ଶୋଇବା ସମୟରେ ଶ୍ୱାସନଳୀରୁ ଉତ୍ପନ୍ନ ହେଉଥିବା ଘାଗଡା ବା ଘଡଘଡିଆ ଶବ୍ଦକୁ ଘୁଙ୍ଗୁଡ଼ି କୁହାଯାଏ। ଘୁଙ୍ଗୁଡ଼ି, ନିଦରେ ଥିବା ସମୟରେ ଗଳାର ରିଲାକ୍ସଡ ବା ନିସ୍ତେଜ ମା°ସପେଶୀ ବା ଟିସ୍ୟୁଗୁଡିକ ମଧ୍ୟଦେଇ ଶ୍ୱାସକ୍ରିୟା ସମୟରେ ପବନ ଆତଯାତ କରିବା ଦ୍ୱାରା କମ୍ପନ ସୃଷ୍ଟି ହୋଇ ଶବ୍ଦ ବା ଘୁଙ୍ଗୁଡ଼ି ହୋଇଥାଏ।
ପ୍ରାୟତଃ ସମସ୍ତେ ସମୟ-ସମୟରେ ଟିକେଟିକେ ଘୁଙ୍ଗୁଡ଼ି ମାରନ୍ତି, କିନ୍ତୁ କିଛି ଲୋକଙ୍କ ପାଇଁ ଏହା ନିୟମିତ ଏବଂ ଅନିୟନ୍ତ୍ରିତ ହୋଇଥାଏ। ପ୍ରାୟତଃ ଘୁଙ୍ଗୁଡ଼ି ମାରୁଥିବା ମଣିଷଟି ଅପେକ୍ଷା ପାଖରେ ଶୋଇଥିବା ମଣିଷ ଅଧିକ ସମସ୍ୟା ଭୋଗିଥାଏ।
ରିପୋର୍ଟ ଅନୁସାରେ ଘୁଙ୍ଗୁଡ଼ି ହେଉଛି ବିଶ୍ୱର ଘଟୁଥିବା ସମସ୍ତ ବିବାହ ବିଚ୍ଛେଦର ତୃତୀୟ ବୃହତ୍ତମ କାରଣ। ବୟସ ବଢିବା ସହ ଏହି ସମସ୍ୟା ବଢିଥାଏ। କେବଳ ପାରିବାରିକ ବା ସାମାଜିକ ନୁହେଁ ଅନେକ ସମୟରେ ଘୁଙ୍ଗୁଡ଼ି ଅନ୍ୟ କୌଣସି ରୋଗର ଲକ୍ଷଣ ମଧ୍ୟ ହୋଇଥାଏ।
Also Read
କାରଣ:
- ଡେଭିଏଟେଡ୍ ନାଜାଲ୍ ସେପ୍ଟମ (ଦୁଇପଟ ନାଶା ରନ୍ଧ୍ରକୁ ଭାଗ କରୁଥିବା ପରଦା ବଙ୍କା ହେବା), ନାଜାଲ୍ ପଲିପ୍ (ନାକ ଭିତରେ ଭାତୁଡି ପରି ଉଠିବା), ଆଲେର୍ଜି କିମ୍ବା ସାଇନସ ଇନଫେକସନ୍ ଏସବୁ କାରଣରୁ ନାକରେ ଥିବା ଶ୍ୱାସନଳୀ ବନ୍ଦ ହେବା।
- ଶୋଇବା ସମୟରେ ଗଳା ଏବଂ ଜିଭର ମା°ସପେଷୀ ଅତ୍ୟଧିକ ରିଲାକ୍ସ ବା ନିସ୍ତେଜ ହୋଇ ଗଳାର ପଛ ଅ°ଶକୁ ଖସିପଡେ ଏବଂ ଗଳାର ଶ୍ୱାସନଳୀକୁ ବନ୍ଦକରି ଶ୍ୱାସରୁଦ୍ଧ କରେ (ଏହାକୁ ପୁଅର ମସଲ ଟୋନ୍ ଅଫ୍ ଥ୍ରୋଟ୍ ଆଣ୍ଡ୍ ଟଙ୍ଗ୍ କୁହାଯାଏ)।
