ଏସିଡ୍ ଆକ୍ରମଣର ଶିକାର ଝିଅ କିମ୍ବା ମହିଳାମାନଙ୍କୁ ଅଧିକାଂଶ ସମୟରେ ସନ୍ଦେହର ନଜରରେ ଦେଖାଯାଏ। ତାଙ୍କ ପ୍ରତି ହୋଇଥିବା ଜଘନ୍ୟ ଅତ୍ୟାଚାର ଓ ଅବିଚାର ପ୍ରତିବଦଳରେ ସେମାନଙ୍କୁ ଅନେକ ସମୟରେ ବାଛବିଚାର ତଥା ତାତ୍ସଲ୍ୟର ଶିକାର ହେବାକୁ ପଡ଼େ। ଏପରିକି ସେମାନଙ୍କ ସହ ଘଟିଥିବା ଦୁର୍ଘଟଣା ପାଇଁ ବି କେବେକେବେ ଲୋକେ ସେମାନଙ୍କୁ ହିଁ ଦାୟୀ କରନ୍ତି। କିନ୍ତୁ ସାହିନ୍ ମଲିକଙ୍କ ଦ୍ୱାରା ପ୍ରତିଷ୍ଠିତ ଦିଲ୍ଲୀସ୍ଥିତ 'ଅପନା ଘର୍' ଆଶ୍ରମରେ ପହଞ୍ଚିଗଲେ ସେମାନଙ୍କୁ ଆଦରରେ ଆପଣେଇ ନିଆଯାଏ।
ଖାଲି ସେତିକି ନୁହେଁ, ସେମାନଙ୍କୁ ବିନା ମୂଲ୍ୟରେ ରହିବା-ଖାଇବାର ସୁବିଧା ସହ ଚିକିତ୍ସା ପାଇଁ ମଧ୍ୟ ସହଯୋଗ ଯୋଗାଇ ଦିଆଯାଏ। ସାହିନ୍ ନିଜେ ଏଭଳି ଏକ ଜଘନ୍ୟ ଅପରାଧର ଶିକାର ହୋଇଥିବାରୁ ବେଶ ଅନୁଭବ କରି ପାରନ୍ତି ଏଇ ପୀଡ଼ିତାମାନଙ୍କ ଦୁଃଖ।
ଅଧିକ ପଢ଼ନ୍ତୁ: ଦଶମ ଓ ଦ୍ୱାଦଶରେ ଫେଲ୍ ହୋଇ ବି ପ୍ରଥମ ପ୍ରୟାସରେ ହୋଇଗଲେ IAS
Also Read
ସବୁ ଝିଅଙ୍କ ଭଳି ସାହିନ୍ ବି ନିଜ ଭବିଷ୍ୟତକୁ ନେଇ ଅନେକ ସ୍ୱପ୍ନ ଦେଖିଥିଲେ। ଚାହୁଁଥିଲେ, ସ୍ନାତକ ପରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେବେ। ଘର ଲୋକେ କିନ୍ତୁ ତାଙ୍କ ଏଇ ଇଚ୍ଛାର ପ୍ରବଳ ବିରୋଧ କରୁଥିଲେ। ସେମାନେ ବରଂ ଯଥାଶୀଘ୍ର ତାଙ୍କ ବିବାହ କରିଦେବାକୁ ଚାହୁଁଥିଲେ। ସାହିନ୍ କିନ୍ତୁ ନିଜ ଜିଦରେ ଅଟଳ ଥିଲେ। ଆଉ ସେଥିପାଇଁ ୨୩ବର୍ଷ ବୟସରେ ଦିଲ୍ଲୀସ୍ଥିତ ନିଜ ଘର ଛାଡ଼ି ସେ ଚାକିରି କରିବାକୁ ଚାଲି ଆସିଥିଲେ ପାନିପତ।
୩ ବର୍ଷ ଯାଏଁ ସବୁ ଠିକ୍ ଠାକ୍ ଚାଲିଥିଲା। ହେଲେ ୨୦୦୯ ନଭେମ୍ବର ମାସର ଗୋଟିଏ ସକାଳ ତାଙ୍କ ଜୀବନକୁ ନାରଖାର କରିଦେଲା। ସେଦିନ ସେ ତାଙ୍କର ଜଣେ ସହକର୍ମୀଙ୍କ ଦ୍ୱାରା ଏସିଡ୍ ମାଡ଼ର ଶିକାର ହୋଇଥିଲେ। ଏଇ ଦୁର୍ଘଟଣାରେ ତାଙ୍କ ଶରୀରରେ ଥାର୍ଡ ଡିଗ୍ରୀ ବର୍ନ ସହ ତାଙ୍କ ଆଖି ଓ ମୁହଁର ୯୦% ପ୍ରତିଶତ ଅଂଶ ଜଳି ଯାଇଥିଲା।
