• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ସାଧାରଣ ପ୍ରଶାସନରେ ଏହାର ଆଭିମୁଖ୍ୟ ଏଭଳି ଆଚରଣରେ ଥାଏ ଯାହା ଜନସେବକଙ୍କ ଦ୍ୱାରା ବି ଆଶା କରାଯାଇ ନ ଥାଏ। ସାଧାରଣ ପ୍ରଶାସକ ଯଦି ନିଜସ୍ୱ ଶକ୍ତିସାମର୍ଥ୍ୟ ଓ କ୍ଷମତାର ପ୍ରୟୋଗ କରି ଜନସାଧାରଣଙ୍କ ଲାଭ ଅପେକ୍ଷା ନିଜର ବ୍ୟକ୍ତିଗତ ସ୍ୱାର୍ଥ ହାସଲ ସକାଶେ ପରିସ୍ଥିତିରୁ ଭରପୂର ଫାଇଦା ଉଠାଏ ତେବେ ତାହା ତାଙ୍କ ଭ୍ରଷ୍ଟାଚାର ତଥା ଭ୍ରଷ୍ଟ ଆଚରଣକୁ ପ୍ରକଟିତ କରାଇଥାଏ।

ତେବେ ପ୍ରଚଳିତ ଶାସନ ବ୍ୟବସ୍ଥାରେ ଅନ୍ୟ କୌଣସି ପ୍ରସଙ୍ଗ ଅପେକ୍ଷା ଭ୍ରଷ୍ଟାଚାର ବା ଦୁର୍ନୀତି ସମସ୍ୟାର ସମାଧାନ ଅଗ୍ରପ୍ରାଧାନ୍ୟ ଲାଭ ରିବା ଏକ ଜରୁରୀ ମନେହୁଏ। କେବଳ ଦେଶର ଆର୍ଥିକ ଭୂମିକାକୁ ବିମୁଦ୍ରୀକରଣ, ଉଦାରୀକରଣ ତଥା ଘରୋଇକରଣର ଭିତରେ ଆବଦ୍ଧ କରିଦେଲେ କୌଣସି ସମସ୍ୟା ଆବଶ୍ୟକ ସ୍ଥଳେ ସମାଧାନ ହୋଇ ନଥାଏ। ଯାହା ନିହାତି ଆବଶ୍ୟକ ତାହା ହେଲା ପ୍ରଚଳିତ ଢାଞ୍ଚାଗତ ବ୍ୟବସ୍ଥାକୁ ତନ୍ନତନ୍ନ କରି ପରୀକ୍ଷାନିରୀକ୍ଷା, ଅନୁଧ୍ୟାନ ତଥା ସମୀକ୍ଷା କରିବା ଏବଂ ସେଥିରେ ପରିବର୍ତ୍ତନ ଘଟାଇବା। ସ୍ୱ-ବିବେକ ଅନୁମୋଦିତ ନିର୍ଣ୍ଣୟକୁ କମ ସ୍ତରକୁ ଆଣିବା ଲାଗି ଶକ୍ତିସଂପନ୍ନ ବ୍ୟକ୍ତିକୁ ଉତ୍ତରଦାୟୀ କରିବାକୁ ପଡିବ। ସେମାନଙ୍କ କାର୍ଯ୍ୟଗୁଡିକରେ ଅଧିକ ସ୍ୱଚ୍ଛତା ବଜାୟ ରଖିବା ସଙ୍ଗେ ସଙ୍ଗେ ସାମାଜିକ ସ୍ତରରେ ବି ପ୍ରତିବଦ୍ଧତା ରହିବା ବାଞ୍ଛନୀୟ।

