Advertisment

ନୂଆବର୍ଷରେ ନେତାଙ୍କ ଦୁଆରେ କାହିଁକି ଭିଡ… କାହା ମୁଣିରେ ଅଧିକ ଶୁଭେଚ୍ଛା

ଦଶହରା, ଦିପାବଳୀ ଆଦି ପୂଜା ପାର୍ବଣ ରାଜନୀତି କ୍ଷେତ୍ର ପାଇଁ ବିଶେଷ ଅବସର ବୋଲି ଧରାଯାଏ। ଏ ସବୁ ଉତ୍ସବ ଭିତରେ ନୂଆବର୍ଷ ସବୁଠାରୁ ନିଆରା; ପୁଣି ଯେତେବେଳେ ଆଗକୁ ନିର୍ବାଚନର ହେବାକୁ ଥିବ। ୨୦୨୪ ସାଧାରଣ ନିର୍ବାଚନ ଆସି ଦୁଆର ମୁହଁରେ ହେଲାବେଳେ ତା’ପୂର୍ବରୁ ଆସିଛି ନୂଆବର୍ଷ, ଯାହାକୁ କୌଣସି ରାଜନୈତିକ ଦଳର ନେତା, କର୍ମୀ ହାତଛଡା କରିବାକୁ ଚାହାନ୍ତି ନାହିଁ।

ଅଦ୍ୟତନ ହୋଇଛି
Leaders flock to New Year's greetings

Leaders flock to New Year's greetings

Advertisment

ଆପଣ କହିପାରିବେ, ନୂଆବର୍ଷ ଅବସରରେ ଶୁଭେଚ୍ଛା ଜଣାଇବାକୁ କାହା ଦୁଆରେ ଅଧିକ ଭିଡ ଜମିଥିଲା? କାହାକୁ ସବୁଠାରୁ ଅଧିକ ପୁଷ୍ପଗୁଚ୍ଛ ଦିଆଯାଇଥିବ ବୋଲି ଆପଣ ଭାବୁଛନ୍ତି? ଅନୁମାନ ଲଗାଇଲେ, ଏହି ଅବସରରେ କାହା ଦୁଆରେ ଅଧିକ ସଂଖ୍ୟାର ଗାଡି ଲାଗିଥିବ? ସେ ରାଜନେତା ହୁଅନ୍ତୁ କି ବଡ ବଡିଆ ଅଫିସର… ଏ କଥା କୌଣସି ମିଡିଆ କିମ୍ବା ରିପୋର୍ଟରେ ପ୍ରକାଶ ପାଇନି!

Advertisment

ଅବଶ୍ୟ ଏହି ପ୍ରଶ୍ନ କୌଣସି ପରୀକ୍ଷାରେ ପଡିବନି ଯେ ଯାହା ପାଇଁ ପ୍ରସ୍ତୁତ ହେବା ନିହାତି ଆବଶ୍ୟକ; କିନ୍ତୁ ରାଜ୍ୟ ରାଜନୀତି ପାଇଁ ବେଶ୍ ଗୁରୁତ୍ୱ ବହନକରେ। ନେତାଙ୍କ ନେତୃତ୍ୱର ପ୍ରଭାବ ପରଖିବା ଏବଂ ଶୁଭେଚ୍ଛା ଜଣାଇବାକୁ ଆସିଥିବା ବ୍ୟକ୍ତିଙ୍କ ଉତ୍ସାହ ଓ ଆବେଗର ମାପକାଠି ହୋଇପାରେ...। ଏକତା ସହିଦନଗରରେ ଅଚାନକ ଭିଡ ମେ ୨୯ ତାରିଖରେ ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି କରିଥିଲା!

