Advertisment

ନବୀନ-ମୋଦୀ ଭେଟ କଂଗ୍ରେସ ପାଇଁ ସୁଯୋଗ

ତୃତୀୟ ସାମୁଖ୍ୟର ରାଜନୈତିକ ତୀର୍ଥରେ ଥିବା ନୀତୀଶଙ୍କୁ ସାକ୍ଷାତର ୪୮ଘଣ୍ଟା ପରେ ନବୀନ-ମୋଦୀ ଭେଟ କଂଗ୍ରେସ ପାଇଁ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ଦଳ ଏହାର ଫାଏଦା ନେବା ସ୍ଥିତିରେ ନଥିବା ଜଣାଯାଏ।

ଅଦ୍ୟତନ ହୋଇଛି
Naveen-Modi meet opportunity for Congress

Naveen-Modi meet opportunity for Congress

Advertisment

ଆଗାମୀ ୨୦୨୪ ନିର୍ବାଚନରେ ତୃତୀୟ ସାମ୍ମୁଖ୍ୟର ଲକ୍ଷ୍ୟ ନେଇ ରାଜନୈତିକ ତୀର୍ଥଯାତ୍ରାରେ ବାହାରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। କଂଗ୍ରେସ ମୁଖିଆଙ୍କ ଠାରୁ ତାଙ୍କର ଏହି ଯାତ୍ରା ଆରମ୍ଭ କରିଛନ୍ତି। ଗତ ମାସରେ ଦିଲ୍ଲୀରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖର୍ଗେ ଏବଂ ରାହୁଲ ଗାନ୍ଧୀଙ୍କ ସହ ବିହାର ମୁଖ୍ୟମନ୍ତ୍ରୀଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା।

Advertisment

ଏହି ବୈଠକରେ ରାହୁଲ ଗାନ୍ଧୀଙ୍କ ସହ ନୀତୀଶ କୁମାର କହିଲେ, ଆମେ ଯେତେ ସମ୍ଭବ ରାଜନୈତିକ ଦଳଗୁଡିକୁ ଏକତ୍ର କରିବାକୁ ଚେଷ୍ଟା କରିବୁ ଏବଂ ଆଗକୁ ବଢିବୁ। ମୋଦୀଙ୍କୁ ଚ୍ୟାଲେଞ୍ଜ୍‌ ଦେବା ପାଇଁ ନୀତୀଶଙ୍କର ଏହା ଏକ ଐତିହାସିକ ପଦକ୍ଷେପ ବୋଲି କୁହାଯାଉଛି। ତେବେ କଂଗ୍ରେସ ସହିତ ନୀତୀଶଙ୍କ ଏହି ଆଲୋଚନା ବିଫଳ ହୋଇଥିବା ମନେହୁଏ।

ଏହାପରେ ନୀତୀଶ ଅନ୍ୟ ଆଞ୍ଚଳିକ ବିରୋଧୀ ଦଳଗୁଡିକୁ ଏକାଠି କରିବାକୁ ସେମାନଙ୍କ ସହଯୋଗ ଲୋଡିବାକୁ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌, ମମତା ବାନାର୍ଜୀ, ହେମନ୍ତ ସୋରେନ ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟି ନୀତୀଶ ତୃତୀୟ ସାମ୍ମୁଖ୍ୟ ସମ୍ପର୍କରେ ପ୍ରସ୍ତାବ ରଖିବା ଓ ଆଲୋଚନା କରିବା କଥା ଜଣାପଡିଛି।

Advertisment

ଏହି କ୍ରମରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ମେ ୯ ତାରିଖରେ ଆସି ନୀତୀଶ ଆଲୋଚନା କରିଥିଲେ ଏବଂ ଏହାର ଦୁଇ ଦିନ ପରେ ଶରଦ ପାୱାର ଏବଂ ଉଦ୍ଧବ ଠାକରେଙ୍କୁ ଭେଟିଲେ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏଇ ଯେତେ ସବୁ ନେତାଙ୍କ ସହିତ ମିଶିଛନ୍ତି ନବୀନ ପଟ୍ଟନାୟକଙ୍କୁ ବାଦ ଦେଲେ ଆଉ ସବୁ ନେତାଙ୍କ ରାଜନୈତିକ ଆଲୋଚନା ଓ 'ତୃତୀୟ ସାମ୍ମଖ୍ୟ' କଥା ସ୍ପଷ୍ଟ ଭାବରେ ସାମ୍ନାକୁ ଆସିଛି।

