Advertisment

ବାପାଙ୍କରର ବିରୋଧ ସତ୍ୱେ ଉଚ୍ଚଶିକ୍ଷା ପାଇଁ ଦୃଢ଼ ସଂକଳ୍ପ ନେଇଥିଲେ ମଧୁବାବୁ

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଅନେକ ମନୀଷିଙ୍କ ହାତ ରହିଛି। ସେମାନଙ୍କ ମଧ୍ୟରୁ କୁଳବୃଦ୍ଧ ମଧୁସୂଦନ ଦାସ ଅନ୍ୟତମ। ତେବେ ଆସନ୍ତୁ ଜାଣିନେବା ତାଙ୍କ ଜୀବନର କିଛି ନିଚ୍ଛକ ଜଳଛବି।

author-image
Pramod Behera
ଅଦ୍ୟତନ ହୋଇଛି
Profile of Madhu Babu

Profile of Madhu Babu

ଉତ୍କଳ ଗୌରବ ମଧୁସୂଦନ ଦାସ ଥିଲେ ଓଡିଆ ଜାତିର ଗର୍ବ ଓ ଗୈାରବର ପ୍ରତୀକ । ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଓଡିଶାରେ ନୂତନ ରାଜନୈତିକ ଚେତନା ସୃଷ୍ଟି କରି ଓଡିଶାର ଏବଂ ଓଡିଆ ଜାତିର ଉନ୍ନତି ଓ ସ୍ୱାର୍ଥ ରକ୍ଷା ତଥା ସ୍ୱାଭିମାନ ବଜାୟ ରଖିବା ପାଇଁ ମଧୁବାବୁ ସର୍ବସ୍ୱ ତ୍ୟାଗ କରିଥିଲେ । ଛାତ୍ର ଜୀବନଠାରୁ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କର ଜୀବନ ଥିଲା ସଂଘର୍ଷମୟ । ସେ ସାରାଜୀବନ ଦେଶ ଓ ଜାତି ପାଇଁ ସଂଘର୍ଷ କରି ଭାରତବର୍ଷର ଓଡିଆ ଜାତିର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ଯାହା ଫଳରେ ଓଡିଆ ଜାତି ଆଜି ଭାରତବର୍ଷରେ ଏକ ସ୍ୱତନ୍ତ୍ର ମର୍ଯ୍ୟାଦାପୂର୍ଣ୍ଣ ଆସନ ହାସଲ କରିପାରିଛି ।

Advertisment

ମଧୁସୂଦନ ଦାସ ୧୮୪୮ ମସିହା ଏପ୍ରିଲ ୨୮ ତାରିଖ ଦିନ କଟକ ଜିଲ୍ଲାର ସତ୍ୟଭାମାପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତାଙ୍କ ନାମ ଚୌଧୁରୀ ରଘୁନାଥ ଦାସ ଓ ମାତାଙ୍କ ନାମ ପାର୍ବତୀ ଦେବୀ । ଶୈଶବାବସ୍ଥାରୁ ମଧୁସୂଦନ ମାତା ପାର୍ବତୀ ଦେବୀଙ୍କର ଧର୍ମପୂତ ଜୀବନଶୈଳୀରେ ପ୍ରଭାବିତ ହୋଇଥିଲେ । ସେ ତାଙ୍କ ମା’ଙ୍କ ଠାରୁ ଶିଖିଥିଲେ “ଆଲୋ ସଖୀ ଆପଣା ମହତ ଆପେ ରଖି” । ଯାହାକୁ ପାଥେୟ କରି ଜୀବନରେ ସେ ବହୁ ଉର୍ଦ୍ଧ୍ୱକୁ ଉଠି ପାରିଥିଲେ । ଚାଟଶାଳୀ ପାଠ ଶେଷ କରିବା ପରେ ମଧୁସୂଦନ ସତ୍ୟଭାମାପୁର ଭର୍ଣ୍ଣାକୁଲାର ସ୍କୁଲରେ ପଢ଼ିଥିଲେ । ତା’ପରେ ହାଇସ୍କୁଲରେ ପଢ଼ିବା ପାଇଁ କଟକ ଯାଇ ଜିଲ୍ଲା ସ୍କୁଲରେ ନାମ ଲେଖାଇଲେ ଏବଂ ୧୮୬୪ ମସିହାରେ ୧୬ ବର୍ଷ ବୟସରେ ଏଂଟ୍ରାନ୍ସ ପରୀକ୍ଷାରେ ଉତୀର୍ଣ୍ଣ ହେଲେ । ଏଣ୍ଟ୍ରାନ୍ସ ପାସ୍‌ ପରେ ବାପାଙ୍କର ଇଚ୍ଛା ଥାଏ ସେ ଚାକିରି କରନ୍ତୁ କିନ୍ତୁ ମଧୁବାବୁଙ୍କ ଇଚ୍ଛା ଥାଏ ସେ ଉଚ୍ଚଶିକ୍ଷା ଲାଭ କରି ଓଡିଶାର ପ୍ରଥମ ଗ୍ରାଜୁଏଟ୍ ହେବେ ।

