ସର୍ବାଧିକ ଓ ସାଧାରଣ ଭାବେ ଷ୍ଟାଫାଇଲୋକୋକସ୍ ବ୍ୟାକ୍ଟେରିଆ ଦ୍ୱାରା ହିଁ ସ°କ୍ରମିତ ହୋଇଥାଏ। Tattoo କରିବା ସମୟରେ ଚମଡାକୁ ବାରମ୍ବାର ଛୁଞ୍ଚିରେ ଫୋଡିବା ଦ୍ୱାରା ସୃଷ୍ଟି ହେଉଥିବା କ୍ଷତରେ ଏହି ଷ୍ଟାଫାଇଲୋକୋକସ୍ ଚର୍ମ ମଧ୍ୟକୁ ପ୍ରବେଶ କରି ଅତି ଗମ୍ଭୀର ସ°କ୍ରମଣର କାରଣ ହୋଇପାରେ।
(୭) ଫଟୋସେନ୍ସିଟିଭିଟି (photosensitivity) :
ସାଧାରଣତଃ tattoo ଇଙ୍କ୍ରେ ଥିବା ଲାଲ୍ ଓ ହଳଦିଆ ପିଗ୍ମେଣ୍ଟସ୍ ହିଁ ଚମଡାକୁ ସୂର୍ଯ୍ୟକିରଣ ପ୍ରତି sensitive ବା reactive କରିଦିଏ। ଏହାଦ୍ୱାରା ଚମଡା ସିଧାସଳଖ ସୂର୍ଯ୍ୟକିରଣ ସ°ସ୍ପର୍ଶରେ ଆସିଲେ ଲାଲ୍ ପଡି ଚେକାଚେକା ଫୁଲିଯାଏ ଓ କୁଣ୍ଡାଇ ହେବା ସହ ଭୀଷଣ ଜଳାପୋଡା ହୁଏ।
(୮) ରକ୍ତସ୍ରାବ ଓ ହେମାଟୋମା :
ଚମଡା ତଳେ ରକ୍ତସ୍ରାବ ହୋଇ ଜମାଟ ବାନ୍ଧିଯିବାକୁ ହେମାଟୋମା କୁହାଯାଏ। ଯେଉଁମାନେ ରକ୍ତ ପତଳା ରଖିବା ବା ଆଣ୍ଟିକୋଆଗୁଲାଣ୍ଟ ଥେରାପିରେ ଥା'ନ୍ତି କିମ୍ବା ଯେଉମାନଙ୍କର କୋଆଗୁଲେସନ୍ ଡିଜ୍ଅର୍ଡର ଥାଏ, ସେମାନଙ୍କ ଠାରେ tattoo କରାଇଥିବା ସ୍ଥାନରେ ଅତ୍ୟଧିକ ରକ୍ତସ୍ରାବ ଓ ହେମାଟୋମା ଦେଖାଯାଏ। ଏସବୁ କ୍ଷେତ୍ରରେ ଆରୋଗ୍ୟ ପାଇଁ ମଧ୍ୟ ଅଧିକ ସମୟ ଲାଗିଥାଏ।
(୯) ରକ୍ତ-ସ°କ୍ରମଣଜନିତ ରୋଗ ବା Blood born diseases:
ଦୂଷିତ ବା infective instruments, ଅନୁପୋଯୁକ୍ତ sterilization ପ୍ରଣାଳୀ, ପର୍ଯ୍ୟାପ୍ତ disinfection technologyର ଅଭାବ ତଥା tattoo କରାଉଥିବା ଗ୍ରାହକଙ୍କ Viral Serology ଯାଞ୍ଚ୍ ନ କରିବା ଓ tattoo କରାଇସାରିବା ପରେ ଉପଯୁକ୍ତ ଯତ୍ନ ନ ନେବା ଦ୍ୱାରା blood born disease ବା ରକ୍ତ-ସ°କ୍ରମଣଜନିତ ରୋଗ ଯେମିତିକି hepatitis B & C, Tetanus, HIV ସ°କ୍ରମଣର ସମ୍ଭାବନା ଥାଏ।
(୧୦) ପୂର୍ବରୁ ଥିବା ଚର୍ମରୋଗ ବଢିଯିବା:
