ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବିଧାନ ଦିବସ ଅବସରରେ ସୁପ୍ରିମ୍କୋର୍ଟ ଙ୍କ ଦ୍ୱାରା ଆୟୋଜିତ ଏକ ଆଲୋଚନା ଚକ୍ରରେ ଅତ୍ୟଧିକ ମାର୍ମିକ ଶବ୍ଦରେ ନ୍ୟାୟପାଳିକା ଗରୀବ ଆଦିବାସୀମାନଙ୍କ ପାଇଁ କିଛି କରିବା ପାଇଁ ପରାମର୍ଶ ଦେଇଥିଲେ। ରାଷ୍ଟ୍ରପତି ଜେଲ୍ରେ ଅଧିକ କଏଦୀଙ୍କୁ ରଖାଯିବା ଏବଂ ଅଧିକ ଜେଲ୍ ନିର୍ମାଣ କରାଯିବା ପ୍ରସଙ୍ଗରେ ଆଲୋଚନା ବେଳେ କହିଥିଲେ ଯେ ଆମେ ବିକାଶ ଆଡକୁ ଅଗ୍ରସର ହେଉଛେ ଏଭଳି ସମୟରେ ଅଧିକ ଜେଲ୍ ନିର୍ମାଣ ଆବଶ୍ୟକତା କ’ଣ?
ଜେଲ୍ର ସଂଖ୍ୟା କମ୍ କରାଯିବା ଉଚିତ। ଇଣ୍ଡିଆ ଜଷ୍ଟିସ୍ ରିପୋର୍ଟ ୨୦୨୦ ଅନୁସାରେ ଦେଶର ବିଭିନ୍ନ ଜେଲ୍ ମାନଙ୍କରେ ଥିବା ସବୁ କଏଦୀମାନଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ କଏଦୀ ଦୋଷି ସାବ୍ୟସ୍ତ ନହୋଇ ମଧ୍ୟ ଜେଲ୍ରେ ଅଛନ୍ତି। ଅର୍ଥାତ୍ ସେମାନଙ୍କର ବିଚାର ମଧ୍ୟ ସରିନାହିଁ। ଏହାକୁ ଦେଶର ନ୍ୟାୟିକ ପ୍ରକ୍ରିୟାର ତ୍ରୁଟି ବୋଲି କୁହାଯାଇପାରେ କାରଣ ଦୋଷି ସାବ୍ୟସ୍ତ ନହୋଇ ମଧ୍ୟ ସେମାନେ ଦୀର୍ଘଦିନ ଧରି ଜେଲ୍ରେ ରହୁଛନ୍ତି।
ଏମାନଙ୍କ ଜାମିନ୍ ଆବେଦନ ମଧ୍ୟ ଠିକ୍ ସମୟରେ ଶୁଣାଣୀ ହୋଇପାରୁ ନାହିଁ। ବିଚାରଧିନ କଏଦୀଙ୍କ ପରିବାରକୁ ମଧ୍ୟ ଏଥିପାଇଁ କଷ୍ଟରେ ରହିବାକୁ ପଡୁଛି ଏବଂ ସେମାନେ ଦୁର୍ବିସହ ଜୀବନଯାପନ କରୁଛନ୍ତି। ଏମାନଙ୍କ ପରିବାର ସାମାଜିକ ଏବଂ ଆର୍ଥିକ ବୈମନସ୍ୟର ଶୀକାର ହେଉଛନ୍ତି।
ରାଷ୍ଟ୍ରପତିଙ୍କ ମତ ଥିଲା ଯେ ଅଧିକାଂଶ କଏଦୀ ଅଶିକ୍ଷିତ ଏବଂ ଗରୀବ ପରିବାରର। ନ୍ୟାୟିକା ପ୍ରକ୍ରିୟାରେ ବିଳମ୍ବ କାରଣରୁ ଏମାନେ ଦୋଷି ସାବ୍ୟସ୍ତ ନହୋଇ ମଧ୍ୟ ଜେଲ୍ରେ ଷଢୁଛନ୍ତି। ଅନେକ କଏଦୀ ମଧ୍ୟ ଜୀବନ ସାରା ଜେଲ୍ରେ ରହୁଛନ୍ତି। ଛୋଟ ମୋଟ ଅପରାଧରେ ବର୍ଷ ବର୍ଷ ଦରି ଜେଲ୍ କାଟୁଥିବା ବିଚାରାଧିନ କଏଦୀମାନଙ୍କ ବିଷୟରେ ଚିନ୍ତା ପ୍ରକଟ କରି ରାଷ୍ଟ୍ରପତି କହିଥିଲେ ଯେ ଏମିତି ଅନେକ ଅଛନ୍ତି ସେମାନେ ସାମାନ୍ୟ କିଛି ମାରପିଟ୍ ବା ସେମିତି ଛୋଟ ଅପରାଧ କରିଥିଲେ ମଧ୍ୟ ସେମାନଙ୍କ ବିରୁଦ୍ଧରେ ବିଭିନ୍ନ ଧାରା ସବୁ ଲଗାଯାଉଛି ଯାହା ଲଗାଯିବା ଉଚିତ୍ ନୁହେଁ।