ବାପାଙ୍କରର ତୀବ୍ର ବିରୋଧ ସତ୍ୱେ ମଧୁବାବୁ ଉଚ୍ଚଶିକ୍ଷା ଲାଭ କରିବା ପାଇଁ ଦୃଢ଼ ସଂକଳ୍ପ ନେଇ କିଛି ଦିନ ପାଇଁ ବାଲେଶ୍ୱର ଜିଲ୍ଲା ସ୍କୁଲରେ ଶିକ୍ଷକତା କରିଥିଲେ ଓ ତତ୍‌ପରେ ଉଚ୍ଚଶିକ୍ଷା ପାଇଁ କଲିକତା ଯାଇ ୧୮୭୦ ମସିହାରେ ଓଡିଶାର ପ୍ରଥମ ଗ୍ରାଜୁଏଟ୍ ଭାବେ ବି.ଏ. ପାଶ୍ କଲେ । ସେ ୧୮୭୩ ମସିହାରେ ଏମ୍‌.ଏ. ଓ ତତ୍‌ପରେ ବି.ଏଲ୍‌. ପାଶ୍ କରିଥିଲେ । ଇତ୍ୟବସରରେ ତାଙ୍କର ବିବାହ ସରିଥାଏ । ପତ୍ନୀ ସୈାଦାମିନୀ ଥିଲେ ବଙ୍ଗୀୟ ଖ୍ରୀଷ୍ଟିୟାନ ସଂପ୍ରଦାୟର । କଲିକତା ଆସିବା ପରଠାରୁ ମଧୁବାବୁ ମଧ୍ୟ ଖ୍ରୀଷ୍ଟିୟାନ୍ ଧର୍ମରେ ଦୀକ୍ଷିତ ହୋଇ ସାରିଥିଲେ ଏବଂ ପିତାଙ୍କ ଦ୍ୱାରା ତେଜ୍ୟପୂତ୍ର ଭାବେ ଘୋଷିତ ହୋଇଥିଲେ ।

Advertisment

ଓକିଲାତି ପାଶ୍ କରିବା ପରେ ମଧୁବାବୁ ପ୍ରଥମେ କିଛି ବର୍ଷ ପାଇଁ କଲିକତା ହାଇକୋର୍ଟରେ ଓଡିଆ ଅନୁବାଦକ ଭାବେ କାର୍ଯ୍ୟ କରିଥିଲେ । ସେହି ସମୟରେ ପତ୍ନୀ ସୈାଦାମିନୀଙ୍କର ବିୟୋଗ ଘଟିଥିଲା ଏବଂ ଏହା ତାଙ୍କୁ ଏତେ ବ୍ୟଥିତ କରିଥିଲା ଯେ, ସେ ଆଉ ପୁନର୍ବାର ବିବାହ କରି ନଥିଲେ । ତତ୍‌ପରେ କଲିକତାର ଆଲିପୁର କୋର୍ଟରେ ସେ ତାଙ୍କର ଓକିଲାତି ଜୀବନ ଆରମ୍ଭ କରିଥିଲେ । କଲିକତାରେ ସେ ଥିଲେ ପ୍ରଥମ ଓଡିଆ ଓକିଲ । କିଛିଦିନ ପରେ କେତେଜଣ ବନ୍ଧୁଙ୍କ ଅନୁରୋଧ କ୍ରମେ ମଧୁବାବୁ ୧୮୮୧ ମସିହାରୁ କଟକରେ ଓକିଲାତି ଆରମ୍ଭ କଲେ । ମଧୁବାବୁଙ୍କ ତୀକ୍ଷ୍‌ଣ ବୁଦ୍ଧି ହେତୁ ସେ ଓକିଲାତିରେ ପାରଦର୍ଶିତା ହାସଲ କରିଥିଲେ ।

