Advertisment

ଓଡ଼ିଶାରେ ସୃଷ୍ଟି ହୋଇଛି ରାଜନୈତିକ 'ଲଘୁଚାପ'; ୨୦୨୪ରେ ପ୍ରଭାବ

ଓଡ଼ିଶା ସୀମାନ୍ତ ଆରପଟ ଛତିଶଗଡରେ କଂଗ୍ରେସର ପରାଜୟ ପରେ ବଘେଲ ସରକାରକୁ ହଟାଇ ବିଜେପି କ୍ଷମତାକୁ ଫେରିଛି। ଏହା ସହିତ ରାଜସ୍ଥାନକୁ ମଧ୍ୟ ଦଳ ଦଖଲକୁ ନେଇଥିବାବେଳେ ମଧ୍ୟପ୍ରଦେଶରେ ପୂର୍ବାପେକ୍ଷା ଢେର ଅଧିକ ଜନମତ ପାଇଛି। ଆଉ ଏହାର ପ୍ରଭାବ ଓଡ଼ିଶାରେ ମଧ୍ୟ ପଡିବ ବୋଲି ରାଜ୍ୟ ନେତୃତ୍ୱଙ୍କ ଦାବି।

ଅଦ୍ୟତନ ହୋଇଛି
Political storm has been created in Odisha; Impact in 2024

Political storm has been created in Odisha; Impact in 2024

Advertisment

ବାତ୍ୟା ‘ମିଗ୍‌ଜୋମ୍' ଚେନ୍ନାଇରେ ତାଣ୍ଡବ ଖେଳାଇବା ସହିତ ଓଡ଼ିଶା ସମେତ ସମଗ୍ର ଦକ୍ଷିଣାଞ୍ଚଳରେ ଏହାର ପ୍ରଭାବ ଦେଖେଇଲା। ଡିସେମ୍ବର ୩ ତାରିଖ, ବାତ୍ୟାର ବାର୍ତ୍ତା ସହିତ ୪ଟି ରାଜ୍ୟ (ପରେ ଅନ୍ୟ ଏକ ରାଜ୍ୟ)ର ନିର୍ବାଚନୀ ଫଳାଫଳ ପ୍ରକାଶ ପାଇଲା। ସାମୁଦ୍ରିକ ଝଡ଼ ଚେନ୍ନାଇରେ ତା'ର ତାଣ୍ଡବ ଖେଳାଇ ଆନ୍ଧ୍ର-ଛତିଶଗଡ ଦେଇ ଚାଲିଗଲା। ଆଉ ଗଲାବେଳେ ଓଡ଼ିଶାରେ ଏହାର ପ୍ରଭାବ ଦେଖାଇଲା। ସେହି ସମାନ ସମୟରେ ଚାରିଟି ରାଜ୍ୟ ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା ଓ ମଧ୍ୟପ୍ରଦେଶର ସାଧାରଣ ନିର୍ବାଚନ ଫଳ ପ୍ରକାଶ ପାଇଲା।

Advertisment

ଏହାର ଦିନକ ପରେ ମିଜୋରାମ ଜନାଦେଶ ଆସିଲା। ଏହି ୫ଟି ରାଜ୍ୟର ନିର୍ବାଚନରେ ବିଜେପି ୩ ଟିରେ ‘ହ୍ୟାଟ୍ରିକ' ବିଜୟ ହାସଲ କରିଛି ଏବଂ କଂଗ୍ରେସ ଗୋଟିଏ ରାଜ୍ୟ ଜିତିଛି। ମଧ୍ୟପ୍ରଦେଶରେ କ୍ଷମତାକୁ କାୟମ ରଖିବା ସହିତ ବିଜେପି କଂଗ୍ରେସ କବଳରୁ ଛଡାଇ ନେଇଛି ରାଜସ୍ଥାନ ଓ ଛତିଶଗଡ଼। ଏଠାରେ ଯେଉଁ ଟକ୍କର ହେବ ବୋଲି କୁହାଯାଉଥିଲା ସେଭଳି ପରିସ୍ଥିତି ଦେଖାଗଲା ନାହିଁ।

କଂଗ୍ରେସ ଠାରୁ ଢେର ବ୍ୟବଧାନରେ ବିଜେପି ବିଜୟର ବାନା ଉଡାଇ ଆସିଛି। ସେହିଭଳି ନିଜ ଗଡ଼ ମଧ୍ୟପ୍ରଦେଶରେ ମଧ୍ୟ ପୂର୍ବ ଅପେକ୍ଷା ଅଧିକ ଦୁଇ ତୃତୀୟାଂଶ ଆସନ ଦଖଲ କରିଛି। ଦଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୯ ବର୍ଷର ନେତୃତ୍ୱ ଏହି ରାଜ୍ୟରେ ଚେହେରା ହୋଇଥିଲା। ସେଥିପାଇଁ ୩ ରାଜ୍ୟର ବିପୁଳ ବିଜୟକୁ ଅନେକେ ଉତ୍ତରରେ ‘ମୋଦୀ ଝଡ’ ବୋଲି ଅଭିହିତ କରନ୍ତି।