ସମଗ୍ର ବିଶ୍ୱର ଅନେକ ଦେଶରେ ହଜାର ହଜାର ସଂଖ୍ୟକ ଲୋକ ପ୍ରତିଦିନ କୌଣସି ନା କୌଣସି ରୂପରେ ଭ୍ରଷ୍ଟାଚାର ବା ଦୁର୍ନୀତିର ସମ୍ମୁଖୀନ ହେଉଛନ୍ତି। ଏମାନଙ୍କ ମଧ୍ୟରେ ଅଧିକାଂଶ ଭାବନ୍ତି ଭ୍ରଷ୍ଟାଚାରକୁ ମୂଳୋତ୍ପାଟନ କରାଯାଇପାରିବ। ଏସବୁ କାରଣରୁ ୟୁରୋପୀୟ ଦେଶ ଜର୍ଜିଆ ଲଗାତର ସମ୍ବାଦପତ୍ରର ଶିରୋନାମାରେ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ଏ ଦେଶର ରାଷ୍ଟ୍ରପତି ଦୁର୍ନୀତି ନିବାରଣ କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ଯଦ୍ୱାରା ସିଏ ଜର୍ଜିଆ ଭଳି ଏକ ଦୁର୍ନୀତିଗ୍ରସ୍ତ ଦେଶରେ ଲାଗିଥିବା କଳଙ୍କକୁ ହଟାଇବାରେ ସଫଳତା ହାସଲ କରିଛନ୍ତି।

ସୁଶାସନ ମାର୍ଗରେ ଏକ ଦୂରଦର୍ଶୀ ତଥା ସାହସିକ ପଦକ୍ଷେପ ନେଇପାରିଛନ୍ତି। ଏ ଦେଶରେ ଦୁର୍ନୀତି ଏତେ ମାତ୍ରାରେ କାୟା ବିସ୍ତାର କରିଥିଲା ଯେ ସାମାନ୍ୟ କାମଟିଏ ବି ବିନା ଲାଞ୍ଚ ଦେବାରେ ହୋଇପାରୁ ନଥିଲା। ଏ କ୍ଷେତ୍ରରେ ଜର୍ଜିଆର ରାଷ୍ଟ୍ରପତି ପଦାସୀନ ମିଖିଲ ସକାଶଭିଲି ଏକ ଅଭୂତପୂବ ଓ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି ଓ ତାଙ୍କ ପ୍ରୟାସ ଦୁର୍ନୀତିକୁ ମୂଳପୋଛ କରିବାରେ ସଫଳ ହୋଇଛି। ସେଠିକାର ପରିବହନ ଆଉ ଶିକ୍ଷା ବିଭାଗରେ ଦୁର୍ନୀତି ବ୍ୟାପକ ଭାବେ ବଢିଯାଇଥିଲା ଓ ଜନତା ଭୀତତ୍ରସ୍ତ ହୋଇପଡିଥିଲେ।

ପରିବହନ ବିଭାଗରେ ପନ୍ଦର ହଜାରରୁ ଉର୍ଦ୍ଧ୍ୱ ଲାଞ୍ଚଖୋର ଅଧିକାରୀ ଆଉ ଶିକ୍ଷା ବିଭାଗରେ ବି ହଜାର ହଜାର ଲାଞ୍ଚୁଆ ଅଧିକାରୀ ଓ ଅମଲା ଥିଲେ, ଯେଉଁମାନେ ଖୋଲାଖୋଲି ଭାବେ ହାତ ଚିକ୍କଣ କରୁଥିଲେ। ରାଷ୍ଟ୍ରପତି ମିଖିଲ ସାକାଶିଭିଲି ବଡ ସାହସ ଜୁଟେଇ ସବୁ ଦୁର୍ନୀତିଖୋର ଅଧିକାରୀଙ୍କୁ ବାଧ୍ୟତାମୂଳକଭାବେ ବହିଷ୍କାର କରିଦେଲେ। ସେମାନଙ୍କ ସ୍ଥାନରେ ନୂଆ ନିଯୁକ୍ତିର ବ୍ୟବସ୍ଥା କରିଦେଲେ।