ଏବେ ବି ସାହିନଙ୍କ କେବଳ ବାମ ଆଖିରେ ହିଁ ଅଳ୍ପ କିଛି ଦୃଷ୍ଟିଶକ୍ତି ବାକି ଅଛି। ସମ୍ପୃକ୍ତ ଘଟଣା ପରେ ତାଙ୍କ ଘର ଲୋକ ତାଙ୍କୁ ନିଜ ପାଖକୁ ଆଣି ତାଙ୍କ ଚିକିତ୍ସା ଦାୟିତ୍ଵ ତ ତୁଲାଉଥିଲେ କିନ୍ତୁ ତାଙ୍କୁ ମାନସିକ ସ୍ତରରେ ଦୃଢ଼ ରହିବା ପାଇଁ କେହି ବି ଟିକେ ସମ୍ବେଦନଶୀଳତା ଦେଖାଉ ନଥିଲେ। ବରଂ ସେମାନେ ସାହିନଙ୍କୁ ପରିବାର ପାଇଁ ଏକ କଳଙ୍କ ଓ ବୋଝ ବୋଲି ବିଚାର କରୁଥିଲେ।
ଚିକିତ୍ସା ସମୟର ପୀଡ଼ା ସାଙ୍ଗକୁ ଘରଲୋକଙ୍କ ଅବହେଳା ସାହିନଙ୍କୁ ମାନସିକ ସ୍ତରରେ ଅବସାଦଗ୍ରସ୍ତ କରିଦେଲା। ଗତ ୧୩ ବର୍ଷ ଭିତରେ ପ୍ରାୟ ୨୫ଟି ରିକନଷ୍ଟ୍ରିକ୍ଟିଭ୍ ସର୍ଜରୀ ହୋଇସାରିଛି ସାହିନଙ୍କର। ତେବେ ୨୦୧୩ରେ ପ୍ରଥମଥର ପାଇଁ ସାହିନ୍ ନିଜ ମୁହଁକୁ ନ ଢାଙ୍କି ବାହାରକୁ ବାହାରିବାର ସାହସ କଲେ। ସେବେ ବର୍ଷକ ପାଇଁ ସେ 'ଷ୍ଟପ୍ ଏସିଡ୍ ଆଟାକ୍'ର ସେଣ୍ଟର ମ୍ୟାନେଜର, କୋର୍ଡିନେସନ୍ ଭାବେ ଯୋଗ ଦେଲେ। ତା' ପରେ 'ଦିଲ୍ଲୀ କମିଶନ୍ ଫର୍ ୱିମେନ୍' ଓ 'ହ୍ୟୁମାନ୍ ରାଇଟସ୍ ଲ ନେଟୱର୍କ'ରେ ଦୁଇ ବର୍ଷ ପାଇଁ ଯୋଗ ଦେଲେ।
ଏଇ ସମୟ କାଳ ମଧ୍ୟରେ ସେ ଏସିଡ୍ ଆକ୍ରମଣର ଶିକାର ଅନ୍ୟ ବହୁ ପୀଡ଼ିତାଙ୍କୁ ମାଗଣା ଚିକିତ୍ସା ସୁବିଧା ପାଇବାରେ ସହାୟତା ଦେବା ସହ ଏସିଡ୍ ବ୍ୟାନ୍ ପାଇଁ ସଂଘର୍ଷରେ ମଧ୍ୟ ଯୋଗଦେଲେ। ଏହା ବ୍ୟତୀତ ସେ ଲଗାତାର ଆଇନଜୀବୀ ଓ ସାମାଜିକ କର୍ମୀମାନଙ୍କ ସହ ଏନେଇ ଆଲୋଚନା ଜାରି ରଖିଥିଲେ ଯେ କିଭଳି ଏସିଡ୍ ଆଟାକର ପୀଡ଼ିତାମାନଙ୍କୁ ନ୍ୟାୟ ମିଳିପାରିବ। ଏ ଭିତରେ ସାହିନ ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ ଏସିଡ୍ ଆଟାକ୍ ପୀଡ଼ିତାଙ୍କ ସ°ସ୍ପର୍ଶରେ ଆସିବା ସହ ସେମାନଙ୍କୁ ଥଇଥାନ ଓ ନ୍ୟାୟିକ ସହାୟତା ପ୍ରଦାନ ଦିଗରେ ସହଯୋଗ କରିଛନ୍ତି।