ଦଶହରା, ଦିପାବଳୀ ଆଦି ପୂଜା ପାର୍ବଣ ରାଜନୀତି କ୍ଷେତ୍ର ପାଇଁ ବିଶେଷ ଅବସର ବୋଲି ଧରାଯାଏ। ଏ ସବୁ ଉତ୍ସବ ଭିତରେ ନୂଆବର୍ଷ ସବୁଠାରୁ ନିଆରା; ପୁଣି ଯେତେବେଳେ ଆଗକୁ ନିର୍ବାଚନର ହେବାକୁ ଥିବ। ୨୦୨୪ ସାଧାରଣ ନିର୍ବାଚନ ଆସି ଦୁଆର ମୁହଁରେ ହେଲାବେଳେ ତା’ପୂର୍ବରୁ ଆସିଛି ନୂଆବର୍ଷ, ଯାହାକୁ କୌଣସି ରାଜନୈତିକ ଦଳର ନେତା, କର୍ମୀ ହାତଛଡା କରିବାକୁ ଚାହାନ୍ତି ନାହିଁ।

Advertisment

ଏହି ଅବସରରେ ଗାଁ’ଠୁ ସହର ସବୁଠି ଦଳୀୟ ଚିହ୍ନରେ ନେତା, କର୍ମୀଙ୍କ ଚେହେରା ଚମକୁଥିବା ଦେଖିବାକୁ ମିଳେ। ବିଜୁଳିଖୁଣ୍ଟ, କାନ୍ଥ, ବାଡ ସର୍ବତ୍ର ମାଳ ମାଳ ପୋଷ୍ଟର, ବ୍ୟାନର ହୋର୍ଡିଂର ପ୍ରତିଯୋଗିତା। ଏଭଳି ପରିବେଶକୁ ଦେଖି ଲାଗୁଛି ଯେମିତି ନିର୍ବାଚନୀ ପର୍ବ ଆରମ୍ଭ ହୋଇଯାଇଛି; ଆୟୋଗ ବିଗୁଲ ବଜାଇ ଦେଇଛନ୍ତି, ଖାଲି ଭୋଟ ଦେବାଟା ବାକି ରହିଛି!

ପ୍ରଚାରଧର୍ମୀ ନୂଆବର୍ଷ ଅଭିନନ୍ଦନ ପ୍ରତିଯୋଗିତାରେ ଓଡ଼ିଶାର ୩ ପ୍ରମୁଖ ଦଳ ମଧ୍ୟରେ ବିଜେପି ଓ କଂଗ୍ରେସର କାଁ ଭାଁ ଚିତ୍ର ଦେଖିବାକୁ ମିଳେ। ତେବେ ସବୁଠି ଛାଇଯାଇଥାଏ ଶାସକ ବିଜେଡି ଦଳର ବ୍ୟାନର। ସେମିତିରେ ବର୍ଷ ତମାମ ବିଭିନ୍ନ ଯୋଜନା ଓ ବିକାଶର ବ୍ୟାନର ରାଜ୍ୟର ଗାଁଠୁ ସହର ସବୁଠି ମାଳ ମାଳ ଦେଖିବାକୁ ମିଳେ, ଯେଉଁଥିରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହିଛି।

Advertisment

ଏହା ବାଦ୍ ନବବର୍ଷ ଅବସରରେ ଅଭିନନ୍ଦନ ଜଣାଇ ଦଳୀୟ ବ୍ୟାନରରେ ମୁଖ୍ୟମନ୍ତ୍ରୀଙ୍କ ଚେହେରା ସମଗ୍ର ପରିବେଶକୁ ‘ନବୀନମୟ’ କରାଯିବା ମନେହୁଏ। ସେହିଭଳି ତୁଳନାରେ ଶୁଭେଚ୍ଛା ଜଣାଇବାକୁ ନେତା ଓ କର୍ମୀଙ୍କ ଭିଡ ମଧ୍ୟ ଶାସକ ଦଳର ନେତାଙ୍କ ପ୍ରାଙ୍ଗଣରେ ଅଧିକ ଦେଖାଯାଏ।

୨୦୨୪ ଜାନୁୟାରୀ ପହିଲାରେ ରାଜଧାନୀରେ ଥିବା ଦଳୀୟ କାର୍ଯ୍ୟାଳୟ ଏବଂ ହେବିୱେଟ୍‌ ନେତାଙ୍କ ଘରେ କର୍ମୀ ଓ ଶୁଭେଚ୍ଛୁମାନଙ୍କ ଭିଡ ଲାଗିଥିଲା। ହାତରେ ପୁଷ୍ପଗୁଚ୍ଛ ଧରି ନିଜ ନିଜର ନେତାଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇବାକୁ ରାଜ୍ୟର ବିଭିନ୍ନ ସ୍ଥାନରୁ କର୍ମୀ, ସଙ୍ଗଠକମାନେ ରାଜଧାନୀ ପହଞ୍ଚିଥିଲେ। ଶଙ୍ଖ ଭବନ, କଂଗ୍ରେସ ଭବନ ଓ ବିଜେପି କାର୍ଯ୍ୟାଳୟରେ ଅଭିନନ୍ଦନର ଆଦାନ ପ୍ରଦାନ ହୋଇଥିଲା ସତ କିନ୍ତୁ ସେ ତୁଳନାରେ ଭିଡ ଅଧିକ ଥିଲା ନେତାଙ୍କ ଘରେ।