ଓଡିଆ ଡିଗ୍ରୀଧାରୀ ଆଇନଜୀବୀ ଭାବେ ସେ ଓଡିଆ ଭାଷାଭାଷୀ ଅଂଚଳର ଜମିଦାର ଓ ରାଜାମାନଙ୍କ ନିକଟରେ ପରିଚିତ ହେଲେ । ଓକିଲାତିି ଜୀବନରେ ସେ ବହୁ ଦରିଦ୍ର ଲୋକଙ୍କ ପାଇଁ ବିନା ଫିସ୍‌ରେ ଲଢ଼ି ସେମାନଙ୍କୁ ଅତ୍ୟାଚାରୀ ଧନୀକ ମାନଙ୍କ କବଳରୁ ରକ୍ଷା କରିଥିଲେ । ତେଣୁ ତାଙ୍କର ଅସାଧାରଣ ଧୀଶକ୍ତି ପାଇଁ ପରମ ସମ୍ମାନ ସ୍ୱରୂପ ଲୋକେ ତାଙ୍କୁ ‘ମଧୁ ବାରିଷ୍ଟର’ ବୋଲି କହୁଥିଲେ । ସେତେବେଳେ ଇଂରେଜ ସରକାର ଓଡିଶାର ଗଜପତି ରାଜାଙ୍କ ହାତରୁ ଚକ୍ରାନ୍ତ କରି ଜଗନ୍ନାଥ ମନ୍ଦିର ପରିଚାଳନା ଭାର କାଢ଼ି ନେବାପାଇଁ ଆଇନ କରିବାରୁ ମଧୁବାବୁ ସେହି ଆଇନ ରଦ୍ଦ ହେବା ପର୍ଯ୍ୟନ୍ତ ଲଢ଼େଇ କରି ଓଡିଶାର ସମ୍ମାନ ରକ୍ଷା କରିଥିଲେ । କେନ୍ଦୁଝର ରାଜାଙ୍କୁ ତାଙ୍କ ରାଜଗାଦିି ଫେରାଇ ଦେବାପାଇଁ ସେ ସାର୍ ଚାର୍ଲସ ଇଲିଅଟ୍‌ଙ୍କୁ ସାକ୍ଷାତ କରି ଏପରି ଭାବେ ପ୍ରଭାବିତ କରିଥିଲେ ଯେ, ଶେଷରେ ସେ କେନ୍ଦୁଝର ରାଜାଙ୍କୁ ତାଙ୍କ ରାଜ୍ୟ ଫେରାଇ ଦେଲେ । ଏହିପରି ଭାବେ ଆଇନ ବ୍ୟବସାୟରେ ତାଙ୍କର ଖ୍ୟାତି ଓ ପ୍ରତିଷ୍ଠା ବୃଦ୍ଧି ପାଇଲା ।

ଓଡିଶା ଓ ଓଡିଆଙ୍କ ପାଇଁ ମଧୁବାବୁଙ୍କ ମନ ଭିତରେ ସର୍ବଦା ଦରଦ ଭରି ରହିଥିଲା । ଓଡିଆ ଭାଷାଭାଷୀ ଅଂଚଳ ଗୁଡିକ ଅବହେଳିତ ଅବସ୍ଥାରେ ଥିବା ସେ ଉବଲବ୍‌ଧି କଲେ । ମଧୁବାବୁଙ୍କ ପ୍ରଚେଷ୍ଟାରେ ୧୯୦୩ ମସିହାରେ ଆହୂତ ହେଲା ଉତ୍କଳ ସମ୍ମିଳନୀ, ଯାହାକି ଓଡିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଢ଼ି ତୋଳିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ତାଙ୍କର ନିଷ୍ଠାପର ଉଦ୍ୟମ ଫଳରେ ତତ୍କାଳୀନ ବଡଲାଟ୍ ଲର୍ଡ କର୍ଜନ ସମ୍ବଲପୁର ଅଂଚଳକୁ ମଧ୍ୟପ୍ରଦେଶରୁ ଅଲଗା କରି ଓଡିଶାରେ ମିଶାଇ ଥିଲେ ।