- କିଛି ପିଲାଙ୍କର ବାରମ୍ବାର ଟନ୍ସିଲାଇଟିସ୍ ହୋଇ ଏହା ବଡ ହୋଇଯିବା, ଆଡେନୋଏଡ୍ ଗ୍ଲାଣ୍ଡ୍ ବଡ ହେବା (ଏହା ବୟସ୍କ ସମୟରେ ମଧ୍ୟ ରହିଯାଏ) ତଥା ମେଦବହୁଳତା କାରଣରୁ ଗଳାପାଖ ଥୁଲଥୁଲିଆ ହୋଇଯିବା, ଏସବୁ ମଧ୍ୟ ଗଳାର ଶ୍ୱାସନଳୀକୁ ରୁଦ୍ଧକରି ଘୁଙ୍ଗୁଡ଼ି ଶବ୍ଦ ସୃଷ୍ଟିକରେ।
- ଲମ୍ବା ତଥା ନରମ ତାଳୁ ଏବଂ ଅପେକ୍ଷାକୃତ ବଡ ଉଭୁଲା ବା ଘଣ୍ଟିକା ହୋଇଥିଲେ, ଶୋଇବା ସମୟରେ ଏହା ନାକ ଏବଂ ଗଳା ମଧ୍ୟରେ ଥିବା ଶ୍ୱାସନଳୀକୁ ବନ୍ଦ କରିଦେଇ ଘୁଙ୍ଗୁଡ଼ିର କାରଣ ହୁଏ।
- ଔଷଧ ଏବଂ ମଦ୍ୟପାନ: କୌଣସି କାରଣରୁ ମସଲ୍ ରିଲାକ୍ସାଣ୍ଟ ଔଷଧ କିମ୍ବା ଅତ୍ୟଧିକ ମଦ୍ୟପାନ ମଧ୍ୟ ଗଳା ଏବଂ ଜିଭର ମା°ସପେଷୀକୁ ନିସ୍ତେଜ କରିଦିଏ, ଯାହାଦ୍ୱାରା ଘୁଙ୍ଗୁଡ଼ି ହୁଏ।
- ଅତ୍ୟଧିକ ନରମ କିମ୍ବା ଉଚ୍ଚା ତକିଆ ବ୍ୟବହାର ତଥା ପିଠିରେ ବା ଚିତହୋଇ ଶୋଇବା ଦ୍ଵାରା ମଧ୍ୟ ଗଳାପାଖ ଶ୍ୱାସନଳୀ ରୁଦ୍ଧ ହୋଇ ଘୁଙ୍ଗୁଡ଼ି ସୃଷ୍ଟି ହୁଏ।
- ସଠିକ ପରିମାଣର ନିଦ୍ରା ନ ମିଳିବା, ଅତ୍ୟଧିକ ପରିଶ୍ରମ ଏବଂ ମାନସିକ ଦୁଃଶ୍ଚିନ୍ତା ମଧ୍ୟ ଶୋଇବା ସମୟରେ ଗଳା ମା°ସପେଷୀକୁ ନିସ୍ତେଜ କରିଦେଇ ଘୁଙ୍ଗୁଡ଼ିର କାରଣ ହୁଏ।
ଘୁଙ୍ଗୁଡ଼ିଜନିତ ଜଟିଳତା:
ପ୍ରାୟତଃ କେହି ଘୁଙ୍ଗୁଡ଼ି ମାରିବାକୁ ପାଖରେ ଶୋଉଥିବା ମଣିଷର ନିଦରେ ଅସୁବିଧା ହେବା ଛଡା ବେଶୀ ଗୁରୁତ୍ୱ ଦିଅନ୍ତି ନାହିଁ। କିନ୍ତୁ ଲକ୍ଷ୍ୟ ରଖିବା ଦରକାର ଯେ ଏହା କେବଳ ସାଧାରଣ ଶବ୍ଦ ନା ନିଦ୍ରାରେ ଶ୍ୱାସକ୍ରିୟା ବନ୍ଦ Obstructive Sleep Apnea ହେଲା ଭଳି ସମସ୍ୟା ଦେଖାଯାଉଛି।