ନିର୍ବାଚନ ଓ ନୂଆବର୍ଷକୁ ଦୃଷ୍ଟିରେ ରଖି ମହାନଗର, ପ୍ରତ୍ୟେକ ଜିଲ୍ଲା ଓ ନିର୍ବାଚନମଣ୍ଡଳୀରେ ବ୍ୟାପ୍ତ ଦଳୀୟ ନେତାଙ୍କ ପ୍ରଚାର ବ୍ୟାନର ଦ୍ୱାରା ଦୁଇଟି ସଂକେତ ମିଳେ। ଲୋକଙ୍କ ମଧ୍ୟରେ ଦଳ ଓ ଶୀର୍ଷ ନେତୃତ୍ୱଙ୍କ ପ୍ରଭାବ ବିସ୍ତାର କରିବା ଏବଂ କେଉଁ ଆସନରୁ କିଏ ଲଢିବାକୁ ଆଶାୟୀ ଅଛନ୍ତି ତା’ର ସଂକେତ ମିଳିଥାଏ।

ଏହି ପରିପ୍ରେକ୍ଷୀରେ ରାଜ୍ୟର ପ୍ରାୟ ପ୍ରତିଟି ନିର୍ବାଚନମଣ୍ଡଳୀରେ ଅନ୍ୟୁନ ୪ରୁ ୫ ଆଶାୟୀ ଶାସକ ବିଜେଡି ଦଳର ଥିବା ଜଣାପଡିଛି। ଯାହାକୁ ନେଇ ଦଳ ଓ ଆଶାୟୀଙ୍କ ସମର୍ଥକଙ୍କ ମଧ୍ୟରେ ବିବାଦ, ଅସନ୍ତୋଷ, ଉତ୍ତେଜନା ଲାଗିରହିଛି। ଅନେକ ସ୍ଥାନରେ ନୂଆବର୍ଷ ବ୍ୟାନର ଲଗାଇବାକୁ ନେଇ ଶଙ୍ଖ ଦଳ ମଧ୍ୟରେ ବିବାଦ ଦେଖାଦେବା ଏବଂ ବ୍ୟାନର ଚିରା ଫୋପଦା ଭଳି ଘଟଣା ସାମ୍ନାକୁ ଆସିଛି।

ଦୁଇବର୍ଷ ତଳେ ନୂଆବର୍ଷ ଭିଡ ବିଜେଡିର ପ୍ରଭାବଶାଳୀ ନେତାଙ୍କ ଦୁଆରେ ଦେଖାଯାଇଥିଲା। ଆଗକୁ ଥିଲା ୨୦୨୨ ପଞ୍ଚାୟତ ଓ ସହରାଞ୍ଚଳ ନିର୍ବାଚନ। ତା’ପୂର୍ବରୁ ଜାନୁଆରୀ ପହିଲାରେ ନୂତନ ବର୍ଷର ଅଭିନନ୍ଦନ ଜଣାଇବାକୁ ଗାଁ ଓ ସହରରୁ ନେତାଙ୍କ ବାସଭବନ ଆଡକୁ ଆଶାୟୀମାନଙ୍କ ଗାଡି ଛୁଟିଥିଲା। ପୁଷ୍ପଗୁଚ୍ଛ ଦେଇ ନେତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଆଉ ଶକ୍ତି ପ୍ରଦର୍ଶନ ପାଇଁ ସାଥୀରେ ଅଞ୍ଚଳର ପ୍ରଭାବଶାଳୀ ସମର୍ଥକଙ୍କୁ ନେବା ଆଦୌ ଭୁଲି ନଥିଲେ।