ଏଥିରୁ ଆମର ହୃଦବୋଧ ହେଲା ଯେ ଆମମାନଙ୍କ ଭିତରେ ଯଦି କେତେକ ଭଲକାମ କରିବା ଲାଗି ସାହସ ଜୁଟାଇ ଦେଶରେ ଆଦର୍ଶ ସ୍ଥାପନ କରିପାରିବେ ତେବେ ଯାଇ ଆମକୁ ଏଭଳି ଦୁଃସାହସିକ ପଦକ୍ଷେପ ଗ୍ରହଣ କରିବାକୁ ପଡିବ। କିନ୍ତୁ ଆମକୁ ଏକଥା ବି ହେଜିବାକୁ ହେବ ଯେ ସାକାଶଭିଲି ଏଭଳି ଠୋସ ପଦକ୍ଷେପ ସେତେବେଳେ ଗ୍ରହଣ କଲେ ଯେତେବେଳେ ତାଙ୍କ ସାଥିରେ ସମଗ୍ର ଦେଶବାସୀ ସହଯୋଗ କରିଥିଲେ। କାରଣ ସାରା ଦେଶବାସୀ ଲାଞ୍ଚ ଯାତନାରେ ଖୁବ୍ ହନ୍ତସନ୍ତ ହୋଇପଡିଥିଲେ।

ଜନତାଙ୍କ ମାନସିକତା ତଥା ଭାବାବେଗକୁ ସମ୍ନାନ ଜଣାଇ ରାଷ୍ଟ୍ରପତି ସାକାଶଭିଲି ଏତାଦୃଶ ନିର୍ଣ୍ଣୟରେ ଉପନୀତ ହୋଇଥିଲେ। ତାଙ୍କର ଏଭଳି ଐତିହାସିକ ପଦକ୍ଷେପ ଫଳରେ କୌଣସି ନବନିଯୁକ୍ତ ଅଧିକାରୀ ଏଣିକି ଉତ୍କୋଚ ଗ୍ରହଣ କରୁନାହାନ୍ତି।

ରାଷ୍ଟ୍ରପତି ସାକାଶଭିଲି ଏତିକିରେ ଅଟକି ଯାଇନାହାନ୍ତି। ବରଂ ସରକାରୀ ଅଧିକାରୀଙ୍କ ସହିତ ସାଧାରଣ ନାଗରୀକ ଯେମିତି ବ୍ୟକ୍ତିଗତ ସାକ୍ଷାତ ନ ହେବ ସେକଥା ପ୍ରତି ତୀକ୍ଷ୍ମ ନଜର ରଖିବାକୁ ପ୍ରତିଶ୍ରୁତି ଦେଇଛନ୍ତି। କାରଣ ଦୁର୍ନୀତିର ଜଡ ବ୍ୟକ୍ତିଗତ ସଂପର୍କରେ ହିଁ ନିହିତ। ସବୁକିଛି ଡିଜିଟାଲ୍‌ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏଥିସହିତ ବିଶ୍ୱ ଆର୍ଥିକ ମଞ୍ଜରେ ଜର୍ଜିଆର ସ୍ଥାନ ସମ୍ନାନଜନକ ସ୍ଥିତିକୁ ଆସିଗଲାଣି।

ଏଥର ଆଲୋଚନା କରିବା ଭାରତରେ କାୟା ବିସ୍ତାରୁଥିବା ଦୁର୍ନୀତି ସଂପର୍କରେ। ଆମ ଦେଶରେ ଭ୍ରଷ୍ଟାଚାର ଉଇ ଭଳି କାମ କରୁଛି। ଭିତରୁ ଭିତରୁ ଦେଶକୁ ଖାଇଯାଉଛି। ଟ୍ରାନ୍ସଫରେନ୍ସୀ ଇଣ୍ଟର୍‌ନେସ୍‌ନାଲ୍‌ ରିପୋର୍ଟ ଅନୁସାରେ ବିଶ୍ୱ ସମୁଦାୟର ୧୮୦ଟି ଦେଶ ଭିତରୁ ଦୁର୍ନୀତି କ୍ଷେତ୍ରରେ ଭାରତ ୮୫ ସ୍ଥାନରେ ଅଛି। ଭାରତ ଜର୍ଜିଆ ଭଳି ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି। ଏ ପ୍ରସଙ୍ଗରେ ପ୍ରସିଦ୍ଧ କୂଟନୀତି ତଥା ଅର୍ଥନୀତି ବିଷାରଦ କୌଟିଲ୍ୟଙ୍କ ନୀତି ପ୍ରଣିଧାନଯୋଗ୍ୟ।

