Advertisment

ସରିଯିବ ଭାରତୀୟ ଟେନିସ୍‌ରେ ସାନିଆଙ୍କ ଯୁଗ

ଦୁବାଇ ଚାମ୍ପିଅନ୍ସିପ୍ ହେବ ସୁପରଷ୍ଟାର୍ ସାନିଆ ମିର୍ଜାଙ୍କ ଦୀର୍ଘ ପେସାଦାର କ୍ୟାରିଅରର ଶେଷ ପ୍ରତିଯୋଗିତା। ଏହା ସହିତ ଭାରତୀୟ ଟେନିସ୍‌ରେ ସାନିଆଙ୍କ ଯୁଗର ଅନ୍ତ ଘଟିବ।

ଅଦ୍ୟତନ ହୋଇଛି
Sania will play the last tournament in Dubai

Sania will play the last tournament in Dubai

Advertisment

ଦୁଇ ଦଶନ୍ଧି ଧରି ଭାରତୀୟ ଟେନିସ୍‌ରେ ଗୌରବ ବର୍ଦ୍ଧନ କରିଆସୁଥିବା ମହିଳା ସୁପର୍‌ଷ୍ଟାର୍ ସାନିଆ ମିର୍ଜାଙ୍କ କ୍ୟାରିଅର ଅନ୍ତିମ ସୋପାନରେ ପହଞ୍ଚିଛି। ଏବେ ସେ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍ ‘ଅଷ୍ଟ୍ରେଲିଆନ୍ ଓପନ୍’ରେ ଖେଳୁଛନ୍ତି। ଏହାପରେ ଫେବ୍ରୁଆରୀ ୧୯ରୁ ୨୫ ଯାଏଁ ହେବାକୁ ଥିବା ‘ଦୁବାଇ ଡ୍ୟୁଟି ଫ୍ରି ଟେନିସ୍ ଚାମ୍ପିଅନସିପ୍’ରେ ଭାଗ ନେବେ। ଏହା ହେବ ତାଙ୍କ ପେସାଦାର କ୍ୟାରିଅରର ଶେଷ ପ୍ରତିଯୋଗିତା ଏବଂ ଏହା ସହିତ ଭାରତୀୟ ଟେନିସ୍‌ରେ ସାନିଆଙ୍କ ଯୁଗର ଅନ୍ତ ଘଟିବ।

Advertisment

ନିକଟରେ ସାନିଆ ସୋସିଆଲ୍ ମିଡିଆରେ ଏକ ଆବେଗାତ୍ମକ ପୋଷ୍ଟ୍‌ କରିଥିଲେ - “ଅଶ୍ରୁଳ ନୟନ ଓ ବାଷ୍ପରୁଦ୍ଧ ହୃଦୟରେ ମୁଁ ନିଜ ପେସାଦାର କ୍ୟାରିଅରର ଫେୟାର୍ୱେଲ୍ ନୋଟ୍ ଲେଖୁଛି।”

ଅଷ୍ଟ୍ରେଲିଆନ୍ ଓପନ୍ ୨୦୨୩ରେ ସେ ମହିଳା ଡବଲ୍ସରେ କାଜାଖସ୍ତାନର ଅନ୍ନା ଡାନିଲିନା ଓ ମିକ୍ସଡ୍ ଡବଲ୍ସରେ ଭାରତର ରୋହନ ବୋପନ୍ନାଙ୍କୁ ଯୋଡ଼ିଦାର କରି ଖେଳୁଛନ୍ତି। ସାନିଆ ଲେଖିଛନ୍ତି, “ପ୍ରଥମ ଗ୍ରାଣ୍ଡସ୍ଲାମ୍ ଖେଳିବାର ୧୮ ବର୍ଷ ପରେ ଅଷ୍ଟ୍ରେଲିଆନ୍ ଓପନ୍ ତାଙ୍କ ଶେଷ ଗ୍ରାଣ୍ଡସ୍ଲାମ୍ ହେବ।”

