Advertisment

ଡାଉନସିଣ୍ଡ୍ରୋମ୍ ସତ୍ତ୍ୱେ ସଫଳତା: ଜଣେ ଯୋଗ ଗାର୍ଲ ଆଉ ଜଣେ ମଡେଲ୍

ସେମାନେ ଭାରତର ଦୁଇ ପ୍ରତିଭା। ଉଭୟ ଡାଉନସିଣ୍ଡ୍ରୋମରେ ପୀଡ଼ିତ। ଉଭୟ ମାନସିକ ଓ ଶାରୀରିକ ସ୍ତରରେ ଭିନ୍ନକ୍ଷମ ହେଲେ ବି ଏମାନଙ୍କୁ ସଫଳତା ହାସଲ କରିବାରେ କେହି ବାଧା ଦେଇପାରିନାହାଁନ୍ତି। ଆସନ୍ତୁ, କିଛି ଜାଣିବା ସେମାନଙ୍କ ବିଷୟରେ।

ଅଦ୍ୟତନ ହୋଇଛି
Success Despite Down Syndrome

Success Despite Down Syndrome

Advertisment

ଜଣେ ୧୪ବର୍ଷର ବାଳିକା ଓ ଆଉ ଜଣେ ୧୯ ବର୍ଷର ଯୁବତୀ। ତେବେ ଏ ଦୁଇ ଜଣଙ୍କୁ ଯାହା ଗୋଟିଏ ରଜ୍ଜୁରେ ବାନ୍ଧେ ତାହା ହେଉଛି, ଏମାନେ ଦୁଇ ଜଣ ଡାଉନ୍ ସିଣ୍ଡ୍ରୋମରେ ପୀଡ଼ିତ। ଅଥଚ ଉଭୟ ମାନସିକ ଓ ଶାରୀରିକ ସ୍ତରରେ  ଭିନ୍ନ କ୍ଷମତା ଏମାନଙ୍କୁ ରୋକି ପାରି ନାହିଁ । ଆସନ୍ତୁ, କିଛି ଜାଣିବା ସେମାନଙ୍କ ବିଷୟରେ।

Advertisment

ଅନଭି ବିଜୟ ଜାଞ୍ଜୁରିକିଆ:

Zainika Jagasia Zanzarukia'(ରବର ଗର୍ଲ ଅଫ୍ ଗୁଜରାଟ' ଅନଭି ବିଜୟ ଜାଞ୍ଜୁରିକିଆ)

ଗୁଜରାଟ ସୁରଟର ଅନଭି। ବୟସ ୧୪। ଡାଉନ୍ ସିଣ୍ଡ୍ରୋମରେ ପୀଡ଼ିତ ଏଇ ଛୋଟ ଝିଅଟିର ରହିଛି ୭୫ପ୍ରତିଶତ ଇଣ୍ଟେଲେକଚୁଆଲ୍ ଡିଜାବିଲିଟି। ଖାଲି ସେତିକି ନୁହେଁ, ତାଙ୍କ ଲାର୍ଜ ଇଣ୍ଟେଷ୍ଟାଇନର ୭୫% ଅଂଶ କାମ କରେ ନାହିଁ। ଫଳରେ ଅଧିକାଂଶ ସମୟ ଗ୍ୟାଷ୍ଟ୍ରିକ୍ ସମସ୍ୟାରେ ପୀଡ଼ିତ ହୁଅନ୍ତି ଅନଭି।

ଏହା ବ୍ୟତୀତ ସେ ଯେତେବେଳେ ମାତ୍ର ୩ ବର୍ଷର ହୋଇଥିଲେ ସେତେବେଳେ ତାଙ୍କ ହୃତପିଣ୍ଡରେ ଥିବା ଦୁଇଟି କଣାକୁ ମଧ୍ୟ ଅସ୍ତ୍ରୋପଚାର ସାହାଯ୍ୟରେ ଠିକ କରାଯାଇଥିଲା। ଏତେସବୁ ଅସୁସ୍ଥତା ସତ୍ତ୍ୱେ ସଫଳତାର ସିଡ଼ି ଚଢ଼ିବାରେ ଲାଗିଛନ୍ତି ଅନଭି। ସେ ଅତି ଅନାୟାସରେ ଯୋଗର କଠିନ ମୁଦ୍ରା ଓ ଆସନଗୁଡ଼ିକ କରିପାରନ୍ତି।