ତେବେ ସବୁ ବ୍ୟସ୍ତତା ଭିତରେ ବି ସାହିନଙ୍କୁ ଏଭଳି ଅନୁଭବ ହେଉଥିଲା ଯେ ଯେମିତି କେଉଁଠି ନା କେଉଁଠି କିଛି ଗୋଟେ ଅଭାବବୋଧ ରହିଯାଉଛି। ଆଉ ଏଇଥିରୁ ହିଁ ତାଙ୍କୁ ପ୍ରେରଣା ମିଳିଥିଲା ୨୦୨୧ ମସିହାରେ 'ବ୍ରେଭ୍ ସୋଲ୍ସ ଫାଉଣ୍ଡେସନ୍'ର ପ୍ରତିଷ୍ଠା ପାଇଁ। ଏଇ ଫାଉଣ୍ଡେସନ୍ ଅଧୀନରେ ହିଁ କାର୍ଯ୍ୟ କରିଥାଏ 'ଅପନା ଘର୍' ଆଶ୍ରମ।
ଏଇ ଆବାସିକ ଆଶ୍ରମରେ ଏକା ସାଙ୍ଗରେ ୧୦ରୁ ୧୨ ଜଣ ଏସିଡ୍ ଆକ୍ରମଣର ଶିକାର ଝିଅ ଓ ମହିଳା (ଯେଉଁ ମାନଙ୍କର ଚିକିତ୍ସା ଚାଲିଥାଏ ଓ ଯେଉଁ ମାନେ ନିଜ କେସ୍ ଲଢୁଥାନ୍ତି) ରହି ପାରିବା ଭଳି ସମସ୍ତ ସୁବିଧା ରହିଛି। ଏମାନଙ୍କ ପାଇଁ ଏହା ଏକ ନିରାପଦ ଆଶ୍ରୟସ୍ଥଳ। ଏଠାକାର ଅନ୍ତେବାସିନୀମାନଙ୍କୁ ଅନ୍ତତଃ ୩ ବର୍ଷ ଯାଏଁ ଏଠାରେ ରହିବା ସୁବିଧା(ଆବଶ୍ୟକ ସ୍ଥଳେ ସେମାନେ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ ହେବା ଯାଏ କିମ୍ବା ସେମାନଙ୍କ ଥଇଥାନ ହେବା ପର୍ଯ୍ୟନ୍ତ) ସହ ଚିକିତ୍ସା ପାଇଁ ହସ୍ପିଟାଲ ଯିବା ଆସିବା ଖର୍ଚ୍ଚ, ଆଖି ଓ ମୁହଁର ସର୍ଜରୀ ନିମନ୍ତେ ସମସ୍ତ ସହାୟତା ମଧ୍ୟ ଯୋଗାଇ ଦିଆଯାଏ।
ଆଶ୍ରମ ପରିଚାଳନା ଦାୟିତ୍ୱରେ ଥିବା 'ବ୍ରେଭ୍ ସୋଲ୍ସ ଫାଉଣ୍ଡେସନ୍' (Brave Souls) ପକ୍ଷରୁ ପୀଡ଼ିତାମାନଙ୍କ ପାଇଁ ସାଇକୋଲୋଜିକାଲ୍ କାଉନସେଲିଂ ସେସନ୍ ସବୁର ଆୟୋଜନ କରାଯିବା ସହ ସେମାନଙ୍କ ଚିକିତ୍ସା ଚାଲିଥିବା ବିଭିନ୍ନ ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ପ୍ରକ୍ରିୟାର ମନିଟରି° କରାଯାଏ। ତା' ଛଡ଼ା ସେସବୁ ହସ୍ପିଟାଲରେ ସ୍ପେସିଆଲ୍ ବର୍ନ୍ ୟୁନିଟ୍ ଅଛି ନା ନାହିଁ ସେନେଇ ମଧ୍ୟ ସ୍ଥିର ନିଶ୍ଚିତ କରାଯାଇଥାଏ।