Tattoo କରିବା ସମୟରେ ବାରମ୍ବାର ଛୁଞ୍ଚିଫୋଡିବା ଦ୍ୱାରା ଶରୀରରେ inflammatory reaction ହୁଏ। ଏହାଦ୍ୱାରା କ୍ଷରିତ ରସାୟନ ଅନେକ ସମୟରେ ନିଜର ରିଆକ୍ଟିଭ୍ ଗୁଣ ଯୋଗୁଁ ପୂର୍ବରୁ ଥିବା ସୋରିଆସିସ୍, ଲାଇକେନ୍ ପ୍ଲାନସ ପରି ଚର୍ମରୋଗକୁ ଆହୁରି ବଢ଼ାଇ ଦିଏ। ଏହାଛଡ଼ା ଅନ୍ଧାର ବା ରାତିରେ ଗ୍ଲୋ (ଉଜ୍ଜ୍ୱଳ ଦେଖାଯିବା) କରିବା ପାଇଁ UV Reactive ink (ଯାହା FDA ଅନୁମୋଦିତ ନୁହେଁ) ବ୍ୟବହାର କରାଯାଏ, ଯାହା ଅନେକ ସମୟରେ ଡର୍ମାଟାଇଟିସ୍ ସୃଷ୍ଟିକରେ।
Tattooର ଯତ୍ନ ନେବେ କିପରି:
୧. ପ୍ରାରମ୍ଭିକ ପର୍ଯ୍ୟାୟରେ ପରିଷ୍କାର ବା ଆଣ୍ଟିସେପ୍ଟିକ୍ ବ୍ୟାଣ୍ଡେଜ୍ ବା କଭର ବ୍ୟବହାର କରନ୍ତୁ, ଜୀବାଣୁ ସ°ସ୍ପର୍ଶରେ ଆସିବାକୁ ଦିଅନ୍ତୁ ନାହିଁ।
୨. ରକ୍ତସ୍ରାବ ହେଲେ ସେଇ ସ୍ଥାନକୁ ଚାପ ଦେଇ ବନ୍ଦ କରିବା ଜରୁରୀ। ଏହାଦ୍ୱାରା ହେମାଟୋମା ହେବାର ସମ୍ଭାବନା କମିଯାଏ। କିଛିକିଛି କ୍ଷେତ୍ରରେ ଏହି ଚାପ ୨୪-୪୮ ଘଣ୍ଟା ପର୍ଯ୍ୟନ୍ତ ଦେବାକୁ ପଡିଥାଏ।୍
୩. Tattoo କରାଇଥିବା ସ୍ଥାନରେ ଫୁଲା, ଦରଜ, ଜଳାପୋଡା ହେଲେ ଥଣ୍ଡା ବା cold compression ଭଲ କାମ ଦିଏ। କିନ୍ତୁ ମନେରଖନ୍ତୁ ସିଧାସଳଖ ବରଫକୁ ସେଇଠି ଲଦି ଦିଅନ୍ତୁ ନାହିଁ।
୪. ଆଣ୍ଟିବ୍ୟାକ୍ଟେରିଲ୍ ସାବୁନ ଓ ଅଏଣ୍ଟମେଣ୍ଟ୍ ବ୍ୟବହାର କରନ୍ତୁ।
୫. ଶୁଖିଆସିଲେ କିମ୍ବା କୁଣ୍ଡାଇ ହେଲେ ବାରମ୍ବାର ହାଲୁକା/ ମୃଦୁ ମଇଶ୍ଚରାଇଜର୍ ଲଗାନ୍ତୁ।
୬. ପ୍ରାରମ୍ଭିକ କିଛି ସପ୍ତାହ ପର୍ଯ୍ୟନ୍ତ ସିଧାସଳଖ ଖରା exposureରୁ ନିଜକୁ ବଞ୍ଚାନ୍ତୁ।
୭.ସ°କ୍ରମଣର ଆଶଙ୍କା କମାଇବା ପାଇଁ ପ୍ରାରମ୍ଭିକ ଅବସ୍ଥାରେ ପହଁରିବା, ଧୂଳି / କାଦୁଅ ହେବା, out-door games ରୁ ଦୂରେଇ ରୁହନ୍ତୁ।
୮. ଅତ୍ୟଧିକ କୁଣ୍ଡାଇ ହେବା, ଫୁଲା-ଦରଜ ଓ ଫଳିଗଲେ ଡାକ୍ତରଙ୍କ ପରାମର୍ଶ କ୍ରମେ ଆଣ୍ଟିହିଷ୍ଟାମାଇନ୍/ ଆଣ୍ଟିଆଲାର୍ଜିକ୍ ଓ ଆନାଲଜେସିକ ଗ୍ରହଣ କରନ୍ତୁ।