Advertisment

ବିଭିନ୍ନ ରାଜ୍ୟ ତଥା ଜାତୀୟ ସ୍ତରର ଯୋଗ କାର୍ଯ୍ୟକ୍ରମରେ ନିଜର ସୁନ୍ଦର ପ୍ରଦର୍ଶନ ପାଇଁ ସେ ବହୁବାର ସମ୍ମାନିତ ହେବା ସହ ୨୦୨୨ ମସିହାରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଳ ପୁରସ୍କାର ମଧ୍ୟ ହାସଲ କରିପାରିଛନ୍ତି।

ଏପରିକି ଚଳିତ ବର୍ଷ ସେପ୍ଟେମ୍ବର ମାସରେ ନିଜ ବାପାମାଆଙ୍କ ସହ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ସହ ତାଙ୍କ ସମ୍ମୁଖରେ ଯୋଗ ପ୍ରଦର୍ଶନ କରିବାର ସୁଯୋଗ ପାଇଥିଲେ। ଏହା ଦ୍ୱାରା ତାଙ୍କ ବହୁଦିନର ସ୍ୱପ୍ନ ପୂରଣ ହୋଇପାରିଥିବା ତାଙ୍କ ବାପା କହନ୍ତି।

Advertisment

ଝିଅର ସଫଳତାକୁ ନେଇ ଗର୍ବିତ ବାପା-ମାଆ ବିଜୟ ଓ ଅବନୀ ଜାଞ୍ଜୁରିକିଆ କହନ୍ତି, ସେମାନେ ପ୍ରଥମେ ଯେତେବେଳେ ଅନଭିଙ୍କ ବିଭିନ୍ନ ଅସୁସ୍ଥତା ସମ୍ପର୍କରେ ଜାଣିଲେ ସେତେବେଳେ ସେମାନଙ୍କୁ ମାନସିକ ସ୍ତରରେ ବଡ଼ ଧକ୍କା ଲାଗିଥିଲା। ତେବେ ଧୀରେ ଧୀରେ ସେମାନେ ଝିଅର ଅସୁସ୍ଥତା ବିଷୟରେ ଅଧିକ ଜାଣିବା ପାଇଁ ଚେଷ୍ଟା କଲେ। ଫଳରେ ସେମାନେ ଜାଣିବାକୁ ପାଇଲେ ଯେ, ତାଙ୍କ ଝିଅ ପରି ପିଲାମାନଙ୍କୁ ସେଇ କ୍ଷେତ୍ରରେ ସୁବିଧା-ସୁଯୋଗ ଯୋଗାଇ ଦିଆଯିବା ଆବଶ୍ୟକ, ଯେଉଁଥିରେ ସେମାନେ ଆଗ୍ରହ ଦେଖାଉଛନ୍ତି।

ସେମାନେ ଧୀରେ ଧୀରେ ଲକ୍ଷ୍ୟ କଲେ ଯେ, ଅନଭି ନିଜର ଅଙ୍ଗପ୍ରତ୍ୟଙ୍ଗକୁ ବିଭିନ୍ନ ଭଙ୍ଗୀରେ ବଙ୍କାଇପାରୁଛି ଓ ତା'ର ଶରୀର ମଧ୍ୟ ବେଶ ନମନୀୟ। ତେଣୁ ସେମାନେ ଅନଭିଙ୍କୁ ଯୋଗରେ ପ୍ରଶିକ୍ଷଣ ଦେବା ଆରମ୍ଭକଲେ। ତା' ପରଠାରୁ ଆଉ ପଛକୁ ଫେରି ଚାହିଁ ନାହାନ୍ତି ଅନଭି। ଯୋଗ ହିଁ ତାଙ୍କୁ ଆଣିଦେଇଛି ବଞ୍ଚିବାର ରାହା। ଆଉ ଯୋଗରେ ନିଜର ଦକ୍ଷତା ପାଇଁ ହିଁ ସେ ଆଜି ପରିଚିତ ହୋଇପାରିଛନ୍ତି 'ରବର ଗର୍ଲ ଅଫ୍ ଗୁଜରାଟ' ଭାବେ।