ମଧୁବାବୁଙ୍କର ଲର୍ଡ କର୍ଜନଙ୍କୁ ସାକ୍ଷାତର ଫଳସ୍ୱରୂପ ତତ୍କାଳୀନ ସରକାରଙ୍କ ପକ୍ଷରୁ ‘ରିସେଲ୍ ସର୍କୁଲାର’ ପ୍ରକାଶ ପାଇଲା । ସେଥିରେ ମଧ୍ୟପ୍ରଦେଶ, ବଙ୍ଗଳା ଏବଂ ମାନ୍ଦ୍ରାଜ ଅଧୀନରେ ଥିବା ଓଡିଆ ଅଂଚଳଗୁଡିକୁ ଓଡିଶା ଡିଭିଜନ୍‌ରେ ମିଶ୍ରଣ ପାଇଁ ସୁପାରିଶ କରାଯାଇଥିଲା । ମଧୁବାବୁ ୧୯୧୭ ମସିହାରେ ମଂଟେଗୁ-ଚେମସ୍‌ଫୋର୍ଡକୁ ସାକ୍ଷାତ କରି ଓଡିଆ ଭାଷାଭାଷୀ ଅଂଚଳର ମିଶ୍ରଣ ଓ ସ୍ୱତନ୍ତ୍ର ପ୍ରଦେଶ ଗଠନ ନିମନ୍ତେ ଦାବି ଉପସ୍ଥାପନ କରିଥିଲେ । ପୁନର୍ବାର ୧୯୩୧ ମସିହାରେ ଓଡନେଲ୍ କମିଟି ଆଗରେ ମଧ୍ୟ ଏହି ଦାବିର ପୁନରାବୃତି କରିଥିଲେ । ଓଡିଆ ଭାଷାଭାଷୀ ଅଂଚଳର ଏକତ୍ରୀକରଣ ଓ ସ୍ୱତନ୍ତ୍ର ପ୍ରଦେଶ ଗଠନ ତାଙ୍କ ଜୀବନର ମୂଳ ଲକ୍ଷ୍ୟ ଥିଲା । ଏପରିକି ସ୍ୱତନ୍ତ୍ର ପ୍ରଦେଶ ଗଠନ ନିମନ୍ତେ ମଧୁବାବୁ ଏକାଧିକବାର ଲଣ୍ଡନ ଯାତ୍ରା କରି ସେଠାରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଯଥାର୍ଥତା ସଂପର୍କରେ ବିଲାତ ସରକାରଙ୍କ ନିକଟରେ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଥିଲେ ।

ବିଚ୍ଛିନାଂଚଳ ସମେତ ସମସ୍ତ ଓଡିଆ ଭାଷାଭାଷୀ ଅଂଚଳର ଏକତ୍ରୀକରଣ ଏବଂ ଓଡିଶାରେ କୁଟୀର ଶିଳ୍ପର ବିକାଶ ସହିତ କୃଷି, ବାଣିଜ୍ୟ, ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ଏକ ନୂତନ ଜାଗରଣ ସୃଷ୍ଟି କରିବା ସକାଶେ ଉତ୍କଳ ସମ୍ମିଳନୀ ମାଧ୍ୟମରେ ମଧୁବାବୁ ସର୍ବଦା ଉଦ୍ୟମରତ ଥିଲେ । ତାଙ୍କର ଜୀବନକାଳ ମଧ୍ୟରେ ସେ ଦୁଇଥର ଉତ୍କଳ ସମ୍ମିଳନୀର ସଭାପତି ଭାବେ ମନୋନୀତ ହୋଇଥିଲେ - ପ୍ରଥମେ ୧୯୧୩ ମସିହା ଜାନୁୟାରୀ ୨୦ ତାରିଖରେ ମଧୁବାବୁ ଓଡିଶାର ପ୍ରଜା ପ୍ରତିନିଧି ଭାବେ ବିହାର - ଓଡିଶା ବ୍ୟବସ୍ଥାପକ ସଭାର ସଦସ୍ୟ ଭାବେ ମନୋନୀତ ହୋଇଥିଲେ ଏବଂ ସେହିବର୍ଷ ସେ ଭାରତୀୟ ବିଧାନ ପରିଷଦ (ଓଜ୍ଞକ୍ଟ୍ରରକ୍ସସବକ୍ଷ ଉକ୍ଟଙ୍କଦ୍ଭମସକ୍ଷ) କୁ ସର୍ବପ୍ରଥମ ଓଡିଆ ସଭ୍ୟ ଭାବେ ମଧ୍ୟ ମନୋନୀତ ହୋଇଥିଲେ।