Tattoo କରାଇବା ସମୟରେ କ'ଣ ଧ୍ୟାନରେ ରଖିବେ:
୧. ଗୋଟିଏ ଲାଇସେନ୍ସପ୍ରାପ୍ତ/ ରେଜିଷ୍ଟ୍ରର୍ଡ ଟାଟୁ ଆର୍ଟିଷ୍ଟ ଏବଂ କୌଣସି ପ୍ରତିଷ୍ଠିତ ଷ୍ଟୁଡିଓରୁ ହିଁ tattoo କରାନ୍ତୁ।
୨. ଆଲର୍ଜିରୁ ବଞ୍ଚିବା ପାଇଁ, tattoo କରାଇବା ଆଗରୁ ପିଗମେଣ୍ଟସ୍ ପ୍ୟାଚ୍ ଟେଷ୍ଟ କରାଇ ନିଅନ୍ତୁ।
୩. ଆପଣଙ୍କ ଠାରେ ବ୍ୟବହାର ପୂର୍ବରୁ ମେସିନ୍ର ଉପଯୁକ୍ତ ଷ୍ଟେରିଲାଇଜେସନ୍/ ଡିସ୍ଇନ୍ଫେକ୍ଟ ହୋଇଛି, ଆପଣଙ୍କ ପାଇଁ ନୂତନ ଛୁଞ୍ଚି ବ୍ୟବହାର ହେଉଛି ତାହା ସୁନିଶ୍ଚିତ କରନ୍ତୁ। ଧ୍ୟାନ ରଖିବେ, ଯେମିତି ଟ୍ୟାଟୁ ଆର୍ଟିଷ୍ଟ ପ୍ରତ୍ୟେକଥର ନୂତନ ଗ୍ଲୋଭ୍ସ ପିନ୍ଧୁଛନ୍ତି।
୪. ଆଗରୁ କୌଣସି ଚର୍ମରୋଗ, ଚର୍ମ ସ°କ୍ରମଣ ଥିଲେ କିମ୍ବା ଆଣ୍ଟିକୋଆଗୁଲାଣ୍ଟ ଥେରାପିରେ ଥିଲେ tattoo କରାଇବା ପୂର୍ବରୁ ନିଜ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। Tattoo କରାଇବା ପୂର୍ବରୁ tattoo ଆର୍ଟିଷ୍ଟଙ୍କୁ ମଧ୍ୟ ଏହା ଜଣାଇ ଦିଅନ୍ତୁ।
Tattoo ଅପସାରଣ ବା Removal:
Tattoo ବନାଇବା ପରି, tattoo ଲିଭାଇବା ବା removal ମଧ୍ୟ ଏକ ଯନ୍ତ୍ରଣାଦାୟକ ଓ ବ୍ୟୟବହୁଳ ପଦ୍ଧତି। ପୂର୍ବରୁ ଡର୍ମାବ୍ରେଜନ୍ (tattoo ହୋଇଥିବା ଚର୍ମର ସ୍କ୍ରାପି°) ଓ ସର୍ଜିକାଲ୍ ଏକ୍ସିଜନ୍, ତଥା ପିଗ୍ମେଣ୍ଟସ୍ ହଟାଇବା ପାଇଁ TCA (ଟ୍ରାଇ-କ୍ଲୋରୋ-ଏସିଟିକ୍ ଏସିଡ୍) ଓ ଲବଣ ବ୍ୟବହାର କରି ସାଲାବ୍ରେଜନ୍ (salabrasion) କରାଯାଉଥିଲା।
କିନ୍ତୁ ଏବେ ଟେକ୍ନୋଲୋଜି ଓ କ୍ଲିନାକାଲ୍ କସ୍ମେଟୋଲୋଜି କ୍ଷେତ୍ରରେ ଅଗ୍ରଗତି ଯୋଗୁଁ Q-Switched Laser ଦ୍ବାରା ଅତି ସହଜରେ permanent tattooଗୁଡିକୁ ଲିଭାଯାଇପାରୁଛି। Tattooର ଆକାର ଓ ଲୋକାଲ୍ ମାର୍କେଟ ଅନୁସାରେ ଏହି ଲେଜର ପଦ୍ଧତିର ଦାମ୍ ନିର୍ଦ୍ଧାରିତ ହୁଏ। କିନ୍ତୁ permanent tattoo ଲିଭାଇବା ପରେ ବେଳେବେଳେ ସେଇ ସ୍ଥାନରେ ଟିକିଏ ଧୂସର ଚିହ୍ନ ରହିଯାଏ, କିନ୍ତୁ ସ୍କ୍ରାପି° ବା ଏକ୍ସିଜନ୍ ପରି କ୍ଷତଚିହ୍ନ କିମ୍ବା କିଲୋଏଡ୍ ହେବାର ସମ୍ଭାବନା ନଥାଏ।