- ଚମକିପଡି ବାରମ୍ବାର ନିଦ ଭାଙ୍ଗିବା (ଅନେକଥର ମଣିଷ ନିଜେ ଜାଣିପାରେନି)। ପାଖରେ ଶୋଉ ନଥିବା ମଣିଷ ନିଦ୍ରାବସ୍ଥାରେ ସମୟ-ସମୟରେ ଶ୍ୱାସକ୍ରିୟା ବନ୍ଦ ହେବା ଲକ୍ଷ କରିବା।
- ପତଳା ନିଦ ହେବା, ଅଳସୁଆ ଏବଂ ଥକ୍କା ଲାଗିବା, ଏକାଗ୍ରତାର ଅଭାବ।
- ସକାଳୁ ଉଠିଲେ ଗଳା ଦରଜ ଲାଗିବା, ମୁଣ୍ଡବ୍ୟଥା ହେବା।
- ଦିନରେ ନିଦ ଲାଗିବା (ଅନେକ କାର ଆକ୍ସିଡେଣ୍ଟ ମଧ୍ୟ ଏହି କାରଣରୁ ହୋଇଥାଏ)।
- ଉଚ୍ଚରକ୍ତଚାପ, ମାନସିକ ଦୁଃଶ୍ଚିନ୍ତା, ମାନସିକ ଅବସାଦ, ରାତିରେ ଛାତିରେ ଯନ୍ତ୍ରଣା ହେବା, ହୃଦଘାତ।
- ଛୋଟପିଲାଙ୍କ ମଧ୍ୟରେ ଏକାଗ୍ରତାର ଅଭାବ, ଚିଡଚିଡା ହେବା, ପାଠପଢା ଏବଂ ପରୀକ୍ଷାରେ ଖରାପ ପ୍ରଦର୍ଶନ।
କାରଣ ନିରୁପଣ:
- ମେଡିକାଲ ହିଷ୍ଟୋରି ବା ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ପଚାରି ବୁଝିସାରିବା ପରେ ଡକ୍ଟର ନାଶା ତଥା ଗଳାର ସ୍ୱାସନଳୀରେ କୌଣସି ଅବରୋଧ ରହୁଛି କି ନାହିଁ ଜାଣିବା ପାଇଁ ପରୀକ୍ଷା ନିରୀକ୍ଷା କରିଥାନ୍ତି। ସାଧାରଣତଃ ନାଜାଲ୍ ପଲିପ୍, କ୍ରନିକ ଟନ୍ସିଲାଇଟିସ୍, ଡେଭିଏଟେଡ୍ ନାଜାଲ୍ ସେପ୍ଟମ୍, ସାଇନୋସାଇଟିସ୍ ଆଦି ସାଧାରଣ ପରିକ୍ଷଣରୁ ଜଣାପଡିଯାଏ।
- ଅଳ୍ପ କେତୋଟି ସ୍ଥଳରେ ଶ୍ୱାସନଳୀର ଏକ୍ସରେ, ଏମଆରଆଇ, ସିଟିସ୍କାନ କରିବାକୁ ପଡିଥାଏ।