ଖାଲି ସେତିକି ନୁହେଁ, ‘ଅପନା ଘର’ର ଅନ୍ତେବାସିନୀମାନଙ୍କୁ ନିଜ କେସ୍ ଲଢ଼ିବା ପାଇଁ ମଧ୍ୟ ସମସ୍ତ ପ୍ରକାର ଆଇନଗତ ସହଯୋଗ ଯୋଗାଇ ଦିଆଯାଏ। ସବୁ ପରେ ଏଇ ଝିଅମାନେ କିଭଳି ସ୍ୱାବଲମ୍ବୀ ହୋଇପାରିବେ ସେନେଇ ମଧ୍ୟ ଫାଉଣ୍ଡେସନ ପକ୍ଷରୁ ଉଦ୍ୟମ କରାଯାଏ। ସେମାନଙ୍କ ଦକ୍ଷତାର ବିକାଶ ପାଇଁ ବିଭିନ୍ନ ପ୍ରଫେସନାଲ୍ ଟ୍ରେନିଂ ସହ କମ୍ୟୁନିକେସନ ସ୍କିଲ୍ ବୃଦ୍ଧି ନିମନ୍ତେ ସେମାନଙ୍କୁ ଭାଷା ଶିକ୍ଷା ମଧ୍ୟ ପ୍ରଦାନ କରାଯାଏ।
ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ ଦ୍ୱାରା ପ୍ରଦତ୍ତ ତଥ୍ୟ(୨୦୨୧) ଅନୁଯାୟୀ, ଗତ ୫ବର୍ଷ ଭିତରେ ୧୦୦୦ରୁ ଅଧିକ ଏସିଡ୍ ଆକ୍ରମଣ ଘଟଣା ସମ୍ପର୍କରେ ରିପୋର୍ଟ କରାଯାଇଛି। ଆଉ ସମଗ୍ର ବିଶ୍ଵରେ ଏସିଡ୍ ଆକ୍ରମଣର ଶିକାର ପୀଡ଼ିତାମାନଙ୍କ ମଧ୍ୟରୁ ୮୦% ହେଉଛନ୍ତି ମହିଳା। ତେଣୁ ଏଭଳି ପୀଡ଼ିତାମାନଙ୍କୁ ସହାୟତା ଯୋଗାଇଦେବାର ସାହିନ ତଥା ତାଙ୍କ ଫାଉଣ୍ଡେସନର ଉଦ୍ୟମ ପ୍ରଶଂସନୀୟ ନିଶ୍ଚୟ।
ଆଉ ସେ ଯେହେତୁ ଅନ୍ୟର ତାଙ୍କ ପ୍ରତି ଅବିଚାର ଯୋଗୁଁ ନିଜେ ନିଜର ବାସ୍ତବ ପରିଚୟ ଓ ଖୁସିଭରା ଜୀବନକୁ ହରେଇବାର ଦୁଃଖକୁ ନିବିଡ଼ଭାବେ ଅନୁଭବିଛନ୍ତି ତେଣୁ ନିଜ ପ୍ରଚେଷ୍ଟାରେ ସାମାନ୍ୟ ବି ହେଳା କରି ନଥାନ୍ତି ସାହିନ। ତେବେ ତାଙ୍କ ଦୁଃଖ ହେଲା, ଏବେ ବି ବହୁସଂଖ୍ୟକ ଏଭଳି ଆକ୍ରମଣକାରୀ(ତାଙ୍କ ଉପରେ ଏସିଡ୍ ଆକ୍ରମଣ କରିଥିବା ବ୍ୟକ୍ତି ମଧ୍ୟ) ବେଲ୍ ରେ ଆସି ବାହାରେ ଅଛନ୍ତି। ତେଣୁ ସେ ଏ ଦିଗରେ ଆହୁରି ଅନେକ କାର୍ଯ୍ୟ ଜାରି ରଖିବାକୁ ସଂକଳ୍ପବଦ୍ଧ।
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)
ଭୁବନେଶ୍ୱର, ଇମେଲ୍: preetiprajnapradhan@gmail.com