Advertisment

ଗତ ବର୍ଷ ଜାନୁଆରୀରେ ସାନିଆ ଘୋଷଣା କରିଥିଲେ ଯେ ୨୦୨୨ ତାଙ୍କ ଶେଷ ସିଜନ୍ ହେବ। କିନ୍ତୁ ମାଂସପେଶୀଜନିତ ଯନ୍ତ୍ରଣା ଯୋଗୁଁ ଶେଷ ଗ୍ରାଣ୍ଡସ୍ଲାମ୍‌ରେ ଭାଗ ନେଇପାରି ନ ଥିଲେ। ଏପରିସ୍ଥଳେ ଅବସର ଯୋଜନା କିଛି ମାସ ଘୁଞ୍ଚି ଯାଇଥିଲା। ଏହାପରେ ସେ ଦୁବାଇ ଚାମ୍ପିଅନ୍‌ସିପ୍ ତାଙ୍କ ଶେଷ ଟୁର୍ଣ୍ଣାମେଣ୍ଟ୍‌ ହେବ ବୋଲି ଘୋଷଣା କରିଥିଲେ।

ପ୍ରକୃତରେ ଆଘାତଜନିତ ଅବସ୍ଥାରେ ଅବସର ନେବାକୁ ଚାହିଁ ନ ଥିଲେ ସାନିଆ। କୋର୍ଟରେ ହିଁ କ୍ୟାରିଅରର ଶେଷ ମ୍ୟାଚ୍ ଖେଳିବାକୁ ତାଙ୍କର ଇଚ୍ଛା ଅଛି।

Advertisment

୧୮ ବର୍ଷ ପୂର୍ବେ ମେଲ୍‌ବର୍ଣ୍ଣରେ ୧୮ବର୍ଷୀୟା ସାନିଆଙ୍କୁ ନିଜ ସ୍ଥାନ ସୃଷ୍ଟି କରିବାକୁ ପ୍ରୟାସ କରୁଥିବାର ଦେଖିବାକୁ ମିଳିଥିଲା। ସେ ତୃତୀୟ ରାଉଣ୍ଡ୍‌ରେ ଆମେରିକୀୟ ସେରେନା ୱିଲିୟମ୍ସଙ୍କୁ ଟକ୍କର ଦେଉଥିଲେ, ଯିଏ ପରବର୍ତ୍ତୀ ସମୟରେ ରେକର୍ଡ ଗ୍ରାଣ୍ଡସ୍ଲାମ୍ ବିଜୟିନୀ ହୋଇଥିଲେ।

ସେବେଠାରୁ ପରବର୍ତ୍ତୀ ୧୮ ବର୍ଷ ମଧ୍ୟରେ ସାନିଆ ସଫଳତାର ତୁଙ୍ଗ ଶିଖର ଛୁଇଁଛନ୍ତି । ଭାରତୀୟ ଟେନିସ୍ ବିଶେଷକରି ମହିଳା ଟେନିସ୍‌ରେ ସେ ଆଶାତୀତ ସଫଳତା ପାଇଥିଲେ। ଦେଶର ଅନ୍ୟ କୌଣସି ମହିଳା ଟେନିସ୍ ଖେଳାଳି ତାଙ୍କର ନିକଟତର ବି ହୋଇପାରି ନାହାନ୍ତି। ହୁଏତ ଏଥିପାଇଁ ଅନେକ ବର୍ଷ ଲାଗିଯାଇପାରେ।

ସେତେବେଳେ କୌଣସି ଭାରତୀୟ ମହିଳା ଖେଳାଳିଙ୍କ ତୁଳନାରେ ତାଙ୍କ ଫୋରହାଣ୍ଡ୍ ଅଧିକ ଆକ୍ରମଣାତ୍ମକ ଥିଲା। ଆଜି ବି ଅଛି। କୋର୍ଟରେ ତାଙ୍କର ଲଢ଼ୁଆପଣ, ଦ୍ରୁତ ଫୋରହାଣ୍ଡ୍ ସଟ୍ ଦୀର୍ଘ ଦିନ ଧରି ସ୍ମରଣ ରହିବ।