Tattoo ଆଡିକ୍ସନ୍ (addiction):
ଗୋଟିଏ ସର୍ବେକ୍ଷଣରୁ ଦେଖାଯାଇଛି ଯେ, ଆମେରିକାରେ ପ୍ରତି ପାଞ୍ଚ ଜଣରେ ଜଣେ ବ୍ୟକ୍ତି tattoo କରାଇଥା'ନ୍ତି। ଆଜି ଡ୍ରେସ୍, ଜୋତା, ଚୁଟିକଟା ଓ ଅନ୍ୟ ଆସେସରି ପରି tattoo ମଧ୍ୟ life styleର ଗୋଟିଏ ଅ°ଶ ପାଲଟି ଗଲାଣି। ଦେଖିଥିବେ, ଅନେକ ଲୋକ ଖପୁରୀଠୁ ପାଦ ଯାଏଁ tattoo କରାଇଥା'ନ୍ତି। କିଛିଲୋକ ବାରମ୍ବାର tattoo ଷ୍ଟୁଡିଓ ଯା'ନ୍ତି। ଅନେକ ସମୟରେ ଏମାନଙ୍କର ଏପରି ବ୍ୟବହାରକୁ tattoo addiction ମଧ୍ୟ କୁହାଯାଏ (ଏହି ଥିମ୍ କୁ ନେଇ "My Tattoo Addiction" ନାମରେ ଗୋଟିଏ ଟିଭି ସିରିଜ୍ ମଧ୍ୟ ଅଛି)।
କିନ୍ତୁ ଯଦି ଆମେ addictionର ମେଡିକାଲ ବା କ୍ଲିନିକାଲ୍ ବ୍ୟାଖ୍ୟାକୁ ଦେଖିବା ତା' ହେଲେ ବାରମ୍ବାର tattoo କରାଇବାକୁ addiction ଧରାଯାଇପାରିବ ନାହିଁ। ବୈଜ୍ଞାନିକଙ୍କ ମତରେ ବାରମ୍ବାର tattoo କରାଇବା ପଛରେ ଶରୀରରେ ମୁଖ୍ୟତଃ ଦୁଇଟି ଫ୍ୟାକ୍ଟର କାମ କରିଥାଏ। ଗୋଟିଏ ଆଡ୍ରେନାଲିନ୍ ଜଙ୍କି (adrenaline junkie) ଓ ଅନ୍ୟଟି ଏଣ୍ଡୋରଫିନ୍ସ ହଙ୍ଗର (endorphins hunger)।
ପୂର୍ବ ସପ୍ତାହର ଲେଖାରେ ମୁଁ fright and flight situation ବିଷୟରେ କହିଥିଲି, ଯେଉଁଥିରେ କି ବର୍ଣ୍ଣନା କରିଥିଲି କେମିତି ଚାପ ବା stressରେ ଆମ ଶରୀରରେ ଆଡ୍ରେନାଲିନ୍ କ୍ଷରଣ ହୁଏ ଓ ଏହା ଆମପାଇଁ କାହିଁକି ଜରୁରୀ। Tattoo କରାଇବା ସମୟରେ ମଧ୍ୟ ବାରମ୍ବାର ଛୁଞ୍ଚି ଫୋଡିହେବା ଦ୍ବାରା ଶରୀର ଚାପ/stress ଅନୁଭବ କରେ, ଏବଂ ଏହି ଚାପ ଆଡ୍ରେନାଲିନ୍ କ୍ଷରଣ କରେ, ଯାହାକୁ ଆମେ ଆଡ୍ରେନାଲିନ୍ ରସ୍ କହିଥାଉ।