ତେବେ ନୀତୀଶଙ୍କ ସହିତ ନବୀନଙ୍କ ସାକ୍ଷାତ ଆଲୋଚନା ଉପରେ ସାରା ଦେଶର ନଜର ରହିଥିଲା। ନବୀନଙ୍କ ଷ୍ଟାଣ୍ଡ୍‌କୁ ଚାହିଁ ବସିଥିଲା ଦେଶର ରାଜନୀତି! କିନ୍ତୁ ଏହାକୁ ଏକ ସୌଜନ୍ୟମୂଳକ ଓ ଅଣରାଜନୈତିକ ବୋଲି କହି ନବୀନ ସବୁ ଆଲୋଚନା ଓ ଚର୍ଚ୍ଚାକୁ ଚାପିଦେବାର ପ୍ରୟାସ କରିଥିଲେ।

Advertisment

ପୁରୀ ଶ୍ରୀକ୍ଷେତ୍ର ଧାମରେ ବିହାର ତୀର୍ଥଯାତ୍ରୀଙ୍କ ପାଇଁ ବିହାର ଭବନ ନିର୍ମାଣ କରିବାକୁ ଓଡିଶା ସରକାର ମାଗଣାରେ ଦେଢ ଏକର ଜାଗା ଦେବେ ବୋଲି ନବୀନ ଘୋଷଣା କରି ରାଜନୈତିକ ଆଲୋଚନାକୁ ଚାପିଦେବାର ଉଦ୍ୟମ କରି ନାହାନ୍ତି କି?

ନୀତୀଶଙ୍କ ସହିତ ନବୀନ ଗଣମାଧ୍ୟମକୁ ସମ୍ବୋଧିତ କଲାବେଳେ ଏକଥା କିନ୍ତୁ ମନେପକାଇଥିଲେ ଯେ ଉଭୟ ଏନ୍‌ଡିଏ ସରକାରରେ କେନ୍ଦ୍ରମନ୍ତ୍ରୀ ହୋଇ କାମ କରିଛନ୍ତି। ଏହି କଥା ମାଧ୍ୟମରେ ନବୀନ ନୀତୀଶଙ୍କୁ ମନେପକାଇଦେବାକୁ ଚାହିଁଛନ୍ତି ଯେ, ଯେଉଁ ସରକାରରେ ସେ କେନ୍ଦ୍ରମନ୍ତ୍ରୀ ଥିଲେ ଏବଂ ଯେଉଁ ଦଳ ସହ ମେଣ୍ଟ କରି ବିହାର ମୁଖ୍ୟମନ୍ତ୍ରୀ ହୋଇଥିଲେ ସେହି ଦଳ ବିରୋଧରେ ଆଜି ସେ ଠିଆ ହେଉଛନ୍ତି। ଏହା ସହିତ ନବୀନ ଓ ମୋଦୀଙ୍କ ସମ୍ପର୍କ ଏବଂ ଆନୁଗତ୍ୟର ପରିଚୟ ପରବର୍ତ୍ତୀ ସମୟରେ ସାମ୍ନାକୁ ଆସ॥