Advertisment

ସେପଟେ ଏକ ଆଞ୍ଚଳିକ ଦଳକୁ ହଟାଇ ଦକ୍ଷିଣରେ କ୍ଷମତାକୁ ଫେରିଛି କଂଗ୍ରେସ। ତେଲେଙ୍ଗାନା ସ୍ୱତନ୍ତ୍ର ରାଜ୍ୟ ହେବା (୨୦୧୪) ପରଠାରୁ କେ. ଚନ୍ଦ୍ରଶେଖର ରାଓ (କେସିଆର୍)ଙ୍କ ବିଆର୍‌ଏସ୍ ବରାବର କ୍ଷମତାରେ ଥିବା ଏହି ରାଜ୍ୟରେ କଂଗ୍ରେସ ଏଣ୍ଟ୍ରି କରିଛି। କୁହାଯାଏ ବିଆରଏସ୍‌କୁ ଏକ ଜାତୀୟ ଦଳ ଭାବରେ ପ୍ରୋଜେକ୍ଟ କରିବା ପଦକ୍ଷେପ କେସିଆରଙ୍କୁ ମହଙ୍ଗା ପଡିଲା। ଆନ୍ଧ୍ର, ମହାରାଷ୍ଟ୍ର ସମେତ ଓଡ଼ିଶାରେ ମଧ୍ୟ ବିଆରଏସ୍‌ ନିର୍ବାଚନ ଲଢିବା ପାଇଁ ଜୋରଦାର ପ୍ରସ୍ତୁତି କରିଥିଲା। ଯାହାର ପରିଣାମ ବିଆରଏସ୍‌ ପାଇଲା ଆଉ ନିଜ ଗଡ଼କୁ ମଧ୍ୟ ହରାଇବାକୁ ପଡିଲା।

କେସିଆର୍ ଏହି ନିଷ୍ପତ୍ତି ନେବା ପୂର୍ବରୁ ଥରେ ପଡୋଶୀ ଓଡ଼ିଶା କଥା ଅନୁଶୀଳନ କରିବାର ଯଥେଷ୍ଟ ଆବଶ୍ୟକତା ଥିଲା; ୫ ପାଳି ଶାସନ କ୍ଷମତାରେ ରହିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିକୁ ଏକ ଜାତୀୟ ଦଳ ଭାବରେ ଗଢିବା ପାଇଁ କାହିଁକି ନିଷ୍ପତ୍ତି ନେଉ ନାହାଁନ୍ତି?

Advertisment

ତେଲେଙ୍ଗାନାରେ ବିଆରଏସ୍‌କୁ ମାତ୍ ଦେଇ କଂଗ୍ରେସ ସରକାର କରିଛି। ଆଉ ଏହାକୁ ନେଇ ଓଡ଼ିଶା କଂଗ୍ରେସ ବେଶ ଆଶାବାଦୀ। ଦଳର ଦାବି ହେଲା ଓଡ଼ିଶାକୁ ଦକ୍ଷିଣ ପ୍ରଭାବ ପଡିବ। ଏକ ଆଂଚଳିକ ଦଳକୁ ଗାଦିଚ୍ୟୁତ କରି କଂଗ୍ରେସ ଯେଭଳି ତେଲେଙ୍ଗାନାରେ କ୍ଷମତାକୁ ଆସିଛି ଓଡ଼ିଶାରେ ମଧ୍ୟ ସେଭଳି ପରିବର୍ତ୍ତନ ଘଟିବ। ରାଜ୍ୟରେ କଂଗ୍ରେସ ୯୦ଟି ଆସନ ଜିତି ସରକାର କରିବ ବୋଲି ଦଳ ଢେର ଆଶାବାଦୀ।

ଓଡ଼ିଶା ସୀମାନ୍ତ ଆରପଟ ଛତିଶଗଡରେ କଂଗ୍ରେସର ପରାଜୟ ପରେ ବଘେଲ ସରକାରକୁ ହଟାଇ ବିଜେପି କ୍ଷମତାକୁ ଫେରିଛି। ଏହା ସହିତ ରାଜସ୍ଥାନକୁ ମଧ୍ୟ ଦଳ ଦଖଲକୁ ନେଇଥିବାବେଳେ ମଧ୍ୟପ୍ରଦେଶରେ ପୂର୍ବାପେକ୍ଷା ଢେର ଅଧିକ ଜନମତ ପାଇଛି। ଆଉ ଏହାର ପ୍ରଭାବ ଓଡ଼ିଶାରେ ମଧ୍ୟ ପଡିବ ବୋଲି ରାଜ୍ୟ ନେତୃତ୍ୱଙ୍କର ଦାବି।