୧୯୨୦ ମସିହା ନଭେମ୍ବର ୩୦ ତାରିଖରେ ମଧୁସୂଦନ ଦାସ ବିହାର-ଓଡିଆ ବ୍ୟବସ୍ଥାପକ ସଭାକୁ ନିର୍ବାଚିତ ହୋଇ ୧୯୨୧ ମସିହା ଏପ୍ରିଲ ୨୨ ତାରିଖରେ ବିହାର-ଓଡିଶା ସରକାରରେ ସ୍ୱାୟତ ଶାସନ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ମଧୁବାବୁଙ୍କ ମତରେ “ମନ୍ତ୍ରୀମାନେ ହେଲେ ଜନସାଧାରଣଙ୍କର ସେବକ, ଜନସେବା ପାଇଁ ମନ୍ତ୍ରୀମାନେ ଦରମା ନେବା ଅନୁଚିତ ।” ସରକାର ମଧୁବାବୁଙ୍କର ଏହି ମତ ଗ୍ରହଣ ନ କରିବାରୁ ସେ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ।

ମଧୁବାବୁ କହୁଥିଲେ “ଶିଳ୍ପର ଉନ୍ନତି ବିନା ଜାତିର ଅର୍ଥନୈତିକ ବିକାଶ ଅସମ୍ଭବ ।” ସେଥିପାଇଁ ସେ ପ୍ରତିଷ୍ଠା କରିଥିଲେ ‘ଉତ୍କଳ ଟ୍ୟାନେରୀ’, ଯେଉଁଥିରୁ ଉତ୍ପାଦିତ ଜୋତାର ସେତେବେଳେ ସମଗ୍ର ଦେଶରେ ଚାହିଦା ଥିଲା । ଆଉ ମଧ୍ୟ କଟକର ସୁନା-ରୂପା ତାରକସି କାମର ବିକାଶ ଘଟାଇବା ପାଇଁ ସେ କଟକ ଠାରେ ପ୍ରତିଷ୍ଠା କରିଥିଲେ ‘ଓଡିଶା ଆର୍ଟଓୟାର’, ଯାହାର ଉତ୍ପାଦିତ ସାମଗ୍ରୀକୁ ନେଇ ସେ ବିଲାତ ଠାରେ ଏକ ପ୍ରଦର୍ଶନୀ ଆୟୋଜନ କରିଥିଲେ ଏବଂ ଇଂରେଜମାନଙ୍କୁ ବୁଝାଇ ଦେଇଥିଲେ ଯେ ଓଡିଆ ବଣିଆମାନେ କିଭଳି ବିନା ଯନ୍ତ୍ରପାତିରେ ଧାତୁଦ୍ରବ୍ୟର ଗୁଣ ଜାଣନ୍ତି । ଏହିସବୁ ଅନୁଷ୍ଠାନ ତାଙ୍କ ନିଜ ପ୍ରଚେଷ୍ଟା ତଥା ସ୍ୱ-ଅର୍ଥରେ ପରିଚାଳିତ ହେଉଥିଲା । ଉତ୍କଳ ଟ୍ୟାନେରୀ ପାଇଁ ସେ କରିଥିବା ଋଣ ପରିଶୋଧ କରି ନପାରି ନିଜର କଟକ ଓ ପୁରୀଠାରେ ଥିବା ଜମି ଓ ଘର ବନ୍ଧକ ତଥା ବିକ୍ରି କରି ଦେଇଥିଲେ । ତଥାପି ସେ ଭାଙ୍ଗିପଡି ନଥିଲେ । ଓଡିଆ ଜାତିର ଉନ୍ନତି ତଥା ସ୍ୱାଭିମାନ ପ୍ରତିଷ୍ଠା ପାଇଁ ଅକୁଣ୍ଠିତ ମନରେ ସେ ନିଜର ସର୍ବସ୍ୱ ଦାନ କରି ଯାଇଛନ୍ତି । ଓଡିଆ ଜାତି କିପରି ଦେଶ ବିଦେଶରେ ସମ୍ମାନିତ ହେବ, ଏହା ଥିଲା ତାଙ୍କର ଏକମାତ୍ର ଧ୍ୟେୟ।