ଆଗକୁ ସାଧାରଣ ନିର୍ବାଚନ ଥିଲେ ମଧ୍ୟ ସେଭଳି ଭିଡ କିନ୍ତୁ ଏଇ ୨୦୨୪ ନୂଆବର୍ଷରେ ଦଳର ବରିଷ୍ଠ ନେତା, ମନ୍ତ୍ରୀ ଓ ବିଧାୟକଙ୍କ ବାସଭବନରେ ପରିଲକ୍ଷିତ ହୋଇ ନ ଥିଲା। କୁହାଯାଏ ଦଳରେ ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାୟ ୩ ହଜାର ଆଶାୟୀ ଓ ଦାବିଦାର। କାହାକୁ ଟିକେଟ୍‌ ଦିଆଯିବ ନ ଦିଆଯିବ ତାହା ଦଳର ହାଇକମାଣ୍ଡଙ୍କ ନିଷ୍ପତ୍ତି। ଏଠି କିନ୍ତୁ ଜଣଙ୍କର ଟିକେଟ୍ କନ୍‌ଫର୍ମ, ଆଉ ସେ ହେଉଛନ୍ତି ଦଳର ସୁପ୍ରିମୋ!

ତେବେ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର ହାଇକମାଣ୍ଡଙ୍କ ଠାରୁ ପ୍ରଶଂସା ସାଉଁଟିବାର ବେଶ ଅନୁକୂଳ ସମୟ ହେଉଛି ନୂଆବର୍ଷ। ଏହି ଅବସରରେ ଅନେକ ଆଶା, ଉତ୍ସାହ ଓ ଉତ୍କଣ୍ଠାରେ ଥିବା ଦଳୀୟ ନେତା-କର୍ମୀ ନିଜ ନିଜ ସମର୍ଥକଙ୍କ ସହିତ ନବୀନ ନିବାସରେ ଭିଡ ଜମାଇଥିବା ଦେଖାଯାଇଥିଲା। ହାତରେ ଫୁଲତୋଡା ଧରି ନିଜର ପ୍ରିୟ ନେତା ତଥା ଦଳର ସୁପ୍ରିମୋଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇବା ପାଇଁ ଆସିଥିଲେ।

ଏହି ଅବସରରେ ସବୁଠାରୁ ଅଧିକ ଦଳୀୟ ନେତା, ମନ୍ତ୍ରୀ, କର୍ମୀ, ଅଧିକାରୀମାନଙ୍କର ଭିଡ ଫରେଷ୍ଟ ପାର୍କ ନିକଟରେ ଦେଖାଯାଇଥିବା ଚର୍ଚ୍ଚାରେ ରହିଛି। ଭିଡ ଏଭଳି ଥିଲା ଯେ ସେହି ରାସ୍ତା ଦେଇ ଯେ କେହି ବି ଯାତ୍ରୀ ଯାଉଥିଲେ ବୁଲି ଚାହୁଁଥିଲେ।

ଉକ୍ତ ବ୍ୟକ୍ତିଙ୍କ ବାସଭବନ ଠାରୁ କ୍ୟାପିଟାଲ ହସ୍ପିଟାଲ, ପ୍ରାୟ ଅଧା କିମିରୁ ଅଧିକ ଦୂର ଧରି ଗାଡି ଧାଡି ବାନ୍ଧି ଠିଆ ହୋଇଥିଲା। ହାତରେ ରଙ୍ଗ ବେରଙ୍ଗର ବଡ ବଡ ଫୁଲତୋଡା ଧରି କାର୍‌ରୁ ବାହାରୁଥିଲେ ନେତା। ସ୍ଥିତି ଏଭଳି ଥିଲା ଯେ ଗାଡି ରଖିବାକୁ ସେଠାରେ ଜାଗାର ଅଭାବ ପଡିବା ଦେଖାଗଲା। ରାଜଧାନୀର ଏହି ଚିତ୍ର ଯିଏ ଦେଖିଛି ସେ କହୁଛି- ୨୦୨୪ ନୂଆବର୍ଷରେ ସବୁଠାରୁ ଅଧିକ ଶୁଭେଚ୍ଛା ପାଇବାରେ ଏ ରେକର୍ଡ ରଖିଲେ!

ଇମେଲ୍: dksawat@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