ଦୁର୍ନୀତି ବ୍ୟଭିଚାର ଏବଂ ଓଡ଼ିଆ ଅସ୍ମିତା କଥା ଉଠାଇ ଦଳ କହିଛି, ବିଜେଡି ଶାସନ ବ୍ୟବସ୍ଥାକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ କ୍ରୋଧ ରହିଛି। ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ରହିଛି। ୨୦୨୪ରେ ମୋଦି ଗ୍ୟାରେଣ୍ଟିର ସୁଫଳ ନିଶ୍ଚିତ ଓଡ଼ିଶାରେ ପ୍ରତିଫଳିତ ହେବ। ରାଜ୍ୟ ରାଜନୀତି ୟୁଟର୍ନ ନେବ ବୋଲି ବିଜେପି କହିଛି।

ଏଥିପାଇଁ ରଣକୌଶଳ ଆରମ୍ଭ କରିଛି ବିଜେପି। ନିକଟରେ ରାଜ୍ୟ ସଭାପତିଙ୍କ ସମେତ କିଛି ନେତୃବର୍ଗ ଦିଲ୍ଲୀଗସ୍ତ କରି କେନ୍ଦ୍ରୀୟ ନେତୃତ୍ୱଙ୍କ ସହିତ ବିଶେଷ ଆଲୋଚନା କରିଥିବା ସାମ୍ନାକୁ ଆସିଛି। ୨୦୨୪ରେ ବିଜେପି କିଭଳି କ୍ଷମତାକୁ ଆସିବ ସେନେଇ ବ୍ୟାପକ ଯୋଜନା ପ୍ରସ୍ତୁତ ହୋଇଛି।

କୁହାଯାଏ ଏହି ସେମିଫାଇନାଲ୍‌ରେ ବିଜେପିର ବଡ ବିଜୟ ପଛରେ ରହିଛି ‘ହିନ୍ଦୁତ୍ୱ’ କାର୍ଡର ବଡ ଅସ୍ତ୍ର। ଆଗକୁ ଫାଇନାଲ; ୨୦୨୪ ବେଳକୁ ବହୁ ଆଶା, ଆକାଂକ୍ଷା ଓ ପ୍ରତିକ୍ଷାର ଅନ୍ତ ଘଟାଇ ଲୋକାର୍ପଣ ହୋଇସାରିଥିବ ରାମ ମନ୍ଦିର। ଏହା କେନ୍ଦ୍ରୀୟ ମୋଦି ସରକାରଙ୍କ ନେତୃତ୍ୱାଧୀନ ବିଜେପିକୁ ଅନେକ ନିର୍ବାଚନୀ ଫାଇଦା ଦେବ ବୋଲି କୁହାଯାଏ।

ତେବେ ଏହାକୁ କାଉଣ୍ଟର୍‌ ଷ୍ଟ୍ରାଟେଜୀ ଭାବରେ ଢେର ପୂର୍ବରୁ ପ୍ରସ୍ତୁତ ରହିଛି ବିଜେଡି। ଏ କ୍ଷେତ୍ରରେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶାସକ ଦଳ ବିଜେଡିର ହିନ୍ଦୁ ଭୋଟର୍‌ଙ୍କୁ ଆକର୍ଷଣ ପାଇଁ ବଡ଼ ରଣନୀତି ବୋଲି କୁହାଯାଏ। ଏହା ବାଦ ରାଜ୍ୟରେ ଥିବା ବିଭିନ୍ନ ମନ୍ଦିର, ପ୍ରମୁଖ ଧାର୍ମିକ ଅନୁଷ୍ଠାନଗୁଡିକର ରୂପାନ୍ତରିକରଣ ମଧ୍ୟ ହୋଇଛି।

ତେବେ ବାତ୍ୟା ମୁକାବିଲା ଓ ପରିଚାଳନାରେ ବେଶ ଧୁରନ୍ଧର ବିଜେଡି ସରକାର ଏ କ୍ଷେତ୍ରରେ ମଧ୍ୟ ପଛରେ ନାହିଁ।