ଓଡିଆ ସାହିତ୍ୟର ନବଜାଗରଣରେ ମଧୁବାବୁଙ୍କର ଭୂମିକା ଥିଲା ଅନବଦ୍ୟ । ମଧୁବାବୁଙ୍କ ରଚିତ କାବ୍ୟକବିତା ଓଡିଆ ଜାତିକୁ ନୂତନ ଦିଗନ୍ତର ସନ୍ଧାନ ଦେବା ସଙ୍ଗେ ସଙ୍ଗେ ପ୍ରତ୍ୟେକ ଓଡିଆଙ୍କ ପ୍ରାଣରେ ଭରି ଦେଇଥିଲା ଜାତୀୟତାର ପ୍ରେମ ବହ୍ନି । ତାଙ୍କ ରଚିତ ‘ଉତ୍କଳ ସନ୍ତାନ’ ହେଉ ଅଥବା ‘ସନ୍ତାନର ଉକ୍ତି’ ହେଉ, ‘ଜାତି ଇତିହାସ’ ହେଉ କିମ୍ବା ‘ଜନନୀର ଉକ୍ତି’ ହେଉ ସବୁ କବିତାରେ ଭରି ରହିଛି ଜନନୀ ଜନ୍ମଭୂମୀ ପାଇଁ ଏକ ଆବେଗପୂର୍ଣ୍ଣ ଜାତୀୟତା ଭାବ, ଯାହାକି ଆଜି ମଧ୍ୟ ପ୍ରତ୍ୟେକ ସ୍ୱାଭିମାନୀ ଓଡିଆ ପ୍ରାଣରେ ସ୍ପନ୍ଦନ ସୃଷ୍ଟି କରେ।

ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ତଥା ଓଡିଆ ଜାତିର ସାମଗ୍ରିକ ବିକାଶ ମଧୁବାବୁଙ୍କର ସ୍ୱପ୍ନ ଓ ସଂକଳ୍ପ ଥିଲା । ବିଧିର ବିଧାନ କେ କରିବ ଆନ । ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ଦୁଇବର୍ଷ ପୂର୍ବରୁ ୧୯୩୪ ମସିହା ଫେବୃୟାରୀ ମାସ ୪ ତାରିଖ ଦିନ ଉତ୍କଳ ଜନନୀର ଏହି ମହାନ୍ ବରପୁତ୍ରଙ୍କର ଜୀବନ ଦୀପ ଲିଭି ଯାଇଥିଲା । ଓଡିଆ ଜାତିର ଉଥାନ ପାଇଁ ସେ ସର୍ବଦା ଚେଷ୍ଟିତ ଥିଲେ । ଓଡିଆ ଜାତି ପାଇଁ ତାଙ୍କ ଆମିôୟତାର ପଟାନ୍ତର ନାହିଁ । ମୃତ୍ୟୁଶଯ୍ୟାରେଥାଇ ସେ କହିଥିଲେ, “ମୁଁ ଚାଲିଯାଏ କିନ୍ତୁ ଓଡିଆ ଜାତି ବଂଚିି ରହିଥାଉ ।” ପ୍ରକୃତରେ ସେ ଥିଲେ ଉତ୍କଳ ଜନନୀର ଯୋଗ୍ୟତମ ସନ୍ତାନ।

(ତଥ୍ୟ- ଉତ୍କଳ ପ୍ରସଙ୍ଗ)

Garbare Kuha Mun Odia Utkal Diwas
Advertisment
Advertisment