ଟେନିସ୍‌ରେ ବିଜୟ ଅର୍‌ମିତରାଜ (ସର୍ବୋଚ୍ଚ ୧୮ତମ ମାନ୍ୟତା) ଓ ରମେଶ କ୍ରିଷ୍ଣନ୍ (ସର୍ବୋଚ୍ଚ ୨୩ତମ ମାନ୍ୟତା)ଙ୍କ ପରେ ଦେଶର ଶୀର୍ଷ ଖେଳାଳି ହେବାର ଗୌରବ ଅର୍ଜନ କରିଥିଲେ ସାନିଆ। ଏହି ଦୁଇ ଖେଳାଳିଙ୍କ ପରେ ସିଙ୍ଗଲ୍ସ ମାନ୍ୟତାର ଶୀର୍ଷ-୩୦ରେ ସ୍ଥାନ ପାଇବାରେ ସେ ଦେଶର ପ୍ରଥମ ଖେଳାଳି ହୋଇପାରିଥିଲେ। ୨୦୦୭ରେ ସେ ବିଶ୍ୱ ମାନ୍ୟତାରେ ୨୭ତମ ସ୍ଥାନ ହାସଲ କରିଥିଲେ।

ପରବର୍ତ୍ତୀ ଚାରି ବର୍ଷ ଯାଏଁ ସେ ଶୀର୍ଷ-୩୫ ଖେଳାଳିଙ୍କ ମଧ୍ୟରେ ରହିଥିଲେ। ଏହାପରେ ତାଙ୍କ ମାନ୍ୟତା ଖସିଥିଲା । ଆଣ୍ଠୁ ଓ ମଣିବନ୍ଧ ଯନ୍ତ୍ରଣା ଯୋଗୁଁ ତାଙ୍କ ସିଙ୍ଗଲ୍ସ କ୍ୟାରିଅରରେ ଯବନିକା ପଡ଼ିଥିଲା । ସେ ଥରେ ଡବ୍ଲ୍ୟୁଟିଏ ସିଙ୍ଗଲ୍ସ ମୁକୁଟ ଜିତିଥିବା ବେଳେ ତିନି ଥର ଡବ୍ଲ୍ୟୁଟିଏ ଫାଇନାଲ୍‌ରେ ସ୍ଥାନ ପାଇଥିଲେ।

ତେବେ ସାନିଆ ଡବଲ୍ସ ଖେଳିବା ଜାରି ରଖିଥିଲେ ଏବଂ ଏଥିରେ ସେ ଅଧିକ ସଫଳତା ପାଇଛନ୍ତି। ଡବଲ୍ସରେ ସେ ୪୩ ଡବ୍ଲ୍ୟୁଟିଏ ମୁକୁଟ ଜିତିବା ସହିତ ୨୦୧୫ରେ ବିଶ୍ୱର ଏକ ନମ୍ବର ଖେଳାଳି ହେବାର ଉପଲବ୍ଧି ମଧ୍ୟ ହାସଲ କରିଥିଲେ।

ସାନିଆ ମିକ୍ସଡ୍ ଡବଲ୍ସ ଓ ମହିଳା ଡବଲ୍ସରେ ତିନି ଲେଖାଏଁ ଡବ୍ଲ୍ୟୁଟିଏ ମୁକୁଟ ଜିତିଛନ୍ତି। ସେ ସ୍ୱିସ୍ ଖେଳାଳି ମାର୍ଟିନା ହିଙ୍ଗିସ୍‌ଙ୍କ ସହ ୱିମ୍ବଲଡନ୍, ୟୁଏସ୍ ଓପନ୍ ଓ ଅଷ୍ଟ୍ରେଲିଆନ୍ ଓପନ୍ ମୁକୁଟ ହାସଲ କରିଛନ୍ତି। ଏହାଛଡ଼ା ସେ ୨୩ ଥର ଡବ୍ଲ୍ୟୁଟିଏ ଫାଇନାଲ୍‌ରେ ପହଞ୍ଚିଛନ୍ତି।