ନୀତୀଶଙ୍କ ସହିତ କୌଣସି ରାଜନୈତିକ ଆଲୋଚନା ହୋଇ ନାହିଁ ବୋଲି ନବୀନ ଗଣମାଧ୍ୟମକୁ ଦୁଇ ଦୁଇ ଥର କହିବାର ୪୮ ଘଣ୍ଟାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ସାକ୍ଷାତ ଆଲୋଚନା ପରେ ଦିଲ୍ଲୀରେ କହିଲେ ତୃତୀୟ ସାମୁଖ୍ୟରେ ମୁଁ ନାହିଁ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ସାକ୍ଷାତ ଆଲୋଚନାରେ ନବୀନ, ନୀତୀଶଙ୍କ ମଧ୍ୟରେ ତୃତୀୟ ସାମୁଖ୍ୟକୁ ନେଇ କି ଆଲୋଚନା ହେଲା, ନୀତୀଶଙ୍କ ଯୋଜନା କ’ଣ; ଏସବୁ ବିଷୟରେ ସ୍ଥାନ ପାଇଥିବ କି ନାହିଁ ତାହା ଭିନ୍ନ କଥା। କିନ୍ତୁ ନୀତୀଶଙ୍କ ଆଲୋଚନାର ତୁରନ୍ତ ପରେ ନବୀନ ମୋଦୀଙ୍କ ସହିତ ମିଶି ଏତିକି ଚର୍ଚ୍ଚା ସୃଷ୍ଟି କରିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଅଛନ୍ତି।

ଚିଟ୍‌ଫଣ୍ଡ୍‌, ଶାହା କମିଶନ ସମେତ ବିଭିନ୍ନ ପ୍ରସଙ୍ଗରେ ଇଡି ଓ ସିବିଆଇ ଛାଟରୁ ମୁକ୍ତି ପାଇଁ ହେଉ ଅବା ରାଜ୍ୟର ବିକାଶ ଧାରାକୁ ଆହୁରି ତୀବ୍ରତର କରିବାକୁ ହେଉ, ଏହି ‘ମିଳନ’ ଓଡିଶାବାସୀଙ୍କ ମଧ୍ୟରେ ଏହି ଧାରଣାକୁ ଉଜ୍ୱଳ କରିଛି ଯେ କେନ୍ଦ୍ରରେ ଥିବା ବିଜେପି ସରକାର ସହିତ ବିଜେଡିର ଭଲ ସମ୍ପର୍କ ରହିଛି।

ଏହି ପରିପ୍ରେକ୍ଷୀରେ ନବୀନଙ୍କ ଷ୍ଟାଣ୍ଡ୍‌ ଏବଂ ରାଜନୈତିକ ବୁଦ୍ଧିମତାକୁ ଅନେକ ପ୍ରଶଂସା କରିଛନ୍ତି। କୁହାଯାଏ, ନବୀନଙ୍କ ଏହି ନିଷ୍ପତ୍ତି କେବଳ ତାଙ୍କୁ କିମ୍ବା ତାଙ୍କ ଦଳକୁ ‘ସେଫ୍‌ଜୋନ୍’ରେ ରଖିଛି ତା’ନୁହେଁ; ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଭୂମିକା ନିର୍ବାହ କରୁଥିବା ବିଜେପି ନେତାଙ୍କ ଆକ୍ରମଣାତ୍ମକ ଭାବେ ରାଜନୈତିକ ଆଟାକ୍ କରିବାର ଶକ୍ତିକୁ ମଧ୍ୟ ଦୁର୍ବଳ କରିବ।

ବିଜେଡି ସୁପ୍ରିମୋ ଏଠାରେ ଆହୁରି କହିଛନ୍ତି ଯେ, ଆଗାମୀ ନିର୍ବାଚନ ତାଙ୍କ ଦଳ ଏକାକୀ ଲଢିବ। କିନ୍ତୁ ଉତ୍ତମ ସମ୍ପର୍କ ଅଛି ଯେତେବେଳେ କେନ୍ଦ୍ର ନେତୃତ୍ୱ ନିହାତି ନବୀନଙ୍କ ଠାରୁ କିଛି ଆଶା ରଖିବ ତାଙ୍କ ରାଜ୍ୟ ଦଳ ପାଇଁ।