Also Read
ବିଭିନ୍ନ ସମ୍ବେଦନଶୀଳ ଧାରା ଲଗାଯାଇଥିବା କାରଣରୁ ସେମାନଙ୍କୁ ଜେଲ୍ରେ ରହିବାକୁ ପଡୁଛି। ପରିବାର ଲୋକେ ଏମାନଙ୍କୁ ମଧ୍ୟ ଆର୍ଥିକ ଅନାଟନ କାରଣରୁ ମୁକୁଳେଇ ପାରୁ ନାହାଁନ୍ତି। ଏମାନଙ୍କ ପାଇଁ କିଛି କରାଯିବା ଉଚିତ। ସେମାନେ ଦୋଷି କି ନୁହେଁ ସେ ବାବଦରେ କୋର୍ଟରେ ବିଚାର ଲମ୍ବିତ ହୋଇ ରହୁଛି। ରାଷ୍ଟ୍ରପତି କହିଥିଲେ ଯେ ଜେଲ୍ରେ ଥିବା ଅଧିକାଂଶ କଏଦୀଙ୍କୁ ମୌଳିକ ଅଧିକାର ଏବଂ କର୍ତ୍ତବ୍ୟ ବାବଦରେ ଜଣାନାହିଁ। ଏପରିକି ସେମାନଙ୍କୁ ସମ୍ବିଧାନର ପ୍ରସ୍ତାବନା ବାବଦରେ ଜଣାନାହିଁ। ଏଭଳି ଲୋକଙ୍କ ବାବଦରେ ଚିନ୍ତା କରାଯିବା ଉଚିତ।
ରାଷ୍ଟ୍ରପତି ଦେଶର ନ୍ୟାୟିକ ପ୍ରଣାଳି ଏବଂ ନ୍ୟାୟିକ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଡକୁ ଇଶାରା କରିଥିଲେ। ୨୦୨୨ର ଜୁଲାଇ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଅଖିଳ ଭାରତୀୟ ଜିଲ୍ଲା ନ୍ୟାୟିକ ସେବା ପ୍ରାଧିକରଣର ବୈଠକର ଉଦ୍ଘାଟନ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଚାରାଧିନ କଏଦୀମାନଙ୍କ ପ୍ରସଙ୍ଗରେ କହିଥିଲେ ଯେ ଦେଶର ବିଭିନ୍ନ ଜେଲ୍ ମାନଙ୍କରେ ଅନେକ କଏଦୀ ଅଛନ୍ତି ଯେଉଁମାନେ ବର୍ଷ ବର୍ଷ ଧରି ଜେଲ୍ କାଟୁଛନ୍ତି। ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଏସବୁ କଏଦୀଙ୍କୁ ଆଇନଗତ ସହାୟତା ଦେବା ଉଚିତ।
ପ୍ରଧାନମନ୍ତ୍ରୀ ୨୦୨୨ ଅପ୍ରେଲ୍ରେ ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କର ମିଳିତ ସମ୍ମିଳନୀର ଉଦ୍ଘାଟନ କରି ବିଚାରାଧିନ କଏଦୀମାନଙ୍କ କଥା ଉଠାଇଥିଲେ। ସୁପ୍ରିମ୍କୋର୍ଟ ମଧ୍ୟ ଅନେକ ସମୟରେ ଏହି ପ୍ରସଙ୍ଗ ଉପରେ ମନ୍ତବ୍ୟ ଦେଇଛନ୍ତି। କିନ୍ତୁ ଏସବୁ ପରେ ମଧ୍ୟ ଏ ପ୍ରସଙ୍ଗରେ କୌଣସି ଉନ୍ନତି ଦେଖାଯାଇନାହିଁ।