ନିର୍ଭୀକ ଖେଳାଳି ସାନିଆ:

ତାଙ୍କ ଦୀର୍ଘ କ୍ୟାରିଅର ସୁବ୍ୟବସ୍ଥିତ ମନେ ହେଉଥାଇପାରେ; ହେଲେ ତାଙ୍କ ବ୍ୟକ୍ତିଗତ ଜୀବନ ସେତେ ସୁଗମ ନ ଥିଲା। କ୍ୟାରିଅରରେ ତାଙ୍କୁ ଅନେକ ସମୟରେ ବିବାଦର ସାମ୍ନା କରିବାକୁ ପଡ଼ିଛି। ସାନିଆ ଆତ୍ମବିଶ୍ୱାସୀ, ନିର୍ଭୀକ ଓ ସ୍ପଷ୍ଟବାଦିନୀ ଥିଲେ। ସେ ସଙ୍କୋଚ କରି ନ ଥିଲେ, ପଛଘୁଞ୍ଚା ଦେଇ ନ ଥିଲେ।

ଥରେ ସାନିଆ ଏକ ସାକ୍ଷାତକାରରେ କହିଥିଲେ, “କିଛି ଲୋକ କହୁଛନ୍ତି ଯେ ମୁସଲମାନ ଝିଅମାନେ ମିନି ସ୍କଟ୍ ପିନ୍ଧିବା ଉଚିତ ନୁହେଁ, ଆଉ କିଛି ଲୋକ କହୁଛନ୍ତି ଯେ ଆପଣଙ୍କୁ ନେଇ ସମୁଦାୟ ଗର୍ବିତ। ମୁଁ ଆଶା କରୁଛି ଯେ ଜୀବନର ଦ୍ୱିତୀୟ ଭାଗରେ ଆଲ୍ଲା ମୋତେ କ୍ଷମା କରିଦେବେ। କିନ୍ତୁ ଆପଣଙ୍କୁ ଯାହା କରିବାର ଅଛି, ତାହା ତ କରିବାକୁ ହେବ।”

ସାନିଆ ଯାହା କରିବାକୁ ଚାହୁଁଥିଲେ, ତାହା ସେ କରିଛନ୍ତି। ସେ ଟେନିସ୍ ଖେଳାଳି ହେବା ସହ ଜଣେ ସେଲିବ୍ରିଟି ରହିଆସିଛନ୍ତି।

କୋର୍ଟରେ ସାନିଆ ଯେଭଳି ଆତ୍ମବିଶ୍ୱାସ ଓ ଦୃଢ଼ତାର ସହ ଖେଳି ଆସିଛନ୍ତି, ବ୍ୟକ୍ତିଗତ ଜୀବନରେ ବି ସେମିତି ଋଢ଼ିବାଦ ସମେତ ସବୁ ଆହ୍ୱାନର କଡ଼ା ମୁକାବିଲା କରିଛନ୍ତି। ସେ ନୂଆ ଶତାବ୍ଦୀ ଓ ନୂଆ ସମୟର ଖେଳାଳିଙ୍କ ପ୍ରତିନିଧିତ୍ୱ କରିଆସିଛନ୍ତି। ସୁପରଷ୍ଟାର୍ ସାନିଆ ଯେ ତାଙ୍କ ପର ପିଢ଼ି ପାଇଁ ଆଲୋକବର୍ତ୍ତିକା - ଏ କଥା ସମସ୍ତେ ଜାଣନ୍ତି। ନିଶ୍ଚିତରୂପେ ସେଇ ଋଢ଼ିବାଦୀମାନେ ମଧ୍ୟ ଏହା ବୁଝିପାରିଥିବେ।

ଇମେଲ୍: biswasports@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Sania Mirza Bad Minton
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