କୁହାଯାଏ ନବୀନଙ୍କ ଏହି ଷ୍ଟ୍ରାଟେଜି ବିଜେଡି ଖାତାକୁ ଯାଉଥିବା ଅଣବିଜେପି ଭୋଟ୍‌କୁ କନ୍‌ଫ୍ୟୁଜ୍‌ରେ ପକାଇବ। ଆଉ ତୃତୀୟ ଦଳ ହିସାବରେ କଂଗ୍ରେସ ଫାଇଦା ହାସଲ କରିବାର ଭରପୁର ସୁଯୋଗ ସୃଷ୍ଟି ହୋଇଛି।

ତେବେ ‘ଓଡିଶାରେ କଳି, ଦିଲ୍ଲୀରେ କୋଳାକୋଳି’ ‘ବିଜେଡି-ବିଜେପି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ’ କହି ସମାଲୋଚନା କରି ଆସୁଥିବା କଂଗ୍ରେସକୁ ଏବେକା ରାଜନୈତିକ ପରିସ୍ଥିତି ବେଶ ସୁହାଇବ। କେନ୍ଦ୍ର ଓ ରାଜ୍ୟ କ୍ଷମତାରେ ଥିବା ଦଳ ବିରୋଧରେ ଲୋକମତ ହାସଲ କରିବାର କଂଗ୍ରେସ ଅବସର ମଧ୍ୟ ପାଇବ।

ଦଳ ପାଇଁ କିନ୍ତୁ ବିଡମ୍ବନାର ବିଷୟ ହେଉଛି ଏହି ଫାଇଦା ନେବା ସ୍ଥିତିରେ କଂଗ୍ରେସ ନାହିଁ। ତୀବ୍ରତର ହେଉଥିବା ଦଳୀୟ ଅନଃକନ୍ଦଳ ବା ଗୋଷ୍ଠୀକନ୍ଦଳ ହେଉଛି ଏହାର ମୁଖ୍ୟ କାରଣ। ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ କଂଗ୍ରେସରେ ଯୋଗଦେବା ପରେ ଦଳ ଭିତରେ ଥିବା ଦ୍ୱନ୍ଦ୍ୱ କିଛିମାତ୍ରାରେ ଅପସରୀତ ହେବ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଏହା ପରେ ମଧ୍ୟ ଦଳରୁ ପୁରୁଣା ରୋଗ ଯାଇ ନଥିବା ସଦ୍ୟ ଏକ ଆଲୋଚନାରେ ବଳର ବରିଷ୍ଠ ନେତା ଚିରଂଜୀବୀ ବିଶ୍ୱାଳଙ୍କ ବିସ୍ତୃତ ଭାଷଣରୁ ସ୍ପଷ୍ଟ ହେଉଛି।

ଏହାପରେ କଂଗ୍ରେସର ଜଣେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଶ୍ନ କରିଛନ୍ତି “କଂଗ୍ରେସର ଗତି କୁଆଡେ?” ଦଳର ଭୋଟ ଦୁର୍ବଳ ହେବାର ଆଉ ଏକ ସଂକେତ ଝାରସୁଗୁଡା ଉପନିର୍ବାନରୁ ମଧ୍ୟ ଦେଖାଯାଇଛି।

ସାଧାରଣ ନିର୍ବାଚନରେ ୧୮ ହଜାରରୁ ଅଧିକ ଭୋଟ ପାଇଥିବା କଂଗ୍ରେସ ଉପନିର୍ବାଚନରେ ସାଢେ ଚାରି ହଜାର ମତଦାନ ପାଇପାରିଲା ନାହିଁ। ଯଦି କଂଗ୍ରେସ ଏହି ସୁଯୋଗକୁ ହାତଛଡା କରିବାକୁ ନ ଚାହେଁ ତାହେଲେ ଦଳର ଏକତ୍ରୀକରଣ ହିଁ ଏକମାତ୍ର ଆବଶ୍ୟକ। ନଚେତ ଏହାର ଫାଇଦା ବିଜେଡି ଖାତାକୁ ଯିବ ବୋଲି ଆକଳନ କରାଯାଏ।

ଇମେଲ୍: dksawat@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Narendra Modi Naveen Patnaik BJD BJP Congress Nitish Kumar Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