ନ୍ୟାସ୍ନାଲ୍ କ୍ରାଇମ୍ ରେକର୍ଡ ବ୍ୟୁରୋର ୨୦୨୦ର ରିପୋର୍ଟ ଅନୁସାରେ ଦେଶର ଜେଲ୍ଗୁଡିକରେ ସମୁଦାୟ ୪,୮୮,୫୧୧ କଏଦୀ ଥିଲେ ଓ ଏମାନଙ୍କ ମଧ୍ୟରୁ ୭୬ ପ୍ରତିଶତ ଅର୍ଥାତ୍ ୩,୨୧,୮୪୮ ହେଉଛନ୍ତି ବିଚାରାଧିନ କଏଦୀ। ଅର୍ଥାତ୍ ଏହି କଏଦୀମାନଙ୍କ ମାମଲା ଏବେ ବିଚାରାଧିନ ଓ ଏମାନେ ପ୍ରକୃତରେ ଦୋଷି ନା ନାହିଁ ତାହା ସ୍ଥିର ହୋଇନାହିଁ। ଏମାନଙ୍କ ମଧ୍ୟରୁ ଅନେକ ୧୦ ରୁ ୧୫ ବର୍ଷ ଜେଲ୍ରେ କଟାଇ ସାରିଲେଣି।
ଏହି ବିଚାରାଧିନ କଏଦୀମାନଙ୍କ ମଧ୍ୟରୁ ଅଧିକ ଭାଗ ହେଉଛନ୍ତି ଦଳିତ, ଓବିସି ଏବଂ ଆଦିବାସୀ । ଏମାନଙ୍କ ମଧ୍ୟରୁ ଅନେକ ଆର୍ଥିକ ଭାବେ ଏତେ ଦୁର୍ବଳ ଯେ ଏମାନେ ଓକିଲଙ୍କୁ ତାଙ୍କ ଫିସ୍ ଦେବାପାଇଁ ମଧ୍ୟ ଅକ୍ଷମ। ଭାରତର ପୂର୍ବତନ ମୁଖ୍ୟ ବିଚାରପତି ଏନ୍ବି ରମଣ ୨୦୨୨ ଜୁଲାଇ ମାସରେ ରାଜସ୍ଥାନର ଜୟପୁରଠାରେ ଆୟୋଜିତ ୧୮ତମ ଅଖିଳ ଭାରତୀୟ ଆଇନ୍ ସେବା ପ୍ରାଧିକରଣର ଉଦ୍ଘାଟନ ଅବସରରେ ବିଚାରାଧିନ କଏଦୀଙ୍କ ପ୍ରସଙ୍ଗ ଉଠାଇଥିଲେ।
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ରିପୋର୍ଟ ପ୍ରିଜିନ ଷ୍ଟାଟିଷ୍ଟିକ୍ସ ଇଣ୍ଡିଆ ୨୦୨୧ ଅନୁସାରେ ୨୦୧୬ରୁ ୨୦୨୧ ମଧ୍ୟରେ ଜେଲ୍ରେ ଥିବା ବନ୍ଦୀମାନଙ୍କ ସଂଖ୍ୟା ୯ ପ୍ରତିଶତରୁ ଅଧିକ କମିଛି କିନ୍ତୁ ବିଚାରାଧିନ କଏଦୀଙ୍କ ସଂଖ୍ୟା ୪୫ ପ୍ରତିଶତ ବଢିଛି । ରିପୋର୍ଟ ଅନୁସାରେ ଜେଲ୍ରେ ରହୁଥିବା ୪ଜଣଙ୍କ ମଧ୍ୟରୁ ୩ଜଣ ହେଉଛନ୍ତି ବିଚାରାଧିନ କଏଦୀ। ରିପୋର୍ଟ ଅନୁସାରେ କେବଳ ୧.୬ ପ୍ରତିଶତ ବିଚାରାଧିନ କଏଦୀଙ୍କ ମାମଲା ବିଚାର ହୋଇଛି ଓ ଏମାନେ ଜେଲ୍ରୁ ମୁକ୍ତି ପାଇଛନ୍ତି। କିନ୍ତୁ ଅନେକ ବିଚାରାଧିନ କଏଦୀ ଜାମିନରେ ଆସିଛନ୍ତି।
ସୁପ୍ରିମକୋର୍ଟଙ୍କ ପକ୍ଷରୁ ଆୟୋଜିତ ଆଲୋଚନା ଚକ୍ରରେ ରାଷ୍ଟ୍ରପତି ଉପସ୍ଥିତ ଥିବା ଆଇନ୍ମନ୍ତ୍ରୀ ଓ ବିଚାରପତିମାନେ ଏ ବାବଦରେ ଚିନ୍ତା କରିବାକୁ ପରାମର୍ଶ ଦେଇଥିଲେ। ସରକାରଙ୍କର ୩ଟି ଅଙ୍ଗ ବିଧାୟିକା, କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକାଙ୍କର ମାନସିକତା ଦେଶରେ ଜନସାଧାରଣଙ୍କ ପାଇଁ ସମାନ ହେବା ଉଚିତ ବୋଲି ପରାମର୍ଶ ଦେଇଥିଲେ ।
ରାମଚନ୍ଦ୍ରପୁର, ରଣପୁର
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)