ଯଦିଓ ‘ହିନ୍ଦୁତ୍ୱ’ କାର୍ଡ ଖେଳିବା ବିଷୟରେ କଂଗ୍ରେସ ଉର୍ଦ୍ଧ୍ୱରେ ଥିବା କହୁଥାଏ କିନ୍ତୁ ପୁରୀରେ ସଂକୀର୍ତ୍ତନ ସମାବେଶ ଏବଂ ଅଚାନକ ଭାବେ ତୁଳସୀଯାତ୍ରା ଆରମ୍ଭ କରିବା ଘଟଣା ସାମ୍ନାକୁ ଆସିଛି। ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା, ଭକ୍ତଙ୍କ ସହଜ ଓ ଶୃଙ୍ଖଳିତ ଦର୍ଶନ ପାଇଁ ୪ ଦ୍ୱାର ଖୋଲିବା, ପୁରୀରେ ସଂକୀର୍ତ୍ତନ ସମାବେଶ ଆଦି ପଦକ୍ଷେପ ଗ୍ରହଣ କରିଥିବା କଂଗ୍ରେସ ହଠାତ ତୁଳସୀଯାତ୍ରା ଆରମ୍ଭ କରିଦେଇଥିଲା।

ନିର୍ବାଚନ ପାଖେଇ ଆସିବା ବେଳେ ଦଳର ଏଭଳି ‘ସିଜିନାଲ ଷ୍ଟେପ୍’କୁ ଅନେକ କଂଗ୍ରେସ ସମର୍ଥକ ନାପସନ୍ଦ କରିବା ଦେଖାଯାଇଛି। ତୃଣମୂଳସ୍ତରରେ ଥିବା ଲୋକଙ୍କ ସମସ୍ୟାକୁ ଶାଣିତ ସ୍ୱରରେ ଉପସ୍ଥାପନ କରିବା କିମ୍ବା ତଳ ସ୍ତରରୁ ସଙ୍ଗଠନକୁ ସୁଦୃଢ କରିବା ଏବଂ ଲୋକଙ୍କ ବିଶ୍ୱାସଭାଜନ ହେବା କଂଗ୍ରେସ ପାଇଁ ଆହ୍ୱାନ ବୋଲି କୁହାଯାଏ।

ଏହାରି ମଧ୍ୟରେ ବିଭିନ୍ନ ଘଟଣାରେ ବିଜେଡି-ବିଜେପି ସମ୍ପର୍କକୁ ନେଇ ମଧ୍ୟ କଥା ଉଠିଛି। ତଥାପି କୁହାଯାଏ ବିଜେପିର ବିଜୟ ପରେ ସଂସଦରେ ସଂଖ୍ୟାଗରିଷ୍ଠତା ହାସଲ କରିବାରେ ଦଳ ସାମର୍ଥ୍ୟ ହାସଲ କରି ଦେଲେ ଏ 'ସମ୍ପର୍କ' ବିଛିନ୍ନ ହୋଇଯିବ!

ଅନ୍ୟପକ୍ଷରେ ଏହା ମଧ୍ୟ କୁହାଯାଏ ଯେ, ଯେତେଦିନ ଯାଏଁ ରାଜ୍ୟରେ ଖଣିଜ ସମ୍ପଦ ମହଜୁଦ ରହିଛି ସେଭଳି ସ୍ଥିତି ଆସିବ ନାହିଁ। ଦେଶର ୯ଟି ଉପକୂଳବର୍ତ୍ତୀ ରାଜ୍ୟଗୁଡିକ ମଧ୍ୟରୁ ଯେଉଁ ୪ଟି ବଙ୍ଗୋପସାଗର ସହିତ ସଂଯୋଗ ବା ବାତ୍ୟା ସଂସ୍ପର୍ଶରେ ଆସୁଛି ସେଗୁଡ଼ିକ ହେଲା ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ତାମିଲନାଡୁ। ୧୦ ବର୍ଷରୁ ଅଧିକ ବର୍ଷ ଧରି ଏହି ରାଜ୍ୟଗୁଡିକରେ ଆଂଚଳିକ ଦଳର ଶାସନ ଚାଲିଆସିଛି।

ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ତ୍ରୁଣମୂଳ କଂଗ୍ରେସ, ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ବିଜେଡି, ଆନ୍ଧ୍ରପ୍ରଦେଶରେ ଟିଡିପି ପରେ ୱାଇ.ଏସ୍. ଜଗନ ମୋହନ ରେଡୀଙ୍କ ୱାଇସିପି, ତେଲେଙ୍ଗାନାରେ କେସିଆର୍‌ଙ୍କ ବିଆର୍‌ଏସ୍ ଏବଂ ତାମିଲନାଡୁରେ ଏଆଇଏଡିଏମ୍‌କେ ଓ ପରେ ଏମ୍.କେ ଷ୍ଟାଲିନ୍‌ଙ୍କ ଡିଏମ୍‌କେ।

ଆଗାମୀ ୨୦୨୪ରେ ସୃଷ୍ଟି ହେବାକୁ ଥିବା ରାଜନୈତିକ 'ଲଘୁଚାପ' ଓଡ଼ିଶାରେ କି ପ୍ରଭାବ ପକାଉଛି ତାହା ସମ୍ପୂର୍ଣ୍ଣ ଭାବେ ରାଜ୍ୟବାସୀଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ।

ଇମେଲ୍: dksawat@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

BJD BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