ଜୈନିକା ଜଗାସିଆ:

Zainika Jagasia(ମଡେଲ୍ ଆଉ ଜଣେ ଫୁଲ୍ ଟାଇମ୍ ବେକର୍ ଜୈନିକା ଜଗାସିଆ)

ସେ ଜଣେ ମଡେଲ୍ ଆଉ ଜଣେ ଫୁଲ୍ ଟାଇମ୍ ବେକର୍ ବି। ନିଜର ଉଭୟ ପେସାରେ ସମ୍ପୂର୍ଣ୍ଣ ନିଷ୍ଠା ଆଉ ଏକାଗ୍ରତାର କାମ କରିଥାନ୍ତି ଜୈନିକା। ସେ କହନ୍ତି, ଅତି ଛୋଟ ବେଳୁ ହିଁ ସେ ଚାହୁଁଥିଲେ ମଡେଲଟିଏ ହେବା ପାଇଁ। ଆଉ ତାଙ୍କର ଏଇ ସ୍ୱପ୍ନ ପାଇଁ ବାଟ ଫିଟାଇ ଦେଇଥିଲା ତାଙ୍କ ବାପାମାଆଙ୍କ ଦ୍ୱାରା ୨୦୨୧ ମସିହାରେ ଆୟୋଜିତ ଏକ ଏକ୍ସକ୍ଲୁଜିଭ୍ ଫଟୋସୁଟ୍।

ଜୈନିକାଙ୍କ ମା' ରେଶମ ଜଗାସିଆ କହନ୍ତି, ଜୈନିକା ତାଙ୍କ ଗର୍ଭରେ ଥିବା ସମୟରେ ହିଁ ତାଙ୍କୁ ସବୁବେଳେ ଏମିତି ଅନୁଭବ ହେଉଥିଲା, ଯେମିତି ତାଙ୍କ ପିଲାର କିଛି ସମସ୍ୟା ରହିଛି। ଆଉ ସେ ଭିତରୁ ଥାଇ ହିଁ ଯେମିତି ତାଙ୍କୁ ସବୁ ବେଳେ କିଛି କହିବାକୁ ଚାହୁଁଛି। ଜୈନିକା ଜନ୍ମ ହେବା ପରେ ହିଁ ଡାକ୍ତରମାନେ ତାଙ୍କ ଡାଉନ୍ ସିଣ୍ଡ୍ରୋମ ସମ୍ପର୍କରେ ନିଶ୍ଚିତ ହୋଇଥିଲେ ଓ ସେନେଇ ପରିବାରକୁ ଅବଗତ କରାଇଥିଲେ।

ଯେତେବେଳେ ଜୈନିକାଙ୍କୁ ମାତ୍ର କିଛି ମାସ ହିଁ ହୋଇଥିଲା ସେବେଠାରୁ ତାଙ୍କ ବାପା-ମା' ଦିନର ଅନ୍ତତଃ ୮/୧୦ ଘଣ୍ଟା ନିଜର ଏଇ କୁନି ଝିଅଟି ସହ ବିତାଉଥିଲେ। ଆଉ ସେଇ ବୟସରୁ ହିଁ ଆରମ୍ଭ ହୋଇଯାଇଥିଲା ଜୈନିକାଙ୍କୁ ଅକୁପେସନାଲ୍ ଓ ଫିଜିଓ ଥେରାପି ଦେବା। ଖାଲି ସେତିକି ନୁହେଁ, ଯଥାଶୀଘ୍ର ତାଙ୍କ ପାଇଁ ସ୍ପିଚ୍ ଥେରାପିର ମଧ୍ୟ ବ୍ୟବସ୍ଥା କରାଗଲା।