ତାଙ୍କ ମତରେ ଯେମିତି ଜିଭରେ ରଖାଯାଇଥିବା ମହୁର ସ୍ୱାଦ ନ ନେବା ଅସମ୍ଭବ ଠିକ ସେମିତି କୌଣସି ପ୍ରଶାସନିକ ଅଧିକାରୀ ପାଇଁ ରାଜ୍ୟ ରାଜସ୍ୱର ଏକ ଅଂଶ ଉଦରସ୍ଥ ନ କରିବା ସମ୍ଭବପର ନୁହେଁ। ଫିରିଙ୍ଗ ଶାସନ ଅମଳରେ ଅର୍ଥାତ ପରାଧୀନ ଭାରତରେ ଦୁର୍ନୀତି ଚପରାଶୀ ତଥା ରାଜସ୍ୱ ବିଭାଗରେ ନୀଚା ସ୍ତରର କର୍ମଚାରୀଙ୍କ ମଧ୍ୟରେ ସୀମିତ ଥିଲା। କିନ୍ତୁ ସ୍ୱାଧୀନତାର ପରେ ଦେଶ ବିକାଶମୂଳକ ଯୋଜନା କାର୍ଯ୍ୟନ୍ୱୟନ ସଙ୍ଗେ ସଙ୍ଗେ ଭ୍ରଷ୍ଟାଚାର ତୀବ୍ର ଭାବରେ ବଢିଚାଲିଲା।

ରାଜ୍ୟରେ ଉଚ୍ଚସ୍ତରର ଲୋକେ ନେତା, ମନ୍ତ୍ରୀ ଏପରିକି ମୁଖ୍ୟମନ୍ତ୍ରୀ ଭ୍ରଷ୍ଟାଚାରରେ ସାମିଲ ହେଲେ। ଆଚାର୍ଯ୍ୟ କୃପାଳନୀ ଯଥାର୍ଥ ଭାବେ କହିଥିଲେ- ଦୁର୍ନୀତି ତ ପ୍ରଶାସନର ନିମ୍ନସ୍ତରରେ ବ୍ୟାପିଛି, କିନ୍ତୁ କାହାର ସାହସ ଅଛି କହିପାରିବ ଏହା ଉଚ୍ଚସ୍ତରରେ ବ୍ୟାପି ନାହିଁ ବୋଲି। କହିବା ନିଷ୍ପ୍ରୟୋଜନ, ୨୦୧୪ରେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କ ସମୟରେ ବିମୁଦ୍ରୀକରଣ ନିର୍ଣ୍ଣୟ ଥିଲା ଭ୍ରଷ୍ଟାଚାର ମୂଳୋତ୍ପାଟନ କରିବା ଦିଗରେ ଏକ ଐତିହାସିକ ପଦକ୍ଷେପ ଥିଲା। ସେ ଦିଗରେ ପ୍ରଧାନମନ୍ତ୍ରୀଙ୍କୁ ଦେଶବାସୀଙ୍କ ସକ୍ରିୟ ସହଯୋଗ ଓ ପୂର୍ଣ୍ଣ ସମର୍ଥନ ମିଳିଥିଲା। ମୋଟାମୋଟି ଭାବେ କହିଲେ ଆମ ଦେଶରେ ଡିଜିଟାଲ ଅର୍ଥବ୍ୟବସ୍ଥା ଓ ଡିଜିଟାଇଜେସନ୍‌ ସମେତ ଅନ୍‌ଲାଇନ୍‌ ପୋର୍ଟାଲ୍‌ ଦ୍ୱାରା ବ୍ୟକ୍ତିଗତ ସଂପର୍କ ଏକପ୍ରକାର ଛିନ୍ନ ହୋଇଯାଇଛି।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

୯୯୯-୩, ଜଗମୋହନ ନଗର, ଜାଗମରା, ଖଣ୍ଡଗିରି, ଭୁବନେଶ୍ୱର

ଦୂରଭାଷ : ୯୪୩୮୩୩୨୧୩୮