- ଆଧୁନିକ ଚିକିତ୍ସା ବିଜ୍ଞାନରେ "ସ୍ଲିପ୍ ଷ୍ଟଡି" ମଧ୍ୟ ଏକ ସହଜ ଉପାୟ। ଏଥିରେ ଗୋଟିଏ ମନିଟର ଦ୍ଵାରା ମଣିଷର ରାତ୍ରିର ନିଦ୍ରା ସମୟକୁ ଅନୁଧ୍ୟାନ କରାଯାଏ। ଏଥିରେ ନିଦ୍ରା ସମୟରେ ହୃଦୟର ଗତି, ଶ୍ୱାସକ୍ରିୟା ତଥା ମସ୍ତିଷ୍କର କାର୍ଯ୍ୟକଳାପକୁ ଅନୁଧ୍ୟାନ କରାଯାଏ।
ଚିକିତ୍ସା:
- ଘରୋଇ ଚିକିତ୍ସା: ଶୋଇବାରେ ସମୟାନୁବର୍ତ୍ତିତା, ଚିତହୋଇ ନ ଶୋଇ କଡମାଡି ଶୋଇବା, ପତଳା ତକିଆ କାନ୍ଧତଳ ପର୍ଯ୍ୟନ୍ତ ରଖିବା, ଖଟର ମୁଣ୍ଡପାଖ ଅ°ଶ ସାମାନ୍ୟ ଉଚ୍ଚା ରଖିବା (ଅଣ୍ଟାଠାରୁ ଉପରକୁ)।
- ଜୀବନଶୈଳୀରେ ପରିବର୍ତ୍ତନ: ଓଜନ ହ୍ରାସ କରିବା, ମଦ୍ୟପାନ ତଥା ଧୂମପାନ ତ୍ୟାଗ କରିବା, ଶାରୀରିକ ବ୍ୟାୟାମ, ବ୍ରିଦିଙ୍ଗ୍ ଏକ୍ସରସାଇଜ୍, ରକ୍ତଚାପ ନିୟନ୍ତ୍ରଣରେ ରଖିବା।
- ନାଜାଲ୍ ଷ୍ଟ୍ରିପ୍ ବ୍ୟବହାର ଦ୍ୱାରା ନାକର ଶ୍ୱାସନଳୀକୁ ଖୋଲା ରଖିବାକୁ ଚେଷ୍ଟାକରିବା। ଓରାଲ୍ ଆପେଲାଏନ୍ସକୁ ମୁଖରେ ବ୍ୟବହାର କରି ଜିଭ ତଥା ମାଢିକୁ ନିସ୍ତେଜ ହେବାକଙ ନଦେଇ ଘୁଙ୍ଗୁଡ଼ିରୁ ରକ୍ଷା କରେ।
- ସିପାପ୍ (CPAP) Continuous positive airway pressure (ଶ୍ୱାସନଳୀରେ କ୍ରମାଗତ ବା ଲଗାତାର ପଜିଟିଭ୍ ପ୍ରେସର ବା ଚାପ ବନାଇବା) ଏହି ମେସିନ୍ ଦ୍ୱାରା ନିଦ୍ରାବସ୍ଥାରେ ଲାଗାତାର ପଜିଟିଭ୍ ପ୍ରେସର ବା ଚାପଦ୍ୱାରା ଶ୍ୱାସନଳୀ ଭିତରକୁ ପବନ ଛଡାଯାଏ, ଶ୍ୱାସରୁଦ୍ଧ ହେବାକୁ ନ ଦିଆଯାଇ ଘୁଙ୍ଗୁଡ଼ିକୁ ରୋକାଯାଏ।
- ଅସ୍ତ୍ରୋପଚାର: ନାଜାଲ୍ ପଲିପ୍, କ୍ରନିକ ଟନ୍ସିଲାଇଟିସ୍, ଗଳାର ସ୍ରିଙ୍କ୍ ଟିସ୍ୟୁ, ଢିଲା ତଥା ପତଳା ତାଳୁକୁ ଷ୍ଟିଫ କରିବା, ଏସବୁ ଅବସ୍ଥାରେ ଘୁଙ୍ଗୁଡ଼ିର ଚିକିତ୍ସା ପାଇଁ ଅସ୍ତ୍ରୋପଚାର କରାଯାଏ।