ଜୈନିକା କହନ୍ତି, ଆଜି ସେ ଯାହା ବି କିଛି କରି ପାରୁଛନ୍ତି ବା ଯେଉଁଠି ଆସି ପହଞ୍ଚିଛନ୍ତି ସେସବୁ କେବଳ ସମ୍ଭବ ହୋଇଛି ତାଙ୍କ ବାପାମାଆଙ୍କ ପାଇଁ। ଆଜି ସେ ବହୁତ ଭଲ ଇ°ଲିଶ କହିପାରନ୍ତି ଓ ନିଜର ବିଭିନ୍ନ କାମ ନିଜେ କରିବାରେ ସକ୍ଷମ।

ସେ ଜଣେ ବହୁତ ପ୍ରତିଭାଶାଳୀ ଛାତ୍ରୀ ମଧ୍ୟ (ନିଜ ବୋର୍ଡ୍ ପରୀକ୍ଷାରେ ୮୦% ଠୁ ଅଧିକ ନମ୍ବର ରଖିଥିଲେ)। ପିଲାଦିନରୁ ହିଁ ତ ସେ ସବୁବେଳେ ଜଣେ ନାଁ କରା ମଡେଲ୍ ହେବାକୁ ଇଚ୍ଛା କରୁଥିଲେ। ପୁଣି ବେକିଙ୍ଗ ପ୍ରତି କେମିତି ଆକର୍ଷିତ ହେଲେ!

ଜୈନିକା କହନ୍ତି ଯେ, ପ୍ରଥମେ ପ୍ରଥମେ ତାଙ୍କୁ ବେକିଙ୍ଗ ବିଲକୁଲ ପସନ୍ଦ ନଥିଲା। ତେବେ ଲକ୍‌ଡାଉନ୍ ସମୟରେ ତାଙ୍କ ବାପା-ମା' ଏହା ଲକ୍ଷ୍ୟ କଲେ ଯେ, ସେଇ ସମୟରେ ଜୈନିକାଙ୍କ ବିକାଶ ସଠିକ୍ ଭାବେ ହୋଇପାରୁ ନାହିଁ। ତେଣୁ ସେମାନେ ତାଙ୍କୁ ନିଜ ବଡ଼ ଭଉଣୀ ଗୀତିକାଙ୍କ ସହ ମିଶି ବେକିଙ୍ଗ କାମ ଶିଖିବାକୁ ପ୍ରବର୍ତ୍ତାଇଲେ (ଗୀତିକା 'ହୋମ୍ ବ୍ରେଡ୍' ନାମକ ଏକ ବେକରୀ ଚଳାନ୍ତି)।

ପ୍ରଥମ ଲକ୍‌ଡାଉନ୍ ସମୟରୁ ହିଁ ଜୈନିକା ବଡ଼ ଭଉଣୀଙ୍କୁ ବେକିଙ୍ଗ କାମରେ ସହଯୋଗ କଲେ। ଆରମ୍ଭରୁ ଏଇ କାମରେ ତାଙ୍କ ହାତ ଅସନା ହୋଇଯିବାଟା ତାଙ୍କୁ ଟିକେ ବି ଭଲ ଲାଗୁ ନଥିଲା। ହେଲେ ଧୀରେ ଧୀରେ ଏ କାମରେ ତାଙ୍କୁ ବେଶ୍ ମଜା ଆସିଲା।

ଏବେ ବେକିଙ୍ଗରେ ନିଜ ଦକ୍ଷତା ପାଇଁ ଜୈନିକା ସୋସିଆଲ ମିଡିଆରେ ବେଶ୍ ଲୋକପ୍ରିୟ। ଖାସ୍ କରି ଚକୋଲେଟ୍ କୁକିଜ୍ ବନେଇବା ତାଙ୍କୁ ବେଶ୍ ପସନ୍ଦ। ଜଣେ ଫୁଲ୍ ଟାଇମ୍ ମଡେଲ୍ ହେବା ସହ କେବେ ନା କେବେ Gucchi ପାଇଁ ରାମ୍ପ୍ ରେ ଚାଲିବାର ସ୍ୱପ୍ନ ମଧ୍ୟ ଦେଖନ୍ତି ଜୈନିକା।

ଭୁବନେଶ୍ୱର, ଇମେଲ୍: preetiprajnapradhan@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

Women Empowerment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