ଏହାର ପ୍ରଭାବରେ ହୃତସ୍ପନ୍ଦନ ବଢିଯାଏ, ଯନ୍ତ୍ରଣା କମ ଅନୁଭୂତ ହୁଏ, ମଣିଷ ନିଜକୁ ଅଧିକ ଉର୍ଜାବାନ୍ ଓ ଶକ୍ତିଶାଳୀ ଅନୁଭବ କରେ, ଜିଟର୍ସ କିମ୍ବା ଅଶାନ୍ତ ଅନୁଭବ କରେ, mood elevated ବା enlighted (ନିଶାଗ୍ରସ୍ତ ହେଲାପରି ) ଅନୁଭବ ହୁଏ (ଆଡ୍ରେନାଲିନ୍ ଜଙ୍କି) । କିଛି ଲୋକ ଏହି ଅନୁଭୂତିକୁ ଖୁବ ଉପଭୋଗ କରନ୍ତି ଆଉ ବୋଧେ ସେଇଥିପାଇଁ ବାରମ୍ବାର tattoo କରାନ୍ତି।
ସେହିପରି ଶରୀର ଆଘାତ ପାଇଲେ କିମ୍ବା ଯନ୍ତ୍ରଣାରେ ଥିଲେ ଏଣ୍ଡୋରଫିନ୍ସ କ୍ଷରଣ ହୁଏ। ଏଣ୍ଡୋରଫିନ୍ସର ପ୍ରଭାବରେ ମଣିଷ ଯନ୍ତ୍ରଣା କମ ଅନୁଭବକରେ ଓ euphoric feel (ଅତ୍ୟଧିକ ଖୁସି, ଉଲ୍ଲାସ, ଉତ୍ସାହିତ) କରେ (ନିଶାଗ୍ରସ୍ତ ହେଲାପରି)। କୌଣସି ଦୁଃସାହସିକ କାର୍ଯ୍ୟ, ଇଣ୍ଟେନ୍ସ ଏକ୍ସରସାଇଜ୍, ଅତ୍ୟଧିକ ଲଙ୍କା ବା ରାଗ ଖାଇବା ଦ୍ୱାରା ଓ ସେକ୍ସ ସମୟରେ ମଧ୍ୟ ଶରୀରରେ ଏଣ୍ଡୋରଫିନ୍ସ କ୍ଷରଣ ହୁଏ, ଯାହାକି ମଣିଷକୁ ଅତ୍ୟଧିକ ଉଲ୍ଲାସିତ (a sense of pleasure) ଅନୁଭବ କରାଏ।
Tattoo କରିବା ସମୟରେ ମଧ୍ୟ ବାରମ୍ବାର ଛୁଞ୍ଚିଫୋଡା ଦ୍ୱାରା ହେଉଥିବା ଯନ୍ତ୍ରଣା କାରଣରୁ ଏଣ୍ଡୋରଫିନ୍ସ କ୍ଷରଣ ହୁଏ, ଯାହା tattoo କରାଉଥିବା ବ୍ୟକ୍ତିକୁ ଏକ ପ୍ରକାର ଅଦ୍ଭୁତ ଆନନ୍ଦ ପ୍ରଦାନ କରେ। ହୁଏତ ସେଇଥିପାଇଁ ଯନ୍ତ୍ରଣାସତ୍ତ୍ୱେ ବାରମ୍ବାର tattoo କରାନ୍ତି।
ସେ ପରମ୍ପରା ପାଇଁ ହେଉ କି ଫ୍ୟାସନ୍ ପାଇଁ କି euphoric feel ପାଇଁ ହେଉ, ଆଜି tattoo ଯୁବପିଢ଼ିଙ୍କ ମଧ୍ୟରେ ଭାରି ଲୋକପ୍ରିୟ। କିନ୍ତୁ ଅନେକ ସମୟରେ ସଠିକ ଜ୍ଞାନର ଅଭାବ ଓ ଅସାବଧାନତା ପାଇଁ tattoo ଚିରସ୍ଥାୟୀ ବିକୃତ ଦାଗ ଓ ମାରାତ୍ମକ ରୋଗ ଆଣିଦିଏ। ତେଣୁ କୁହାଯାଇଥିବା ଛୋଟଛୋଟ କଥା ଉପରେ ଧ୍ୟାନ ଦେଲେ tattoo ସୁନ୍ଦର ଓ ସୁରକ୍ଷିତ ହୋଇଥାଏ। ନିଜକୁ ସୁନ୍ଦର ଓ ଫ୍ୟାସନ୍ ଫ୍ରେଣ୍ଡଲି କରିବାର ଅଧିକାର ସମସ୍ତଙ୍କର ଅଛି।